Unknown

 

 

 

 

 

 

 

 

 

 

 

ଆଜିର ମଣିଷ

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ପରମାୟୁ ଅଛି ସବୁରି–ସବୁ ଜୀବ ଉଦ୍ଭିଦ ଜଡ଼ବସ୍ତୁ । ସେଇ ପରାମାୟୁର ମାପ ଯନ୍ତ୍ରରେ ମାପିଲେ ଦେହଟା ମୋର ଆଜି ବେଶ୍ ପୁରୁଣା ହୋଇପଡ଼ିଚି; ହେଲେ, ମନ ତାହା ମାନିବାକୁ ଏକାବେଳେ ନାରାଜ ।

 

କାନ ମୋର ମୋଟେ ତିଆର ନୁହେଁ ଶୁଣିବାକୁ ଯେ ସତକୁ ସତ ମୁଁ ବୁଢ଼ା ! ବୁଢ଼ା ହବଟା ଯେମିତି ଅବା ଜୀବନର ମସ୍ତବଡ଼ ପରାଜୟ–ଯହିଁରୁ ଉଦ୍ଧାର ପାଇବାର ଆଉକିଛି ଉପାୟ ନାହିଁ, କେବଳ ମୃତ୍ୟୁଛଡ଼ା । ମୋ ସାଥିରେ ଆଜି ବୁଢ଼ା ହୋଇପଡ଼ିଲେଣି ଗୌରୀ, ସାବିତ୍ରୀ ଆଉ ତମାମ୍‍ ପୃଥିବୀଟା । ସାବିତ୍ରୀ ଆଜି ଏ ପୁରୁଣା କାହାଣୀକୁ ମନଦେଇ ଶୁଣୁଚି ନୂଆ ଭଳି–ଗୌରୀ ତ ପାଖରେ ନାହିଁ, ଦୂରରେ । ତେବେ ଏଇ ପୁରୁଣା କାହାଣୀ ଉପରେ ତା’ର ମଞ୍ଜୁର ଅଛି ।

 

ପୁରୁଣାକୁ ଆମେ ସମ୍ମାନ ଦେଉ ଅନେକ । ଅତୀତକୁ ସଭକ୍ତି ପୂଜା କରୁ; ତାହା ବୋଲି ନିଜକୁ କେବେହେଲେ ପୁରୁଣା କହିବାକୁ ପ୍ରସ୍ତୁତ ନୋହୁ । ଯାହା ମୋର ପ୍ରକୃତ ବୟସ, ତହିଁରୁ କେହି କମ୍‍ ଅନୁମାନ କଲେ ସଙ୍ଗେ ସଙ୍ଗେ ସେ ମୋର ପ୍ରିୟ ହୋଇପଡ଼ନ୍ତି । ପୁରୁଣା ହେଲେ ଯେ ସବୁ ପଚା ପୋପରା ନଷ୍ଟ, ପରିତ୍ୟାଜ୍ୟ ! ସେଇପାଇଁ ପରା ଆଗକାଳରେ ଚିରଯୌବନ ପାଇବାକୁ ଏତେ ତ୍ୟାଗ, ତପସ୍ୟା !

 

ମଣିଷ ମରେ ସେଇ ନିୟମରେ, ନୂଆ ମଣିଷ ହେବା ପାଇଁ । ପଚା ପୁରୁଣାକୁ ମମିକରି ପିରାମିଡ଼୍‍ ତୋଳି ହଜାର ହାଜର ବର୍ଷ ସାଇତି ରଖିଲେ ବି ନିୟମ, ନିୟମ । ଚରା ମରା ସଂସାର–ମରିବାକୁ ହିଁ ହେବ–ହାଣକାଟ ଦୁର୍ଘଟଣାରେ ହେଉ, କି ରୋଗ ଶୋଷ ଉପାସରେ ହେଉ । ନଇଲେ ନୂଆ ଉଠିବ କିପରି ? କ୍ଷେତ ପାଚିବ–କଟା ନ ହଲେ ନୂଆ ବିହନ ଆସିବ କାହୁଁ ? ବୁଣା ହେବ କେଉଁଠି ?

 

ଚାରିଆଡ଼ର ଏହି ଘୋର ନିବିଡ଼ ପୁରୁଣା ପରିବେଶ ଭିତରେ ମୁଁ ଆଜି କାଙ୍ଗାଳ ଭଳି ନୂଆକୁ ଦରାଣ୍ଡି ଖୋଜୁଛି; ଅଥଚ ମୋର ସବୁ ନୂଆ, ଯେମିତି ଲୁଚି ଗଲାଣି ପୁରୁଣା ମଝିରେ ଅତୀତରେ ! ସେଇଠାରୁ ତାକୁ ସାଉଁଟି ତୋଳି ଆଣିବାକୁ ମୁଁ ହାତ ବଢ଼ାଏ–ସେଇ ମୋର ନୂଆ, ପୁରୁଣାର ଯାହା ନାମାନ୍ତର–ସେଇ ଯୌବନ, ବାର୍ଦ୍ଧକ୍ୟ ଯାହାର ରୂପାନ୍ତର–ପୁଣି ସେଇ ଜୀବନବସନ୍ତ, ଯାହାର ଅତୀତ ନାହିଁ କି ଭବିଷ୍ୟତ ନାହିଁ–ଆଉରି ଥରେ ତାହା ଫେରି ପାଇବାକୁ ଅଣ୍ଡାଳି ହୁଏ–ଲୋଲୁପ ଆଖି ବୁଲାଏଁ–ଆଉଥରେ ଦୁନିଆକୁ ନୂଆକରି ଦେଖିବା ଲାଗି । ଆଉଥରେ-!

 

ନିଜେ ଯେତିକି ପୁରୁଣା ଆଜି ମୁଁ ହୋଇପଡ଼ୁଚି, ମୋର ଅତୀତ, ମୋର ହୃତ୍‍ ଶୈଶବ ଆଉ ମୃତ ଯୌବନ ଦେଖା ଦେଉଚି ସେତିକି ନୂଆ ହୋଇ । ତହୁଁ କିଏ ନୂଆ, କିଏ ପୁରୁଣା, ବାଛିବାକୁ ମୁଣ୍ଡ ଘୂରିଯାଏ । ସେଇ ମୋର ଶୈଶବ ଆଜି କେବଳ ଶବମାତ୍ର–ଯେତେବେଳେ ଦୁନିଆ ଉପରେ ମୁଁ ପୂରାପୂରି ନୂଆ–ଅସଂଖ୍ୟ ପରିଚୟର ସ୍ମୃତିରେ ମୁଣ୍ଡ ଭାରାକ୍ରାନ୍ତ ହୋଇନଥାଏ କି ଅଭିଜ୍ଞାତାର ଓଜନ ବୋଝରେ ପିଠିଟା ନଇଁ ପଡ଼ିନଥାଏ–ସବୁ ଆଶା ଆକାଙ୍‍କ୍ଷା ନିଃଶେଶ ହୋଇଥାଏ ଖାଲି ଖେଳରେ, କୌତୁକରେ, ଅସମ୍ବଦ୍ଧ ଅନର୍ଥକ କଥାରେ । ସେହି ବଳହୀନ ଶୈଶବରେ କେତେଥର ଇଚ୍ଛା ହୋଇଚି ବୟସ୍କର ମର୍ଯ୍ୟାଦା ପାଇବାକୁ । ଅବହେଳିତ ଅଶକ୍ତ ଶୈଶବକୁ ଅତିକ୍ରମ କରି ପୃଥିବୀ ଉପରେ ପକାଇବାକୁ ନୂଆ ମଣିଷର ସୁଦୃଢ଼ ପଦକ୍ଷେପ–ଆବିଷ୍କାର କରିବାକୁ ନୂତନ ପଥ, ନୂତନ ବାର୍ତ୍ତା ।

 

ମନେ ପଡ଼ିଯାଏ ଦିନ ଦିନକର ଘଟଣା–

 

ସେଦିନ ଚାଉଁକିନା ଭାଙ୍ଗିଗଲା ନିଦଟା । ବାଁ କାନ ଭିତରେ ସଲ ସଲ ହେଉଥାଏ–କ’ଣ ପିମ୍ପୁଡ଼ି ପଶିଲା କି ! ଆଙ୍ଗୁଠି ପୂରାଇ ହଲାଇଲି । ତା’ପରେ ବାଁ କରମାଡ଼ି ନାକ ବନ୍ଦ କଲି । ଏଇ ଉପାୟରେ ନିଃଶ୍ୱାସ ରୁନ୍ଧିଦେଲେ ପିମ୍ପୁଡ଼ି ବାହାରି ଆସେ । ଆଖିଯୋଡ଼ାକ ଯେମିତି ମେଲା ହେବାକୁ ନାରାଜ । କାନ ଆଖି ଚାରିଦ୍ୱାର ବୁଜି ପଡ଼ିଚି, କାହୁଁ ଫୁଟିଲା ଗୋଟାଏ ହସର ଫୁଆର ଯେମିତି ।

 

ଆଖି ଫିଟାଇଲି ବହୁତ କଷ୍ଟରେ ‘‘କିଏ ? ଜିତା ? ଏଥର ଦଳବଳ ଅଛନ୍ତି ସାଥିରେ ନା-?” ଜିତା ଓରଫ ଅପରାଜିତା ଆହୁରି ପ୍ରସ୍ତେ ହି ହି ହସି ଖତେଇ ହେଲା । ‘‘କାନ କ’ଣ ହେଲା କି ଦିବାକର ବାବୁ ? କାହିଁକି ଭାରି ତ ମକଚି ହେଉଛ । ଆଉଥରେ ନାକ ବନ୍ଦ କରି ମୁହଁମାଡ଼ି ଶୋଉନା ?” ମୋଆଡ଼ୁ ମୁହଁ ବୁଲାଇ ଅପରାଜିତା ଜଣେ ସାଥିକି ତା’ର ପଚାରିଲା, ‘‘କହିଲୁ ନେତ ନାନୀ, ଜୋଇଁଙ୍କ ଆଖି ଦି’ଟା ଦିଶୁଛି କିମିତି ?”

 

ନେତ ଓରଫ ନେତ୍ରମଣିର ବୟସ ଅପରାଜିତାଠାରୁ ବେଶି ହେବ । ଦିହେଁ ପିଉସୀ ଝିଅ ଭଉଣୀ–କାନ୍ଧରେ ହାତ ପକେଇ, ଅଣ୍ଟାରେ କାନି ଭିଡ଼ି ଠିଆ ହୋଇଥାନ୍ତି, ଠିକ୍‍ ଯୁଦ୍ଧ ବେଶରେ । ତାଙ୍କ ପଛକୁ ବାରିକାଣୀ ଝିଅ ଉଷା । ସେ ଚିହ୍ନା ନ ପଡ଼ି ଏମାନଙ୍କୁ ଆଗୁଆ ରଖିବାକୁ ତିଆର । ବାକି ତିନିଚାରିଟା ଝିଅ-ପୁଅ ହାଫ୍ ଟିକେଟ୍ ବାଲା । ମୋର ଅଧା ନିଦିଆ ଡୋଳା ଦି’ଟାର ଉପମା ଖୋଜିଲେ ସମସ୍ତେ । କିଏ କହିଲା ‘‘ପାକଲା କଇଁଚିକାକୁଡ଼ି’’; କିଏ କହିଲା ‘‘କୁକୁଡ଼ା ଚୂଳ”; ଆଉ କିଏ ‘‘ଭାକୁରମାଛର ଗାଲିସି ।” ଅପରାଜିତାର ମନକୁ ଏସବୁ ଉପମା ପାଇଲାନି । ସେ ଆଣିଲା ଏକ ସଂଶୋଧନ ପ୍ରସ୍ତାବ–“ନା, ନା, ହେଲାନି । ଜୋଇଁଙ୍କ ଆଖି କିମିତି ଦିଶୁଛି କହିବି ? ମଟରଗାଡ଼ିର ପଛପଟ ଆଲୁଅ ଭଳି ।” ହାଫ୍ ଟିକେଟ୍ ପୂରା ଟିକେଟ୍ ସମସ୍ତେ ଶୁଣି ହସିଲେ ।

 

ଅପରାଜିତା ହେଲା ମୋର ଭବିଷ୍ୟତ ବଂଶଧରଙ୍କର ସାନ ମାଉସୀ । ସମ୍ବନ୍ଧଟା ଭାରି ମଧୁର ଓ ମନୋହର । ହେଲେ ବି, ସେହି ସମ୍ବନ୍ଧଟାକୁ ବୁଝାଇବା ପାଇଁ ଓଡ଼ିଆ ଭାଷାରେ ଯେଉଁ ଗୋଟିଏ ମାତ୍ର ଶବ୍ଦ ଅଛି, ତାହାର ପ୍ରୟୋଗ ଅନେକ ସମୟରେ ବଡ଼ ଗାଉଁଲି, ବଡ଼ ଅଭଦ୍ର ଓ ଅଶ୍ଳୀଳ । ଇଚ୍ଛା ହେଉଥିଲେ ମଧ୍ୟ ସେହି ବିଶେଷଣରେ ଅପରାଜିତାକୁ ସମ୍ବୋଧନ କରିବା ମୋ ପକ୍ଷରେ ଅସମ୍ଭବ; କାରଣ ସେ ଆଧୁନିକ ଶିକ୍ଷା ପାଉଛି ଗାଁ ମାଇନର ସ୍କୁଲରେ । ମୁଁ ଆଇ.ଏ, ଫେଲ୍‍ ହେଲେ ବି ଭଦ୍ର ସମାଜର ଅନ୍ତର୍ଭୁକ୍ତ ।

 

ବାକି ନିଦଟା ଉଜେଇଁ ଦେବାଲାଗି ଏଇ କନ୍ୟା-ମହଲଆଡ଼କୁ ପଛ କରି କଡ଼ ଲେଉଟାଇ ଶୋଇଲି । ଜୀବନରେ ଏ ନିଦ ଯେ ଥରେ ଶୋଇଛି, ପୁଣି ଏପରି ସ୍ୱପ୍ନ ଥରେ ଦେଖିଚି, ସେ ତାହା ପାସୋରି ପାରିବନି କଦାପି । ସେତେବେଳେ ତା’ର ବାଜା ବରକାଠ, ବାଣ ଆଲୁଅର ରୋଷଣୀ ଯେ କୌଣସି ଦେଶନେତାଙ୍କ ଅଭ୍ୟର୍ଥନଠାରୁ କିଛି ଊଣା ନୁହେଁ–ରୂପ ତା’ର ଯେତେ ଅବର୍ଯ୍ୟା ହେଲେ ବି ଯେଉଁ ମୁହୂର୍ତ୍ତରେ ସେ ସବୁରି ନଜର ଟାଣିଆଣେ, ସବୁରି ଆଖିକୁ ଦିଶେ ସୁନ୍ଦର; ତା’ପରେ ନିଭିଯାଏ ସେହି ରଙ୍ଗିନ ଫାନୁସ୍ ଅଭିନୟ । ଏକ୍ ଦିନ୍ କା ରାଜା ହୋଇ ପିନ୍ଧେ ମୁକୁଟ, ବସେ ଏକ ସିଂହାସନରେ; ଆଉ ବା ପାଖରେ ତା’ର ସୁଖ ଦୁଃଖର ଚିରସଙ୍ଗିନୀ, ତା’ର ରାଣୀ । ତହୁଁ ଘଟେ ରୂପାନ୍ତର,–ସିଂହାସନରୁ ଖସିଆସି ହୋଇଯାଏ ସେ ଧୂଳି କାଦୁଅର ପଦାତିକ-

 

ଆଉ ଗୋଟାଏ ଝିଙ୍କାରେ ନିଦଟା ଭାଙ୍ଗିଗଲା–“ଧେତ୍” ।” ଆଉ ଧେତ୍ ଫେତ୍ ନାହଁ । ଉଠିବାକୁ ହେବ । ପିଆଦା ଆସିଛି ହାତକଡ଼ି ଦେବାକୁ । ଏଥର ଚାହିଁ ଦେଖ, କୁମ୍ଭକର୍ଣ୍ଣ ।”

 

ପିଆଦା ଅର୍ଥାତ୍‍ ବାରିକାଣୀ ଆସିଥାଏ । ବନ୍ଦାପନା ପାଇଁ ଯିବାକୁ ହେବ ମୋତେ, ବର ବେଶରେ ସଜବାଜ ହୋଇ । ଆଜି ପୁଣି ମୋର ଶ୍ୱଶୁର ଘରୁ ବିଦାହବା କଥା । ଅନିଚ୍ଛାରେ ମଧ୍ୟ ଉଠିଲି ଶେଯ ଛାଡ଼ି । ପାଦରେ ଅଳତା, କପାଳରେ ଚନ୍ଦନପାଟି, ମୁଣ୍ଡରେ ମୁକୁଟ, ବାହାରେ ହଳଦିଆ ସୂତାରେ ବନ୍ଧା ଦୂବ-ବରକୋଳି ପତ୍ର, ପାଟପାଞ୍ଚି, ସୁନାହାର, ସୁନାମୁଦୀ, ପିନ୍ଧି ଚାଲିଛି ଖଞ୍ଜାଶାଳକୁ, ଆଧୁନିକ ଶିକ୍ଷିତ ଯୁବକ ଦିବାକର ଦାସ । ପୁଣି ସବା ଆଗରେ ତା’ର ଏକ ବନାରସୀ ପାଟଶାଢ଼ିର ଚଳନ୍ତ ପ୍ରଦର୍ଶନୀ, ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ । ବାଁ ଡାହାଣ, ଆଗ ପଛରେ ବେଢ଼ି ଚାଲିଥାନ୍ତି ଝିଅ ପୁଅ ପିଲା ପହ୍ଲ ।

 

କାନ ଅତଡ଼ା ଶଙ୍ଖ ହୁଳହୁଳି ଭିତରେ ଏଇ ରୋଷଣୀ, ନେପଥ୍ୟରେ ଢୋଲ ମହୁରୀ ତେଲିଙ୍ଗିବାଜା ଡେମ୍ଫନାଗରା ସଙ୍ଗେ ଆଧୁନିକ ଡ୍ରମ ବ୍ୟିୁଗ୍ଲ ବ୍ୟାଗ୍‍ ପାଇପ୍‍ର ମିଶ୍ରିତ ଆଳାପନ । ନୂଆପୁରୁଣାର ଏଇ ରଫା ସାଲିସ୍ ବା ସହାବସ୍ଥାନ–ଆମର ସହରମଫସଲର ଜୀବନ ଭଳି ସବୁଠାରେ ସେହି ଗୁରୁଚାଣ୍ଡାଳ ଦୋଷ । ବସନଭୂଷଣ, ଆହରବିହାର, ଶିକ୍ଷାଦୀକ୍ଷା, ଧର୍ମକର୍ମ ସବୁଠି-! ଆମେ କେହି କେହି ଆଧୁନିକ ବୋଲି ଯୁକ୍ତିକରୁଁ ବହୁତ–ନିନ୍ଧାକରୁଁ ପୁରୁଣାଢଙ୍ଗ, ମରହଟି ଅଭ୍ୟାସକୁ–ସ୍କୁଲରୁ କଲେଜ ପର୍ଯ୍ୟନ୍ତ–ମୁଁ ବି କରୁଥିଲି ସେମିତି । ତେବେ ନିଜର ଏହି ପୁରୁଣାକାଳିଆ ବାହାଘରେ ମୋତେ ଆନନ୍ଦ ମିଳିଥିଲା କିଛି କମ୍ ନୁହଁ । ଏପର୍ଯ୍ୟନ୍ତ ଯାହାର ରୂପ ବୋଇଲେ ଗୋଟିଏ ଚଳନ୍ତି ରଙ୍ଗିନ୍ ଶାଢ଼ିର ପିଣ୍ଡୁଳା ଛଡ଼ା ଆଉକିଛି ମୁଁ ଜାଣିନି, ତାକୁ ହିଁ ସମର୍ପି ଦେଇଛି ମୋର ସବୁ–ମନ ପ୍ରାଣ ପ୍ରେମ–ଏ ତିନିଟା ବସ୍ତୁର ଅସ୍ତିତ୍ୱ ସେତେବେଳେ କିପରି ଥିଲା, ଆଜି କିପରି ଅଛି, ତାହା ଠିକେ ଠିକେ କହିପାରିବି ନାହିଁ । ତେବେ ଲୋକେ ଏ ସବୁ ସମର୍ପି ଦେବାକଥା ଗପନ୍ତି–ନିଜ ମନବୋଧ ପାଇଁ ହୁଏତ । ଏ ଗୋଟାଏ ରକମ ତ୍ୟାଗ ନୁହଁ କି ?

 

ଥରେ ମୋର ଜଣେ ବନ୍ଧୁ ଅସବର୍ଣ୍ଣ ବିବାହ କଲେ । ସେତେବେଳେ ତାଙ୍କୁ ମୁଁ ଉତ୍ସାହ ଦେଇଛି ଅନେକ । ନିଜେ ବରଯାତ୍ରୀ ହୋଇ ଜାତିପ୍ରଥା ଉଠେଇବାକୁ ବି ଅଣ୍ଟାଭିଡ଼ି ଡେଇଁଛି । ନିଜବେଳକୁ ସେଟା ଖୁବ୍‍ ବଡ଼କଥା ବୋଲି ମନେହେଇନି । ସବର୍ଣ୍ଣ ଅସବର୍ଣ୍ଣର ବାସ୍ତବତା ମୋ ପାଖରେ ପ୍ରାୟ କିଛି ନ ଥିଲା । ମୁଇଁ ଖାଲି ମୋ ବିବାହ ଲାଗି ଏକମାତ୍ର ଦାୟୀ ନୁହେଁ ତ । ମୋର ଅବସ୍ଥା, ପରିସ୍ଥିତି, ମଫସଲ ଗାଁରେ ରହଣି, ପୁଣି ସେଇ ସମାଜରେ ଚଳଣି–ସବୁ ଏଡ଼ିଦେଇ କନ୍ୟା ବାଛିବାକୁ ହେଲେ ଯଥେଷ୍ଟ ଧୈର୍ଯ୍ୟ ସାହସ ଲୋଡ଼ା ଯଥେଷ୍ଟ ନିର୍ଲଜତା ମଧ୍ୟ । ସମସ୍ତଙ୍କୁ ଛାଡ଼ି ଏକଘରିଆ ରହିବା ଭଳି ମୋର ସେତେ ବେଶି ସମ୍ବଳ ଥିଲା କେଉଁଠି ? ତା’ ଭିତରେ କେଉଁ ଆଧୁନିକା ଅବା ଏଇ ଆଇ.ଏ, ଫେଲ୍ ପାତ୍ରକୁ ବରଣ କରନ୍ତା ? ଆଇ.ଏ ଫେଲ୍ ହେବା ଖୁବ୍ ଗୋଟାଏ ଅପମାନର କଥା ବୋଲି କେବେହେଲେ ମୁଁ ବିଚାରି ନାହିଁ । ବାପାଙ୍କର ପ୍ରଚୁର ଅର୍ଜନ ସାଥିରେ ଆମ ଘରର ଢେର ମାନସମ୍ମାନ ବଢ଼ିଥାଏ । ତାହା ତୁଳନାରେ ଆଇ.ଏ ପରୀକ୍ଷାଟା ଭାରି ତୁଚ୍ଛ । ଟିକିଏ ଯୋଗାଡ଼ କରିଥିଲେ ମୁଁ ଖାଲି ଆଇ.ଏ କାହିଁକି, ଆହୁରି ବଡ଼ ପରୀକ୍ଷା ଦେଇ ନମ୍ବର ହାସଲ କରିପାରିଥାନ୍ତି । ପରୀକ୍ଷକମାନଙ୍କୁ ଟିଉସନ ମାଷ୍ଟର ରଖିବା ମୋ ପକ୍ଷରେ କଷ୍ଟକର ହୋଇନଥାନ୍ତା । ମୋଠାରୁ ଅପାଠୁଆ ଅମନୋଯୋଗୀ ସାଙ୍ଗ ପିଲାମାନେ ନାନା ଉପାୟରେ ନମ୍ବର ପାଇ ଉପରକୁ ଉଠିଗଲେ । ପରୀକ୍ଷା ପାଶ୍‍ ପାଇଁ ଯେ ପଢ଼ିବାଟା ଖୁବ୍‍ ବେଶି ଲୋଡ଼ା ନୁହେଁ, ପୁଣି ଚାକିରି ପାଇବାକୁ ଯେ ପାଠର ଚାହିଦା ଆହୁରି କମ୍, ତାହାର ଗଣ୍ଡା ଗଣ୍ଡା ଚାକ୍ଷୁଷ ପ୍ରମାଣ ମୁଁ ବାଢ଼ି ଦେଇପାରେଁ, ଆଦୌ ଚିନ୍ତା ନ କରି ମଧ୍ୟ । ମୋ ଧାରଣାରେ ପାଠ ଯେତିକି ଅବାସ୍ତବ, ବିବାହ ସେତିକି ବାସ୍ତବ । ବିବାହଟାକୁ କେବେହେଲେ ମୁଁ ପବିତ୍ର ଧର୍ମ କାର୍ଯ୍ୟ ବୋଲି ବିଚାରି ପାରି ନାହିଁ । ଖାଲି ଏକ ଅଜଣାର ସ୍ପର୍ଶରେ ମୋର କଳ୍ପନା ଯାହା ଲଗାମ ଛଡ଼ା ହୋଇ ଉଡ଼ି ବୁଲୁଥାଏ–ଗୋଟାଏ ଯାଦୁ ଦେଖିବାର କୌତୂହଳ ପରି ।

 

ନ ହେଲେ, ଏହି ଅନୁଷ୍ଠାନର ମୌଳିକ ଉପାଦାନ ହେଲା ସାହସ-ଶୂନ୍ୟତା, ଦୁର୍ବଳତା ଆଉ ଅର୍ଥାଭାବ । ଯାହାର ଟଙ୍କା ଅଛି ତା’ର ପ୍ରକୃତରେ ବିବାହ କାହିଁକି ଲୋଡ଼ା ? କଥାଟା କୁଆଡ଼େ ଏ ଯୁଗର ଜଣେ ଗଣତନ୍ତ୍ରପ୍ରେମୀ ରାଜପୁତ୍ରଙ୍କ ମୁହଁରୁ ବାହାରିଥିଲା । କହିସାରି ସେ ବିବାହ କଲେ; କିନ୍ତୁ ରାଜଗାଦିର ଲୋଭ ଛାଡ଼ି–ଛାଡ଼ପତ୍ର ଦେଇଥିବା ପ୍ରଣୟିନୀକୁ । ତେବେ ଅବିବାହିତ ଲୋକେ ବେଶି ଅର୍ଥାଶୀ ବୋଲି ଶୁଣାଯାଏ ।

 

ମୋର କାନ୍ଧ ଚାଦରଟା ଟାଣି ଦେଲା ଅପରାଜିତା–“କିଓ ସୁପ୍ତ ସିଂହ ! ଏବେ ତ ତୁମ ନିଦ ଭାଙ୍ଗିଲା । ସ୍ତ୍ରୀ ଚାଲିବ ଆଗରେ–ଆଉ ତୁମେ ? ଏଡ଼େ ବଳବାନ ହେଇ ରହିଗଲ ପୁଣି ଛାର ଅବଳାର ପଛରେ ! ଛି, ଛି, ବଡ଼ ଲାଜ କଥା ଏଟା ।” ଶଙ୍ଖ ହୁଳହୁଳି ମଣିଷ ପାଟିରେ କାହାରି କଥା କେହି ଶୁଣି ପାରୁନଥାଏ । କହିଲି, ‘‘ତା’ର ଗୋଟାଏ ମହାନ୍‍ ଅର୍ଥ ଅଛି, ଶୁଣିବୁ କି ? ବର ବୋଇଲେ ଭଲା କ’ଣ ବୁଝାଏ ? ଶ୍ରେଷ୍ଠ ! ନୁହେଁ କି ? ତେଣୁ ବର କାହାରିକି ନମସ୍କାର କରିବା ମନା, ସ୍ଵର୍ଗର ଇନ୍ଦ୍ରଠାରୁ ବି ଆଉରି ଉଚ୍ଚରେ ସେ । ଇନ୍ଦ୍ର ତାକୁ ସେଥିପାଇଁ ହିଂସା କରେ । ବଜ୍ରବାଣରେ ଇନ୍ଦ୍ର ତାକୁ ମାରି ପକାଇବାକୁ ଖୋଜି ବୁଲୁଥାଏ । ସେଥିପାଇଁ ଆଗରେ ଚାଲେ ସ୍ତ୍ରୀ–ଇନ୍ଦ୍ରଦେବତା କ’ଣ ସ୍ତ୍ରୀକୁ ବଜ୍ର ମାରିବ କି ? ସ୍ତ୍ରୀ-ହତ୍ୟା ଯେ ମହାପାପ ।”

 

ବାବ୍ବାରେ !” ପାଟିକାରି ଉଠିଲା ଜିତା, ‘‘କୁମ୍ଭକର୍ଣ୍ଣକୁ ସିଂହ କହିବାରୁ ସେ ଏବେ ନିଜକୁ ଇନ୍ଦ୍ରଠାରୁ ବଡ଼ ବୋଲି ବିଚାରିଲାଣି, ଶୁଣୁଚନା ଅପା !”

 

ଅପା ବୋଲି ଯାହାକୁ ସେ ଡାକିଲା, ଶ୍ୱଶୁରଘରେ ଗୋଡ଼ ଦେଲାବେଳୁଁ ତାକୁ ମୁଁ ଦେଖୁଚି । ନା ନା, ମୁଁ ତାକୁ ଦେଖୁଚି କହିବା ବୋଧହୁଏ ଠିକ୍‍ ହେବନି । ମୁଁ କଦାପି ସେଇ ଶ୍ରେଣୀର ଯୁବକ ନୁହେଁ, ଯେ କି ଜଣେ ଅପଚିତାକୁ ଚାହିଁବାମାତ୍ରେ ତା’ର ଆବଶ୍ୟକ ହୁଏ ନିଜ ନାଡ଼ି ବିଜ୍ଞାନର ପରୀକ୍ଷା । ପୁରୁଷ କିମ୍ବା ନାରୀର ଉପସ୍ଥିତି ମଧ୍ୟରେ କେବେହେଲେ ମୁଁ ବେଶିକିଛି ଫରକ୍‍ ଅନୁଭବ କରିନି । ସେଭଳି ସଚେତନତାକୁ ବରଂ ଦୁର୍ବଳତା ବୋଲି ବରାବର ବିଚାରି ଆସିଚି ମୁଁ; କିନ୍ତୁ ଜିତା ଯାହାକୁ ‘ଅପା’ ବୋଲି ଡାକିଲା, ସେ ଝିଅଟି ଥିଲା ମୋ ପାଖରେ ଏହି ଅନିର୍ବଚନୀୟ ବିସ୍ମୟ ।

 

ମୋର ଗୋଟାଏ ଆଖି ଆଉସବୁ ଝିଅଙ୍କ ପାଖରେ ହସ କୌତୁକରେ ମସ୍‍ଗୁଲ ଥିଲାବେଳେ ଆର ଆଖିଟା ଘୂରି ବୁଲୁଥିଲା, ଯେମିତି ସେଇ ଝିଅଟିର ପଛେ ପଛେ । ଗୋଟାଏ କାନ ତମାମ୍‍ ଦୁନିଆର ଗୀତବାଜା କଥାଭାଷାକୁ ଡେରିହେଇ ରହିଥିଲାବେଳେ ଆର କାନଟା ପତେଇଥାଏ, ଯେମିତି ତା’ରି ମୁହଁର କଥାକୁ । ଝିଅଟିର ରୂପରେ କେଉଁ ସୁରା ଅବା ସୁଧା ଥିଲା, ଆଉ କଥାରେ ଥିଲା କୁହୁକ–କେଜାଣି ! –ସହଜେ ତାହା ବୁଝାଇ ହେବନି । ସେଇଥିପାଇଁ ସେ ଆଗ ହୋଇ ପଡ଼େ ନଜରରେ । ଅବା ନଜରଟା ଟାଣି ହୋଇଯାଏ ଆପେ ତା’ରି ଆଡ଼କୁ । ଝିଅଟିର ଢଙ୍ଗରେ ଲୋକ ତାକୁ ଘୃଣା କରୁ କି ସୁଖ ପାଉ, ପ୍ରଶଂସା କି ନିନ୍ଦା କରୁ, ଆଦର କରୁ କି ବିରକ୍ତ ହେଉ, କିଛି ହେଲେ କରିବ । ତାକୁ ଏକାବେଳେ ଏଡ଼ିଦେବାକୁ ଯେମିତି କେହି ଜଣେ ପାରିବନି–ବାହାଘରଟାରେ ସେ ଯେମିତି କିଛି ନୁହଁ; ତଥାପି ସବୁ । ତାକୁ ଛାଡ଼ି ସବୁବେଳେ ଅସମ୍ଭବ, ଅକଳ୍ପିତା ଅପରାଜିତାର ପ୍ରଶ୍ନ ଶୁଣି ସେ ହସିଲା । ‘‘ଦେ ଚାଲ୍‍, ଚାଲ୍‍, ସେ ସବୁ ଖାଲି ପୁରୁଣାକାଳିଆ ବିଚାର । ତା’ର ଅସଲ ଅର୍ଥ କ’ଣ ଜାଣୁ ଭଲା ? ଝିଅମାନଙ୍କୁ ଆଗରେ ରଖି ପୁଅ ରହିବେ ପଛରେ । ବୁଝିଲୁ ତ ? ସେଥିପାଇଁ ଇଂରାଜୀରେ କଥା ଅଛି, ଲେଡିଜ୍ ଫାଷ୍ଟ; ଶୁଣିନୁ ? ଏଟା ଖାଲି ଇଂରାଜୀ କଥା ନୁହଁ, ଆମର ପୁରୁଣା ପ୍ରଥା ।”

 

ମଝିରେ ମଝିରେ ଏମିତି ଉଲୁଖା ସବୁ ସେ ଦିଏ, ଯାହାକୁ କହନ୍ତି ବଡ଼େଇ କରିବା । ତା’ ମୁହଁରେ କିନ୍ତୁ ସେ ସବୁକଥା ବଡ଼େଇକଲାଭଳି ଶୁଣାଯାଏନି । ସେ ଯେମିତି ତା’ର ସାଧାରଣ ସ୍ଵଭାବ । ସବୁ ତନଖିକରି ଦେଖିବ–ସବୁଠାରେ ହେବ ମାମଲତକାର–କେଉଁଠୁ, ଭାରବେଭାର ଆସିଲା, କୁଣିଆମଇତ୍ର ଆସିଲେ; ସବୁରି ଚର୍ଚ୍ଚା, ଜିନିଷପତ୍ର ବୁଝାମଣା, ଦେବାନେବା, ଯାବତୀୟ କାମରେ ସେ ଚବିଶି ଘଣ୍ଟା ଲାଗିପଡ଼ିଚି; କିଛି କୁଆଡ଼େ ନ ଥିଲେ, କାହାର ଗୋଟାଏ କାନ୍ଦୁରା ପିଲାକୁ କୋଳରେ ଧରି ବୁଝାଉଛି । ଅପରାଜିତାକୁ ଜବାବଟା ଦେଇସାରି ସେ ପୁଣି ଖଞ୍ଜାଶାଳ ଗହଳି ଭିତରେ ଉଭେଇ ଗଲା ।

 

ମୁଁ ଆଉ ମୋ ଆଗରେ ତଳକୁ ମୁହଁ ପୋତି ଚାଲିଥିବା ମୋର ସ୍ତ୍ରୀ ସାବିତ୍ରୀ–ଦୁହିଁଙ୍କ ହାତରେ ଦୁଇ ଆଞ୍ଜୁଳା ଅରୁଆ ଚାଉଳ, ତା’ ଉପରେ ଥୁଆ ହୋଇଥାଏ ଗୋଟାଏ ଲେଖାଁ ସାନ ଗଳି ଗୁଆ । ଯେମିତିକି ପାଟିରେ ଚାମଚ ଓ ଚାମଚ ଉପରେ ଅଣ୍ଡା ଥୋଇ ପିଲାମାନେ ଖେଳ ଦେଖାନ୍ତି, ବ୍ୟାଲେନ୍‍ସ ରଖିପାରିବାର–ଫାଷ୍ଟ ହୋଇ ପ୍ରାଇଜ୍ ପାଇବାକୁ ।

 

ଦୁହେଁ ବନ୍ଦାପନା ପାଇଁ ଆସି ବସିଲୁଁ ଖଞ୍ଜାଶାଳରେ । ବାରିକାଣୀ ମୋ ଆଗରେ ତା’ର କାନି ପତେଇ ଦେଲା । ସେଇ କାନିରେ ଗୁଆ ଅରୁଆ ଚାଉଳ ଆଞ୍ଜୁଳାକ ଅଜାଡ଼ି ଦେଲି ।

 

ମୋ ବାଁ ପାଖରେ ବସି ସେହି ଅଚିହ୍ନା ଝିଅଟି–ଯେ କି ସବୁଦିନ ପାଇଁ ଦୁନିଆ ଭିତରେ ମୋର ସବୁଠୁଁ ବେଶି ଚିହ୍ନା, ବେଶି ଆପଣାର ହେବ, ମୋର ସବୁ ଦୁଃଖରେ ପ୍ରାୟ ସମାନ ଭାଗ ନେବ–ତା’ର ଚାଉଳ ଆଞ୍ଜୁଳାଟି ସେ ଖାଲି କରିଦେଲା ବାରିକାଣୀ ଝିଅ ଉଷା କାନିରେ । ମୁଁ ଆସିବାବେଳୁଁ ଉଷା ଯେମିତି ଗୋଟାଏ ମାଛି ପରି ବୁଲୁଛି ମୋ ଚାଟିପଟେ । କେତେବେଳ ପଦେ ଅଧେ ଥଟ୍ଟା କଥା କହି ହସି ଦେଉଛି ମୋତେ କଣେଇ କଣେଇ ଚାହିଁ । କେତେବେଳେ ଦୀପଟା ତେଜିଦେଇ ପୂର୍ଣ୍ଣ କୁମ୍ଭଟା ସଜାଡ଼ି ସାହଯ୍ୟ କରୁଛି ତା’ ମାଆକୁ । କଉଡ଼ି ଖେଳବେଳେ ମୋ ସ୍ତ୍ରୀର କାନ ପାଖରେ ଫୁସ୍ ଫୁସ୍ କରି ଏଣେ ମୋତେ ଖୁବ୍‍ ଦୁଷ୍ଟ ଆଖିରେ ଚାହିଁ କହୁଚି–“କସିକରି ମୁଠେଇ ଥାଅ ଦେଈ ! ଜମାରୁ ଛାଡ଼ନିଟି ।” ସତକୁ ସତ ତା’ରି କଥାରେ ସ୍ତ୍ରୀ ମୋର ଆତ୍ମ-ସମ୍ନାନ ପ୍ରତି ଟିକିଏ ସୁଦ୍ଧା ଖାତିର ନ କରି ଏତେ ଜୋରରେ କଉଡ଼ିତକ ମୁଠାଇଲେ ଯେ ବହୁତ ଚେଷ୍ଟାକରି ବି ଫିଟାଇ ପାରିଲିନି । ପିଲାବେଳେ ଯେଉଁ ଜାପାନୀ ଯୁଯୁତ୍‍ସୁ କୌଶଳ ଶିଖିଥିଲି, ତାହାର ପ୍ରୟୋଗ ମଧ୍ୟ ଚଳାଇ ଦେଲି–ଦୁଇ ଆଙ୍ଗୁଠି ପଛପଟେ ମଝିଶିରାକୁ ଜୋରରେ ଚିପି ଦେଲି । ସବୁ ପ୍ରକାର ଉପାୟ ବ୍ୟର୍ଥ ହେଲା । ‘‘ଜୋଇଁ ହାରିଗଲେ, ଜୋଇଁ ହାରିଗଲ” ବୋଲି ଝିଅଙ୍କ ଭିତରେ ଉଠିଲା ଚହଳ, ତାଳି, କିରିକିରି ହସ–ଥଟ୍ଟା ତାମସା । ସେହି ହସ ସଙ୍ଗେ ନାଚି ଉଠିଲା ଆସନ୍ନ ଯୌବନର । ଉଦ୍‍ଭିନ୍ନ ଓଷ୍ଠ ଓ ଅସ୍ଫୁଟ ବକ୍ଷ । ମୁହଁଟା ମୋର କେସରା ପଡ଼ିଗଲା ।

 

“ଖବର୍‍ଦାର ! ଜୋଇଁକି ଆମର କିଛି କୁହନି । ହେଇ ଦେଖିଲ, ଆଖି ତାଙ୍କର କିମତି ଛଳ ଛଳେଇ ଆସିଲାଣି । ଏଥର ନଇଲେ କାନ୍ଦି ପକେଇବେ ଟି ।” ଜିତା ପୁଣି କୋବଲେଇଲା । ହଲପ କରି ମୁଁ କହିପାରେଁ, ମୋ ଛଡ଼ା ଆଉ ଯେ କେହି ନିଶ୍ଚୟ କାନ୍ଦି ପକାନ୍ତା ସେ ଅବସ୍ଥାରେ । ମୋର ଏହି ଘୋର ବିପଦରେ କିନ୍ତୁ ସହାୟ ହେଲା ସେହି ଚିହ୍ନା ଚିହ୍ନା ସ୍ୱରଟି ।

 

“ଏ ସବୁ କି ପାଲା ଲାଗିଛି ଏଠି । କିଲୋ ଉଷା ? କ’ଣ କଉଡ଼ିଖେଳ ସରିବନି କି ? ନା, ହିଁ ହିଁ ଫିଁ ଫିଁ ହେବାକୁ ଆଉ ତମକୁ ଥାନ ମିଳୁନି କେଉଁଠି ପରା ?” ସବୁରି ଯେମିତି ଚେତା ପଶିଲା । ମୁହଁ ବୁଲାଇ ଚାହିଁଲି–ସେଇ ଝିଅଟି–ଗୌରୀ ! ବାଃ ! ବେଶ୍‍ ମୁରବି ଢଙ୍ଗରେ ଛିଡ଼ା ହୋଇ ହୁକୁମ୍ କରୁଚି ତ ! ତା’ର ସାଙ୍ଗ ସାଥିମାନେ ବି ଖୁବ୍‍ ଖାତିରି ତ କରନ୍ତି ଗୌରୀକୁ । ନିଆଁରେ ପାଣି ଛିଞ୍ଚିଲା ପରି ସମସ୍ତେ ହଠାତ୍ ତୁନି ପଡ଼ିଗଲେ; କିନ୍ତୁ ଅପରାଜିତା ସହଜେ ପରାଜିତା ହେବାର ନୁହେଁ । ସମସ୍ତଙ୍କ ନେତୃତ୍ୱ ନେଇ ସେ କହିଲା, ‘‘ଦେଖିଲଣି ଅପା ! ଏଠାରେ ରୀତିମତ ଗୋଟାଏ ଖୁଣି କେସ୍ ହୋଇଯାଇଛି ।’’

 

“ହଁ ଖୁବ୍‍ ଦେଖିଚି ! ତମେ ସବୁ ଏଠୁ ଗଲ” କହିଦେଇ ଗୌରୀ ମଧ୍ୟ ଖଞ୍ଜାଶାଳ ଗହଳି ଭିତରେ ଆଗଭଳି ମିଳାଇଗଲା ।

 

ନୟନଗଡ଼ ଦଳବେହେରାଙ୍କ ଜ୍ୱାଇଁ ହବାଟା କିଛି କମ୍‍ ଗୌରବର କଥା ନୁହେଁ । ଆମ ଘରର ଖାନ୍ଦାନୀ ଗଢ଼ିଥିଲେ ସିନା କେବଳ ମୋର ବାପା–ରାସ୍ତା କଣ୍ଟ୍ରାକ୍ଟର ହୋଇ ସେ ଯେଉଁ ଧନ ଅର୍ଜନ କରିଥିଲେ, ସେଥିଲାଗି ମୋର ପାଶ୍‍ ଫେଲର ଚିନ୍ତା ନ କରି ବି ଚଳି ଯାଉଥାଏ; କିନ୍ତୁ ଦଲବେହେରାଙ୍କ ଖାନ୍ଦାନୀ ହେଲା ପାଞ୍ଚପୁରୁଷୀ । ଆଗେ ତାଙ୍କ ଘରର ବାହାନିମିତ୍ୟ ବୋଇଲେ ଆମ ଅଞ୍ଚଳ ଗୋଟାକର ଉତ୍ସବ–ସବୁରି ଘରେ ଖିଆପିଆ ମଉଜମଜଲିସ୍‍ ।

 

ଝିଅବାହାଘର ହେଲେ, ଝିଅ ହଳଦି ଲଗାଇବା ପାଇଁ, ପାନ ଖାଇବା ପାଇଁ, ଦି’ଦିଟା ଗାଁ ଯୌତୁକ ଦିଆ ହେଉଥିଲା । ଏବେ ସୁଦ୍ଧା ତା’ର ପ୍ରମାଣ ଅଛି । କେତେଟା ଗାଆଁର ନାମକରଣରୁ ତାହା ଜଣାପଡ଼େ । ମୋ ବାହାଘରବେଳକୁ ଅବଶ୍ୟ ତାଙ୍କର ସେମିତି ଉଜୁତି ନ ଥିଲା, କି ବାପା ଆମର ସେଇ ଆଶାରେ ମୋତେ ବିଭା ଦେଇନଥିଲେ । ଖାଲି ତାଙ୍କ ଖାନ୍ଦାନୀଟା ଥିଲା ବୋଧେହୁଏ ବାପାଙ୍କ ପାଖରେ ସବୁଠୁ ବଡ଼, ସବୁଠାରୁ ଲୋଭନୀୟ ବସ୍ତୁ ।

 

ଯେଉଁ ଘରର ବିବାହ-ସମ୍ପର୍କ କେବଳ ରାଜାରାଜୁଡ଼ାଙ୍କ ଭିତରେ ଚଳି ଆସୁଥିଲା, ସେ ଯେ ଆମ ସଙ୍ଗରେ କେମିତି ବସିବାକୁ ରାଜିହେଲେ, ସେତିକି ଥିଲା ବାପାଙ୍କ ପକ୍ଷରେ ଯଥେଷ୍ଟ । ଅବଶ୍ୟ ମୋ ବିବାହରେ ମୋ ନିଜ ମତାମତର କିଛି ଲୋଡ଼ା ନ ଥିଲା । ଆଉ କାହିଁରେ ହୁଏଁ ବା ନ ହୁଏଁ, ଏ କ୍ଷେତ୍ରରେ ମୁଁ ଥିଲି ସମ୍ପୂର୍ଣ୍ଣ ପିତୃଭକ୍ତ ସନ୍ତାନ । ଭକ୍ତିର ଅର୍ଥଟା ସେତେବେଳେ ଥିଲା, ନିସ୍ପୃହ ନୀରବତା ।

 

ମୋ ଶ୍ୱଶୁର-ବଂଶରେ ପିତୃଭକ୍ତିର ଅର୍ଥ ଥିଲା; କିନ୍ତୁ ଏକାବେଳେ ଫରକ୍,–ପୁଅ ବାପକୁ ହତ୍ୟା କରିବା ହିଁ ଦଳବେହେରାମାନଙ୍କ ପିତୃଭକ୍ତିର ନମୁନା ଓ ତିନିପୁରୁଷୀ ଅଭ୍ୟାସ । ମୋରି ଶ୍ୱଶୁର ଥିଲେ କେବଳ ତା’ରି ବ୍ୟତିକ୍ରମ; କିନ୍ତୁ ତାଙ୍କ ବାପ ଗୋସାପ ଏହି ପାରିବାରିକ ନିୟମକୁ ନିଷ୍ଠାର ସହିତ ମାନି ଆସିଥିଲେ । ସନ୍ତାନ ଜନ୍ମ ପରେ ଯେ ବାପ ମା’ ହୋଇପଡ଼ନ୍ତି ପୁରୁଣା, ପ୍ରତିକ୍ରିୟାଶୀଳ, ବାନପ୍ରସ୍ଥୀ, ତମାଦି ଆଉ ପୁରୁଣାର ବିନାଶରେ ଯେ ନୂଆର ବିଜୟ, ଏଇ ଚରମ ଐତିହାସିକ କିମ୍ଵା ବୈଜ୍ଞାନିକ ସତ୍ୟର ସକ୍ରିୟ ସତ୍ୟାଗ୍ରହୀ ଥିଲେ ଦଳବେହେରା ବଂଶଧରମାନେ । ମାତୃଭକ୍ତିର ନିଦର୍ଶନରୂପେ କେତେକ ବଣ୍ୟ ଅଧିବାସୀ ଗର୍ଭଧାରିଣୀ ଜନନୀକୁ ମାରି ତା’ର ମାଂସତରକାରିକୁ ଆପଣା ଗର୍ଭରେ ରଖନ୍ତି ବୋଲି ଯେପରି ଶୁଣାଅଛି, ଏହା ବୋଧହୁଏ ସେହିପର ଆଦିମ ଜୈବିକ ପ୍ରକୃତିର ଏକ ପ୍ରତୀକ–ଏକ ସ୍ଵଭାବସିଦ୍ଧ ପ୍ରକ୍ରିୟା ।

 

ବୀରଭୋଗ୍ୟା ବସୁନ୍ଧରା–ଜୋର ଯା’ର ମୁଲକ ତା’ର । ପହିଲେ ଆପଣା ଘରୁ ଏହି ଜୋର ପରଖ କରିବାକୁ ସେମାନେ ଶିଖୁଥିଲେ । ସେ ଜୋରଟା ନିପଟ ଦେହର, ମନର ନୁହେଁ । ଭୋଗ ଉଦ୍ଦେଶ୍ୟରେ ତାହା ଲୋଡ଼ା, ତ୍ୟାଗର ଆଦର୍ଶରେ ନୁହେଁ । ଦେହମନ–ଭୋଗତ୍ୟାଗ–ତାହା ମଝିରେ ଶବ୍ଦଗତ ଅବା ଭାଷାର ଫରକ୍‍ ଛଡ଼ା ଅର୍ଥଗତ କିଛି ଫରକ୍‍ ସେମାନେ ବୁଝୁନଥିଲେ । ଦେହକୁ ଛାଡ଼ି ଯେ ମନ ନାହିଁ କି ଭୋଗକୁ ଛାଡ଼ି ତ୍ୟାଗ ଆସିବା ଅସମ୍ଭବ, ସେ ସବୁ ସୂକ୍ଷ୍ମ ବିଚାରରୁ ଦୂରରେ ରହିବା ତାଙ୍କର ଅଭ୍ୟାସ । ନିଜ ଜୋରବଳରେ ହିଁ ସେମାନେ ଦଳବେହେରା ପଦବୀ ପାଇଥିଲେ । ସେ ପଦବୀଟା ତାଙ୍କ ନିଜ ଭିଆଣ କି ଆଉ କାହାର ତା’ର କିଛି ଲିଖିତ ସନନ୍ଦ ନାହିଁ, ତେବେ ନୟନଗଡ଼ର ଅବସ୍ଥିତିରେ ଗୋଟାଏ ପୁରୁଣା ଛାଞ୍ଚ ଥିଲାପରି ଜଣାପଡ଼େ, ଯାହାର ନାମ ଆଭିଜାତ୍ୟ ।

 

ଗଡ଼ ଚାରିପଟେ ପାଚେରୀ ପରି ଘେରି ରହିଛି ପାହାଡ଼, ଆଉ ଜଙ୍ଗଲ । ପାହାଡ଼ ତଳୁ ଜଙ୍ଗଲ କାଟି ଚାଷ କରିଚି ମଣିଷ । ଏଇ ଅଚଳ ପରି ଦିନେ ହୁଏତ ମଣିଷ ହୋଇ ପଡ଼ିଲା ସ୍ଥାଣୁ । ଏହି ଅଚଳ ପରି ଧ୍ୟାନସ୍ଥ ହୋଇ ବୋଲାଇଥିଲା ସେ ଯୋଗୀ, ତପସ୍ୱୀ, ୠଷି । ଆଉ କେବେ ହୁଏତ ଏହାରି କୋଳର ହିଂସ୍ରଜନ୍ତୁଙ୍କ ଭଳି, ଏହି ମର୍ମର ଭଳି ହେଲା ସେ ନିର୍ମମ ଦସ୍ୟୁ, ଡକାୟତ, ନରହନ୍ତା, ସେହି ଦସ୍ୟୁ ପୁଣି ହେଲେ ବାଲ୍ମୀକି, ଆଦିକବି ! ବ୍ୟାଧଶରାହତ କ୍ରୋଞ୍ଚମିଥୁନର ବିଚ୍ଛେକ ଦୁଃଖ ସହିନପାରି କଠୋର ନରହନ୍ତା ରତ୍ନାକର ହେଲେ ଆଦିକବି ବାଲ୍ମୀକି, ରାଜପୁତ୍ର ମହାବୀର ହେଲେ ଅହିଂସ ଜୈନ, ଶାକ୍ୟସିଂହ ହେଲେ ଅହିଂସ ବୌଦ୍ଧ । ଦୁଇ ବିରୋଧୀ ବିପରୀତର ଆଶ୍ଚର୍ଯ୍ୟ ସମ୍ମିଶ୍ରଣ–ଉତ୍ତରମେରୁ ଦକ୍ଷିଣମେରୁର ଅସମ୍ଭବ ଏକୀକରଣ । –ଚମତ୍କାର ହୃଦୟ ପରିବର୍ତ୍ତନର ନମୂନା–ଅନୁତାପର ଆଦର୍ଶ । ଦଳବେହେରା ବଂଶର କେହି କେବେ ସନ୍ୟାସୀ ଗୃହତ୍ୟାଗୀ ହୋଇଥିବା ଶୁଣାନାହିଁ । ତାଙ୍କର ପରମ୍ପରା ଥିଲା–ବୀରଭୋଗ୍ୟା ବସୁନ୍ଧରା–ସ୍ଵଧର୍ମେ ନିଧନ ଶ୍ରେୟଃ ପରଧର୍ମୋ ଭୟାବହଃ–ସେମାନେ ଆପଣା ଧର୍ମରେ ଥାଇ, କୁଳବୃତ୍ତି ଆଚରଣ କରିଛନ୍ତି ସିନା, ସାଧୁ ସନ୍ନ୍ୟାସୀ ହୋଇ ପୈତୃକ ବୃତ୍ତିର ଅବମାନନା କରିନାହାନ୍ତି । ପଳାୟନବାଦ ତାଙ୍କ ଜାତକରେ ନାହିଁ କେବେ ହେଲେ ।

 

ମୋ ଜେଜେଶ୍ୱଶୁରଙ୍କୁ ମୁଁ ଦେଖିଛି । ଅଶୀ ପଞ୍ଚାଅଶୀ ବୟସ । ତଥାପି ସେ ପୁରୁଣା ପୋପରା ହୋଇନଥିଲେ–କି ଶକ୍ତି ଥିଲା ଦେହରେ, କି ଦୃଢ଼ତା ତାଙ୍କ କଥାରେ; ସେହି ଥିଲେ ପିତୃହନ୍ତା । ପହିଲେ କେତେକ କାରଣରୁ ବାପପୁଅଙ୍କର ମନ ଅମେଳ ଘଟେ, ସମ୍ପତ୍ତିବାଡ଼ି ଛଡ଼ା ଆଉକିଛି ଗୁରୁତର କାରଣ ଥିଲା, ସେ ସବୁ ପାରିବାରିକ କଳଙ୍କ । ଫଳରେ ବାପପୁଅଙ୍କ ଭିତରେ ଆଗ ମୁହଁ ଚାହାଁଚାହିଁ ବନ୍ଦହେଲା । ଉଆସ ଛାଡ଼ି ପୁଅ ଯାଇ ରହିଲେ ନୂଆ ଉଆସ କରି ।

 

ତିକ୍ତତା ବଢ଼ି ଚାଳିଲା । ତା’ପରେ ହେଲା, କେତୁଟା ମାଲିମକଦ୍ଦମା, ଏ କ୍ଷେତ୍ରରେ ଯେପରି ହୋଇଥାଏ । ବାପପୁଅଙ୍କ ସମର୍ଥକ ଯୋଡ଼ାଏ ଦଳ ମଧ୍ୟ ଗଢ଼ା ହୋଇଗଲେ । କେହି କାହାରିଠାରୁ ବଳରେ କି ସାହସରେ ଊଣା ନୁହନ୍ତି–‘ଲଙ୍କାରୁ ଯେତକ ଜାତ–ସମସ୍ତେ ଅସୁର ଦଇତ’–ପୁଣି ଫଉଜଦାରୀ ମକଦ୍ଦମା ସୁଦ୍ଧା ଉଭୟ ପକ୍ଷରୁ ଆରମ୍ଭ ହୋଇଗଲା । ପୁଅକୁ ଏକ ମଣିଷମାରୁ ମକଦ୍ଦମାରେ ସୁପର୍ଦ୍ଦ କରିବା ଯୋଗାଡ଼ରେ ବାପା ନେଲେ ନେତୃତ୍ୱ ।

 

ମକଦ୍ଦମା ତଦ୍‍ବିର କରିବାକୁ ରାତି ପାହାନ୍ତାରୁ ବାପା ଚାଲିଛନ୍ତି, ବଳଦଗାଡ଼ି ଭିତରେ । ଗଡ଼ ସୀମାରେ ବହି ଯାଉଥିବା ଗହିରିଆ ସାନ ନଈଟିର ଉଚ୍ଚ ବନ୍ଧରୁ ଶଗଡ଼ ଗଡ଼ି ଆସିଲା ତଳକୁ । ପଛରେ ଦଣ୍ଡାଧରିଛନ୍ତି ଦି’ଜଣ ଲୋକ । ଆଗରେ ନଈ ସେପାରି ପାହାଡ଼ର ପାଉଁଶିଆ ଛାଇ–ତା’ର ଉପରେ ଉଠିଛି କୁଆଁତାରା । ଝରଣାର ନିର୍ମଳ ପାଣିରେ ମୁହଁ ଦେଖିଛି ସେ....... ଖଣ୍ଡେ ଦୂରରୁ ଗୋଟାଏ ଚିତ୍କାର ଶୁଣି ଶଗଡ଼ଟା ଅଟକିଗଲା ! ସେ ଶବ୍ଦରେ ଯେମିତି ପାହଡ଼ଟା ଦୁଲୁକି ଉଠିଲା, କୁଆଁତାରା ମୁହଁ ଲୁଚାଇଲା, ପଛରେ ଦଣ୍ଡା ଧରିଥିବା ଲୋକଯୋଡ଼ାକ ପଳାଇ ଗଲେ । ଶଗଡ଼ ଆଗରେ ଛିଡ଼ାହେଲେ ଆସି ମୋର ଜେଜେଶ୍ୱଶୁରଙ୍କ ସାଥିରେ ଆଠଦଶଟା ପାଇକ, ଖଣ୍ଡା ବର୍ଚ୍ଛା ଠେଙ୍ଗା ମୂନା ଧରି । ଶଗଡ଼ିଆକୁ ହୁକୁମ ହେଉ ନ ହେଉ, ସେଠାରୁ ସେ ଅନ୍ତର୍ଦ୍ଧାନ ହୋଇଗଲା ।

 

ଶଗଡ଼ଭିତରୁ ଜେଜେଶ୍ୱଶୁରଙ୍କ ନା ଧରି ଡାକି ଉଠିଲେ ତାଙ୍କ ବାପା । ପୁଅ ବି ବାହାରୁ ଜବାବ ଦେଲେ । ବାପା ତାଙ୍କର ଗାଡ଼ି ଭିତରୁ ପଦାକୁ ବାହାରି ଆସିଥିଲେ, ତାଙ୍କୁ ମାରିବା କିପରି ଅସାଧ୍ୟ ହୋଇପଡ଼ିଥାନ୍ତା, ସେ ବର୍ଣ୍ଣନା ମୁଁ ଶୁଣିଚି; କିନ୍ତୁ ସେ ଆସିଲେ ନାହିଁ; ମରିବାକୁ ତିଆର ହୋଇଗଲେ ତକ୍ଷଣେ; ଆଉ ଶଗଡ଼ ଭିତରୁ ଡାକ ଛାଡ଼ିଲେ–“ହଉ ତେବେ, ଏଥର ଦେଖିଲା କାମ କର, ଆଉ ଉଛୁର କାହିଁକି ?” ଏତିକି କହି ସେ ଶଗଡ଼ ଭିତରେ ପଡ଼ିରହିଲେ । ସାଙ୍ଗେ ସାଙ୍ଗେ ବର୍ଷିଲା, ଶଗଡ଼ ଭିତରକୁ ବର୍ଚ୍ଛା, ମୂନା, ଶର । ଟିକିଏ ସୁଦ୍ଧା ଉଁ ଚୁଁ ଶବ୍ଦ ନାହିଁ, କି ପଦେ ଜବାବ ନାହିଁ-! ସର୍ବାଙ୍ଗରୁ ତାଙ୍କର ଅସଂଖ୍ୟ ରକ୍ତପିଚିକାରି ଛୁଟିଲା; ଶଗଡ଼ ତାଟଟା ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥାଏ । ବଳଦ ଯୋଡ଼ାଙ୍କୁ ଫିଟାଇ, ସେଇ ନଈ ମଝିରେ ଶଗଡ଼କୁ ଜାଳି ଦିଆଗଲା । ତା’ର ପାଉଁଶ ସବୁ ପୋତାହେଲା ଦଶହାତ ଗହୀରରେ ନଈବାଲି ତଳେ । ତା’ପାରେ ନିର୍ବିକାର ଚିତ୍ତରେ ଯଥାବିଧି ନିଜ ପିତାଙ୍କର ଅନ୍ତ୍ୟେଷ୍ଠିକ୍ରିୟା କଲେ ପିତୃହନ୍ତା ମୋର ଜେଜେଶ୍ୱଶୁର । କାହିଁ ଯେପରି କିଛି ହୋଇନାହିଁ । ବ୍ରାହ୍ମଣ-ଭୋଜନ, ଦାନଯଜ୍ଞ ସବୁ ଚାଲିଲା । ନୟନଗଡ଼ର କେଉଁ ଲୋକ ଯେ ଖାଇନାହିଁ କି ନେଇନାହିଁ, ଏପରି ନୁହେଁ । ସମସ୍ତେ ଚୁପ୍‍ଚାପ୍‍ । ପୁଲିସ୍‍ ସନ୍ଦେହ କଲା । ତା’ପରେ ଲାଗିଲା ଧମାଧମ ତଦନ୍ତ, ପ୍ରମାଣ ପାଇଁ ଚାଲିଲା ବହୁତ ଆୟୋଜନ; କିନ୍ତୁ ପୁଲିସ୍‍ କେଶ୍‍ ପାଇଁ ସାକ୍ଷୀ ଦେବ କିଏ ? ସମୁଦାୟ ନୟନଗଡ଼ କିଲାର ହଜାର ହଜାର ଲୋକ ଯେମିତି ଜଣେ ମଣିଷ ହୋଇଗଲେ । ସମସ୍ତେ ଠିଆହେଲେ ଜେଜେଶ୍ୱଶୁରଙ୍କ ପଟରେ । ମଇଁଷି ଶିଙ୍ଗ ଫଟା, ଯୁଝିଲାବେଳକୁ ଗୋଟା; ଯାହା ହବାର ତ ହେଲାଣି ମଣିଷ ମାରିଗଫ୍ କରିବାରେ ନୟନଗଡ଼ ଲୋକଙ୍କର ପୁରୁଷାନୁକ୍ରମ ଅଭ୍ୟାସ । ତାଙ୍କ ବାପା ଯେମିତି ପ୍ରଜାପୀଡ଼କ ଅତ୍ୟାଚାରୀ ଥିଲେ, ବାପାଠାରୁ ଯେ ପୁଅ ଢେର୍‍ ଭଲ; ଏ ଧାରଣା ଲୋକଙ୍କ ମନରେ ପ୍ରଚାର କରିଦେଇ ପାରିଥିଲେ ମୋର ଜେଜେଶ୍ୱଶୁର । ଦୁନିଆର ଆଉ ସବୁରିଠାରୁ ଆପଣାକୁ ବେଶି ବୁଦ୍ଧିଆ, ବେଶି ବଳୁଆ, ବେଶି ଭଲ କହି ବୁଲିବାଟାହିଁ ମଣିଷପଣିଆ । ସେ ମଣିଷପଣିଆ ଜେଜେଶ୍ୱଶୁରଙ୍କର ଢେର୍‍ ଥିଲା ।

 

ଦଳବେହେରା ଘରର ଏହି ହେଲା ଇତିହାସ । ମୋ ନିଜର ମଧ୍ୟ ତାଙ୍କ ଘର ସଙ୍ଗେ ସମ୍ବନ୍ଧ କରି ଦମ୍ଭ ଅଭିମାନ ବହୁତ ବଢ଼ିଯାଇଥାଏ । ଦଳବେହେରାଙ୍କ ପରି ବିଖ୍ୟାତ ଶ୍ୱଶୁରଘର, ସାବିତ୍ରୀ ପରି ସୁନ୍ଦରୀ, ରୂପବତୀ ସ୍ତ୍ରୀ, ଘରେ ପିତୃଅର୍ଜିତ ପ୍ରଚୁର ସମ୍ପତ୍ତିର ନିରଙ୍କୁଶ ଉତ୍ତରାଧିକାରୀ–ଆଉ କ’ଣ ଲୋଡ଼ା ମୋର ? କିନ୍ତୁ ଏ ଦମ୍ଭ ବେଶିଦିନ ରହିଲା ନାହିଁ । ଆଠଦଶଟା ବର୍ଷ ନ ପୁରୁଣୁ ମୋର ବିବାହ-ଜୀବନର ସ୍ୱପ୍ନ ଭାଙ୍ଗିଗଲା, ସବୁ ବିବାହର ସ୍ୱପ୍ନ ଭାଙ୍ଗିଯାଏ ଯେମିତି-। ସାବିତ୍ରୀର ରୂପ ମୋତେ ଆଗ ଆଗ ଯେତିକି ମୁଗ୍ଧ କରି ରଖିଥିଲା, ପରେ ସେତିକି ତା’ଠାରୁ ମୁଁ ଦୂରେଇ ହୋଇଗଲି । ତାହାର କାରଣ ବୁଝିବାକୁ ସେତେବେଳେ ମୁଁ ଯାଇନାହିଁ । ବର୍ଷ ଆଠଦଶଟାରେ ମୋ ପରିବାରରେ ଅନେକ ଅଦଳବଦଳ ଘଟିଗଲାଣି । ମୋର ଅନିଚ୍ଛାସତ୍ତ୍ୱେ ବାପ, ମା’, ଘରର ସବୁତକ ଦାୟିତ୍ୱ ମୋରି ଉପରେ ଲଦି ଦେଇ ସଂସାରରୁ ବିଦାୟ ନେଇଛନ୍ତି । ତାଙ୍କ ସ୍ଥାନରେ ଦୁଇଜଣ ନୂଆ ମଣିଷ ଆସିଛନ୍ତି ସାବିତ୍ରୀ ଗର୍ଭରୁ । ସେହି ଏବେ ଘର ଗୋଟାକର ଗୃହିଣୀ-ମା’; ଏକା ମୁରବି ମୁଁ । ଆମ ଦୁଇଜଣଙ୍କ ମଝିରେ କେବଳ ଦୁଇଟି ସନ୍ତାନ । ପ୍ରକୃତରେ ସେ ଦୁହେଁ ବ୍ୟବଧାନ ଭଳି ଆମ ଦୁହିଁଙ୍କୁ ପରସ୍ପରଠାରୁ ଅଲଗା କରିଦେଲେ ସିନା, ମିଳନର ହେତୁ ହୋଇ ନିକଟତର କରିପାରିଲେ ନାହିଁ ।

 

ବିଭା ପରେ ପୁତ୍ର–ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା–ମୋତେ କିନ୍ତୁ ବିବାହର ଅର୍ଥ ନିଜର ସମୁଦାୟ ପୌରୁଷକୁ ଘୋଡ଼ାଇ ଦେବାଛଡ଼ା ଆଉକିଛି ଜଣା ପଡ଼ୁନଥାଏ । ପୌରୁଷ ବୋଇଲେ ନାରୀ ସମକ୍ଷରେ ନିର୍ଲଜତାର ଏକ ଉଲ୍ଲଙ୍ଗ ପ୍ରହସନ ମାତ୍ର । ନାରୀ-ପୁରୁଷର ମିଳନ ବୋଇଲେ ଜୀବ-ଜ୍ଞାନର ସାଧାରଣ ପରିଣତି–ଶାରୀରିକ ଉତ୍ତେଜନାର ପରିତୃପ୍ତିହିଁ ବୋଧ ହେଉଥାଏ ମୋ ବିବାହର ଯେମିତି ଅସଲ ମର୍ମ । ତହିଁରେ ଧର୍ମ ପୁଣ୍ୟ ବା ସନ୍ତାନ ପାଇବାର ଇଛା କେବଳ ଗୌଣ ନୁହେଁ, ଆଦୌ ନ ଥିଲା କହିଲେ ବୋଧହୁଏ ସତ କହିବି । ମୋର ଶ୍ୱଶୁର-ବଂଶରେ ପିତୃହତ୍ୟାର ପରମ୍ପରାକୁ ଆପଣା ଅନୁଭୂତିର ମାନଦଣ୍ଡରେ ପରଖି ସାରି ମୁଁ ସମର୍ଥନ କରିବାକୁ ବାଧ୍ୟ ହୁଏ । ଆଉ ନିରୁଦ୍ଦେଶ୍ୟ ବିବାହଭଳି ନିଜର ଏହି ପାପ ଅନ୍ୟାୟର ଶାସ୍ତିରୂପେ ମୁଁ ମୋର ପୁଅ ନୀରଦ ହାତରେ କେବେ ଯଦି ନିହିତ ହୁଏଁ, ତା’ହେଲେ କଦାପି ଆଶ୍ଚର୍ଯ୍ୟ ହେବି ନାହିଁ । ବରଂ ବାପ ମଲେ ପୁଅ ମୁଖାଗ୍ନି ଦେବାର ଯେଉଁ ପ୍ରଥା ଆମର ଅଛି, ତାହା ମୂଳରେ ଏହି ପ୍ରତିଶୋଧର ଭାବ ଥିବା ଅନୁମାନ କରାଯାଇପାରେ ।

 

ବାପ ମା’ ଚାଲିଗଲେ ପ୍ରାଚୀନର ବନ୍ଧନସବୁ ଛିଣ୍ଡାଇ ଦେଇ । ଦୁନିଆ ଉପରେ ଆମକୁ ସମ୍ପୂର୍ଣ୍ଣ ମୁକ୍ତ କରି । ତେବେ ଏଇ ନୂତନ ଆଗନ୍ତୁକ ଦୁଇଟିର ଆବିର୍ଭାବରେ ଯେଉଁ ଆଗାମୀ ସଂସାରର ଦାୟିତ୍ୱ ଆସି ଉପରେ ପଡ଼ିଲା, ତାହା ବହି ନେବାକୁ ମୁଁ କି ସାବିତ୍ରୀ କେହି ବୋଧହୁଏ ପ୍ରସ୍ତୁତ ନ ଥିଲୁ–ଧନରେ, ମନରେ ବା ସାହାସରେ । ପ୍ରତି କଥାରେ ଜଣେ ଅନ୍ୟକୁ ଦୋଷୀ କରିବାହିଁ ଆମ ସ୍ତ୍ରୀ ପୁରୁଷର ପ୍ରଧାନ ସମ୍ପର୍କ ହୋଇପଡ଼ିଲା କହିଲେ ଚଳେ । ସାବିତ୍ରୀ ଯେପରି କାହିଁରେ ମୋ ପ୍ରତି ସନ୍ତୁଷ୍ଟ ନୁହେଁ । ମୋଠାରୁ ଯାହାକିଛି ତା’ର ଦାବି, ସେ ସବୁ ଯୋଗାଇ ଦେବାକୁ ମୁଁ ଅକ୍ଷମ । ଗାଁରେ ରହି ପିତୃଅର୍ଜିତ ସମ୍ପତ୍ତିର ବୁଝାମଣା କଲି, ଚାଷର ଉନ୍ନତି ଲାଗି ମଧ୍ୟ ଉଦ୍ୟମ କଲି ବହୁତ । ପାଣିପମ୍ପ କଳ, ଲଙ୍ଗଳ, ଆଉ ଉନ୍ନତ ସାରବିହନରେ ମାତି ଉଠିଲି କିଛି କାଳ । ଗାଁ ଲୋକଙ୍କୁ ଏକଜୁଟ କରି ପଞ୍ଚାୟତ, ଗ୍ରନ୍ଥାଗାର ସମବାୟ ସମିତ ଗଢ଼ିଲି । ଗାଆଁକୁ ନୂଆ ରୂପ ଦେବାପାଇଁ ଖୁବ୍‍ ଉତ୍ସାହରେ ଲାଗି ପଡ଼ିଲି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ପାଠପଢ଼ାଇ ଖବର କାଗଜ ଶୁଣାଇବାକୁ କେତେଜଣ ବନ୍ଧୁ ବୁଝିଗଲୁଁ । ନୂଆ ନୂଆ ଉଦ୍ୟମରେ ମାତି ଉଠିଲେ ସମସ୍ତେ । ସତେ ଅବା ଏକା ଦିନକେ ଗାଆଁଟାର ବେଶ ବଦଳି ଯିବ ! ସମସ୍ତେ ସେଇ ପୁରୁଣାକାଳିଆ ମଧ୍ୟଯୁଗୀୟ ଚିନ୍ତାଧାରା ଛାଡ଼ି ନୂଆକୁ ଆବାହନ କରିନେବେ–ଗାଆଁଯାକ ଗୋଟାଏ ପରିବାର ଭଳି ଚଳିବେ । ଖଣ୍ଡେ ପିନ୍ଧି ପେଟପୂରା କରି ମୁଠେ ଖାଇବାକୁ କାହାରି ଅଭାବ ରହିବନି-। କଳି ତକରାଳ ବାହାରକୁ ନ ଯାଇ ଗାଁ ଭିତରେ ମେଣ୍ଟିଯିବ । ସେତେବେଳେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟାଏ ପ୍ରକାର ହାଓଆ ଦେଶ ତମାମ୍ ବୋହି ଚାଲିଥାଏ–ସ୍ୱାଧୀନତାର ହାଓଆ । ସେଇ ହାଓଆରେ ମୁଁ ମଧ୍ୟ ଭାସିଲି । ବାଟଘାଟ ଖିଆପିଆ ସବୁଠାରେ ଖେଳାଇଲି ସ୍ୱାଧୀନତାକୁ । ସିଗାରେଟ୍ ଖାଇ ଧୂଆଁ ଛାଡ଼ିଲି ସ୍ୱାଧୀନତାର, ହସିଲି ସ୍ୱାଧୀନତାର ହସ-। ଗାନ୍ଧିଙ୍କୁ ଯେ ମହାତ୍ମା ନ କହିଲା, କଂଗ୍ରେସ ବିରୁଦ୍ଧରେ ଯେ କିଛିମାତ୍ର କହିଲା, ସଙ୍ଗେ ସଙ୍ଗେ ସେ ହେଲା ମୋର ଶତ୍ରୁ–ଅହିଂସାର ଶତ୍ରୁ ! ସେ ଯେ ଦେଶଦ୍ରୋହୀ, ଜାତିଦ୍ରୋହୀ ପୁଣି ସ୍ୱାଧୀନତାର ଅନ୍ତରାୟ, ସେଥିରେ ମୋର ସନ୍ଦେହ ନ ଥିଲା; ମାତ୍ର ନିଜର ଅଜଣାରେ ଅଲକ୍ଷ୍ୟରେ ଗାନ୍ଧି କଂଗ୍ରେସ ସ୍ୱାଧୀନତାର ପୂରାପୂରି ଅଧୀନ ହୋଇପଡ଼ି ସେଇମାନଙ୍କ ଦାସତ୍ୱ ଗ୍ରହଣ କରି ନେଇଥିଲି-। ସେଥିପାଇଁ ବୋଧହୁଏ ପୂର୍ବର ସବୁ ଉତ୍ସାହ ଖୁବ୍ କମ୍ ଦିନରେ ମୋ ଭିତରୁ ଆଉ ଗାଁ ଲୋକଙ୍କଠାରୁ ତୁଟିଗଲା । ପୁଣି ସେଇ ପୁରୁଣା ଅଭ୍ୟାସ ସମସ୍ତଙ୍କୁ ଗ୍ରାସ କଲା । ସେଇ ପୁରୁଣା ଚାଷବାସ, ରୋଗଦୁଃଖ, କଳିତକ୍‍ରାଳ । ସମୁଦ୍ରର ଲହଡ଼ି ଉଠି ସମୁଦ୍ରରେ ମିଳାଇ ଗଲାପରି ସବୁ ଉତ୍ସାହ, ଉତ୍ତେଜନା ମିଳାଇଗଲା–ଯେଉଁ କଥାକୁ ସେଇକଥା ।

 

କିପରି ଏକ ଅତୃପ୍ତି ଅସନ୍ତୋଷ ଘେରି ରହିଲା ମୋତେ । କୌଣସି କାମରେ ସାବିତ୍ରୀଠାରୁ ତ ସହଯୋଗ ସୁପାରିଶ ପାଇଲି ନାହିଁ; ବରଂ ତା’ର ନିଷ୍ଠାର ଅଭାବ–କିପରି ଏକ ଛାଡ଼ ଛାଡ଼ ଭାବ ଲକ୍ଷ୍ୟ କଲି ସବୁ କ୍ଷେତ୍ରରେ ।

 

ସାବିତ୍ରୀ ବଂଶଗତ ଦାମ୍ଭିକତା ଯେ ଏଥିଲାଗି ଦାୟୀ, ସେ ଭାବନା ମୋତେ ଅନେକ ସମୟରେ ଆଘାତ ଦିଏ । ସେ କ’ଣ ଚାହେଁ, କାହିଁରେ ମୁଁ ତାକୁ ସନ୍ତୁଷ୍ଟ କରିପାରିବି ? ତାହାର ଏହି ଲୋଭନୀୟ ଆଉ ଅସାମାନ୍ୟ ଲାବଣ୍ୟ–କ’ଣ ଦେଇ ମୁଁ ତାହାର ପ୍ରକୃତ ଅର୍ଚ୍ଚନା କରିପାରେ ? ଶୁଣିଛି ସୌନ୍ଦର୍ଯ୍ୟର ସଂରକ୍ଷଣ ଲାଗି ଲୋଡ଼ା ଅର୍ଥ । ମୋର ସେଇ ଅର୍ଥସମ୍ବଳ କାହିଁ, ତେବେ ? ଚାଷଆଡ଼ୁ ମନଫେରାଇ ବ୍ୟବସାୟରେ ଲାଗିଲି । ପୈତୃକ ବ୍ୟବସାୟ, ରାସ୍ତା କଣ୍ଟ୍ରାକ୍ଟରୀ ଛାଡ଼ି ଚାଉଳ-କଳ, ଦିଆସଲାଇ-କଳ ବସାଇବାକୁ ଚେଷ୍ଟା କଲି । ତହିଁରୁ କିନ୍ତୁ ଲାଭ ମିଳିବା ପୂର୍ବରୁ ଲୋକସାନ ହେଲା ଅଧିକ । ଲୋକସାନ ସହି ଲାଗିପଡ଼ିବାକୁ ଧୈର୍ଯ୍ୟର ମଧ୍ୟ ଅଭାବ ଥିଲା ମୋଠାରେ । ଏହାହିଁ ସବୁଠାରୁ ବଡ଼ ଲୋକସାନ । ବିଫଳତା ଯେ ସଫଳ ହେବା ପାଇଁ ଗୋଟାଏ ଗୋଟାଏ ପାହଚ, ଏହା ଖାଲି ଆହୁରି ଅନେକ କଥାଭଳି ମୋର ପୋଥିବାଇଗଣ ହୋଇ ରହିଗଲା, ବାଡ଼ି ବାଇଗଣ ହୋଇ ପାରିନାହିଁ । ଚାହୁଁ ଚାହୁଁ ମୋର ପୈତୃକ ସମ୍ପତ୍ତି ଅଧାଅଧି ବିକ୍ରି ହୋଇଗଲା । ଶେଷରେ ସାବିତ୍ରୀ ପାଇଁ ଯେଉଁ ସୁନା ଖରିଦ୍ କରିଥିଲି, ଆଉ ଯାହା ସେ ନିଜ ବାପଘରୁ ପାଇଥିଲା, ସେତକ ସୁଦ୍ଧା ରହିଲା ନାହିଁ । ଅବଶ୍ୟ ସେଥିଲାଗି ମୋର ତିଳେ ପରୁଆ ନ ଥାଏ ସେତେବେଳେ । କାରଣ ମୋର ବିଶ୍ୱାସ, ମୁଁ ତିନିଗୁଣା କରିଦେଇପାରେ । ସାବିତ୍ରୀକୁ ଏମିତି ବୁଝାଇ ଆଶ୍ଵାସନା ଦିଏ । ସେଥିରେ ତା’ର ପ୍ରତିବାଦ ନାହିଁ, ଉତ୍ତର ନାହିଁ । ତା’ପରେ ଘୋଟି ଆସିଲା, ଘର ଗୋଟାକର, ପୁଣି ପିଲା ଦୁହିଁଙ୍କର ଦାବି । କେତେଦିନ ଏମିତି ବ୍ୟର୍ଥ ବେକାର ହୋଇ ବସି ରହିବି ? ଘରର ଜମା ଖର୍ଚ୍ଚ ପଡ଼ୁ ପଡ଼ୁ ସାବିତ୍ରୀ ଅତି ବିରକ୍ତ ହୋଇଉଠିଲା । ‘‘ଯାହାଙ୍କର ଘର କରିବାକୁ ଶକ୍ତି ସାମର୍ଥ୍ୟ ନାହିଁ, ସେମାନେ ସଂସାରର ଦୂରରେ ରହିବା ଦରକାର । ଯେ ସଂସାର କରିବ, ତା’ର ନିଜର ସ୍ତ୍ରୀ ପିଲାଙ୍କୁ ନ ଚାହିଁବା ଅର୍ଧମ ।”

 

ଶକ୍ତି ! ସାମର୍ଥ୍ୟ ! ଧର୍ମ ! ଅଧର୍ମ ! ସାବିତ୍ରୀ ଯେପରି ଆପଣା ବଂଶର ଗର୍ବକୁ ହାତରେ ଧରି ମୋତେ କେଞ୍ଚି ଉଖାରି ଦେଉଛି । ‘‘ହଁ, ସାବିତ୍ରୀ ! ଖୁବ୍‍ ଶକ୍ତି ସାମର୍ଥ୍ୟ ମୁଁ ଦେଖିଛି । ବାପକୁ ମାରି ଶକ୍ତି, ସାମର୍ଥ୍ୟ, ସାହସ ଦେଖାଇବା ଯେଉଁ ଘରର ଆଦର୍ଶ, ସେଇ ଘରୁ ତୁମେ ଆସିଛ–ସେଇ ବଂଶର ରକ୍ତ ତମ ଦେହରେ । ତମ ଜେଜେଗୋସାଁପ ଯେମିତି ସଂସାର ଧର୍ମ ପାଳିଥିଲେ, ମୁଁ ସେ ଧର୍ମ ଶିଖିନାହିଁ ।” ସ୍ୱରରେ ମୋର ତୀବ୍ରତା ଥିଲା ଯେପରି, ସେହିପରି ତାଚ୍ଛଲ୍ୟ । ମତେ ଲାଗିଲା ଯେମିତି ସାବିତ୍ରୀ କେବଳ ଟଙ୍କା ସୁନା ଭିତରେ ବୁଡ଼ି ରହିବାକୁ ଲୋଡ଼େ । ଏହାହିଁ ତା’ର ଆଭିଜାତ୍ୟ-। ସ୍ଵାମୀ, ସନ୍ତାନ, ସଂସାର କହିଲେ ସେ ଏହାହିଁ ବୁଝେ ।

 

“ତା’ହେଲେ ତୁମ ପିଲାଙ୍କ ଖବର ଏଣିକି ବୁଝ ତୁମେ, ମୁଁ ଏ ଘର ଚଳେଇ ପାରିବି ନାହିଁ-। ମୁଁ ଯେଉଁ ଘରୁ ଆସିଛି, ସେ ଘରର କଥା ତୁମେ ବହୁତ ଆଗରୁ ଜାଣିଶୁଣି ମଧ୍ୟ ମତେ ଆଣିଛ-! ଏବେ ଆଉ ଅନୁତାପ କରି ଲାଭ ନାହିଁ ।” ସାବିତ୍ରୀର କଥାରେ ଅସମ୍ଭବ ଦୃଢ଼ତା ଥିଲା-

 

ଆହୁରି ଯେତେ ଉକ୍ତି ପ୍ରତ୍ୟୁକ୍ତି ହୋଇଥିଲା, ସେ ସବୁ ଏଠାରେ କହିବାର ନୁହେଁ; କିନ୍ତୁ ଦିନକୁ ଦିନ ଗାଁ ଭିତରେ ଘର ଭିତରେ ଜୀବନ ମୋର ଦୁର୍ବହ ହୋଇପଡ଼ିଲା । ସାବିତ୍ରୀର ପୈତୃକ ଗର୍ବ ଛଡ଼ା ଆଉକିଛି ବଳ ନ ଥିଲା । ଅତୀତର ସେ ସବୁ ପଦମର୍ଯ୍ୟାଦା, ଧନସମ୍ପତ୍ତି ଚୂରମାର ହେବାକୁ ଗଲାବେଳେ ତାହାର ଧମକ ଏକାବେଳକେ ଅକାମୀ ଦନ୍ଥରା ଶୁଣା ଯାଉଥାଏ । ରାଗରେ ସେଇ ଧମକର ପ୍ରତିଶୋଧ ନେବାକୁ ମୁଁ ବାହାରିଲି । ଘରର ଯେଉଁ ଦାୟିତ୍ୱ ସେ ମୋ ଉପରେ ଲଦିଦେବାକୁ ଯାଉଥିଲା, ଓଲଟି ସେ ସବୁ ତା’ରି ଉପରେ ପକାଇଦେବା ତ ମୋ ପକ୍ଷରେ ସବୁଠୁ ସହଜ ବାଟ । ସ୍ଥିର କଲି ସହରରେ ରହି ବ୍ୟବସାୟ କରିବି । ଆଉ କିଛି ଜମି ବିକିଲି । ଗାଁ ଛାଡ଼ି, ମୋର ସ୍ତ୍ରୀ ସନ୍ତାନଙ୍କର ମାୟା ତୁଟାଇ ଚାଲିଲି ସହରକୁ । ଅଚଳ ପିତଳ ଦୋଣି ଭଳି ଗାଆଁଟା ମୋତେ ପୁରୁଣା ନକଲି ମନେହେଲା । ଆଉ ସହରଟା ହେଲା ନୂଆ ।

 

ସହର କହିଲେ ରାଜାଙ୍କ ରାଜଧାନୀ ଅବା ଠାକୁରଙ୍କ ତୀର୍ଥ ଭୂମିକୁ ଆଗେ ବୁଝାଉଥିଲା-। ଏବେ ସହର ହେଲା, ଶିଳ୍ପ ବ୍ୟବସାୟର କେନ୍ଦ୍ର । ଆଜିର ସହର ଅର୍ଥ ଯେଉଁ ଗତି, ପରିବର୍ତ୍ତନ ଚାଞ୍ଚଲ୍ୟକୁ ବୁଝାଏ, ତାହା ଓଡ଼ିଶାର କେଉଁ ସହରରେ ଅଛି ? ସେପରି ତୁଳନା କଲେ କଟକ, ପୁରୀ, ବାଲେଶ୍ଵର ନାଆଁକୁ ସହର । ଗାଁଠାରୁ ବେଶି ଲୋକ ଏକାଠି ରହିବା ପୁଣି ଚାଷକାମ ଛାଡ଼ି କାରିଗରି ବେଉଷା କରିବା ହେଲା ଆମ ସହରର ସଂକୀର୍ଣ୍ଣ ସଂଜ୍ଞା ।

 

କେତୋଟି ଗାଁ ଏକାଠି ହୋଇ ଅବା ଗୋଟିଏ ମାତ୍ର ଗାଆଁ ବିସ୍ତୃତ ହୋଇପଡ଼ି, ଓଡ଼ିଶୀ ସହର ତିଆରି–ଅସଂବନ୍ଧ କବିତା ସଞ୍ଚୟନ ଭଳି କେତେକ ସାହି ବଜାର ମିଶି ସାମଞ୍ଜସ୍ୟହୀନ ଏକ ଜନବହୁଳ ଅଞ୍ଚଳ । ବେଶି ଲୋକ ଗୋଟାଏ ଜାଗାରେ ରହିବାରୁ ଦୋକାନ ବଜାର, କୋଠା ବାଡ଼ି, ବେପାର ବଣିଜ ଯାହା ବା ଟିକିଏ ଅଧିକା ହୋଇଛି ସିନା । ନ ହେଲେ କଳ ଧୂଆଁର କୃତ୍ରିମ କୁହୁଡ଼ି ଭସାଇ ପୁଣି ମାଲିକ ମୂଲିଆଙ୍କ ମଧ୍ୟରେ ବହୁ ଅକୃତ୍ରିମ ସମ୍ପର୍କ ତିଆରି କରି ଯେମିତି ବଡ଼ ସହରମାନ ଗଢ଼ିଉଠେ, ଓଡ଼ିଶାରେ ତାହା କାହିଁ ?

 

ନିତି ଶହ ଶହ, ହଜାର ହଜାର ନୂଆ ଲୋକଙ୍କର ଯା-ଆସ ହୁଏ, ବଡ଼ ସହରମାନଙ୍କରେ । ଫଳରେ ମଣିଷ ସମାଜର ସୁଅ କେଡ଼େ ବେଗରେ ଯେ ସେଠାରେ ବହିଚାଲେ ତାହା ଅନୁଭବ କରି ହୁଏ । ଆଉ ଏଇ ସୁଅରେ ଅହରହ ଖେଳି ଉଠେ କେତେ ସମାଜିକ ଆଲୋଡ଼ନ, ଘୂର୍ଣ୍ଣି ବା ଭଉଁରୀ; ଯାହା ଭିତରେ ବ୍ୟକ୍ତିର ସତ୍ତା ମିଳାଇଯାଏ ବ୍ୟଷ୍ଟିର ନିଃସୀମ ସାଗର ମଧ୍ୟରେ । ସହରର ସେହି ବିପୁଳ ଜନ-ସମୁଦ୍ର ଭିତରେ ଚାଲିବାବେଳେ ଅସଂଖ୍ୟ ଦୁଃଖସୁଖ, ଆଶାନିରାଶା, ସଫଳତା ଓ ବିଫଳତାର ଭାର କାନ୍ଧରେ ବହି ଯେଉଁ ଜନତା ନିତି ସୂର୍ଯ୍ୟ ଉଠିବା ଆଗରୁ ଆରମ୍ଭ କରି ଶେଷ ରାତ୍ରି ପର୍ଯ୍ୟନ୍ତ କେବଳ ଆଗେଇ ଚାଲିଛି ଫୁଟ୍‍ପାଥରେ ଟ୍ରାମ୍ ବସ୍‍ କିମ୍ବା ରିକ୍‍ସା ମଟରରେ ଚଳାଇଛି ଏକ ମହାନ୍ ଅଭିଯାନ–ତାହାରି ସଙ୍ଗେ ଆପଣାକୁ ମିଶାଇ ଦେବାର, ହଜାଇ ଦେବାର ଅପୂର୍ବ ପୁଲକ ଅନୁଭବ କରିଛି ମୁଁ ବହୁତ ଥର । ଗାଆଁର କ୍ଷୁଦ୍ରତା ସଂକୀର୍ଣ୍ଣତା ଶିଥିଳତା ଆଉ ନିର୍ଜୀବତା ଭିତରେ ଜୀବନର ପ୍ରଥମ ଅଂଶଟାକୁ ବ୍ୟୟ କରିସାରି ଯେତେବେଳେ ସହରକୁ ଆସିଲି ବାହାରି, ଆପଣ ତାକୁ ପଳାୟନବାଦ୍ କହିପାରିବେ ନାହିଁ । ଯୌବନର ଏହି ପ୍ରଥମ ଅଂଶଟାକୁ ଅକାତରେ ଦାନ କରିଦେଲି ସାବିତ୍ରୀକୁ, ଆଉ ମୋର ସେହି ପ୍ରିୟ ଜନ୍ମସ୍ଥାନ ଶୈଶବର ସ୍ମାରକ ଗାଆଁକୁ । ସେତେବେଳର ଦୃଷ୍ଟିଭଙ୍ଗି ସଙ୍ଗେ ଆଜିର ଦୃଷ୍ଟିଭଙ୍ଗିକୁ ମୁଁ କଦାପି ତୁଳନା କରିବି ନାହଁ । ଅନ୍ୟ ବିରୁଦ୍ଧରେ ଅଭିଯୋଗ କରିବାର କାରଣଗୁଡ଼ିକ ଆଜି ଅତି ଦୁର୍ବଳ ହୋଇପଡ଼ିଛି । ସବୁଠାରୁ ବଡ଼ ହୋଇ ଦେଖାଦେଇଛି, ଆପଣାର ତ୍ରୁଟିରାଶି–ମୋର ଦାନଠାରୁ ପ୍ରତିଦାନ ବୋଧହୁଏ ମିଳିଛି ମୋତେ ବହୁଗୁଣରେ ।

 

ସବୁକଥା ଏଠାରେ ଖୋଲିକରି କହୁନି ବୋଲି ହୁଏତ ସନ୍ଦେହ କରିବେ ମୋତେ । କାରଣ ଦାମ୍ପତ୍ୟ କଳହ ସବୁରି ଘରେ କମ୍ ବେଶି ଲାଗି ରହିଛି । ଏଇଥି ପାଇଁ କେହି ତ ଘର ଛାଡ଼ି ଗାଆଁ ଛାଡ଼ି ପଳାଇ ଯାଏନି; କିନ୍ତୁ ପ୍ରକୃତରେ ଖୋଲିକରି କହିବା ପାଇଁ ଆଉକିଛି କଥା ନାହିଁ । ଯଦି କିଛି ଥାଏ, ତାହା ହେଉଛି କେବଳ ମୋରି ଭ୍ରମ । ସାବିତ୍ରୀକୁ ବୁଝିବା ପାଇଁ ମୁଁ ଆଉ ଟିକିଏ ଧୈର୍ଯ୍ୟ ଧରିପାରିଥାନ୍ତି । ଗାଁ ଲୋକଙ୍କର ପୁରୁଣାକାଳିଆ ମତି ଗତି ବଦଳାଇବାକୁ ଆଉକିଛି ଗୋଟାଏ ବାଟ ଖୋଜିଥାନ୍ତି ହୁଏ ତ !

 

ଆମର ଗାଆଁ ହେଉ ବା ସହର ହେଉ, ସବୁ ତ ଗଢ଼ା ହୋଇଆସଛି, ମଧ୍ୟଯୁଗୀୟ ରୀତିରେ । ରାଜାରାଜୁଡ଼ା ପୁଣି ତାଙ୍କ କଚେରି ସିରସ୍ତାର୍ କିରାଣୀ ଅମଲାଙ୍କୁ ଘେନି ଯେମିତି ରାଜଧାନୀ, ସହର ଆଗେ ଗଢ଼ିଉଠିଲା, ଅବିକଳ ସେଇ ଛାଞ୍ଚରେ ଗୌନ୍ତିଆ, ସର୍ବରାକାର, ମକଦ୍ଦମ, ଜମିଦାରଙ୍କୁ କେନ୍ଦ୍ରକରି ତିଆରି ହେଲା ଗାଆଁଗୁଡ଼ିକ । ବଳଦକୁ ଆଣି ଯୁଆଳିରେ ନ ଯୋଚିଲେ ସେ ଛାଏଁ ହଳ କରିବାକୁ ଯାଏନି; ଆମର ଅନ୍ୟଠାରୁ ହୁକୁମ ତାଗଦା ନ ପାଇଲେ କାମ କରିବାକୁ ଅଭ୍ୟାସ ନାହିଁ । ଏମିତି ଅବସ୍ଥାରେ ହଠାତ୍ ପଞ୍ଚାଏତ ଶାସନ ପୂରାଇ ଦେଇ ସମସ୍ତଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବାକୁ, କାମ କରିବାକୁ କହିଲେ ଯାହା ଫଳ ଫଳିବାର କଥା, ତାହାହିଁ ଘଟିଲା ଆମ ଗାଆଁରେ ।

 

ପଞ୍ଚାୟତ ବାଛିବାକୁ ଯାଇ ଭୋଟ୍‍ ଦେବା ପାଇଁ ଗାଁ ଭିତରେ ଆଗ ଯୋଡ଼ାଏ ଦଳ ହୋଇଗଲେ । ଗାଁର ମାଲିମକଦ୍ଦମା ତୁଟାଇ ସମସ୍ତଙ୍କୁ ଯେ ଏକଜୁଟ୍‍ କରିଥିଲି, ସେଇଠି ପୁଣି ଦେଖାଦେଲା, ବିଭେଦ । ପାଠ ପଢ଼ିବାରେ ମଧ୍ୟ ପହଞ୍ଚିଲା ସେଇ ଜାତିଆଣ କଥା ।

 

ଛୋଟ ଜାତିଙ୍କ ସଙ୍ଗେ ଉଚ୍ଚ ଜାତି ଏକାଠି ପଢ଼ି ପାରିବେନି । ମୂଲିଆମାନେ ପାଠ ଶିଖିଲେ ଚାଷ କାମ ଖଇଚା ହେବ । ପୁଣି ମାଲିକମାନଙ୍କ ଠିକ୍ ଭୁଲ ବାଛି ମୁହଁ ଉପରେ ସେ ଜବାବ୍ ଦେବେ । ପୁଣି ଝିଅବୋହୂମାନେ ପଢ଼ିଲେ କ’ଣ କରିବେ, ଇତ୍ୟାଦି ଅନେକ ଯୁକ୍ତିର ଆରମ୍ଭ ହୋଇଗଲା । କୁଆଡ଼ୁ କିଛି ନ ଘଟୁଣୁ ଆଗ ଚାଲିଲା ବିତର୍କ ।

 

ସବୁଯାକ ତାଳ ମାନ ଗଡ଼ି ଗଡ଼ି ଆସି ଛିଡ଼ିଲା ମୋରି ଉପରେ–ଡେଙ୍ଗା ମୁଣ୍ଡରେ ଠେଙ୍ଗା–ମୋରିଠାରୁ ତ ଏସବୁ ଭିଆଣ–ଆଉ ତେବେ ଦାୟୀ କିଏ କି ? ଗାଆଁର ଯେଉଁ କେତେଜଣ ଯୁବକ ପହିଲେ ମୋର ବଡ଼ ସମର୍ଥକ ଥିଲେ, ସେମାନେ ବି ଦେଲେ ପଛଘୁଞ୍ଚା । କିଏ ହେଲେ ମୋର ପ୍ରତ୍ୟକ୍ଷରେ ବା ପରୋକ୍ଷରେ ବିରୋଧୀ, ଆଉ କିଏ ରହିଲେ ନୀରବ । ଗାଆଁର ଧନୀ, ମାମଲତକାର ନେତାଙ୍କ ମୁହଁରୁ ବାହାରିଲା ଅଶ୍ଳୀଳ କଦର୍ଯ୍ୟ ଗାଳିଗୁଲଜ । ଚାଷବାସର ଉନ୍ନତି ଗଲା ଚୁଲିକି, ଇସ୍କୁଲ ଘର ଛପର ହୋଇପାରିଲା ନାହିଁ କି ଲାଇବ୍ରେରୀ ବହି ଯେ ନେଲେ, ସେ ଆଉ ତାହା ଫେରାଇଲେ ନାହିଁ । ଏଇ ବିପଦରେ ମୁଁ ଲୋଡ଼ିଥିଲି, ସାବିତ୍ରୀ ମୁହଁରୁ ପଦେ ସାନ୍ତ୍ୱନା, ଟିକିଏ ହିମତ୍ । ଅଥଚ ତାହା ବଦଳରେ ଶୁଣିଲି କଡ଼ା କଥା, ପାଇଲି ଅବହେଳା ।

 

ଆଜି ବିଚାରୁଚି, ସବୁସତ୍ତ୍ୱେ ଆଉରି ମୋର ଧୈର୍ଯ୍ୟ ଧରିବା ଲୋଡ଼ା ଥିଲା–ସାବିତ୍ରୀ କାହିଁକି ମୋ ଉପରେ ବିରକ୍ତ, ଗାଆଁର ଭଲ କରିବାକୁ ଯାଇ କାହିଁକି ମୁଁ ମନ୍ଦ ହେଲି–ଏ ସବୁର କାରଣ ଟିକିଏ ଖୋଜି ପାରିଥାନ୍ତି; କିନ୍ତୁ ଘଟଣାଚକ୍ର ତାହା ମୋତେ କରାଇ ଦେଲାନି । ହୁଏତ ଏହା ମୋର ଶିକ୍ଷାର ଅଭାବ, ଯୋଜନାର ଅଭାବ । କିନ୍ତୁ ସେତେବେଳେ ମୁଁ ଅନୁଭବ କଲି, ଗାଁରେ ମୋର କାମ ସରିଯାଇଛି, ସାବିତ୍ରୀ ପାଖରେ ମୋର ଆଉ ପ୍ରୟୋଜନ କିଛି ନାହିଁ । ଆଉ ଗୋଟାଏ କଥା ଲକ୍ଷ୍ୟ କଲି–ସାବିତ୍ରୀ ଯେମିତି ଗାଁରେ କି ମୋ ପାଖରେ ରହିବାକୁ ନାରାଜ ।

 

ଦେଖେଇ ଦେଖେଇ ସେ ବରାବର ଉଲୁଖା ଦିଏ ସହର କଥା–ଆଉ ସେଇ ସହରରେ ରହୁଥିବା ତା’ର ବାଲ୍ୟବନ୍ଧୁ ଗୌରୀ କଥା । ଏକା ସାଥିରେ ଗୌରୀ ସାବିତ୍ରୀ ଗାଁ ମାଇନର ସ୍କୁଲରେ ପଢ଼ୁଥିଲେ । ଗୌରୀର ବାପା ସେତେବେଳେ ଶିକ୍ଷକତା କରୁଥାନ୍ତି ଏଇ ପ୍ରାଇଭେଟ୍ ସ୍କୁଲରେ । ବେସରକାରୀ ହାଇସ୍କୁଲର ସବୁ ଶିକ୍ଷକଙ୍କ ଭଳି ଯେତିକି ଟଙ୍କା ସେ ପାନ୍ତି, ତହୁଁ ବେଶି ସଂଖ୍ୟା ତଳେ ତାଙ୍କୁ ପ୍ରତି ମାସରେ ଦସ୍ତଖତ ଦେବାକୁ ହୋଇଥାଏ । ତାହା ନ ହେଲେ ଯେ ସ୍କୁଲକୁ ସରକାରୀ ମଞ୍ଜୁରି ମିଳନ୍ତା ନାହିଁ । ଶିକ୍ଷକମାନଙ୍କୁ ହିଁ ପ୍ରଥମେ ଏରୂପେ ସ୍ୱାର୍ଥତ୍ୟାଗର ମିଥ୍ୟାଚରଣ ଦୋଷାବହ ନୁହେଁ ବୋଲି ଶିଖିବାକୁ ହୋଇଥାଏ । ସେ ତ ଏକ ପ୍ରକାଶ୍ୟ ଗୋପନ ।

 

ଦରିଦ୍ର ହେଲେହେଁ ଗୌରୀର ବାପା ମଦନବାବୁ ନିଜେ ଶିକ୍ଷକ ଥିବାରୁ ଝିଅକୁ ଉଚ୍ଚ ଶିକ୍ଷା ଦେଇ ପାରିଲେ । ଶିକ୍ଷକମାନେ ନିଜ ସନ୍ତାନକୁ ସୁଶିକ୍ଷିତ କରିବାକୁ ଯେଉଁ ସୁଯୋଗ ପାନ୍ତି, ଅନ୍ୟ ପକ୍ଷରେ ତାହା ସେତେ ସୁବିଧାଜନକ ହୋଇପାରେ ନାହିଁ । ଗାଁ ମାଇନର ସ୍କୁଲରୁ ପାସ୍ କରିବା ପରେ ଗୌରୀକୁ ସେ ଘେନି ଯାଇଥିଲେ ନିଜ ସାଥିରେ । ସେତେବେଳେ ଗାଆଁର ମୁଖିଆ ଲୋକେ ପୁଣି ମଦନବାବୁଙ୍କର କେତେକ ବନ୍ଧୁବାନ୍ଧବ ମଧ୍ୟ ଯୁବତୀ କନ୍ୟାକୁ ବିଭା ନ ଦେଇ ପାଠ ପଢ଼ାଇବା ଅନୁଚିତ ବୋଲି ପରାମର୍ଶ ଦେଇଥିଲେ । ଗୌରୀର ମାଆ ସୁଦ୍ଧା କଲେ ପ୍ରତିବାଦ । ସାବିତ୍ରୀର ବିବାହ ପରେ ସେ ଏକାଜିଦ୍ ଧରି ବସିଲେ–“ନା, ଆମର ସେ ପାଠପଢ଼ା ଦରକାର ନାହିଁ । ଝିଅ, ଘିଅ–ଘରେ ରହିଲେ ସେ ଗନ୍ଧେଇବ । ଆମେ ତ ଜାଣି ଗରିବ ଘର, ସେମିତି ଗରିବ ଘରେ କେଉଁଠି ଗୋଟାଏ ପାତ୍ର ବୁଝ ।”

 

ମଦନବାବୁ କାହାରି କଥାରେ କାନ ଦେଲେ ନାହିଁ–“ଝିଅକୁ ତ ମୁଁ ଘରୁ ନେଇଯାଉଛି । ତୁମକୁ ତେବେ ଗନ୍ଧେଇବ କାହିଁକି ? ପିଲାଟା ଭଲ ପଢ଼ୁଚି, ପୁଣି ତା’ର ବେଶି ପଢ଼ିବାକୁ ଇଚ୍ଛା । ଆମେ ମା’ ବାପ ଥାଉ ଥାଉ ତାକୁ ନ ପଢ଼େଇବା ଅନ୍ୟାୟ ନୁହେଁ ?”

 

ସ୍ତ୍ରୀ ବୁଝିଲେ ନାହିଁ–“କାହିଁକି, ଝିଅ ପାଠ ପଢ଼ି କରିବେ କ’ଣ ? କହିଲ ? ତାଙ୍କ ସମୟବେଳେ ବିଭା ନ ଦେବାଟା ବି ଭାରି ଅନ୍ୟାୟ । ତା’ରି ସାଙ୍ଗର ଝିଅ ସାବିତ୍ରୀ । ସେ ଏବେ ବାହା ହୋଇ ଘରଦ୍ୱାର କଲାଣି । ତା’ ବାପର କ’ଣ ପଇସା ନ ଥିଲା ପାଠ ପଢ଼େଇବାକୁ ? ସେ ତ ପୁଣି ସାବିତ୍ରୀକୁ ମାଇନର ପାସ୍ କରାଇ ସାରି ଦି’ ବର୍ଷ ଘରେ ରଖି ବିଭା କରାଇଦେଲା ।”

 

“କାହା ବାପାର କେତେ ପଇସା ଅଛି, ସେ ହିସାବ ମୁଁ ରଖେ ନାହିଁ ।” ପଇସା ନ ଥିଲା ଲୋକର ଗ୍ଳାନି ଦାମ୍ଭିକତା ଜାଗି ଉଠେ, ତାଙ୍କ ଭିତରେ ସବୁ ଅଭାବ ଫାଙ୍କ ଥାନାକୁ ପୂରଣ କରି । ଆଉ କେଉଁଠି ନ ହେଉ ପଛେ, ଆପଣା ସ୍ତ୍ରୀ ପାଖରେ ନଇଁଯିବା ଲୋକ ସେ କେବେ ନୁହନ୍ତି ଧନ ଅର୍ଜନ ଦିଗଟାରେ । ‘‘ମୁଁ ଗରିବ ଲୋକ, ମୋ ଶକ୍ତିରେ ଯେତିକି ଅଛି, ସେତିକି କରୁଛି । ଆଉ ଦି’ଟା ବର୍ଷ ପରେ ଗୌରୀ ତ ମେଟ୍ରିକ ପାସ୍ କରିବ । ତମେ ଏତେ ଉଚ୍ଛନ୍ନ ହେଉଛ କାହିଁକି, କହିଲ-?” ପିଲାଙ୍କ ପରୀକ୍ଷା ଖାତା ଦେଖୁ ଦେଖୁ ଜବାବ୍ ଦିଅନ୍ତି ମଦନବାବୁ । ସ୍ତ୍ରୀଙ୍କ ଅଯାଜିତ ତୁଳନାରେ ମୁଣ୍ଡ ତାଙ୍କର ବିଗିଡ଼ି ଯାଏ । ସେତେବେଳେ ବିଚରା କେଉଁ ପରୀକ୍ଷାର୍ଥୀର ଭାଗ୍ୟଦେବତା ପ୍ରସନ୍ନ ଅବା ବିମୁଖ ହୁଅନ୍ତି, କେଜାଣି ! ସ୍କୁଲଛୁଟିରେ ସେ ଗୌରୀକୁ ଘେନି ଗାଁକୁ ଆସନ୍ତି । ସେଇ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝିଅ ବିଭା ବିଷୟରେ ଅଲୋଚନା ହୁଏ । ସ୍ତ୍ରୀଙ୍କର କୌଣସି ଯୁକ୍ତି ସେ ନ ଶୁଣି ଶେଷରେ କହନ୍ତି–“ଆଚ୍ଛା, ଗୌରୀକୁ ଡାକ, ତା’ର ଇଚ୍ଛା କ’ଣ ପଚାରିବା ଦେଖି-।”

 

‘‘ବାଃ ! ବାଃ ! ଖାସା ବୁଦ୍ଧି ତମର ତ ! କିଏ ତୁମକୁ ଇସ୍କୁଲ ମାଷ୍ଟର କଲା, କେଜାଣି !” “ଯେ କରୁ ପଛକେ ତୁମେ ଯେ କରିନାହଁ, ସେତିକି ଖାଲି ମନେରଖ ।” ସ୍କୁଲ ମାଷ୍ଟରି ଦାମ୍ଭିକତା ଫେରିଆସେ ।” ଏଇ କଥା ତୁମେ ଝିଅକୁ ଡାକି ପଚାରିବ, ନା ?” ସ୍ତ୍ରୀ ପୁଣି ମଦନବାବୁଙ୍କୁ କୋବଲାନ୍ତି ।

 

“କାହିଁକି ? ଏ କଥା ମୁଁ ତାକୁ ନ ପଚାରି ଛାଡ଼ିଚି ପରା ଭାବିଛ ?” ସ୍ୱାମୀଙ୍କ ଜବାବ ଶୁଣିସାରି ଗୌରୀବୋଉ ଡୋଳା ଦି’ଟା କପାଳରେ ଖୋସି ଦିଅନ୍ତି ।

 

“କ’ଣ କହିଲ ? ତୁମେ ପୁଣି ଏକଥା ଗୌରୀକି ପଚାରି ସାରିଲଣି ? ଆଉ ହବନି, ହବନି, ହଇ ହେ ତୁମେ ତା’ର ବାପଟିକି ?”

 

“ମୁଁ ତା’ର ବାପ, କି ଆଉ କିଏ–ସେ କଥା ସିନା ତୁମେ କହିବ, ମୁଁ ଜାଣିବି କିମିତି ?”

 

ଗୌରୀବୋଉ ମୁହଁ ଛିଞ୍ଚାଡ଼ି ଦିଅନ୍ତି, ‘‘ରଖ ତୁମ ଟାହୁଲି ଟାପରା । ଝିଅକୁ ତା’ ବିଭାଘର କଥା ପଚାରିବାକୁ ତୁମ ମୁଣ୍ଡ ଲେଉଟିଲା କେମିତି କେଜାଣି !”

 

ପରୀକ୍ଷାଖାତା ଉପରୁ ମୁହଁ ନ ଟେକି ମଦନବାବୁ ପଚାରନ୍ତି, ‘‘ଅଚ୍ଛା ତମର କ’ଣ ଗୌରୀର ବିଭାଘର କଥା ଛଡ଼ା ଆଉକିଛି କଥା ବିଷୟ ନାହିଁ, ଗପ କରିବାକୁ ? ତମେ ଏକା ସଂସାରରେ ମା’ ହୋଇଛ, ନା ଆଉ କିଏ ଝିଅ ଜନ୍ମ କରିଚି କହିଲ ?”

 

“କିଓ କାହିଁକି ? ଗୌରୀ ମୋର ଗୋଟିଏ ବୋଲି ଝିଅ; କିଛି ଛଅଟା ନଅଟା ନାହାନ୍ତି ଯେ–” ରୋଷେଇ ପାଇଁ ପରିବା କାଟୁ କାଟୁ ଗୌରୀବୋଉ କହି ଉଠନ୍ତି ।

 

“ତେବେ କ’ଣ ଛଅଟା ନଅଟା ଥିଲେ ଗୌରୀ ପାଇଁ ଏମିତି ଚିନ୍ତା ହୁଅନ୍ତା ନାହିଁ ପରା-?”

 

ମଦନବାବୁଙ୍କ ଯୁକ୍ତି ଶୁଣି ସ୍ତ୍ରୀଙ୍କର ବିରକ୍ତି ଦୁଇଗୁଣ ହୋଇପଡ଼େ । ‘‘ରଖ ତମ ବାକ୍‍ଚାତୁରୀ । ଝିଅପାଇଁ ବରଘର ଖୋଜିବାକୁ ତୁମେ ଯେବେ ପାରୁନାହଁ, ତେବେ କ’ଣ ମୁଁ ଯାଇ ଖୋଜିବି ?”

 

“କାହିଁକି ? ଖୋଜିବାକୁ କିଏ ମନା କଲା କି ? ତେବେ ଗୋଟାଏ କଥାକୁ ସାବଧାନ ଥିବ । ଝିଅପାଇଁ ବରଘର ଖୋଜିବାକୁ ଯାଇଁ ନିଜ ପାଇଁ ଯେମିତି ନ ଖୋଜ !”

 

“ଛିଆ ତମ ବୁଦ୍ଧି । ସେ ଘରେ ପରା ଗୌରୀ ସାବିତ୍ରୀ ବସିଛନ୍ତି । ତମକୁ ଆଉ କ’ଣ ଥଟ୍ଟା ତାମସା ପାଇଁ ବେଳ ମିଳେନି ?” ଫିସ୍ ଫିସ୍ କରି ଗୌରୀବୋଉ କହନ୍ତି; ମାତ୍ର ମଦନବାବୁ କାହିଁରେ ଦବିଯିବା ପାତ୍ର ନୁହନ୍ତି–

 

“ବସିଲେତ ହେଲା କ’ଣ ? ଏଥିରେ ଏମିତି କ’ଣ ଲୁଚାଛପା ଅଛି କି ? କେଉଁକାଳେ ଭଲା ଝିଅମାନେ ନିଜପାଇଁ ବରଘର ଖୋଜି ନାହାନ୍ତି ? ତମେ ଖୋଜିଲେ ମାରା ହେଲା କ’ଣ ?”

 

“କେଡ଼େ ବେହିଆ ଲୋକଟା ମ । ମୁଁ କ’ଣ ଝିଅ ?” ଆଉରି ଥରେ ଅନୂଢ଼ା ଝିଅଟିପରି ନିଜକୁ ଅନୁଭବ କରିବାର ଲାଳସା ସ୍ତ୍ରୀଙ୍କ ଅବଚେତନାରୁ ମଦନବାବୁ ସୂଚନା ପା’ନ୍ତି । ତହୁଁ ସେ ଉତ୍ସାହ ଦିଅନ୍ତି, ‘‘ଆରେ ! ଝିଅ ନ ହେଲେ ତ ଝିଅର ମା ! ଦୁନିଆରେ କେତେ ଝିଅ ଯେ ମାଆ ହେବାକୁ, ଆଉ କେତେ ମାଆ ଝିଅ ହେବାକୁ, ଆଗ୍ରହୀ, ସେ ଖବର ତୁମେ ରଖିଚ କି ? ଏଇ ହେଲା ଆମ ପୂର୍ବଜନ୍ମର ତତ୍ତ୍ୱ କାହାଣୀ ।”

 

ମଦନବାବୁଙ୍କ ମୁହଁରୁ ଏଭଳି ସବୁ ତତ୍ତ୍ୱ କାହାଣୀ ଶୁଣିବାରେ ଅଥଚ ବୁଝି ନ ପାରିବାରେ ସ୍ତ୍ରୀ ତାଙ୍କର ବହୁକାଳରୁ ଅଭ୍ୟସ୍ତ । ପଚାରନ୍ତି, ‘‘ତମେ ପରା କହ, ମଣିଷ ମରିଗଲେ ଆଉ ତା’ର ଜନ୍ମ ନାହିଁ । ପୁନର୍ଜନ୍ମ ତେବେ ଆସିଲା କେଉଁଠୁ ?”

 

“ମରିଗଲେ ସିନା ପୁନର୍ଜନ୍ମ ନାହିଁ, ଜିଅନ୍ତାରେ ଥିଲାବେଳେ ପୁନର୍ଜନ୍ମ ନାହିଁବୋଲି ମୁଁ କ’ଣ କହିଛି କି ?” ଚଷମା କାଢ଼ିଦେଇ ମଦନବାବୁ ସ୍ତ୍ରୀଙ୍କ ମୁହଁକୁ ଚାହାନ୍ତି ମୁରୁକି ହସି, ‘‘ବୁଝିଲ ତ ଏଥର ?”

 

“ଜିଅନ୍ତାରେ ଯେବେ ପୁନର୍ଜନ୍ମ ଅଛି ବୋଲି କହୁଛ, ମରିଗଲେ ତ ନିଶ୍ଚୟ ଥିବ, ନ ଥାନ୍ତା କାହିଁକି ମ !” ସ୍ତ୍ରୀଙ୍କ ନିର୍ବୋଧ ବିଶ୍ୱାସର ପ୍ରବଳ ସଂକ୍ରାମକ ପ୍ରଭାବ ପଡ଼େ ମଦନବାବୁଙ୍କ ବିଜ୍ଞତା ଉପରେ ।

 

କୌତୂହଳ ଦୃଷ୍ଟିରେ ଚାହିଁ ସେ କହନ୍ତି, ‘‘ତାହାର ଅର୍ଥ ଏହି ଯେ ତୁମେ ପୁନର୍ଜନ୍ମ ଯାହାକୁ ବୋଲି ଭାବ, ତହିଁରେ ମୋର ବିଶ୍ଵାସ ନାହିଁ । ଖାଲି ମୁହିଁ ଯାହାକୁ ପୁନର୍ଜନ୍ମ ବୋଲି ବୁଝେ, ସେତିକିରେ ମୋର ବିଶ୍ୱାସ ।”

 

ସ୍ତ୍ରୀ ମଧ୍ୟ ହସି ଦେଇ କହନ୍ତି, ‘‘ହଁ, କହିଁକି ନା ତୁମେପରା ବେଶି ପଢ଼ି ପାଠୁଆ !”

 

ମଦନବାବୁ ଦେଖିଲେ, ଘର ଭିତରେ ନିଜ ସ୍ତ୍ରୀ, ଆଉ ବାହାରେ ଯାବତୀୟ ଲୋକ–ହଁ, ଯାବତୀୟ ଲୋକ–ସବୁରି ଯେମିତି ଏକା ସାଥିରେ ମୁଣ୍ତ ବଥେଇଲା, ଗୌରୀର ବିଭାଘର ପାଇଁ–ଏ କୁଆଡ଼ କଥା । ହେଲା ବା–ଚଉଦ ବର୍ଷ ନ ପୂରିଲେ ଝିଅ ବିଭାଦେବା ଆଇନରେ ମନା । ତା’ ବୋଲି ମରଦ ପିଲାଙ୍କ ସାଥିରେ ଏକାଠି ବସି ଝିଅମାନେ ପଢ଼ିବେ ? କେଉଁ ଆଇନରେ ଏ କଥା ଅଛି ?

 

“ମୂଳୁଁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି,” କେତେଜଣ ଦୁଷ୍ଟ ଲୋକ ମିଳି ତିନିଥର ସ୍କୁଲ ଘରେ ନିଆଁ ଲଗାଇଦେଲେ । ଏହା ଯେ ଓଡ଼ିଶାରେ ଏକ ସାଧାରଣ ଘଟଣା–ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ଏଥିରେ ? ଆଜି ଆମେ ସ୍ୱାଧୀନତାର ଦଶମ ବର୍ଷ ପାଳୁଥିଲେ ବି ଇସ୍କୁଲ ଉପରେ ଘରପୋଡ଼ି ବିପଦଟା ତ ଏକାବେଳେ ବିରଳ ନୁହେଁ ମନେହୁଏ ଯେମିତି ଏହାର ଗୋଟିଏ ପରମ୍ପରା ରହିଗଲାଣି ।

 

ସେହି ପରମ୍ପରା ମୂଳରେ ନାନା କାରଣ ଥାଇପାରେ । କେଉଁଠି ତାହା ବ୍ୟକ୍ତିଗତ, ଆଉ କେଉଁଠି ସାମାଜିକ, ରାଜନୈତିକ ଅବା ଧର୍ମଗତ । ଯେଉଁଠାରେ ସେପରି କିଛି କାରଣ ନାହିଁ; ସେଠାରେ ଖାଲି ହିଂସା, ବାଦ, ତକରାଳ–ଅନେକ ସମୟରେ ଯାହାକି ପରମ୍ପରା ଗଢ଼ିବାର ଉପାଦାନ ହୋଇଥାଏ । ଆଉ ସେଇ ପରମ୍ପରାର କ୍ରମ ବିବର୍ତ୍ତନ ହେଲା ଇତିହାସ–ଯେଉଁ ଇତିହାସ ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ମଣିଷ ସମାଜର ଅଶିକ୍ଷା ଅଜ୍ଞତା ଅକ୍ରିୟାର କଳୁଷରେ କଳଙ୍କିତ । ସହସ୍ର ସହସ୍ର ବର୍ଷ ହେଲା ଅକ୍ଷର ଆବିଷ୍କୃତ ହେଲେ ମଧ୍ୟ ଆଜି ପୃଥିବୀର ସର୍ବାଧିକ ମନୁଷ୍ୟ ନିରକ୍ଷର ରହିଛନ୍ତି କାହିଁକି ? ପିଲାଏ ପାଠ ନ ପଢ଼ିଲେ ତ ହେଲା କ’ଣ ? ସହର ବଜାରରେ ଝିଅ ପୁଅ ପାଠ ପଢ଼ି ଯେଉଁ କୀର୍ତ୍ତି ଅର୍ଜ୍ଜୁଛନ୍ତି, କିଏ ତାହା ନ ଜାଣେ ? ପାଠ ପଢ଼ିଲେ କିଏ ବା କାହାକୁ ମାନିବ କାହିଁକି ? ସ୍ତ୍ରୀ ପୁରୁଷକୁ ମାନିବେ ନାହିଁ କି ଚାକର ମୁନିବଙ୍କ କଥା ଶୁଣିବେ ନହିଁ । ବାର ଜାତି ତେର ଗୋଲା, ବଇଷମ ହେଲେ ସବୁ ଗଲା । ଜାତି ଧର୍ମ ବଡ଼ସାନ ସବୁ ଲୋପ କରି ଆଜି ଯେମିତି ଗଢ଼ା ହୋଇଛି ଏକ ନୂଆ ଶିକ୍ଷିତ ସମାଜ–କେବଳ ଯୁକ୍ତି ବଳରେ ଯେଉଁ ସମାଜ ସମସ୍ତ ପାପ ଅନ୍ୟାୟକୁ ନ୍ୟାୟ ବୋଲି ପ୍ରମାଣ କରିଦିଏ । ସେହିପରି ଯୁକ୍ତିଗୁଡ଼ିକର ପରିଣତି ହେଲା, ସ୍କୁଲଘରେ ଅଗ୍ନିସଂଯୋଗ । ବିଂଶ ଶତାବ୍ଦୀ ମଧ୍ୟରେ ବିଖ୍ୟାତ ସାକ୍ଷୀଗୋପାଳ ବନ ବିଦ୍ୟାଳୟର ଘରପୋଡ଼ିଠାରୁ ଆରମ୍ଭ କରି ସ୍ୱାଧୀନ ଭାରତରେ ସୁଦ୍ଧା କଟକର ରାଣୀହାଟ ସ୍କୁଲ ପୁଣି ଜଗତସିଂହପୁର ସ୍କୁଲ ଘରପୋଡ଼ି ପର୍ଯ୍ୟନ୍ତ, କେତେ ନଗଦ ଦୁର୍ଘଟଣା ତ ଦିନକୁ ଦିନ ଦେଖା ଦେଇଛି । ମଦନବାବୁଙ୍କ ହାଇସ୍କୁଲ ଉପରେ ବି ସେମିତି ବିପଦ ପଡ଼ିଲା । କେତେଥର ଗାଁ ଲୋକେ ସ୍କୁଲ ପିଲା ମିଶି ନିଆଁ ଲଗାଇଦେଲେ; ଶେଷ ଥର ଘରଟି ଜଳି ଏକାବେଳେ ପାଉଁଶ ହୋଇଗଲା ।

 

ଛାତ୍ରମାନଙ୍କୁ ଧରି, ପାଖ ଆଖର ଗାଁ ଗାଁରେ ବୁଲି ଚାନ୍ଦା ଭେଦା ଉଠାଇ ମଦନବାବୁ ଅଳ୍ପଦିନରେ ନୂଆ ଘର ତୋଳାଇଲେ; ମାତ୍ର ସେତିକିରେ ସବୁ ଶାନ୍ତ ପଡ଼ିଲା ନାହିଁ । ତା’ପରେ ଚାଲିଲା ଗୌରୀ ବିଷୟରେ ନାନା କୁତ୍ସିତ ପରିପ୍ରଚାର,–କେତେ କଦର୍ଯ୍ୟ ବେନାମି ଚିଠି ଗୌରୀ ତୁହିନଙ୍କ ବିଷୟରେ । କାନ୍ଥରେ ବାଡ଼ରେ ଅକଥ୍ୟ ଅଶ୍ଳୀଳ ଲେଖା, ସେଇ ଦୁହିଁଙ୍କୁ ଘେନି । ଶେଷରେ କିନ୍ତୁ ସବୁ ତର୍କ ବିତର୍କ, ଧମକ ଚମକ ମିଳାଇଗଲା, ପାହାଡ଼ ଉପରେ ମେଘ ଗର୍ଜ୍ଜନ ମିଳାଇଯାଏ ଯେମିତି ।

 

ଜୟ ହେଲା ମଦନବାବୁଙ୍କର; ଗୌରୀ ପାଠପଢ଼ିଲା ଦୁନିଆର ନାକଟେକା, ଆଖି ମିଟିକା, ମୁହଁ ମୋଡ଼ା ଆଗରେ । ତୁହିନକୁ ମଧ୍ୟ ମଦନବାବୁ ଲୋକନିନ୍ଦା ଭୟରେ ପର କରିପାରିଲେ ନାହିଁ । ଏହି ତୁହିନ ଥିଲା ତାଙ୍କ ପ୍ରିୟ ବନ୍ଧୁ ଡାକ୍ତର ବିଧୁଶେଖରଙ୍କ ପୁଅ । ବିଧୁଶେଖର କେବଳ ତ ମଦନବାବୁଙ୍କର ପ୍ରିୟ ନ ଥିଲେ, ଗାଆଁ ଭିତରେ କିଏ ବା ତାଙ୍କୁ ସୁଖ ନ ପାଏ ? କିଏ ତାଙ୍କ କଥା ନ ଶୁଣେ ? ଯେଉଁଠି ଟିକିଏ ପାରିଛନ୍ତି କାହାର ଉପକାର କରିନାହାନ୍ତି ସେ ? ଗାଁରେ ହାଇସ୍କୁଲ ବସାଇବା, ଗାଆଁର ରାସ୍ତା ପୋଖରୀ ମରାମତି–ଗାଆଁକୁ ଆସିଲେ ଘର ଘର ବୁଲି ସବୁରି ଦେହ-ପା ଖବର ବୁଝିବା; କେଉଁ ଭଲ କାମଟିରେ ହାତ ନାହଁ ତାଙ୍କର ? ମାତ୍ର ଦୁନିଆ କ’ଣ କେବେ କାହାରି ଉପକାରକୁ ମନେରଖେ ? ବରଂ ମନେ ଯଦି ବେଶି କିଛି ରଖେ ତ, ତାହା ବୋଧହୁଏ ଅପକାରକୁ । ବିଧୁଶେଖରଙ୍କ ବ୍ୟବସାୟ ହେଲା ରୋଗୀ ସେବା । ଅବଶ୍ୟ ତାହା ନିଃସ୍ୱାର୍ଥ ସେବା ନୁହେଁ, ସ୍ୱାର୍ଥଜନିତ । ମାତ୍ର ଗାଆଁରେ କିଏ ଅବା ସମର୍ଥ, ତାଙ୍କ ଭଳି ବଡ଼ ଡାକ୍ତରଙ୍କୁ ଫିସ୍ ଦେବାକୁ ? ପୁଣି ଯେଉଁ ଦି’ଚାରିଜଣଙ୍କର ସମ୍ବଳ ଅଛି, ସେମାନେ ତାଙ୍କ ପାଖରୁ ସମସ୍ତଙ୍କ ଅପେକ୍ଷା ବେଶି ନିଃସ୍ୱାର୍ଥ ସେବା ଆଶା କରନ୍ତି । ଆଉ, ସମସ୍ତଙ୍କ ଅପେକ୍ଷା ବେଶି ସସମାଲୋଚନା କରନ୍ତି ପଛରେ ତାଙ୍କର । କଥାରେ ଅଛି, ଓକିଲମାନେ ମହକିଲକୁ ଲୁଟି କରି ବଞ୍ଚନ୍ତି ସିନା, ଡାକ୍ତରମାନେ କିନ୍ତୁ ରୋଗୀକୁ ଲୁଟି କରିସାରି ଶେଷରେ ତାକୁ ହତ୍ୟା କରନ୍ତି । ବିଧୁଶେଖର ଆପଣା ଗାଁରେ କାହାରିକି ଲୁଟି କିମ୍ବା ହତ୍ୟା କରିଥିବା ଶୁଣା ନାହିଁ ।

 

ମଫସଲ ଗାଁମାନଙ୍କରେ ଯେଉଁ ଗୋଟିକେତେ ନୂଆ ହାଇସ୍କୁଲ ବସିଛି–ସେମିତି ଏକ ନିପଟ ନିରକ୍ଷରତାର ଅନ୍ଧାର ଭିତରେ ଦିନେ ସେ ତେଜି ଦେଇଥିଲେ ଟିକିଏ ଜ୍ଞାନର ସଳିତା । ସେତେବେଳେ ତାଙ୍କର ପ୍ରଧାନ ସହାୟ ଥିଲେ ମଦନବାବୁ । ସହାୟ ନ କହି ପ୍ରତିଦ୍ୱନ୍ଦ୍ୱୀ କହିଲେ ବେଶି ଠିକ୍ ହେବ । ହଁ, ଦୁହେଁ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଗାଁ ଲୋକଙ୍କର ଉପକାର କରିବାକୁ । ଦେଶ ଦେଶ ମଧ୍ୟରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା ଚାଲେ, ଅନ୍ୟ ଅନୁନ୍ନତ ଦେଶର ଉପକାର କରିବା ବାହାନାରେ, ସେଭଳି ପ୍ରତିଦ୍ୱନ୍ଦ୍ୱିତା ନୁହେଁ; ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ମଧ୍ୟରେ ଯେଭଳି ପ୍ରତିଦ୍ୱନ୍ଦ୍ୱିତା ଚାଲେ, ଅଧିକ ଜନସେବା କରିବାର ଦାବି କରି ପ୍ରଚାରପତ୍ର ବାଣ୍ଟିବାରେ, ସେପରି ନୁହେଁ । ମଦନବାବୁ ବିଧୁଶେଖରଙ୍କ ପ୍ରତିଦ୍ୱନ୍ଦ୍ୱିତା ସେ ଦୁହିଁଙ୍କୁ ପରସ୍ପର ନିକଟତର କରିବାରେ, ଦୁହିଁଙ୍କ ସମ୍ବନ୍ଧକୁ ନିବିଡ଼ତର କରିବାରେ ସାହାଯ୍ୟ କଲା । ବିଧୁଶେଖର ସରକାରୀ ଚାକିରି କରୁଥାନ୍ତି ସହରରେ ରହି । ଜାଣ ତ ଡାକ୍ତରୀ କାମ–ଗାଆଁକୁ ଆସିବା ପାଇଁ କେତେବେଳେ ଅବା ତାଙ୍କର ଫୁର୍‍ସତ୍ ଥାଏ ? ଟିକିଏ ଫୁର୍‍ସତ୍ କି ଛୁଟି ମିଳିଲେ ସେ ଚଟ୍‍କରି ଦୌଡ଼ି ଆସନ୍ତି ଗାଆଁକୁ; ମାତ୍ର ସ୍ତ୍ରୀ ପିଲାମନେ ସେପରି ଦିନେ ଦୁଇଦିନ ପାଇଁ ଗାଆଁକୁ ଆସିପାରନ୍ତି ନାହଁ । ସେଥିଲାଗି ଗାଁ ସଙ୍ଗରେ ସେମାନଙ୍କ ସମ୍ପର୍କ ଥିଲା ଅତି କମ୍ । ବଡ଼ପୁଅ ତୁହିନ ପଢ଼ୁଥାଏ ସହର କନଭେଣ୍ଟ ସ୍କୁଲରେ । ଗାଁ ସହିତ ତା’ର ପ୍ରାୟ ପରିଚିୟ ନ ଥିଲା ।

 

ତୁହିନ ଉପରେ ବାପାଙ୍କ ଚେହେରାର ଛାପ ପଡ଼ିଥାଏ ସ୍ପଷ୍ଟ ଭାବରେ । ଠିକ୍ ସେମିତି ତୋଫା ସାହେବୀ ରଙ୍ଗ ତା’ର, କିନ୍ତୁ ବାପାଙ୍କଠାରୁ ସେ ଥିଲା, ବେଶି ଡେଙ୍ଗା । ମଦନବାବୁଙ୍କ ମତରେ ଡାକ୍ତର ବିଧୁଶେଖରଙ୍କ ଭଳି ସୌମ୍ୟକାନ୍ତି ପୁଣି ମଧୁର ସ୍ଵଭାବର ଲୋକ ସେ ଆଉ ଜଣେହେଲେ ଦେଖି ନାହାନ୍ତି । ଅବଶ୍ୟ ମଦନବାବୁଙ୍କ ଦେଖିବା ପରିସର ଖୁବ୍‍ ସୀମାବଦ୍ଧ । କଲେଜରେ ପଢ଼ିବା ହେଲା ତାଙ୍କର କଟକ ସହର ଦେଖିବାର ଏକମାତ୍ର କାରଣ । ତା’ପରେ ନିଜ ଗାଆଁଠାରୁ ଦଶମାଇଲ ଦୂର ମଫସଲ ସ୍କୁଲରେ ଶିକ୍ଷକତା କରି ବନ୍ଧୁବାନ୍ଧବ ଘରକୁ କେବେ କେମିତି ସେ ଯାଆନ୍ତି । ସେଇ ତାଙ୍କ ଦେଶଭ୍ରମଣର ସାରାଂଶ ।

 

ସେଥିପାଇଁ (୧୯୪୧ ମସିହାରେ) ଡାକ୍ତର ବିଧୁଶେଖର ଯେତେବେଳେ ଦିତୀୟ ଯୁଦ୍ଧରେ ନାମ ଲେଖାଇ ବର୍ମା ଯିବାକୁ ବାହାରିଲେ, ମଦନବାବୁଙ୍କ ପକ୍ଷରେ ତାହା ବୁଝିବା ଏକାବେଳେ ଅସମ୍ଭବ ହୋଇପଡ଼ିଲା । ଖାଲି ସେତିକି ନୁହେଁ–ସେ ପର୍ଯ୍ୟନ୍ତ ଦୁନିଆକୁ ଯେମିତି ଆକାର ପ୍ରକାରରେ ସେ ଚିହ୍ନି ଆସିଥିଲେ, ସେହିଦିନୁଁ ତାଙ୍କ ପାଖରେ ସେ ଏକାବେଳେ ଅଚିହ୍ନା ହୋଇଗଲା । ଆହୁରି ଥରେ ତାକୁ ଭଲକରି ଚିହ୍ନିବାପାଇଁ ଦରକାର ହେଲା ତାଙ୍କର ।

 

ବର୍ମା ଯିବା ଆଗରୁ ବିଧୁଶେଖର ଗାଆଁକୁ ଆସିଥାନ୍ତି ଦୁଇଦିନ ସକାଶେ । ସ୍ତ୍ରୀ ପିଲାଙ୍କୁ ଘରେ ଛାଡ଼ିଦେଇ ସବୁରି ପାଖରୁ ବିଦାୟ ହୋଇଯିବେ । ଗାଁ ଇସ୍କୁଲ, ଗାଁର ଭଲମନ୍ଦ ସୁଖ ଦୁଃଖ ସବୁ କଥା ସେ ପଚାରି ବୁଝୁଥାନ୍ତି । ସେ ଯୋଡ଼ାକ ଦିନ ଟିକିଏ ଚହଳ ପଡ଼ି ଯାଇଥାଏ ଦଶରଥପୁର ଗାଁଟିରେ । କେତେ ପ୍ରକାର ବିଚାର ଚାଲିଥାଏ ଲୋକଙ୍କର । ବିଧୁଶେଖର ଯୁଦ୍ଧରୁ ଫେରିବେ, ମସ୍ତବଡ଼ ଡାକ୍ତର ହୋଇ । ସେଠି ତାଙ୍କର ସବୁ ଖର୍ଚ୍ଚ ସରକାର ତୁଲାଇବେ । ତା’ପରେ ମାସକୁ ମାସ ଘର ଖର୍ଚ୍ଚ ପାଇଁ ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସିବ ପୁଳା ପୁଳା ଟଙ୍କା । ମଦନବାବୁଙ୍କ ମୁଣ୍ଡରେ ଏ ସବୁ କଥା ପଶୁ ନ ଥାଏ । ତାଙ୍କର ବଡ଼ ପ୍ରଶ୍ନ ହେଲା, କାହିଁକି ? ବିଧୁଶେଖରଙ୍କର ଅଭାବ କ’ଣ ? ଗାଆଁରେ ପ୍ରଚୁର ସମ୍ପତ୍ତି । ଅଳ୍ପଦିନ ଭିତରେ ଡାକ୍ତର ହିସାବରେ ସେ କିଛି କମ୍ ନାମ କମେଇ ନାହାନ୍ତି । ଯୁଦ୍ଧକୁ ଯିବା ଦରକାର କ’ଣ ତାଙ୍କର ? ପୁଣି ଯୁଦ୍ଧ ତ ଚାଲିଚି, ଜାପାନ ବିରୁଦ୍ଧରେ ଇଂରେଜଙ୍କର–ଆମ ଦେଶର ସେଥିରେ କି ସ୍ୱାର୍ଥ ଅଛି ଯେ ବିଧୁବାବୁ ଯିବେ ଯୁଦ୍ଧକୁ ? ଅତି କମ୍ କଥା କହନ୍ତି ବିଧୁବାବୁ । ଏତେ କମ୍ ଯେ ମୂକ ହୋଇ ଜନ୍ମିଥିଲେ ବି ତାଙ୍କର ବେଶି କିଛି ଅସୁବିଧା ହୁଅନ୍ତାନି । ‘‘ମୁଁ ଯୁଦ୍ଧ କରିବାକୁ ତ ଯାଉନାହିଁ, ଯାଉଛି ଯୁଦ୍ଧ କରୁଥିବା ଲୋକଙ୍କ ଚିକିତ୍ସା ପାଇଁ–ସେଥିରେ, ଆଉ ଟିକିଏ ବେଶି ଅଭିଜ୍ଞତା ମିଳିବ ବୋଲି ।”

 

“ଏଠାରେ କ’ଣ ଆପଙ୍କର ଅଭିଜ୍ଞତାର କିଛି ଅଭାବ ଅଛି ? ନିତି ତ ଶହ ଶହ ରୋଗୀ ଆସୁଛନ୍ତି ଡାକ୍ତରଖାନାକୁ, ସେଠାକୁ ଗଲେ ଆଉ ଅଧିକା କ’ଣ ହେବ ?”

 

“ହଁ, ଅଧିକା ହେବ ମଦନବାବୁ ! ଯେଉଁମାନେ ଯୁଦ୍ଧରେ ଆପଣା ରକ୍ତ ଢାଳୁଛନ୍ତି, ସେମାନେ ବୀର, ଯୋଦ୍ଧା, ସାହସୀ । ତାଙ୍କ ଚିକିତ୍ସାରେ ଯେ ଆନନ୍ଦ; ଯେ ସନ୍ତୋଷ ମିଳେ, ଆପଣ ତାହା ଟିକିଏ କଳ୍ପନା କରନ୍ତୁ, ମଦନବାବୁ ! ସାଧାରଣ ରୋଗୀଠାରୁ ସେମାନେ କେତେ ଫରକ୍ । ରୋଗ ତାଙ୍କୁତ ଆକ୍ରମଣ କରେ ନାହଁ; ସେମାନେ ଆକ୍ରମଣ କରନ୍ତି ରୋଗକୁ, ଆଳସ୍ୟକୁ, ହତାଶାକୁ । ମରଣ ଆଗରେ ଛିଡ଼ା ହୋଇ ସେମାନେ ଛାତି ପତେଇ ଦିଅନ୍ତି ।” ସୈନ୍ୟଙ୍କ ପ୍ରଶଂସା ଶୁଣିବାକୁ ମଦନବାବୁଙ୍କୁ ସୁଖ ଲାଗେ ନାହଁ । ତାଙ୍କ ଚିକିତ୍ସାରେ ପୁଣି ଆନନ୍ଦ ମିଳେ ! ବରଂ ସେମାନେ ଯେ ଅତି ନିଷ୍ଠୁର, କ୍ଷମତା-ଗର୍ବୀ, ହିଂସ୍ର-ସ୍ଵଭାବ–ଅନେକ ସମୟରେ ଭୀରୁ କାପୁରୁଷ ହୋଇ ପଡ଼ନ୍ତି–ସେଥିପାଇଁ ମଦନବାବୁଙ୍କ ମନରେ, ସୈନ୍ୟ କହିଲେ କିପରି ଏକ ଘୃଣା ଆତଙ୍କର ଉଦ୍ରେକ ହୁଏ । ସେ ଯୁକ୍ତି କଲେ, ‘‘ଏ ଯୁଦ୍ଧ ଯେବେ ଆମ ଦେଶ ପାଇଁ ହେଉଥାନ୍ତା, ତେବେ ସେଥିରେ ଗୌରବ ମିଳନ୍ତା ନିଶ୍ଚୟ । କିନ୍ତୁ ଆମେ ଯେ, ପରାଧୀନ, ଆମ ଦେଶ ପାଇଁ ତ ଆମେ ଲଢ଼ିବାକୁ ଯାଉ ନ ଥାଇଁ–ଆମର ମୁନିବ ଇଂରେଜମାନଙ୍କ ହାତ-ମୁଠାକୁ ଶକ୍ତ କରିବାପାଇଁ ।”

 

“କଦାପି ନୁହେଁ, ମଦନବାବୁ ! ହଁ, ଆମେ ପରାଧୀନ । ତା’ ବୋଲି ତୁନିହୋଇ ବସି ରହିଲେ ତ ସ୍ୱାଧୀନ ହୋଇଯିବାନି ! ଯୁଦ୍ଧରେ ଆଜି ଲକ୍ଷ ଲକ୍ଷ ଭାରତୀୟ ସୈନ୍ୟ ଯେ ଲଢ଼ୁଛନ୍ତି, ଇଂରେଜ ଶାସନକୁ ଏ ଦେଶରେ ଦୃଢ଼ କରିବା ପାଇଁ ନୁହେଁ,–ନିଜର ଶକ୍ତି, ପରାକ୍ରମ, ସାହସର ବିକାଶ ପାଇଁ, ଯୁଦ୍ଧରେ ଅଭିଜ୍ଞତା ଅର୍ଜିବାପାଇଁ । ବିଦ୍ୟାରେ; ବୁଦ୍ଧିରେ, ଶକ୍ତିରେ ସାହସରେ ଆମର ଯେତିକି ଅଭିଜ୍ଞତା ବଢ଼ୁଛି, ସେତିକି ଆମେ ସ୍ୱାଧୀନତାର ନିକଟତର ହେଉଛୁଁ । ମୋର ଚିକିତ୍ସା-ବିଦ୍ୟାର ଉନ୍ନତି ଆଶାକରି ମୁଁ ଯାଉଛି ଯୁଦ୍ଧ ଭୂଇଁକୁ ।

 

“ପରାଧୀନ ଦେଶର ଲୋକେ ସବୁପ୍ରକାର ଗୁଣ ହାସଲ କରିବାକୁ ଉଦ୍ୟମୀ ହେବାରେ ରହିଛି ତାଙ୍କ ସ୍ୱାଧୀନତା । ସ୍ୱାଧୀନତା ଦିନେ କି ବର୍ଷେ ଦି’ବର୍ଷରେ ତ ଆସେନି । କେତେ ଯୁଗର ସାଧନାବଳରେ, ତ୍ୟାଗ ଫଳରେ ଏହା ଆସେ । ଯୁଗ ଯୁଗ ଧରି ଆମେ ସେଇ ସ୍ୱାଧୀନତା, ସେଇ ମୁକ୍ତି ଆଡ଼କୁ ଆଗେଇ ଚାଲିଚୁ । ଏହା ଖାଲି ଇଂରେଜଙ୍କ ହାତରୁ ମୁକ୍ତି ନୁହେଁ–ଆମ ଭିତରେ ଯେତେ ରକମ ଦାସତ୍ୱ ଅଛି–ଆମର ହିଂସା, ବାଦ, ଅନ୍ୟାୟ, ଅତ୍ୟାଚାର ସବୁ ଦୁଶ୍ଚିନ୍ତା, ସବୁ ଦୁଷ୍କର୍ମରୁ ମୁକ୍ତି । ଇଂରେଜମାନେ ଶାସକ ପଦରୁ ବହାରିଗଲେ କିମ୍ବା ଶାସନ କ୍ଷମତା ଆମ ହାତକୁ ଆସିଗଲେ ଯେ ଆମେ ପୂରାପୂରି ସ୍ୱାଧୀନ ହୋଇଯିବୁ, ଏହା ତ କଦାପି ଠିକ୍ ନୁହେଁ । ତାହା ପରେ ମଧ୍ୟ ଆମକୁ ବହୁ ତ୍ୟାଗ ସ୍ୱୀକାର କରିବାକୁ ହେବ । ହୁଏତ କେତେ ରକ୍ତ-ନଦୀ ସନ୍ତରଣ କରିବାକୁ ପଡ଼ିବ ଅହିଂସାର ଏହି ପୁଣ୍ୟପୀଠ ଉପରେ । ସେ ଅବସ୍ଥାକୁ ଏଡ଼ିବା ପାଇଁ ସବୁଦିଗରୁ ଆମର ଚେଷ୍ଟା ଦରକାର । ତାହା ଭିତରୁ ଗୋଟାଏ ଦିଗ ହେଲା ସଂକୀର୍ଣ୍ଣ ଗଣ୍ଡି ଭିତରେ ପଡ଼ି ରହିବାର ସବୁଦିନିଆ ଅଭ୍ୟାସ । ଏହା ଅତ୍ୟନ୍ତ ବଦଭ୍ୟାସରେ ଏବେ ପହଞ୍ଚିଲାଣି; ନିଜ ଗାଁ ଓ ସହର ସୀମା ଛାଡ଼ି ଆଉ କାହିଁ ଯିବାକୁ ଆମେ ଏକାବେଳେ ନାରାଜ । ଆମକୁ ଆଜି ସେହି ଘରପଶା ସ୍ଵଭାବ ଛାଡ଼ିବାକୁ ହେବ, ନୁହେଁ କି ? ବିଚାରିବାକୁ ହେବ, ଆମ କଟକ ସହର ଅବା ଦଶରଥପୁର ଗାଁଟା ପୃଥିବୀ ମାନଚିତ୍ର ଭିତରେ ହିଁ ଅଛି । ପୃଥିବୀରୁ ତାହା ଅଲଗା ନୁହେଁ । ଦେଶକୁ ଛାଡ଼ି ଆମେ ଦୂରକୁ ନ ଗଲେ ସ୍ୱଦେଶର ମୂଲ୍ୟ ବୁଝିପାରିବା କିପରି ? ସ୍ୱଦେଶ ବିଦେଶ ଖାଲି ମନଗଢ଼ା କଥା ସିନା । ନଇଲେ ଏ ଦୁନିଆଟା ଯେ ଆମ ସମସ୍ତଙ୍କର–ଆମ୍ଭମାନଙ୍କଠାରୁ ଏ ଦୁନିଆ ମାଗେ ଧୈର୍ଯ୍ୟ, ସାହସ, ବୀରତ୍ତ୍ୱ” । ବେଶି କହିବାରେ ଅଭ୍ୟସ୍ତ ନ ଥିବାରୁ ଧୀରେ ଧୀରେ କଥାଗୁଡ଼ିକୁ ସଜେଇ ସେ କହୁଥାନ୍ତି ।

 

“ଦେଶ ଭିତରେ ମଧ୍ୟ ଆମ ପାଇଁ ତ କିଛି କମ୍ କାମ ପଡ଼ି ନି”–ମନନବାବୁ ଟିପ୍‍ପଣୀ କଲେ ।

 

“ନିଶ୍ଚୟ, ନିଶ୍ଚୟ ! ସେ କଥା କିଏ ମନା କଲା କି ? ପ୍ରତି ଗାଁ ପ୍ରତି ସହରକୁ ନୂଆକରି ଗଢ଼ି ତୋଳିବାକୁ ହେବ । ସେଥିପାଇଁ ବହୁତ ଶକ୍ତି, ବହୁତ ଜନବଳ ଲୋଡ଼ା । ତାହା ବୋଲି ଯୁଦ୍ଧ ଆଗରେ ପଛଘୁଞ୍ଚା ଦେଲେ ଚଳିବନି । ଯେଉଁ ଅବସ୍ଥାରେ ଆମେ ଥାଉଁ ପଛକେ, ସ୍ୱାଧୀନ ହେଉଁ ବା ପରାଧୀନ ହେଉଁ; ସଶସ୍ତ୍ର ହେଉଁ ବା ନିରସ୍ତ୍ର ହେଉଁ, ଯୁଦ୍ଧ ମୁହଁକୁ ଆଗେଇ ଯିବାକୁ ପଡ଼ିବ ଆମକୁ ମଦନବାବୁ ! ପଛ ଘୁଞ୍ଚା ନାହିଁ ବୀରର ଜାତକେ ।”

 

ବିଧୁଶେଖରଙ୍କ କଥା ଗରମ ହୋଇ ଉଠୁଥାଏ । ସ୍ୱରରେ ତାଙ୍କର ମିଶିଥାଏ ଏକ ଅସ୍ୱାଭାବିକ ଉତ୍ତେଜନା । ତାଙ୍କଠାରୁ ଏତେ ଉଚ୍ଚ ସ୍ୱରରେ ମଦନବାବୁ ଆଉ କେବେ କିଛି ଶୁଣି ନ ଥିଲେ ।

 

ପୃଥିବୀର ପଶ୍ଚିମ ପଟେ ପ୍ରାନ୍ସ ରଣକ୍ଷେତ୍ରରେ ପୁଣି ପୂର୍ବ ପଟେ ବର୍ମା ସୀମାନ୍ତରେ ଚାଲିଥାଏ ଦ୍ୱିତୀୟ ମହାସମରର ତାଣ୍ଡବ ଲୀଳା । ୧୯୧୪ ଠାରୁ ୧୯୧୮ ମସିହା ପର୍ଯ୍ୟନ୍ତ ଯେଉଁ ପୃଥିବୀବ୍ୟାପୀ ନିଆଁ ଜଳି ଉଠିଥିଲା, ତାହା ମାଟି ଉପରେ ବା ସମୁଦ୍ର ଭିତରେ ଥିଲା ଆବଦ୍ଧ । ଦ୍ୱିତୀୟ ମହାଯୁଦ୍ଧର ଆସ୍ଥାନ ହେଲା ଆକାଶ । ପୁଣି ଏଥିରେ ଖାଲି ଯୁଦ୍ଧ କରୁଥିବା ସୈନ୍ୟମାନେ ହତାହତ ହେଲେ ନାହିଁ । ବେଶି ହତାହତ କ୍ଷତିଗ୍ରସ୍ତ ହେଲେ, ସମ୍ମୁଖ ଯୁଦ୍ଧର ବହୁ ଦୂରରେ ଥିବା ଶାନ୍ତ ନିରୀହ ଗ୍ରାମ ଆଉ ନଗରବାସୀ । ଦୋକାନ, ବଜାର, ସ୍କୁଲ, କଚେରି, ସିନେମା, ଥିଏଟର, ଗୀର୍ଜା, ମନ୍ଦିର, କାହାରି ହେଲେ ସେ ଯୁଦ୍ଧ ଆକ୍ରମଣରୁ ନିସ୍ତାର ନାହିଁ । ଏମିତିକି ଡାକ୍ତରଖାନର ରୋଗୀ ପର୍ଯ୍ୟନ୍ତ ! ଆକାଶ ହେଲା ଯୁଦ୍ଧଭୂମି । ଆକାଶ ପରି ସେ ସର୍ବବ୍ୟାପୀ । ସେଥିରେ ଲାଭ ହେଲା, ମସ୍ତବଡ଼–ଦୁନିଆର ସମସ୍ତେ ବୁଝିଲେ ଏ ଯୁଦ୍ଧ ସମସ୍ତଙ୍କର–ପିଲା, ବୁଢ଼ା, ମର୍ଦ, ମାଇପେ, ଧନୀ, ଗରିବ, ରୋଗୀ, ନିରୋଗ, ପଣ୍ଡିତ, ମୂର୍ଖ, ଅନ୍ଧ, ଛୋଟା ସମସ୍ତେ ଏଥିରେ ସମାନ ଅଂଶୀଦାର । ବିଜ୍ଞାନ ତାହାର ନୂଆ ନୂଆ ମାରଣାସ୍ତ୍ର ବଳରେ ସବୁଠାରୁ ଅଳ୍ପ ସମୟ ମଧ୍ୟରେ ସବୁଠାରୁ ବେଶି ମଣିଷଙ୍କୁ ମାରିପାରିବାର କୌଶଳ ଆବିଷ୍କାର କରିଥାଏ । ସମୂହ ନିଧନର ଏତେ ବଡ଼ ବାହାଦୁରି ସେ ପର୍ଯ୍ୟନ୍ତ ମଣିଷ ସମାଜର ଇତିହାସରେ ହାସଲ ହୋଇ ପାରିନଥିଲା ।

 

ଆଜି ତୁମ୍ଭମାନଙ୍କ ପାଖରୁ ହଜାର ହଜାର ମାଇଲ ଦୂରରେ ରହି ଏ ଚିଠି ଲେଖୁଚି । ପ୍ରକୃତରେ ମୁଁ ଦୂରରେ ଅଛି କି ନିକଟରେ, ଆଦୌ ତାହା ଜଣାପଡ଼ୁନି ମୋତେ ।

 

ମୋଠାରୁ ଆହୁରି ଅନେକ ଦୂରରୁ ଲୋକେ ଆସି ଏଠାରେ ରୁଣ୍ଡ ହେଇଛନ୍ତି–ଶହ ଶହ ହଜାର ହଜାର ଲୋକ; କେହି କାହାରିକୁ ଆଗରୁ ଚିହ୍ନନ୍ତିନି ଜାଣନ୍ତିନି; କିନ୍ତୁ ସତେ ଯେମିତି କେଉଁ ଆଦିମଯୁଗରୁ ସବୁରି ସଙ୍ଗେ ସବୁରି ଚିହ୍ନା ପରିଚୟ ।

 

ସମସ୍ତେ ସେମିତି ଗୋଟାଏ ଘର, ଗୋଟାଏ ପରିବାରର ! ସବୁରି ସ୍ୱାର୍ଥ ଗୋଟାଏ–ତାହା ହେଉଚି ଜୀଇଁବା, ନଇଲେ ମରିବାର ସ୍ୱାର୍ଥ ! ଏହାଛଡ଼ା ଆଉ କିଛି ନାହିଁ । ଜୀଇଁବା ମରିବା ସେ ଦୁଇଟା ଅଲଗା ଅବସ୍ଥା ନୁହେଁ, ତା’ ଭିତରେ ଯେ କିଛି ହେଲେ ଫାଙ୍କ ନାହିଁ–ଏଇଠି ତାହା ବେଶ୍ ଜଣାପଡ଼େ ! ଠିକ୍ ସେମିତି ନିଆରା ନିଆରା ଭାଷା କହୁଥିବା, ନାନାଜାତି ନାନାରଙ୍ଗର ମଣିଷ ଭିତରେ କେହି କିଛି ଫରକ୍‍ ବୁଝେ ନାହିଁ । ଗୋରା, କଳା, ହଳଦିଆ, ହିନ୍ଦୁ, ଖ୍ରୀଷ୍ଟାନ, ପଠାଣ, ଶିଖ, ସବୁରି ଯେମିତି ଗୋଟାଏ ମାଆ । ଏ ଖାଲି ସାହିତ୍ୟର ଭାଷା ନୁହେଁ, ଅଙ୍ଗେ ନିଭାଇବା ଘଟଣା ।

 

ମଣିଷ ଭିତରେ ସମାନତା ଶିଖିବାର ଏହା ହିଁ ବୋଧହୁଏ ଅସଲ ଥାନ । ନିତି ସମସ୍ତଙ୍କୁ ଏକ ସମୟରେ ଉଠିବାକୁ ହେବ, ଏକ ସମୟରେ ଗାଧୁଆପଧୁଆ, ଖିଆପିଆ । ମଝିରେ ହୁଏତ ହଠାତ୍ ବାଜି ଉଠିଲା ସତର୍କ ଘଣ୍ଟି ମରଣର ବିକଟ ଚିତ୍କାର ଭଳି । ଗାଧୁଆପଧୁଆ, ଖିଆପିଆ ଛାଡ଼ି ସମସ୍ତେ ଧାଇଁଲେ ଆଶ୍ରୟ ସ୍ଥଳକୁ । ଆଶ୍ରୟ ବୋଇଲେ ମାଟି ଭିତରେ ଖୋଳା ଯାଇଥିବା ଗାତ । ତେବେ ସୁଦ୍ଧା ନିସ୍ତାର ନାହିଁ । ଯାଉ ଯାଉ ହୁଏତ ଘୋର ଗର୍ଜନରେ ଆକାଶରୁ ବୋମା ବର୍ଷିଲା–ଦୁଲକି ଉଠିଲା ପୃଥିବୀ–ଉପରୁ ଚିହିଁକିଗଲା, ଲକ୍ଷ ଲକ୍ଷ ମହଣ ମାଟି କାଦୁଅ । ମୁହୂର୍ତ୍ତକେ ସବୁ ଅନ୍ଧାର ! ତା’ପରେ ଶୁଣାଗଲା, ଆହତମାନଙ୍କ ଚିତ୍କାର । ଷ୍ଟ୍ରେଚର ଧରି ଧାଇଁଲେ ସୈନ୍ୟଦଳ ତାଙ୍କ ଉଦ୍ଧାର ପାଇଁ ।

 

ତମ୍ଭୁ ଭିତରେ ଡାକ୍ତରଖାନା–ବୋମା ଯେଉଁଠି ପଡ଼େ, ସେଠାରୁ ବହୁତ ନିରାପଦ ଥାନରେ । ହେଲେ, ଡାକ୍ତର ଆଉ ରୋଗୀସହ ସମୁଦାୟ ଡାକ୍ତରଖାନାକୁ ଜାଳି ଦେବାର ବାଛବିଚାର ଆକାଶ-ବୋମାର ନାହିଁ । ଶହ ଶହ ଡାକ୍ତର ବୋମା ଫୁଟିବା ଶବ୍ଦ ଶୁଣିବାକୁ ସବୁବେଳେ ତିଆର ହୋଇ ଚାହିଁଛନ୍ତି । ଏକା ସାଥିରେ ହୁଏତ କୋଡ଼ିଏ ତିରିଶ ଏମ୍ବୁଲେନ୍ସ-ବୋଝେଇ ସୈନ୍ୟ । ସମସ୍ତଙ୍କୁ ଅଣା ହେଲା ଚିକିତ୍ସା ପାଇଁ । ତା’ପରେ ଲାଗିଲା ଡାକ୍ତରଙ୍କ ତନାଘନା ।

 

କାହାର ଗୋଡ଼ କଟା ଚାଲିଛି, କାହା ହାତରୁ ଗୁଳି ବାହାର କରାହେଉଚି, କାହା ଆଖିରେ ବନ୍ଧା ହେଉଚି ବେଣ୍ଡେଜ ତ କାହା ଦେହରେ ଦିଆ ହେଉଚି ରକ୍ତ । ଜାତି ପାଇଁ ରକ୍ତ ଦେବା କଥାଟା ଆମେ ସିନା ବହିରେ ପଢ଼ୁଁ–ଏଇଠି ତାହା ଦେଖିବା କଥା–ପୃଥିବୀର ଚାରିଆଡ଼ୁ ଲୋକେ ଏହି ରକ୍ତ ଦେଉଛନ୍ତି । ବଡ଼ ବଡ଼ କାଚହଣ୍ଡାରେ ଭର୍ତ୍ତି ହୋଇ ରୋଜ ତାହା ସରିଯାଉଛି, ରୋଜ ପୁଣି ବାହାରୁ ବୁହା ଚାଲିଛି, ଔଷଧପତ୍ର-ଖାଇବାସମଗ୍ରୀ ସାଥିରେ ।

 

ତୁମେମାନେ କିଛି ଚିନ୍ତା କରିବନି, ଚିନ୍ତା କରିବା ହିଁ ମହା ବିପଦ । ଏଠାରେ କେହି ଚିନ୍ତା କରନ୍ତି ନାହିଁ, ସମସ୍ତେ କରନ୍ତି କାମ । କାମ କରିବାକୁ ଯେମିତି ପାଗଳ । ମଝିରେ ମଝିରେ ବହୁତ ଦିନଯାକେ ପ୍ରାୟ କିଛି କାମ ନ ଥାଏ । ଆକାଶ ନିର୍ମଳ ନୀରବ ହୋଇପଡ଼େ । ବ୍ୟୋମଯାନଟିଏ କାହିଁ ଦେଖାଯାଏନି । ବୋମା ବର୍ଷଣ ବନ୍ଦ । ସେହି ସମୟଟା ଲମ୍ବା ହୋଇପଡ଼ିଲେ ବଡ଼ ଅସହ୍ୟ । ଡାକ୍ତରଖାନାରେ ଅବଶ୍ୟ ରୋଗୀଙ୍କ ଅଭାବ ଥାଏ ନାହିଁ । ତାଙ୍କ ଚିକିତ୍ସା ଯଥା ନିୟମରେ ସକାଳୁ ରାତିଯାକେ ଚାଲେ । ତେବେ ଲଢ଼େଇର ଉତ୍ତେଜନା ଶୀତଳ ହୋଇ ପଡ଼ିଥାଏ । ଏହି ଉତ୍ତେଜନାର ଅର୍ଥ ହେଲା ଜୀବନ । ଉତ୍ତେଜିତ ହେବାପାଇଁ ମନୁଷ୍ୟ ମଦ ପିଏ, ଚୋରି ଡକେଇତି କରେ, ମଣିଷ ମାରେ, କାବ୍ୟଉପନ୍ୟାସ ପଢ଼େ, ଖେଳ ପଡ଼ିଆକୁ ଧାଏଁ, ସିନେମା ଥିଏଟର ଦେଖେ, ସଙ୍ଗୀତ ଶୁଣେ, ଧର୍ମଚର୍ଚ୍ଚା କରେ, ଭକ୍ତ, ପ୍ରେମିକ ବା ନରହନ୍ତା ବୋଲାଏ–ନଇଲେ ରାଜନୀତିରେ ପଶେ । ଉତ୍ତେଜନାହୀନ ଜୀବନରେ ଜାଗରଣ ନାହିଁ, ଖାଲି ବିଶ୍ରାମ, ଆଉ ନିଦ୍ରା । ସେଭଳି ବିଶ୍ରାମ ପାଇଁ ଯୁଦ୍ଧଭୂଇଁଟା ଆଦୌ ଉପଯୁକ୍ତ ନୁହେଁ । ଏଠାରେ ଜିଇଁବା ଅର୍ଥ ଲଢ଼ିବା, ନଇଲେ ମରିବା ! ଏକା ସାଥିରେ ହଜାର ହଜାର ଲୋକ ଲଢ଼ୁଛନ୍ତି, ମରୁଛନ୍ତି ମଧ୍ୟ । କାଲି ଶହେ ସତଷଠୀ ଜଣକୁ ଏକକାଳୀନ ସମାଧି ଦିଆଯାଇଛି । ସେଥିପାଇଁ ଗୋଟାଏ ନୀରବ ରୋଷଣୀ ହୋଇଥିଲା । ସମସ୍ତେ ଯେମିତି ମନେକରୁଥିଲୁଁ, ଆପଣାର ଅତି ଆତ୍ମୀୟ ନିକଟତମ ସ୍ୱଜନ ମରି ଯାଇଛନ୍ତି; କିନ୍ତୁ କେହି କାହାକୁ ଚିହ୍ନେ ନାହିଁ । ଏଇଠି ହୁଏତ ଯୁଦ୍ଧ ପରେ ଦିନେ ଗୋଟାଏ ଶହୀଦ ସ୍ତମ୍ଭ ତୋଳା ହେବ ଅଜ୍ଞାତ ସୈନିକମାନଙ୍କୁ ସମ୍ମାନ ଦେଖାଇ । ଅବା ଏ ଥାନଟାର ନାମଗନ୍ଧ କାହିଁ ହେଲେ ରହିବ ନାହିଁ । ଖାଲି ଏମିତି ବେନାମୀ ସୈନିକମାନଙ୍କ ପାଇଁ ଶହୀଦ ସ୍ତମ୍ଭ ତୋଳାଗଲେ ପୃଥିବୀ ଉପରେ ଇଞ୍ଚେ ହେଲେ ଥାନ ବାକି ଥାନ୍ତା କି ଜୀବନ୍ତ ସୈନିକମାନଙ୍କ ଲାଗି ।

 

ମଦନବାବୁ ମୋର ଏ କଥାକୁ କି ଭାବରେ ନେବେ କେଜାଣି । ଏଠାରେ କିନ୍ତୁ ସ୍ୱାଧୀନ ପରାଧୀନର ଫରକ୍‍ ନାହିଁ, ପ୍ରଶ୍ନ ନାହିଁ । ଶାସକଶାସିତ, ମାଲିକମୂଲିଆ, ଧନୀଗରିବ ସମସ୍ତେ ଏକାକାର । ସବୁ ମଣିଷ ମିଶିଯାଇ ଗୋଟାଏ ହାଇପଡ଼ନ୍ତି । ହେଲେ ବି, ଜଣକଠାରୁ ଆଉ ଜଣେ କେତେ ତଫାତ୍ ! ମୋର ଅବଶ୍ୟ ଏସବୁ କଥାରେ ମୁଣ୍ଡ ଘୂରାଇବା ଠିକ୍ ନୁହେଁ । ଲଢ଼େଇରେ ଆହତ, ପୁଣି ରୋଗରେ ପଡ଼ିଥିବା ସୈନ୍ୟମାନଙ୍କ ଚିକିତ୍ସା ହେଲା ମୋର କାମ ।

 

ମୁଁ ଏଠାରେ ଖୁବ୍‍ ଖୁସିରେ ଅଛି । ଜୀବନର ପ୍ରତି ମୁହୂର୍ତ୍ତଟି ବଞ୍ଚିବାର ସୁଯୋଗ ମିଳୁଛି ମୋତେ । ସାଧାରଣ ଅବସ୍ଥାରେ ଆମେ ଅତି କମ୍ ସମୟ ପ୍ରକୃତରେ ବଞ୍ଚୁ । ବାକି ସମୟଟା ମୁତ୍ୟୁ ଭଳି ଶୂନ୍ୟ ନିଶ୍ଚୟ ରହିଯାଏ । ଏଠାରେ କିନ୍ତୁ ତାହା ନାହିଁ–ପ୍ରତି ମୁହୂର୍ତ୍ତରେ ଧମନୀର ରକ୍ତ ନାଚି ଉଠେ ? ପ୍ରତି ମୁହୂର୍ତ୍ତଟି ମଣିଷ ପକ୍ଷରେ ମୂଲ୍ୟବାନ୍ ! ପ୍ରତି ମୁହୂର୍ତ୍ତର ଓଜନ ଗୋଟାଏ ଗୋଟାଏ ଯୁଗ–ଯୁଦ୍ଧ ହିଁ ଯୁଗ ସୃଷ୍ଟି କରେ ।

 

ଆମ ଦେଶ ଯୁଦ୍ଧରୁ ଯେତେ ଅଲଗା ରହିଲେ ବି, ପୁଣି ଯେତେ ଅହିଂସାର ଅଭ୍ୟାସ କଲେ ମଧ୍ୟ, ମହାଯୁଦ୍ଧର ପ୍ରଭାବକୁ ସେ ଏଡ଼ି ଦେଇନପାରେ; କାରଣ ଆମ ଦେଶ ତ ପୃଥିବୀରୁ ଅଲଗା ନୁହେଁ । ଏଠା ଅବସ୍ଥାର ଆଭାସ ତୁମ୍ଭେମାନେ ମଧ୍ୟ କିଛି କିଛି ପାଉଥିବ ନିଶ୍ଚୟ । ଲୁଗା, କିରାସିନି, ଖାଇବା ଜିନିଷ ପାଇବାକୁ ବହୁତ ଅସୁବିଧା ଭୋଗୁଥିବ । ସେଥିପାଇଁ ବେଳେ ବେଳେ ମୋର ଇଚ୍ଛାହୁଏ, ତୁମ ସମସ୍ତଙ୍କୁ ଯେବେ ସାଥିରେ ଆଣିପାରିଥାନ୍ତି ! ତା’ପରେ ହସମାଡ଼େ–ତମେ ସବୁ ରହନ୍ତ କେଉଁଠି ? କରନ୍ତ କ’ଣ ? ବହୁତ ସ୍ତ୍ରୀଲୋକ ଡାକ୍ତରଖାନାରେ ନର୍ସ ଅଛନ୍ତି; ସୈନ୍ୟ ଭାବରେ ମଧ୍ୟ ଯୋଗଦେଇଛନ୍ତି ଅନେକ । ମଟର ଚଳାଇବା, ବନ୍ଧୁକ ମାରିବା କାମ ସବୁରେ ତାଙ୍କ ଶକ୍ତି ସାହସ କିଛି କମ୍‍ ନୁହେଁ । ମିନି ଆମର ଏହା ଶୁଣି କ’ଣ କହୁଛି ? ମୁଁ ବେଶ୍‍ ବୁଝିପାରୁଛି, ମୋ ଚିଠି ତୁମ ପାଇଁ ଯେତେ ଦରକାର, ତମ ଚିଠି ମୋ ପାଖରେ ସେମିତି ନୁହଁ । ଘରକୁ ଚିଠିଦେବା ପୁଣି ସେଠାରୁ ପାଇବା ମଧ୍ୟ ଏକ ସମସ୍ୟା । ବର୍ଷକ ଭିତରେ ମୁଁ ତୋ ହାତରୁ ଖଣ୍ଡିଏ ମାତ୍ର ଚିଠି ପାଇଛି । ତୁ ନିଶ୍ଚୟ ଆଉ କେତେଟା ଲେଖିବୁଣି । ମୁଁ ମଧ୍ୟ ଦଶବାରରୁ କମ୍ ଚିଠି ପଠାଇ ନାହିଁ । ମୁଁ ଯେମିତି ଖଣ୍ଡକରୁ ବେଶି ପାଇନାହିଁ, ତୁମେମାନେ ସେମିତି ମୋର କେତୋଟି ଚିଠି ପାଇଲ, ତାହା ଜାଣିବାର ଉପାୟ କାହିଁ ?

 

ଚିଠି ପାଇଁ ଇଚ୍ଛା ହେଲେ, ମୁଁ ତୋର ସେଇ ଖଣ୍ଡକ ପାଖରେ ରଖିଚି, ପଢ଼େ । ସେଥିରେ ମୋର ଚିଠି ଅଭାବ ଘୁଞ୍ଚିଯାଏ । ଗାଁ ଇସ୍କୁଲ, ମଦନବାବୁ ପୁଣି ତାଙ୍କ ଝିଅ ଗୌରୀର ମୁହଁ ଆଖି ଆଗରେ ନାଚିଉଠେ । ନାଚିଉଠେ ମିନି, ଆଉ ମୋର ସୁନାର ସଂସାର ।

 

ସବୁ ବିଷୟରେ ମଦନବାବୁ ଅଛନ୍ତି । ତାଙ୍କୁ ପଚାରି ଚଳୁଥିବ । ହଁ, ଏବେ ଶୁଣିଲି, ସହର ଛାଡ଼ି ଆମ ଲୋକମାନେ ଗାଁମାନଙ୍କୁ ଚାଲିଯାଉଛନ୍ତି, ଆକାଶ ଆକ୍ରମଣ ଭୟରେ । ସହରଟା ଯେ ସବୁ ସମୟ ପାଇଁ ନିରାପଦ ନୁହେଁ, ଯୁଦ୍ଧ ଆକ୍ରମଣରୁ ଜୀବନ ରଖିବାକୁ ଯେ ସହର ଛାଡ଼ି ମଫସଲ ଯିବା ଦରକାର–ସବୁବେଳେ ସହରକୁ ମୁହାଁଉଥିବା ଆମ ଲୋକଙ୍କ ପାଇଁ ଏଇ ଘଟଣା ଗୋଟିଏ ଚେତାବନି । ଯାହାହେଉ, ଆମେ ତ ସେ ବାଟ ଆଗରୁ କାଟିଥାଇଁ । ଆଉ କ’ଣ ପରୁଆ-?

 

ଗାଁରେ ତୋ ପଢ଼ାରେ କିଛ ଅସୁବିଧା ହେଉନଥିବ । ମୋର ବିଶ୍ୱାସ, ମଦନବାବୁ ଲୋକ-ନିନ୍ଦାକୁ ନ ଡରି ଗୌରୀର ପଢ଼ାରେ ହେଳା କରିବେନି । ତାକୁ ମୋର ସ୍ନେହାଶୀର୍ବାଦ । ତମମାନଙ୍କ ପାଖରୁ ବିଦାୟ ଘେନି ଆସିବା ଦିନ ଗୌରୀର ନିର୍ବୋଧ ଢଳ ଢଳ ଆଖି ଯୋଡ଼ିକ ମନେପଡ଼ୁଚି । ମିନିକୁ ମୋର ସ୍ନେହ ଦେବୁ, ତା’ ପଢ଼ା ତୁ ନିଜେ ଦେଖୁଥିବୁ । ଚିଠିଟାକୁ ଶେଷ କରିବାକୁ ଇଚ୍ଛା ହେଉନି । ତଥାପି ଘଣ୍ଟା ବାଜିଲାଣି, ଏକ ମିନିଟ୍‍ ଭିତରେ ଆଲୁଅ ନିଭାଇ ଶୋଇଯିବାକୁ ହେବ ।

 

ତୋର ‘‘ବାପା”

 

ପଢ଼ିସାରି ଗୌରୀ ସେ ଚିଠିକୁ ତୁହିନ ହାତକୁ ବଢ଼ାଇଦେଲା । ବିଧୁଶେଖରଙ୍କଠାରୁ ଯେତେ ଚିଠି ଆସେ, ମଦନବାବୁଙ୍କ ସହିତ ସମସ୍ତେ ଥରେ ଲେଖାଁ ତାହା ପଢ଼ନ୍ତି ।

 

‘‘ଦଶ ବାରଖଣ୍ଡ ଚିଠି ଆସିଲା କେଉଁଦିନ ? ଏହାକୁ ଛାଡ଼ି ତ ମୁଁ ଆଉ ତିନିଖଣ୍ଡ ଚିଠି ପଢ଼ିଚି, ବୋଧହୁଏ–’’ ଗୌରୀ ପଚାରିଲା ।

 

‘‘ହଁ, ତୁମେ ଯାହା ପଢ଼ିଚ ସେତିକି । ଆଉ ଆସନ୍ତା କୁଆଡ଼ୁ ?” ଚିଠି ଖଣ୍ଡ ମୋଡ଼ି ପକେଟରେ ରଖୁ ରଖୁ ତୁହିନ ଉତ୍ତର ଦେଲା ।

 

‘‘ଆମେ ପୁଣି ଏତେଗୁଡ଼ା ଚିଠି ଲେଖିଲେ, ସେଥିରୁ ସେ ଖଣ୍ଡିଏ ବୋଲି ପାଇଛନ୍ତି !” ଗୋରୀ ବିସ୍ମିତ ହୁଏ ।

 

ତୁହିନ କହେ, ‘‘ସାଧାରଣ ଅବସ୍ଥାଠାରୁ ଯୁଦ୍ଧ ପରିସ୍ଥିତି ହେଲା ଏକାବେଳକେ ଫରକ୍‍ । ଯୁଦ୍ଧ ଯେବେ ଦି’ ଚାରିଟା ଦେଶ ଭିତରେ ହେଉଥାନ୍ତା, ତେବେ ସେଥିରେ ପଶି ନ ଥିବା ଆଉ ସବୁ ଦେଶରେ ସାଧାରଣ ପରିସ୍ଥିତି ଚାଲୁଥାନ୍ତା । ଚିଠିପତ୍ର ଯିବା ଆସିବାରେ ଅସୁବିଧା ରହନ୍ତାନି କି ଦରଦାମ୍ ଏମିତି ଚଢ଼ା ହୋଇ ଯାଆନ୍ତାନି; କିନ୍ତୁ ଏହା ହେଲା ପୃଥିବୀ ଯୁଦ୍ଧ ।”

 

ଶନିବାର ଉପରଓଳି । ସ୍କୁଲ ଖାଲି ପଡ଼ିଥାଏ । ମେଟ୍ରିକ ପରୀକ୍ଷା ପାଇଁ ରୋଜ କୋଚିଂ କ୍ଲାସ ହେଉଚି । ଆଜିର ପଢ଼ା ସରିଲାଣି । କ୍ଲାସ ଘରେ ରହିଯାଇଛନ୍ତି ତୁହିନ ଆଉ ଗୌରୀ । ପାଖ ଆମ୍ବତୋଟା ଉପରେ ସହଳ ସହଳ ମଉଳି ଆସୁଥାଏ ଶୀତଦିନିଆ ଖରା । ତୋଟା ତଳେ ବହଳିଆ ଛାଇଟା ଆହୁରି ବହଳ ହୋଇ ପଡ଼ୁଚି । ଖେଳପଡ଼ିଆରେ କେତେ ଜଣ ପିଲା ଅସମୟରେ ଫୁଟ୍‍ବଲ୍‍ଟାକୁ ଗଡ଼ାଇ ଗୋଡ଼ ହାତ ଚଳାଉଥାନ୍ତି । ସ୍କୁଲ ବୋଇଲେ ଗୋଟିଏ ଲମ୍ବା ଚାଳଛପର ଘର । କାନ୍ଥରେ ଝରକା ଲାଗିବା ପାଇଁ ଦୁଆର ଖୋଳାଯାଇଚି । ଟଙ୍କା ଅଭାବରୁ ଲାଗି ପାରି ନାହିଁ-। ସେଇ ମେଲା ବାଟେ ବାହାରକୁ ଚାହିଁ ଗୌରୀ କହିଲା, ‘‘ଯୁଦ୍ଧ ମୁହଁରେ ଆଜି ଯେଉଁମାନେ ଛାତିପତେଇ ଦେଲେ, ସେଇମାନେ ପ୍ରକୃତରେ ଜୀବନର ମୂଲ୍ୟ କଷିଛନ୍ତି । ଆଉ ଯେ ସ୍ଵଦେଶର ସ୍ୱାଧୀନତା ପାଇଁ ଲଢ଼ି ଯୁଦ୍ଧକୁ ଗଲେ ନାହିଁ, ସେମାନେ ପଶିଲେ ଜେଲ୍‍ଖାନାରେ । ଏ ଦୁଇପକ୍ଷର ଅବସ୍ଥା ଏକ୍ଷଣି ଭଲ । ବାକି ଯେତେକ ଏଥିରୁ ଅଲଗା ରହିଗଲେ, ସେଇ ହେଉଛନ୍ତି ସବୁଠୁଁ ବେଶି କଲବଲ ।’’

 

‘‘ମୋ ମତରେ ଏହା ଠିକ୍ ନୁହେଁ ।’’ –ତୁହିନ ଯୁକ୍ତି କରେ, ମତ ନ ଥିବା ଲୋକ ନିଜ ମତକୁ ଜାହିର କଲା ପରି–‘‘ଦେଶ ଭିତରେ ସ୍ୱାଧୀନତା ପାଇଁ ଲଢ଼େଇ କରି ଯେଉଁମାନେ ଆଜି ଜେଲରେ ପଶିଲେ, ଆଉ ଯେଉଁମାନେ ଯୁଦ୍ଧ ମୁହଁକୁ ଆଗେଇ ଗଲେ, ତାଙ୍କ ସଂଖ୍ୟା ଅବା କେତେ-? ତାଙ୍କୁଇ ଆହାର ପୋଷାକ ଶକ୍ତି ସାମର୍ଥ୍ୟ ଯୋଗାଇଦେବାକୁ ସବୁଠୁ ବେଶି ଲୋକ ରହିଯାଇଛନ୍ତି ବାହାରେ । ସେଇମାନେ ହିଁ ନିଜେ ସବୁ ଦୁଃଖ କଷ୍ଟସହି, ସବୁ ପ୍ରକାର ତ୍ୟାଗ କରି ଜେଲ୍‍ଖାନାରେ ପୁଣି ଯୁଦ୍ଧ-ଭୂମିରେ ଲଢ଼ୁଆ ବୀରମାନଙ୍କୁ ସୁସ୍ଥ ସବଳ ସତେଜ କରି ରଖିଛନ୍ତି ।’’

 

ଗୌରୀ ଖଣ୍ଡେ ଇତିହାସ ବହିର ପୃଷ୍ଠା ଓଲଟାଉ ଥାଏ ମୁହଁ ନ ଟେକି ସେ କହିଲା, ‘‘ଜେଲରେ ଥିବା ପୂଜ୍ୟ ଦେଶ ନେତାମାନଙ୍କ କଥା ହେଲା ସ୍ୱତନ୍ତ୍ର । ସେମାନେ ଯୁଦ୍ଧରେ ନ ପଶି ବନ୍ଦୀଶାଳରେ ପଶିବାକୁ ଶ୍ରେୟ ମଣିଛନ୍ତି, ଦେଶକୁ ଆଗ ନିଜର କରିବା ସକାଶ । ଆମ ଦେଶ ତ ଆଜିଯାକେ ଆମର ହୋଇନି । ଯୁଦ୍ଧଟା କିପରି ଆମର ହେବ ?’’

 

ଆମ ଦେଶ ବୋଲି ଯାହାକୁ କହୁଛ, ସେ ପୃଥିବୀରୁ ଅଲଗା ନୁହଁ । ବାପାଙ୍କ ଚିଠିରୁ ତେବେ ବୁଝିଲ କ’ଣ ? ବାଣିଜ୍ୟ ବ୍ୟବସାୟ, ଶିକ୍ଷା ଦୀକ୍ଷା ସବୁ ବିଷୟରେ ପୃଥିବୀର ସମସ୍ୟା ଆଜି ପ୍ରାୟ ଗୋଟାଏ । ସେ ସମସ୍ୟାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିହେବନି । ତହିଁରୁ ଖଣ୍ଡେ ଭାରତ, ଖଣ୍ଡେ ଇଂଲଣ୍ଡ, ଆଉ ଖଣ୍ଡେ ଜାପାନ କି ଆମେରିକାକୁ ବାଣ୍ଟିଦେବା ସମ୍ଭବ ନୁହେଁ । ସବୁରି ସମସ୍ୟା ଆଜି ସମାନ, ଅଖଣ୍ଡ । ବିଜ୍ଞାନ-ବଳରେ ଆମେ ଦୂରତାକୁ ଯେତିକି ଆୟତ୍ତ କରିପାରିଚୁଁ, ପୃଥିବୀର ସବୁ ଦେଶ ସେତିକି ଯେ ଯାହାର ନିକଟତର ହୋଇ ପଡ଼ୁଛନ୍ତି । ତାଙ୍କର ଭୌଗୋଳିକ ସୀମାରେଖା ମଧ୍ୟ ଯାଉଚି ମିଳାଇ–ନିଜ ଦେଶ ପରଦେଶ ବୋଲି ଚିହ୍ନେଇବାର ବାଟ ସେମିତି ବନ୍ଦ-

 

ଇତିହାସ ବହି ଉପରୁ ବାହାରି ଖେଳପଡ଼ିଆ, ଆମ୍ବତୋଟା ବାଟେ କ୍ଷଣକେ ଗୌରୀର ନଜର ଫେରିଆସେ । ବଡ଼ ବଡ଼ ଡୋଳା ଦି’ଟି ଆହୁରି ମେଲା ହୋଇଯାଏ । ସବୁ ବୁଝି କିଛି ନ ବୁଝିଲା ପରି ସେ ତୁହିନ ମୁହଁକୁ ଚାହେଁ । ଧୋବଲା କପାଳରେ ତା’ର ଗୋଟାଏ ଶିରା କଳାଗାର ଟାଣି ହଠାତ୍‍ ଫୁଲି ଉଠେ–‘‘ଏ ସବୁ ଖୁବ୍‍ ବଡ଼ ବଡ଼ କଥା । ସ୍ୱାଧୀନ ଦେଶର ଲୋକ ମୁହଁରେ ଏହା ସିନା ଶୋଭାପାନ୍ତା–ଆମ ମୁହଁରେ ନୁହେଁ ।’’

 

‘‘ତୁମେ ପୁଣି ସେମିତି ଭୁଲ କରୁଚ, ଗୌରୀ ! ଯୁଦ୍ଧବେଳେ ସ୍ୱାଧୀନ ପରାଧୀନ ପ୍ରଶ୍ନ ନାହଁ, ଖାଲି ଜୀବନ-ମରଣର ପ୍ରଶ୍ନ–ଯେଉଁ ଜୀବନ-ମରଣ ଯେ କୌଣସି ସ୍ୱାଧୀନତାଠାରୁ ଢେର ବଡ଼’’–ଧୀରେ ଧୀରେ କହେ ତୁହିନ । କିନ୍ତୁ ଧୀର ପାଣି ପଥର କାଟିଲା ଭଳି ତା’ର କଥାରେ ଥାଏ ଦୃଢ଼ତା । ଗୌରୀ ତହଁରେ ଆହତ ହୁଏ । ଜୋର ଗଳାରେ କହିପକାଏ, ‘‘ଆମର ଗୋଟିଏ ଢମାଳି ଅଛି–‘‘ମୋ ଦାନାପାଣି କାହା ଘରେ, ନା ମୁଁ ଯାଉଥିଲି ବାହାଘରେ’’–ଆମ ନିଜ ଦାନାପାଣିର ଆଗ ଠିକଣା ନାହିଁ ବୋଲି ତ, ପର ହାତଟେକାକୁ ତକେଇଚୁଁ, ପରମୁହଁକୁ ଚାହିଁ ରହିଚୁଁ । ତହିଁରେ ପୁଣି ଆମେ ଯାଉଚୁଁ କରିବାକୁ ବସୁଧୈବ କୁଟୁମ୍ବକମ୍ !’’

 

‘‘ଆମର କିଛି କରିବା ଦରକାର ନାହିଁ, ଗୌରୀ ! ସବୁ ଆପେ ଆପେ ଆସି ଯାଉଚି । କୋଡ଼ିଏ ବର୍ଷ ତଫାତରେ ଯେ ଦି’ଟା ମହାଯୁଦ୍ଧ ହୋଇଗଲା, ତାହାର ଅର୍ଥ କ’ଣ କିଛି ନାହିଁ ? ଆଗରୁ ଭଲା କେବେ ଏମିତି ବିଶ୍ୱଯୁଦ୍ଧ ଘଟିଥିଲା ? ଏଇଥିରୁ କ’ଣ ଜଣାପଡ଼େନି ଯେ ଦୁନିଆଟା ଆଜି ଏକ, ଆଉ ଅଖଣ୍ଡ ? ଏହା ଭିତରେ ଯେତେ ଦେଶ ଅଛନ୍ତି ତାଙ୍କ ସମସ୍ୟା ଗୋଟାଏ ପୃଥିବୀର ସମସ୍ୟାଠାରୁ କଦାପି ବଡ଼ ହୋଇନପାରେ ।’’

 

ଡେସ୍କ ଉପରେ ହାତ ବାଡ଼େଇ ଗୌରୀ କହି ଉଠେ; ‘‘କିନ୍ତୁ ଭାରତର ସମସ୍ୟା ସବୁଠାରୁ ବଡ଼ । ଚାଳିଶ କୋଟି ଲୋକଙ୍କର ଗୋଟାଏ ବିରାଟ ସଭ୍ୟ ଦେଶ । ତାକୁ ପୁଣି ହଜାର ହଜାର କୋଶରୁ କେତେଜଣ ବ୍ୟବସାୟୀ ଆସି ଦୁଇ ଶହ ବର୍ଷ ପର୍ଯ୍ୟନ୍ତ ଦଖଲ କରି ରହିବେ–ଏଥିରେ ଆମ ସମସ୍ତଙ୍କର ମୁଣ୍ଡ ଲଜ୍ଜାରେ ତଳକୁ ନଇଁଯିବା ଉଚିତ । ଅଥଚ ଆମେ ମୁହଁଟେକି ପୃଥିବୀ ସମସ୍ୟା ପୃଥିବୀର ଏକତା ଉପରେ କଥା କହୁଁ । ଏହାକୁ କହନ୍ତି, ଛୋଟ ମୁହଁରେ ବଡ଼କଥା-।’’

 

ଅଳ୍ପ ଟିକିଏ ହସିଦିଏ ତୁହିନ । ଆଉ କେହି ଦେଖିବା ଆଗରୁ ଯେମିତି ସେ ହସ ତା’ର ଓଠ କଣରେ ମିଳାଇ ଯାଏ–‘‘ବୁଝିଲ ଗୌରୀ ! ଆଗ କରି ଛୋଟ ମୁହଁରୁହିଁ ବଡ଼କଥା ସବୁ ବାହାରିଥାଏ । ସେତେବେଳେ ଗାଉଁଲି ଢଗଢମାଳୀ ବୋଲି ତାକୁ କେହି ପଚାରନ୍ତି ନାହଁ । ଶେଷକୁ ବଡ଼ମୁହଁରେ ତାହା ବାହାରି ପଡ଼େ । ସେତେବେଳେ ଯାଇ ଆମେ ତାକୁ ମାନିନେଉଁ, ବେଦର ଗାର କରି ।’’

 

କଥା ମଝିରେ ମିନି ଆସି ବାଧା ଦିଏ–‘‘ଭାଇ ! ବୋଉ ତୁମକୁ ଡାକୁଛନ୍ତି ପରା ! ଘରକୁ ଚାଲ ।’’

 

ଦ୍ୱିତୀୟ ମହାଯୁଦ୍ଧରେ ଭାରତର ଖାଲି ନୈତିକ ପ୍ରଭାବ ପଡ଼ିନଥିଲା । ଏ ଦେଶର ସୈନ୍ୟ ୟୁରୋପ ଏସିଆର ରଣଭୂଇଁରେ ବହୁତ କରାମତି ଦେଖାଇଥାନ୍ତି । ଧୈର୍ଯ୍ୟରେ, ସାହସରେ, ଯୁଦ୍ଧ କୌଶଳରେ ସେମାନଙ୍କ ପ୍ରଶଂସା କିଛି କମ୍ ଶୁଣାଯାଇନାହିଁ; ଅଥଚ ତାଙ୍କ ପଛରେ ସେତେବେଳେ ଜାତିର ସମର୍ଥନ ଆଦୌ ନ ଥିଲା, ସମୂହ ଭାବରେ ।

 

ପରାଧୀନ ଭାରତ ସେ ଯୁଦ୍ଧରୁ କରଛଡ଼ା ଦେଇ ଅଲଗା ହୋଇଯାଇଥାଏ । ସେତେବେଳେ ତା’ର ନିଜ ଉପରେ ହିଁ ନଜର ପଡ଼ିଥାଏ ବେଶି । ବିଦେଶୀ ଶାସନ ଲୋପ କରି ନିଜକୁ ଜାହିର କରିବା ହୋଇଥାଏ ସବୁଠାରୁ ବଡ଼ ଲକ୍ଷ୍ୟ । ସ୍ୱଦେଶର ପରିସରକୁ ଡେଇଁ ଦୂରକୁ ଯିବାର ଅବସର ତା’ର ନ ଥିଲା । ନିଜ ଘରକୁ ସଜାଡ଼ିବା ହିଁ ଥିଲା ସେତେବେଳର କର୍ତ୍ତବ୍ୟ । ପୃଥିବୀ-ଯୁଦ୍ଧରେ ଯୋଗଦେଇ କାହା ସପେକ୍ଷରେ କି ବିପକ୍ଷରେ ଲଢ଼ନ୍ତା ? କିଏ ତା’ର ଶତ୍ରୁ, କିଏ ଅବା ମିତ୍ର ? ଭାରତ ଯେ ଗୋଟାଏ ଜାତି, ସେ ପରିଚୟ କାହିଁ ? ସେତିକି ନ ମିଳିବା ପର୍ଯ୍ୟନ୍ତ ପୃଥିବୀରେ ସ୍ଥାନ କେଉଁଠି ତା’ର ? ଖାଲି ବ୍ୟକ୍ତିଗତ ଲାଭ ଆଶାରେ, ପୁଣି ଯେଉଁଠି କିଛିହେଲେ ଲାଭ ଆଶା ନ ଥିଲା ସେଠାରେ ଅବସ୍ଥାର ଆବର୍ତ୍ତ ଭିତରେ ପଡ଼ିଯାଇ ବହୁ ଭାରତୀୟ ଏଥିରେ ଯୋଗ ଦେଇଥିଲେ ।

 

ଗପ ଆରମ୍ଭରେ ମୋରି ନିଜ କଥାହିଁ ବେଶି ବଖାଣି ଥିଲି । ତହିଁରୁ କେହି ହୁଏତ ସେତେବେଳେ ବିଚାରିଥିବେ–ମୁଁ ଯାହା ଅଙ୍ଗେ ନିଭେଇଚି ତାହା କହିବି, ଆଉ ସେ ହେବ ମୋର ଜୀବନକୁ ଘେନି ଗୋଟାଏ ଉପନ୍ୟାସ ।

 

ସତ କହିଲେ ଆତ୍ମଜୀବନର ଅର୍ଥ କ’ଣ ତାକୁ ଘେନି ପୁଣି ଉପନ୍ୟାସ ହୁଏ କିପରି–ଆଜିଯାକେ ସେ ବିଷୟରେ ମୋର ସ୍ପଷ୍ଟ ଧାରଣା ହୋଇନାହିଁ । କେତୁଟା ଘଟଣା ଅବା ଜୀବନରେ ଘଟେ କି ! ଯେଉଁ କେତୋଟି ଆତ୍ମଜୀବନୀ ମୁଁ ପଢ଼ିଚି, ତହିଁରେ ଦେଖାଶୁଣା କଥା ହିଁ ବେଶି–ଲେଖକର ନିଜ କାହାଣୀ ତ ସବୁଠାରୁ କମ୍ ।

 

ସ୍କୁଲ-ବ୍ଲାକବୋର୍ଡ଼ ଭଳି ମଣିଷ ଅଙ୍ଗରେ ଯେତେ ଛବି ଲେଖା ହୋଇ ନିଭିଯାଏ, ସେ ସବୁକୁ ମନେପକାଇ ବଖାଣି ବସିବା ସହଜ ନୁହେଁ । ଦୁନିଆର ଲୋକେ କେତେ କ’ଣ ଅଙ୍ଗେ ନିଭାଇ ନାହାନ୍ତି; କେତେ ପଡ଼ାଉଠା ରଙ୍ଗ ବେରଙ୍ଗ ଆଘାତ ସ୍ପର୍ଶର ଦାଗ !

 

ବିଭା ହୋଇସାରି ଯେମିତି ଘର ବାନ୍ଧିବାକୁ ଯୋଜନା କରିଥିଲି, ତାହା ତ ହେଲା ନାହିଁ; ମୋର ସ୍ୱପ୍ନର ମିନାର ଭୁଶୁଡ଼ି ପଡ଼ିଲା । ସାବିତ୍ରୀକୁ ଯେତେ ନିକଟରେ ପାଇବା ପାଇଁ ହାତ ବଢ଼ାଇଲି, ସେତିକି ସେ ମୋର ହାତ ପାଉଣାରୁ ଦୂରେଇଗଲା ।

 

ଘର ଛାଡ଼ି ସହରରେ ରହିଲି । ଭାବିଥିଲି, ଅଲଗା ରହିଲେ ସାବିତ୍ରୀର ମନକୁ ଫେରି ପାଇବି ପରା ! ମାତ୍ର କିଛି ହେଲେ ଫରକ୍‍ ଦେଖିଲି ନାହିଁ ତା’ଠାରେ । ବର୍ଷେ ଛ’ ମାସରେ ହୁଏତ ସେ କାହାରି ହାତରେ ଖବର ଦିଏ, ନଇଲେ ଚିଠି ଖଣ୍ଡିଏ ଲେଖେ । ସେଇଟା ତା’ର ଦୋଷ ନୁହେଁ, ଅଭ୍ୟାସ । ଚିଠି ଲେଖାରେ ସେ ପାରଗ ନୁହେଁ କେବେହେଲେ; ଯଦି ବା ଭଞ୍ଜଙ୍କ ‘ପ୍ରେମସୁଧାନିଧି’ ସଙ୍ଗେ ଆଧୁନିକ ପ୍ରେମ ଚିଟାଉ ଥିବା ଉପନ୍ୟାସ ସେ ପଢ଼ିଚି ମୋ ସାଥିରେ । ପୁଣି ଯାହା ସେ ଲେଖେ, ତାହା ନିହାତି ମାମୁଲି ଧରଣର ଚିଠି–ସ୍ନେହ ମମତା, ଦୁଃଖ, ଅନୁତାପ, କିଛି ହେଲେ ଟିକିଏ ଆଭାସ ନ ଥାଏ ତହିଁରେ । ମୁଁ ଘର ଛାଡ଼ି ବିଦେଶରେ ଅଛି ଏତେକାଳ । ଅଥଚ ମୋର ଅଭାବ ସେ ତିଳେସୁଦ୍ଧା ଯେମିତି ଅନୁଭବ କରିନି ! ଜଣେ ବ୍ୟବସାୟୀ ଆଉଜଣେ ବ୍ୟବସାୟୀ ପାଖକୁ ଗୁଆ ମସଲା ତେଲ କିରାସିନି ବା ଝୋଟ ଦର ବୁଝିବାକୁ ଯେମିତି ଚିଠି ଲେଖେ, ସେମିତି ଚିଠି ।

 

ମୋ ବିଷୟରେ ଅବା ମୋର ପୁଅ ଦୁହିଁଙ୍କ ବିଷୟରେ ପଦେହେଲେ ନ ଥାଏ ସେ ଚିଠିରେ । ବିଶେଷ କରି ସୁକୁମାର ବିଷୟରେ ମୋର ସେଇ ସାନ ପୁଅଟି, ବୟସ ଯାହାର ଦି’ବର୍ଷ ନପୂରୁଁ ମୁଁ ଗାଁ ଛାଡ଼ି ଆସିଛି । ଯାହାକୁ ମୁଁ ଭାବିଥିଲି, ମୋର ଅବାଞ୍ଛିତ ସନ୍ତାନ ବୋଲି । ସେତେବେଳେ ଭାରତ ସ୍ୱାଧୀନ ନୁହେଁ, କି ପାରିବାରିକ ଯୋଜନା ଖୁବ୍ ଦରକାରୀ ମନେହୋଇନାହିଁ; କିନ୍ତୁ ବିବାହ କରିସାରିବା ପରେ ନିଜ ସ୍ତ୍ରୀକୁ ଯେମିତି, ସନ୍ତାନକୁ ସେଇପରି ମୋତେ ଅଦରକାରୀ ପରି ବୋଧହେଲା । ମୋର ସ୍ୱାଚ୍ଛନ୍ଦ୍ୟ ସ୍ୱାଧୀନତାର ସେ ଯେମିତି ଅନ୍ତରାୟ । ଅଥଚ ଇଚ୍ଛା କରି ଆପଣା ହାତରେ ଯେଉଁ ବେଡ଼ି ପିନ୍ଧିଲି, ତହିଁରୁ ମୁକ୍ତି ପାଇବା ଯେ ସବୁଠାରୁ କଷ୍ଟକର–ଅନ୍ୟ ହାତରୁ ବେଡ଼ି ପିନ୍ଧିବାଠାରୁ ବେଶି ଦୁଃସହ–ଲାଭ ଭିତରେ ମିଳିଲା ସେତିକି ଅନୁଭୂତି ମାତ୍ର; ଆପଣା ହସ୍ତେ ଜିହ୍ୱା ଛେଦି, କେ ତା’ର ଅଛି ପ୍ରତିବାଦୀ । ଚିଠି ବୋଇଲେ ଖାଲି ବିଲବାଡ଼ି, ଚାଷ ଆମଦାନୀ କଥା, କାହା ଉପରେ କେତେ ଭାଗ ସଞ୍ଜା ବାକି ରହିଲା, କିଏ ଅସୁଲ ଦେଲା ନାହିଁ, କିଏ ଜବାବ୍ କରିଚି କେଉଁଦିନ ଦେବ ବୋଲି । ବାସ୍ ! ଜଣେ ପଚିଶ ବର୍ଷ ବୟସର ଉପନ୍ୟାସପଢ଼ା ନାଟକ ସିନେମା ଦେଖା ତରୁଣ ପାଖକୁ ଏକୋଇଶ ବର୍ଷୀୟା ତରୁଣୀର ଏହାଇଁ ଚିଟାଉ !

 

“ପୁତ୍ର ନିବେଶି ପତ୍ନୀ ପାଶେ, ଅଥବା ଚଳିବ ସନ୍ୟାସେ’’ ! ମୁଁ ସନ୍ନ୍ୟାସ ବ୍ରତ ଧରି ସହରକୁ ଆସିନାହିଁ । ଖାଇପିଇ ମଜ୍‍ଲିସ୍ କରିବା ହିଁ ଥିଲା ମୋର ବ୍ରତ । ‘ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍ ।’ ଭାରତବର୍ଷରେ ଏଭଳି ବଚନ ଥିବା ପର୍ଯ୍ୟନ୍ତ ଦୁଃଖ କ’ଣ, ଅଭାବ କ’ଣ ? କ’ଣ ସତେ ଏ ଦେଶର ଋଷି ଭାବୁକମାନେ କହିଯାଇ ନାହାନ୍ତି, ହଜାର ହଜାର ବର୍ଷ ଆଗରୁ ? କେଉଁ ପ୍ରଗତିଶୀଳ ତାଙ୍କୁ ବଳି ପଡ଼ିପାରେ ? କାର୍ଯ୍ୟରେ ମୁଁ ଏହି ଚାର୍ବାକ ନୀତିଠାରୁ ଆହୁରି ପାହାଚେ ଆଗେଇ ଯାଇଥିଲି । ଋଣ କରି ମୁଁ ଘିଅ ପିଇନାହିଁ ସିନା–ଆଉ ଯାହା ପିଇଲି, ତାକୁ ପ୍ରକୃତରେ କହନ୍ତି ପିଇବା ।

 

ତେବେ ସେଥିରେ ସାବିତ୍ରୀର କ’ଣ ଆସେ ଯାଏ ? ସେ କେତେ ଟିକିଏ ଜାଣିଚି, କେତେ ଟିକିଏ ଦେଖିଚି ଯେ ! ବର୍ଣ୍ଣାଡ ଶ’ କହିନାହାନ୍ତି କି, ଦୁନିଆରେ ନବେ ଭାଗ ଶାସନ କଳ ଚାଲିଚି ସୁରା ସାହାଯ୍ୟରେ; ପୁଣି ପଞ୍ଚାନବେ ଭାଗ ସମ୍ବାଦପତ୍ର ପ୍ରକାଶ ପାଉଚି ତାହାରି କୃପାରୁ ? ବ୍ୟବସାୟ ବାଣିଜ୍ୟ ତ ଶହେରୁ ଶହେଭାଗ ! ତାହା ପରେ ଚାହା କଫି ଅଫିମ ଗଞ୍ଜେଇ ଧୂଆଁପତ୍ର ଜୋରରେ, ଯେଉଁ ପରିମାଣ ଧର୍ମ ପ୍ରଚାର କରାଯାଏ, ଅବା କଳାସାହିତ୍ୟର ସୃଷ୍ଟି ହୁଏ, ତାହାର ଟିକିନିଖି ହିସାବ ଦେବାକୁ ମଧ୍ୟ ସେ ଛାଡ଼ି ନାହାନ୍ତି । ମୁଁ ଯଦି ଏହିଭଳି ବିଖ୍ୟାତ ଏକ ପଂକ୍ତି ଭିତରେ ଆପଣାକୁ ରଖିପାରିଲି; ତେବେ କାହାର କ’ଣ କ୍ଷତି ? ନିଶାନିବାରଣ ସମିତିର ମୁଁ ସ୍ଥାୟୀ ସଭାପତି ହୋଇଥିବାରୁ କେହି କେହି ମୋତେ ଛିଗୁଲେଇ ମିଗୁଲେଇ କହନ୍ତି, କିନ୍ତୁ ମୋର ଏକା ଟେବ୍ଲର ସାଥି ଜଣେ କଲିକତୀ ବଙ୍ଗାଳୀ ବନ୍ଧୁଙ୍କ ମନ୍ତବ୍ୟକୁ ମୁଁ ଖୁବ୍ ପସନ୍ଦ କରେଁ । ତାଙ୍କ ମତରେ ନିଶା ସମ୍ବନ୍ଧରେ ଯାହାଙ୍କର ବ୍ୟକ୍ତିଗତ ଅନୁଭୂତି ବା ଅଭିଜ୍ଞତା ନାହିଁ, ସେ ଅବା କିପରି ନିଶାନିବାରଣର ନେତୃତ୍ୱ ନେଇପାରନ୍ତି !

 

ମନକୁ ଏଇପରି କେତେ ସାନ୍ତ୍ୱନା ଦିଏ, ଆପଣାର ବଦଭ୍ୟାସକୁ ସମର୍ଥନ କରି । ସାବିତ୍ରୀ ପାଖରେ ମୋର ଦୁର୍ବଳତା ଥିଲା ଏଇ ଗୋଟିକ । ସେ ତାହା, ଭଲ କରି ଜାଣେ । କଲେଜରେ ପଢ଼ିବାବେଳୁଁ ଆରମ୍ଭକରି ବ୍ୟବସାୟ ଚଳାଇବା ଭିତରେ; କିନ୍ତୁ ଏହାକୁ ମୁଁ କେବେ ଆଉ କାହାପାଖେ ଲଜ୍ଜାର ବିଷୟ ବୋଲି ବିଚାରି ନାହିଁ । ଯଦିବା ସମାଜର ଯେଉଁ ସ୍ତରରେ ତାହା ଏକାବେଳେ ନିଃସଙ୍କୋଚ ନିର୍ଲ୍ଲଜ ରୂପ ଧରିଚି, ସେତେ ଉଚ୍ଚ ସ୍ତରକୁ ଉଠିବା ପାଇଁ ସୁଯୋଗ ମିଳିଛି ମୋତେ ଖୁବ୍ କମ୍ । ସାବିତ୍ରୀ ସାଥିରେ ମୋର ଏଇ ଅଭ୍ୟାସକୁ ଘେନି ଶେଷ ଝଗଡ଼ା । ମୁଁ ଗାଆଁକୁ ଯାଇଛି, ସୁକୁମାରର ଜନ୍ମ ଦିନରେ, ପୁଅ ଦୁହିଁଙ୍କ ପାଇଁ ଜାମା, ଯୋତା, ଖେଳନା, ସାବିତ୍ରୀ ପାଇଁ ଗୋଟାଏ ଟିସୁ ଶାଢ଼ି, ବ୍ଲାଉଜ୍–ଆଉ କେତେ କ’ଣ ଖାଇବା ସାମଗ୍ରୀ,–ସେସବୁ ମୋର ମନେନାହିଁ-। ଯୁଦ୍ଧ-ବଜାରରେ ସବୁ ଜିନିଷ ତ ମହଙ୍ଗା । ସେଥିରେ ଏତେ ଆଡ଼ମ୍ବର କାହିଁକି, ପୁଅ ଜନ୍ମ ଦିନରେ-। ସାବିତ୍ରୀ ମୁହଁ ଉପରେ ପସନ୍ଦ କଲା ନାହିଁ ମୋର ଏସବୁ ବଦଖର୍ଚ୍ଚ । ଶାଢ଼ିଟାକୁ ପାଇ ମଧ୍ୟ ସେ ଖୁସି ହେଲା କି ନାହିଁ କେଜାଣି !

 

ସେ ଦିନ ଗାଆଁର ତିନି ଚାରି ଜଣ ପିଲାଦିନର ପୁରୁଣା ସାଥି ମିଶି ଗୋଟାଏ ବଣଭୋଜୀ କଲୁଁ । ଖୁବ୍ ହସ ଖୁସି ପରେ ଘରକୁ ଫେରିଲି । ଉପନ୍ୟାସର ମଦ୍ୟପ ନାୟକ ଭଳି କ’ଣ ଗୋଟାଏ ଅଭିନୟ କଲି ସାବିତ୍ରୀ ଆଗରେ । ପୁଅ ଯୋଡ଼ିକ ମୋର ଶୋଇପଡ଼ିଥାନ୍ତି । ଗାଆଁ ତମାମ ଯେମିତି ଶୋଇପଡ଼ିଚି ତାଙ୍କରି ସାଥିରେ ।

 

ଏଇ ପିଲାଯୋଡ଼ିଙ୍କ ଭଳି ସାରାଦୁନିଆଟା କେଡ଼େ ଶାନ୍ତ, ନିରୀହ ! ଏମିତି ଯେବେ ସେ ଶୋଇରହନ୍ତି, ଚିରକାଳ ପାଇଁ । ଏ ରାତି ଆଉ ସକାଳ ହୁଅନ୍ତାନି କି, ନିଦେଇ ଯାଇଥିବା ପୃଥିବୀ ଉପରୁ ଜଣେ ହେଲେ କେହି ଉଠାନ୍ତାନି ! ଶୋଇପଡ଼ ସାବିତ୍ରୀ ! ଏକା ତୁମେ ଚାହିଁରହିଚ କାହିଁକି, ଏତେ ରାତିରେ ? ଶୋଇପଡ଼ ! ଶୋଇପଡ଼ ! ଆଉ ଚାହିଁବା ଲୋଡ଼ାନାହିଁ ତମର, ଅବା ଏ ସଂସାର ଭିତରେ ଜଣେ ହେଲେ କାହାରି । ଭାବିଚ କ’ଣ ଆଉ ଥରେ ସକାଳ ହେବ ? କଦାପି ନୁହେଁ । ଢେର ଚାହିଁଲଣି, ସାବିତ୍ରୀ ! ଏଥର ଶୋଇପଡ଼ ! ସେକ୍ସପିୟର୍‍ଙ୍କ ମ୍ୟାକବେଥ୍ ଛାଞ୍ଚରେ କଥାଗୁଡ଼ିକୁ ଖାଲି ଭାବୁଥିଲି କି ପାଟିକରି କହୁଥିଲି, ଆଜି ତାହା ମନେନାହିଁ । ଘର-ଅନ୍ଧାରକୁ ଦେଖାଇବା ପାଇଁ ମିଞ୍ଜି ମିଞ୍ଜି ସଳିତାଟି ଜଳୁଥାଏ । ଆଲୁଅ ନ ଜଳିବା ପାଇଁ ଯୁଦ୍ଧକାଳୀନ କଡ଼ା କଟକଣା–ସହରମାନଙ୍କରେ ବ୍ଲାକ୍‍ ଆଉଟ୍–ମଫସଲ କଥା ପଚାରେ କିଏ ? ଶୋଇପଡ଼ ସାବିତ୍ରୀ ! ବହୁତ ପ୍ରେମ, ବହୁତ ବୀରତ୍ୱକୁ ନିଭାଇ ଦେଲାଣି ଆଜିର ଏଇ ବ୍ଲାକାଉଟ୍ । ବ୍ଲିଜ୍‍କାର୍କ ମାଡ଼ରେ ଦୁନିଆ ଦୁଲୁକି ଉଠୁଛି । କେତେ ବଡ଼ ବଡ଼ ଜାହାଜ ଫାଟିଚି । ପିଅ, ନାଚ ଖର୍ଚ୍ଚ କର–ରୂପେୟା ହାତ୍‍କା ମୟଲା....

 

ହସିଉଠିଲି ଜୋର ଗଳାରେ ! ନିଘୋଡ଼ ନିଦରେ ଶୋଇଯାଇଥିବା ପୁଅଯୋଡ଼ିକ ମୋର ଚମକି ପଡ଼ିଲେ । ପଶ୍ଚିମ ଆକାଶରେ ନିଭି ଆସୁଥିବା ଦ୍ଵାଦଶୀ ଚନ୍ଦ୍ର ଯେମିତି ସେ ହସରେ ବେଗି ବେଗି ବୁଡ଼ିଗଲା । ସେ ହସରେ ଥିଲା, ସାବିତ୍ରୀ ବିରୁଦ୍ଧରେ ମୋର ଅଭିଯୋଗ, ଶ୍ଳେଷ । ମୋର ମାତାଲ ହେବାଟା ତା’ରି ଉପରେ ପ୍ରତିଶୋଧ ! ସେଇ ଯେ ମୋର ଏ ଦଶା ପାଇଁ ଦାୟୀ, ତାହାର ଚାକ୍ଷୁଷ ପ୍ରମାଣ ତା’ରି ଆଗରେ ଥୋଇବା ଥିଲା ଅସଲି ମତଲବ । ମୋର ସବୁ ଅସନ୍ତୋଷ ଅତୃପ୍ତିର ରୂପ ଧରି ମୁଁ ଯେମିତି ଛିଡ଼ା ହୋଇଥାଏ ସେଠାରେ । ଯଦିବା ସେତେବେଳର ସେଇ ଜୀବନ ପାଇଁ ତିଳେ ହେଲେ ଆଜି ଗ୍ଳାନି ନାହିଁ, ଅବୋଶୋଷ ନାହିଁ ! ନା, ନା ଥିର ହୋଇ ଛିଡ଼ା ହେବାର ତ ଉପାୟ ନ ଥିଲା; ପାଦ ଦି’ଟା ଏତେ ବେଶି ଟଳମଳ ହେଉଥାଏ ଯେ ତାହା ମୋରି ପାଦ ବୋଲି ମୁଁ ଦାବି କରିବା ଅସମ୍ଭବ ।

 

ନିର୍ବୋଧ ଆଖିରେ ସାବିତ୍ରୀ ମତେ ଚାହିଁରହିଲା ! ଚମକି ପଡ଼ି କାନ୍ଦିଉଠିଥାଏ ମୋର ସାନପୁଅଟି । ତା’ରି ଉପରେ ସେ ହାତ ଥାପୁଡ଼ାଉ ଥାଏ, ଆଉ ଜଳଜଳ କରି ଚାହିଁ ରହିଥାଏ–ସତେ ଅବା ମତେ ନୂଆକରି ଆଜି ସେ ଚିହ୍ନୁଚି ! ତା’ରି ଆଖିପତା ଯେମିତି ପଡ଼ିବାକୁ ଚାହେଁନାହିଁ । ସାବିତ୍ରୀର ଅସହାୟ ଅବସ୍ଥା ଦେଖି ମତେ ଆହୁରି ହସମାଡ଼ିଲା । ଏଥର ବିଶ୍ରାମ କର ସାବିତ୍ରୀ ! ଖୁବ୍ କମ୍ ବୟସରେ ସଂସାର କରିଚ–ସ୍ୱାମୀ ସନ୍ତାନ ଘର ସଂସାର ସବୁ ପାଇସାରିଲଣି । ଏଣିକି ଟିକିଏ ଆରାମ କର ଭଲା ! ଗୋଟାଏ ଗୋଟାଏ ବ୍ଲିଜ୍‍କାର୍କରେ, ଆଖି ପଲକରେ କେତେ ବିରାଟ ଘର ଭୁଶୁଡ଼ି ପଡ଼ୁଚି–କେତେ ସ୍ୱାମୀ ସନ୍ତାନ ଧନ ଦୌଲତ, ସ୍ନେହ ଆଦର–ହାଃ ହାଃ ହାଃ !”

 

ସାବିତ୍ରୀ ସେମିତି ଅଚଳ ମୂର୍ତ୍ତିଭଳି ମୋତେ ଚାହିଁରହିଥାଏ–ଏଇତ ସେହି ସାବିତ୍ରୀ, ଯାହା ପାଖରେ ମୋର ସବୁ ଉପଦେଶ, ପରାମର୍ଶ, ସବୁ ସମର୍ପଣ ଅକାରଣ ହୋଇଯାଇଚି । ପହିଲୁଁ ମୋରି କଥା ମାନି ସେ ଯେବେ ଆଜି ପର୍ଦ୍ଦାଚିରି ପଦାକୁ ବାହାରି ପଡ଼ିଥାନ୍ତା–ତେବେ ଆମ ଜୀବନର ଗତି କେତେ ଆଗେଇ ଚାଲନ୍ତାଣି ! ଚଉଦ ପନ୍ଦର ବର୍ଷ ତଳର ସେଇ ଚିତ୍ର ଯେତିକି ଆଜି ମନେପଡ଼ୁଚି, ସେତିକିମାତ୍ର ମୁଁ ଟିପି ରଖୁଚି । ପୁଣି ସାବିତ୍ରୀ ଗୌରୀ ଆଉ ଯେଉଁମାନଙ୍କ ନାମ ଏହି ଟିପା ଖାତାରେ ଲେଖା ହେଉଚି, ତାଙ୍କ ଭିତରୁ ଅନେକଙ୍କର ଅଛି ଏଥିରେ ମଞ୍ଜୁର ।

 

ଯାହାହେଉ, ସେ ରାତିରେ ମୁଁ ସାବିତ୍ରୀକୁ ଯେମିତି ଅସହାୟ ଅବସ୍ଥାରେ ଦେଖିବାକୁ ଆଶା କରୁଥିଲି, ତା’ର ଫଳ ହେଲା ଠିକ୍ ଓଲଟା । ଆଉଥରେ ମୁଁ ହସିବାକୁ ଚେଷ୍ଟାକଲି ବହୁତ । ହଁ, ବହୁତ ଚେଷ୍ଟାକଲି; କିନ୍ତୁ ପାରିଲି ନାହିଁ । ସାବିତ୍ରୀର ସେଇ ଆଖିଯୋଡ଼ାକ ଆଗରେ, ମୋର ମାତାଲ ଅବସ୍ଥାରେ ସୁଦ୍ଧା ଆପଣାକୁ ମୁଁ ସବୁଠୁ ବେଶି ଅସହାୟ ମନେକଲି । ସାବିତ୍ରୀ ବସିଚି ବିଚାରକ ହୋଇ–ତାହା ଆଗରେ ମୁଁ ଛିଡ଼ା ହୋଇଚି, କାଠଗଡ଼ାର ଅପରାଧୀ ଆସାମୀ । କ୍ଷଣକେ ମୋର ସବୁ ଅଭିନୟ ବନ୍ଦ ହୋଇଗଲା, ଆପେ ଆପେ । ଏକା ନଜରରେ ମୋରି ଆଡ଼ିକି ଚାହିଁଥାଏ ସାବିତ୍ରୀ । ସେଇ ଆଗ କଥା କହିଲା, ‘‘ତୁମେ ଏତେଦିନ ସହରରେ ରହି ଯାହା ଯାହା କରୁଚ, କେତେ ଲୋକଙ୍କ ମୁହଁରୁ ମୁଁ ସେ ସବୁ କଥା ଶୁଣିଥିଲି । ଲୋକେ ସେମିତି ସତମିଛ କରି ବନେଇ ଚୁନେଇ କହନ୍ତି ବୋଲି ମୁଁ ତାହା ବିଶ୍ୱାସ କରିପାରେ ନାହିଁ । ଆଜି କିନ୍ତୁ ମୁଁ ନିଜେ ଦେଖୁଚି-। କହିଲ ଭଲା, ଗୋଟାଏ ଦିନ ପାଇଁ ଗାଆଁକୁ ଆସି ଏ ସବୁ କରିନଥିଲେ, କ’ଣ ଚଳନ୍ତା ନାହିଁ ?

 

‘‘ଖୁବ୍ ଚଳନ୍ତା ସାବିତ୍ରୀ, ଖୁବ୍ ଚଳନ୍ତା !” ସାହସ ବାନ୍ଧି ମୁଁ କହିପକାଇଲି, ‘‘ଗାଆଁକୁ ଆସିଲେ ମୁଁ ଖାସ୍ ନିରାମିଷାଶୀ ବୈଷ୍ଣବ ହୋଇ ରହିବାକୁ ରାଜି; ହେଲେ ତୁମେ ତାହା କରାଇଦେଲ କେଉଁଠି ?”

 

‘‘ମୁଁ କରାଇ ଦେଲି ନାହିଁ !’’ ସାବିତ୍ରୀ ଯେମିତି କିଛି ବୁଝି ପାରୁନଥାଏ, ତା’ର ଗଲ୍‍ତି ରହିଗଲା କେଉଁଠି ।

 

‘‘ହଁ, ତମେ ! ତମରି ଯୋଗେ ମୁଁ ଗାଁ ଛାଡ଼ି, ଘର ଛାଡ଼ି ଆଜି ପ୍ରବାସରେ ।” ମୁଣ୍ଡରେ ମୋର ମଦନିଶାର ଜୋର କମି ଆସି ଆଉ ଗୋଟାଏ ନିଶା ପଶିଯାଇଥାଏ–ରାଗ, ଘୃଣା, ବିରକ୍ତି । ‘‘ଏଥର ଖାଲି ମୁନାର ଜନ୍ମଦିନ ପାଇଁ ଆସିଥିଲି ସିନା । ନଇଲେ ତୁମେ ତ ମୋ ଜୀବନଟାକୁ ମୂଳରୁ ନଷ୍ଟକରି ସାରିଚ ସାବିତ୍ରୀ ! ନଷ୍ଟକରି ସାରିଚ ।”

 

ଦରଦ ମିଶା ସ୍ଵରରେ ସାବିତ୍ରୀ କହେ, ‘‘ମୁଁ ନଷ୍ଟ କଲି ତୁମ ଜୀବନକୁ ? ମୁଇଁ କ’ଣ ତୁମକୁ ମଦପିଆ, ବେଶ୍ୟାବାଡ଼ି ଶିଖାଇଲି, ନା ଆଗରୁ ତୁମେ ଶିଖିଥିଲ ଏ ସବୁ ?”

 

‘‘ଯେତିକି ଶିଖିଥିଲି, ସେ ମୋ ନିଜ ବାପର ପଇସାରେ ସିନା ଆଉ କାହା ବାପର ପଇସା ତ ମିଶି ନ ଥିଲା ସେଥିରେ । ତେବେ ତୁମେ ଆସିବାଦିନୁ ତାହାର ମାତ୍ରାକୁ ଆହୁରି ଟିକିଏ ବଢ଼ାଇ ଦେଲ । ଆପେ ତ ଭାରି ସତୀ ସାବିତ୍ରୀ କି ନା–ଆଛା କଲି, ବେଶ୍ କଲି–ତୁମେ ଏବେ କେଉଁ ଗୁଣରେ ବେଶ୍ୟାଠାରୁ ଅଧିକା କି ?” ରାଗ ମୋର ଚତୁର୍ଗୁଣ ଚଢ଼ିଥାଏ । ‘‘ଗାଆଁର ଯେତେ ଭଲ କାମରେ ହାତଦେଲି, ସବୁ ଯେ ବିଗିଡ଼ି ଗଲା ତମରି ଯୋଗୁ । ତୁମ ଭଳି ଅଲକ୍ଷଣୀର ହାତଧରି ଯେମିତି ଭୁଲ୍‍ କଲି, ସେ କ’ଣ ଆଉ ସୁଧାରି ହେବ, କେବେ ହେଲେ ? ତୁମପାଇଁ କି ତ୍ୟାଗ ମୁଁ ନ କରିଛି ଭଲା ? ପାଠ ଛାଡ଼ିଲି, ଘର ଛାଡ଼ିଲି, ଗାଁ ଛାଡ଼ିଲି । ମୋ ସାଥିରେ ଯେଉଁମାନେ ପଢ଼ୁଥିଲେ, ତାଙ୍କ ଅବସ୍ଥା ଆଜି କ’ଣ ହେଲାଣି, ଆଉ ମୁଁ ପଡ଼ିଚି କେଉଁ ରସାତଳରେ-? ସେତେବେଳେ କେତେ ତୁମ ସାଥିରେ ମୁଁ ନ ଲାଗିଚି ! ମୋରି କଥା ମାନି ଯେବେ ମଣିଷ ହୋଇଥାନ୍ତ ତୁମେ–ଗୌରୀ ଭଳି ପଢ଼ାଶୁଣା କରି ଯୋଗ୍ୟ ହୋଇପାରିଥାନ୍ତ । ସେ ସବୁ ତୁମକୁ ଗନ୍ଧେଇଲା । ଶାଶୁ ଶ୍ୱଶୁର ମାନ୍ୟରେ ଏକାବେଳେ ସଢ଼ିଗଲ । ଶ୍ୱଶୁର ଘର ବୋଲି ବିରାଡ଼ି ପିଲାକୁ ସୁଦ୍ଧା ଓଢ଼ଣା ଟାଣି ଲୁଚିଲ । ଏତେବେଳେ ସେ କଥା ଭାବି କି ଲାଭ ? ଲେଡ଼ିଗୁଡ଼ ତ କହୁଣିକୁ ବୋହିଗଲାଣି ।”

 

ବିଭା ହୋଇସାରି ସାବିତ୍ରୀକୁ ଗୌରୀ ସାଥିରେ ପଢ଼ିବାପାଇଁ ମୁଁ ବହୁତ ଚେଷ୍ଟା କରିଥିଲି–ଏମିତିକି ମୋର ବାପାମାଆଙ୍କୁ ବି ମଙ୍ଗେଇ ସାରିଥିଲି; କିନ୍ତୁ ସାବିତ୍ରୀ ରାଜି ହୋଇନଥିଲା ସେତେବେଳେ ।

 

‘‘ତୁମେ ତେବେ ତୁମ ଘର ଦୁଆର ପିଲାଙ୍କୁ ସମ୍ଭାଳୁ ନାହଁ ? ମୋ ଭଳି ଅଲକ୍ଷଣୀ ଏଠାରେ ଆଉ ରହି ଯୋଗାଏ ନାହିଁ । କାହିଁକି ! ମୁଁ ନ ପଢ଼ିଲେ ତୁମେ ଅବା କେଉଁ ପଢ଼ି ପକେଇଲ କି ? ଆଇ.ଏ ଫେଲ୍ ହୋଇ ଘରେ ବସିଲ କାଇଁକି ? ବାପାଙ୍କ ଟଙ୍କା ଦେଖିଥିଲ–ଘରେ ବସି ସେତକ କେମିତି ଉଡ଼େଇବ, ଗାଆଁରେ ନେତା ବନିବ ବୋଲି ତ ମନ ହଙ୍କପଙ୍କ ହେଲା । ଆପଣା ଦୋଷଗୁଡ଼ା ମୋ ଉପରେ ଢାଳୁଚ କାହିଁକି ? ମୋ ପଢ଼ିବା ପାଇଁ ଯେଉଁ ସୁବିଧା ସବୁ କରି ପକେଇଥିଲ ନା, ତାହା ଜଣାଅଛି ।” ସାବିତ୍ରୀ ଉଠି ଛିଡ଼ାହେଲା, ଦୁଇ ତରଫରୁ ଜାଳେଣି ପାଇ ନିଆଁଟା ଜଳି ଉଠୁଥାଏ, ହଠାତ୍ ଗୋଟାଏ ବାଧା ପହଞ୍ଚିଗଲା । ଚିତ୍କାରକରି କାନ୍ଦିଉଠିଲା ମୁନା, ଆଉ ସେଇ କାନ୍ଦରେ କୁନା ମଧ୍ୟ ବସି ପଡ଼ି ଆଖି ମଳିଲା । ତାକୁ ଶେଯରେ ଶୁଆଇ ପକେଇ ସାବିତ୍ରୀ କହିଚାଲେ–

 

“ଏବେ ତ ହାତରୁ ପଇସା ସରିଗଲା, ଗାଆଁରେ ନେତାଗିରି ଚଳିଲାନି, ସେଉଠୁ ପଳେଇଲ ସହରକୁ । କାହିଁକି ! ଘର ଗୋଟାକର ହାନିଲାଭ ଭଲମନ୍ଦ ସବୁ ମୋରି ଉପରେ ପକେଇ ଦେଇ, ତୁମେ ସହରରେ ମଉଜ ମଜଲିସ୍‍ କରିବ । ଆଉ ମୁଁ ହେବି ଅଲକ୍ଷଣୀ ! ବାଃ !” ମୁନାକୁ କୋଳରେ ଝୁଲାଇ ସାବିତ୍ରୀ ପୁଣି ଆରମ୍ଭ କରେ । ମୁନା କିନ୍ତୁ ବୁଝେ ନାହିଁ–‘‘ପିଲାଯୋଡ଼ାଙ୍କୁ ଆଠଦିନ କାଳ ଜର ହେଲା ଯେ ଦେହରୁ ତବତି ଛାଡ଼ିଲା ନାହିଁ; ଏଣେ ଚିନି ଟିକିଏ ମିଳିଲାନି ଟୋପାଏ ବୋଲି କରି ମୁହଁରେ ତାଙ୍କର ଦେବାକୁ–ଯେଉଁ ହିନସ୍ତା ମୁଁ ହେଇଚି, ଯେତେ ଲୋକଙ୍କୁ ଖୁସାମତ୍ କରି ଥକିଚି, ତାହା ମୋ ମନ ଜାଣେ । ପୁଣି କିରାସିନି ବିନା ତ ରୋଜ ଘର ଅନ୍ଧାର ।”

 

‘‘ସେଥିପାଇଁ ମତେ କହି ଲାଭ କ’ଣ ? ହିଟ୍‍ଲାରଙ୍କୁ କହ କି ଚର୍ଚ୍ଚିଲଙ୍କୁ ଜଣାଅ, ନଇଲେ ଷ୍ଟାଲିନ୍ କି ରୁଜଭେଲ୍‍ଟଙ୍କ ପାଖରେ ଗୁହାରି କର; ତାଙ୍କଠୁଁ କିଛି କିନାରା ମିଳିଲେ ମିଳିପାରେ । କିରାସିନି ବିନା ତମର ଘର ଏକା, ନା ସଂସାରଯାକ ସବୁ ଅନ୍ଧାର–ଦେଖୁନ ଯାଇ କାହିଁକି ? ଯେଉଁ ସହରରେ ଦିନରାତି ବାରି ହେଉନଥିଲା, ସେଠି ତ ବିଜୁଳିବତୀରେ କଳା ବୋଳା ହେଇଚି, ଆଉ ତୁମକୁ ପଚାରେ କିଏ ? କେଡ଼େ ବଡ଼ ବଡ଼ ଲୋକେ ତ ଚାହାରେ ଗୁଡ଼ ଦେଇ ପିଉଛନ୍ତି–ତମ ପିଲା ପାଇଁ ଚିନି ନ ମିଳିଲେ ଭାସିଗଲା ବାକି ।”

 

ବିରକ୍ତରେ ମୁଁ ଜଳିଯାଏଁ । ମୋ ଫେଲ୍ ହେବା କଥା ମଧ୍ୟ ମୋତେ ଚେତାଇଦେବାକୁ ସାବିତ୍ରୀ କିଏ ? ନାଃ, ଆଉ ତା’ର ମୁହଁ ଚାହିଁ କରିନି ! ଭାରି ତ ବହପ ! ଫେରିଆସେଁ ସହରକୁ । ଅଥଚ ସେତେକିବେଳେ ସହରଲୋକେ ଚାଲିଥାନ୍ତି ମଫସଲମୁହାଁ ହୋଇ ।

 

କେତେବେଳେ ଡଙ୍ଗା ଉପରେ ଗାଡ଼ି ତ ଆଉ କେତେବେଳେ ଗାଡ଼ି ଉପରେ ଡଙ୍ଗା । ବେପାରବଣିଜ ମାଲିମକଦ୍ଦମା ଚାକିରି-ବାକିରି ପାଇଁ ମଫସଲ ଲୋକେ ସବୁକାଳେ ତକେଇଥାନ୍ତି, ସହର ଆଡ଼କୁ । ସହରିଆ ବୋଇଲେ, ତାଙ୍କର ପୁଣି କେଡ଼େ ଖାତିର ! ଆଉ ମଫସଲ ଲୋକ ? ସହରକୁ ଗଲେ କି ଯେ ହୀନସ୍ତା ହୀନିମାନ ! ସହରିଆଙ୍କଠାରୁ କେତେ ଥଟ୍ଟା ତାମସା–ରାସ୍ତା ଭୁଲାଇ, ଲଟେରି, ତିନିପତ୍ରିଆ ଖେଳରେ ଠକି ! ଆଉ ଆଜି ?

 

ସହର ଖାଲିକରି ମଫସଲଆଡ଼କୁ ମୁହାଁଇଛି ମଣିଷର ଅସରନ୍ତି ସୁଅ । ସାଇକେଲ ଶଗଡ଼ ବୋଝେଇ ହୋଇ, ଅବା ପାଦରେ ସଡ଼କଧୂଳି ଉଡ଼ାଇ, ଜୀବନ ବିକଳରେ ଧାଇଁଛନ୍ତି ସହରିଆ ପିଲା ବୁଢ଼ା ସ୍ତ୍ରୀ ପୁରୁଷ ମଫସଲର ବନ୍ଧୁବାନ୍ଧବ ଚିହ୍ନାପରିଚଙ୍କ ଘରକୁ । ହସମାଡ଼ିଲା ମତେ । ଯୁଦ୍ଧ ଲାଗିଛି କାହିଁ ଦୂରରେ, ଆମେ ଘରଦ୍ୱାର ଛାଡ଼ି ପଳେଇଛୁ କେଉଁଠି ।

 

‘‘କିଏ ଦିବାକର ବାବୁ କି ? ଏତେ ସଖାଳୁ ବାହାରିଛ କୁଆଡ଼େ ?”

 

ମୁହଁ ବୁଲାଇ ଚାହିଁଲି–ମଦନବାବୁ । ସାଇକଲରୁ ଓହ୍ଲାଇପଡ଼ି ନମସ୍କାର କଲି । ମଦନବାବୁଙ୍କ ସାଇକଲରୁ ଚେନ୍ ଖସି ଯାଇଥାଏ । ଚେନ୍‍ଟା ଲଗାଇ ଚାଲି ଚାଲି ଗଲୁଁ । ତାଙ୍କର ସେହି ହସ ହସ ମୁହଁ ଆଜି ଆଖି ଆଗରେ ନାଚିଯାଉଛି । ପଚାରିଲି, ‘‘ଆଜ୍ଞା ଆପଣ ?”

 

‘‘ମୋ କଥା ଆଉ ପଚାରୁଛ କ’ଣ ? ସମସ୍ତେ ତ ଚାଲିଥାଇଁ ଯେଝା ବାଟରେ–ଦେଖୁନ, ଏହି ସହରିମଣିଷଙ୍କ ସୁଅ, କିଏ କାହା କଥା ପଚାରୁଛି ଭଲା ? ଯେଝା ଜୀବନ ତାଙ୍କୁ ଧରାଧର । କଥାରେ ଅଛି ପରା–ଶାଶୁ ବୋହୂ ଦିଅଁ ଦେଖିଗଲେ, ଯେଝା ସୁଖ ସେ ମନାସିଲେ–ନୁହେଁ କି ?”

 

କଚାସଡ଼କ ମଝିରେ ଗୋଟାଏ ଘୋଷରା ଶଙ୍ଖ । ଶଙ୍ଖଟାରେ ବର୍ଷକୁ ବର୍ଷ ଯେତିକି ନୂଆ ମାଟି ପଡ଼ି ମରାମତି ହୁଏ, ଧୋଇଯାଏ ସେତିକି । ଏବେ ସେଠାରେ ପଙ୍କପାଣି ହୋଇ ଅଣ୍ଟାଏ । ଶଗଡ଼ ଯିବାକୁ ସେଇ ଗୋଟିଏ ବାଟ । ଆଗିଲା ପିଛିଲା ଦି’ଟା ତାଟି ଶଗଡ଼ ତା’ରି ଭିତରକୁ ଗଡ଼ିଲା । ପ୍ରତି ଶଗଡ଼ରେ ତିନି ଚାରି ଜଣ ଲେଖାଁ ଦ୍ୱି’ପଦ ମଣିଷ, ଯୋଡ଼ା ଯୋଡ଼ା ଚତୁଷ୍ପଦ ବଳଦଙ୍କ ବାଦ୍ । ସମସ୍ତେ ଏକଯୁଟ ହୋଇ ଚଳାଇଛନ୍ତି ଏଇ ରାସ୍ତା ବିରୁଦ୍ଧରେ ଲଢ଼େଇ । ଗର୍ଜନ ହୁଂକାର ଶବ୍ଦରେ କାନ ଅତଡ଼ା ପଡ଼ୁଛି । ମଣିଷଙ୍କ ଭିତରୁ କିଏ ଗାର୍ଡ଼ ଅଭିନୟରେ ପଛପଟୁ ଦଣ୍ଡା ମୋଡ଼ୁଛି । କିଏ କଣ୍ଡକ୍ଟରଭଳି କାଦୁଅ ଭିତରେ ପଶି ଯାଉଥିବା ଚକକୁ ଟେକି ଧରୁଛି । ସବା ଆଗରେ ଡ୍ରାଇଭର ବଳଦଙ୍କ ପିଠିରେ ପାଞ୍ଚଣ ବସାଇ ଶଗଡ଼ଟାକୁ ଟାଣି ଲାଗିଛି ଆଗକୁ । ‘ଗୋସେଇଁଖିଆ’, ‘ଶ୍ୱଶୁର ପୁଅ’, ଅଶ୍ଳୀଳ ଗାଳିକୁ ବଳଦ ହଳକ କାନ ଟେକି ନିଶ୍ଚିନ୍ତରେ ଶୁଣୁଛନ୍ତି । ଚାରିଟା ଗୋଡ଼କୁ ଏକାଠି କରି ଦେହର ସବୁତକ ବଳ ଖଟେଇବା ଫଳରେ ଶଗଡ଼ ଚକ ଯୋଡ଼ାକ ଦୁଇଥର ବୁଲି ପୁଣି ଥକ୍‍କା ହୋଇଯାଉଛି । ଶଗଡ଼ ଭିତରେ ତିନି ଚାରିଜଣ ସ୍ତ୍ରୀ ଆଉ ଛୁଆ ପିଲା । ସହରିଆ ବୋଲି ତାଙ୍କ ପୋଷାକ ଚେହେରାରୁ ଜଣାପଡ଼େ । ହୁଏତ ଆପଣା ମଫସଲ ଘରକୁ ବା ବନ୍ଧୁ ଘରକୁ ଚାଲିଛନ୍ତି । ଯୁଦ୍ଧ ଭୟରେ ପଳାତକ ଆଶ୍ରୟପ୍ରାର୍ଥୀ । ଅସଭ୍ୟ ମଫସଲି ବଳଦ ଦି’ଟା ଲାଞ୍ଜ ଛାଟିବାରୁ ଆଗ ମୁହଁରେ ଗୋଟିଏ ପିଲାକୁ କୋଳରେ ଧରି ବସିଥିବା ଜଣେ ଯୁବତୀଙ୍କର ଦାମିକା ଶାଢ଼ିଟା କାଦୁଅ ଛିଟାରେ ନଷ୍ଟ ହୋଇଗଲା । ପିଲାଟିର ଜାମାରେ, ମୁହଁରେ, କାଦୁଅ ଛିଡ଼ିକି ସେ କାନ୍ଦି ଉଠିଲା । ସେତିକିବେଳେ, ସଡ଼କ ସାଥିରେ ବଳଦ ଗାଡ଼ିରେ ଲଢ଼େଇ ଚାଲିଥିଲାବେଳେ, ହଠାତ୍ ଉପରେ ଗୋଟାଏ ଏରୋପ୍ଲେନ୍ ଉଡ଼ିଗଲା । ଉପରେ ବ୍ୟୋମଯାନ, ତଳେ ଶଗଡ଼ଗାଡ଼ିକୁ ଚାହିଁ ଆମେ ଚଲା ହିଡ଼ ବାଟରେ ସାଇକଲ ଧରି ଚାଲିଲୁ । ଶଗଡ଼ ଗାଡ଼ିର ଦୁର୍ଦ୍ଦଶା ଲକ୍ଷ୍ୟ କରି କହିଲି–

 

‘‘ତେବେ ସହର ବଜାର ଘରଦ୍ୱାର ଛାଡ଼ି ଏମାନେ କାହିଁକି ଏମିତି ଅତରଛ ହୋଇ ପଳାଇ ଆସୁଛନ୍ତି, ବୁଝା ପଡ଼ୁନି ।”

 

‘‘କ’ଣ କହିଲେ ଆପଣ ? ପଳାଇ ଆସିବେନି ?” ଜଣେ ଅଚିହ୍ନା ବାଟୋଇ ମୋ କଥାରେ ଅଯାଚିତ ଜବାବ୍ ଦେଲେ, ‘‘କଲିକତା ସହର ଉପରେ ତ ବୋମା ପଡ଼ିଲାଣି, ବାକି ଆଉ ଅଛି କ’ଣ କି ?”

 

‘‘କଲିକତା କଥା କ’ଣ ହେ ? ଏବେ ଆମ କୁଜଙ୍ଗ ହରିଶପୁର କଥା କହୁନାହଁ କାହିଁକି-? ସେପଟ ସମୁଦ୍ର ଉପରେ ଯେଉଁ ବୋମା ଫୁଟିଲା, ସେଥିରେ ତ ଚାରିଆଡ଼େ ଦୁଲୁକି ଉଠିଲା-।” ଆଉ ଜଣେ ବାଟୋଇ ସେ କଥାରେ ଯୋଗଦେଲେ, ‘‘ଓଃ ସତେ ଯେମିତି ଶୁଖିଲା ଘଡ଼ଘଡ଼ି-! ଆମେ ତ ଭାବିଲୁ ଭୂମିକମ୍ପ କି କ’ଣ ?”

 

‘‘ସେଇ ବୋମାମାଡ଼ରେ ଯେଉଁ ଜାହାଜ ଫାଟିଲା, କ’ଣ କହିବି ଆଜ୍ଞା ! କଟକ ଡାକ୍ତରଖାନାରେ ସୋରିଷ ପକେଇବାକୁ ସୁଦ୍ଧା ଆଉ ରାହା ମିଳିଲାନି । ଯୁଆଡ଼େ ଚାହଁ, ଖଣ୍ଡିଆ ଖାବରା ଗୋରା ସଇନ୍ୟ । ଗୁଳି ବାଜି ତାଙ୍କ ସଢ଼ା ମାଉଁସର କି ଗନ୍ଧ ! ଡାକ୍ତରଖାନାକୁ ଯାଏ କିଏ-? ଡାକ୍ତରଙ୍କର ସୁଦ୍ଧା ବିକାର ବାହାରିଲାଟି ! ଉଃ, ସେ ଗନ୍ଧ କଥା ଖାଲି ମନେପକେଇଲେ ପେଟରୁ ଭାତ ବାହାରି ପଡ଼ିବ ।” ନାକରେ ମୁହଁରେ ଲୁଗା ଦେଇ ସତକୁ ସତ ସେ ଗନ୍ଧକୁ ମନେ ନ ପକେଇବାକୁ ସେ ଚେଷ୍ଟା କଲେ । ମଦନବାବୁ, ମୁଁ ସାଇକଲ ଧରି ଚାଲିଥାଉଁ ତୁନି ହୋଇ । ଆମ ଦୁହିଁଙ୍କ କଥାବାର୍ତ୍ତାକୁ ସହଜରେ ଛଡ଼ାଇ ନେଇ ସାଥୀ ବଟୋଇମାନେ ଆଲୋଚନା ଆରମ୍ଭ କରିଦେଲେ । ଅଜଣା ଅଚିହ୍ନା ହୋଇ ଅନ୍ୟର କଥା କହିବା ଯେ ଭଦ୍ରୋଚିତ ନୁହେଁ, ସେପରି ଶିକ୍ଷା ଓ ବ୍ୟବହାର ତାଙ୍କୁ ଜଣାନଥିଲା ।

 

ପହିଲି ବଟୋଇ ଜଣକ କହିଲେ ‘‘କିଛି ଅସମ୍ଭବ ନୁହେଁ ଆଜିକାଲି; ମୁଁ ପରା ଶୁଣି ଆସିଲି, ପୁରୀ ସମୁଦ୍ରକୂଳରେ କେଇଜଣ ଜାପାନୀ ସଇନ୍ୟ କୁଆଡ଼େ ବୁଲୁଥିଲେ । କୋଣାରକଠାରେ ସେମାନେ ଉଡ଼ାଜାହାଜରୁ ଓହ୍ଲାଇ ପଡ଼ିଛନ୍ତି । ଚାରିଆଡ଼େ କ’ଣ ପଞ୍ଚମ ବାହିନୀ ପରା ଖେଦିଗଲେଣି । ସାତଦିନ ଭିତରେ ଖାସ ଜଗନ୍ନାଥଙ୍କ ଦେଉଳ ଉପରେ ବୋମା ପଡ଼ିବ, ବୁଝିଲ ? ଇଂରେଜ ସରକାର ଏତେ କଡ଼ା ପହରା ରଖିଥିଲା ପରା ? ହେଲେ ସୁଭାଷ ବୋଷ କ’ଣ ନ କଲେ ? ପୂଜା କରିବା ବାହାନାରେ ଆପଣା ଘରୁ ଖସି ପଳେଇଲେଟି । କହିଲ ଭଲା ତାଙ୍କୁ କେହି ଧରିପାରିଲେ ? ଏ କ’ଣ ସହଜ କଥା ! ବାଘ ବକ୍ରି କି ଯେ ଏକା ସଙ୍ଗରେ ପାଣି ପେଉଥିଲା, ତାକୁ ଚିତାକାଟି ଖସି ପଳେଇବ !” ଲୋକଟା କୁହାଳିଆ । କେତେଜଣ ରୁଣ୍ଡ ହୋଇ ଆସିଲେ ଶୁଣିବାକୁ ତା’ କଥା । ବାଟଚଲାର ବେଗ କମିଗଲା ।

 

‘‘ତୁମେ ଏସବୁ ଜାଣିସିଆଣିଆ ପରି କେମିତି କହୁଚ ? ଏମିତି କଥାବାର୍ତ୍ତା ପରା ମନା-? ତମେ ସହରିଆ ହୋଇ ଏହା ଜାଣିନ-? ସୁବାଷବୋଷଙ୍କ ନାଁ କହିଲେ କ’ଣ ହୁଏ, ବୁଝି ନାହଁ ?” ମୁଁ ତାକୁ ସାବଧାନ କରିଦେଲି କୌତୁକ ଛଳରେ ।

 

‘‘କାହିଁକି ? ମୁଁ କିଛି ତ କହିନି !” ଲୋକଟି ଏଣେ ତେଣେ ଚାହିଁ ଛାନିଆ ହୋଇପଡ଼ିଲା-

 

ତା’ ସାଥିରେ ଟିକିଏ କୌତୁକ କଲି–କହିନାହଁ କିମିତି ? ଆମେ ଏଠି ଦି’ ତିନି ଜଣ ଲୋକ ଶୁଣିଲୁ, କ’ଣ ମିଛ ? ଦି’ଜଣ ସାକ୍ଷୀ ହେଲେ ମକଦ୍ଦମା ପ୍ରମାଣ ହୋଇଯିବ, ତୁମେ ନାହିଁ କଲେ କିଏ ଶୁଣୁଚି ?”

 

‘‘କାହିଁକି ବାବୁ ? ମୁଁ କିଛି ତ କହିନି ?” ଲୋକଟି ସଡ଼କରୁ ଖସି ବିଲେ ବିଲେ ଧପଡ଼ିବାକୁ ଲାଗିଲା । ମଦନବାବୁ ଆଉ ମୁଁ ଉଠିଲୁଁ ସାଇକଲ ପିଠିରେ । ସକାଳର ଖରା ଆସ୍ତେ ଟାଣ ହୋଇଆସୁଚି । ପାଖ ପାହାଡ଼ ଅଣ୍ଟାରେ କୁହୁଡ଼ିର ପାତଳ ଚାଦରଟା ମିଳେଇଗଲାଣି; ଦୁଇପଟେ ସୋରିଷକିଆରୀ ବହୁତ ଦୂରକୁ ଟାଣି ଦେଇଛି ସୁନାଜରିର ଗାଲିଚା । ତା’ରି ଉପରେ ଅସଂଖ୍ୟ ମହୁମାଛିଙ୍କର ତୁନି ତୁନି ଅଶୁଣା କାହାଣୀ । ମଝିରେ ମଝିରେ ପାହାଡ଼ତଳି ପବନର ଗୋଟାଏ ମତୁଆଲ ଶୀତଳତା, ଆଉ ସୋରିଷ ଫୁଲର ଭୀରୁ ଗନ୍ଧ । ପଚାରିଲି ମଦନବାବୁଙ୍କୁ, ‘‘ଆଜି କ’ଣ ସ୍କୁଲ ବନ୍ଦ ଅଛି କି ?”

 

‘‘ମୋର ଆଉ ଛୁଟି, ଗୋଟାଏ କ’ଣ ? ଘରେ ଛୁଟି, ନା ବାହାରେ ଛୁଟି, ନା ସ୍କୁଲରେ ଛୁଟି ? ଶେଷକୁ ବିଧୁବାବୁ ଯାହା କଲେଣି, ଏଣିକି ମତେ ମଲେ ସୁଦ୍ଧା ଛୁଟି ମିଳିବନି ।”

 

‘‘ଡାକ୍ତର ବିଧୁବାବୁ ! ସେ ପରା ବର୍ମା ଯାଇଥିଲେ, କ’ଣ ହେଲା କି ?” ଚମକି ପଡ଼ି ମୁଁ ପଚାରିଲି ।

 

‘‘କ’ଣ ହେଲା କିଏ ଜାଣୁଚି, ବାବୁ ! ଏଇମିତି ଉଡ଼ାକଥା ସବୁ ଶୁଣାଯାଉଚି । ଯୁଦ୍ଧରୁ ସେ ବଡ଼ ଡାକ୍ତର ହୋଇ ଫେରନ୍ତେ, କର୍ଣ୍ଣେଲ୍‍ କି କପ୍ତାନ୍ ଲାଞ୍ଜଟାଏ ଲାଗିଥାନ୍ତା ନାଁ ଆଗରେ । ଏବେ ଯାହା ଶୁଣାଗଲାଣି ନା’’–ମଦନବାବୁଙ୍କ କଥାର ଜୋର କମି ଆସିଲା । କିଛି ପ୍ରକାଶ କରିବାକୁ ତାଙ୍କର ଯେମିତି ସଂକୋଚ ହେଉଥାଏ । ସେ ବଡ଼ ସାବଧାନ ଲୋକ । ଯୁଦ୍ଧ ବିଷୟରେ ସବୁ ଖବର ଯେମିତି ଯାଞ୍ଚହେଲା ପରେ ଖବରକାଗଜରେ ବାହାରେ, କଥା କହିବାକୁ ବି ସେମିତି ଆଜି କଡ଼ା କଟକଣା ।

 

ମୋ ଗଳାଟା ବି ନଇଁଗଲା, ଯଦି ବା ପାଖରେ ଆମର ଆଉ କେହି ନ ଥାନ୍ତି । ଦଣ୍ଡକ ଆଗରୁ ଯେଉଁ ଲୋକଟିକୁ ଥଟ୍ଟା କରୁଥିଲି, ନିଜେ ପଡ଼ିଲି ତା’ରି ଅବସ୍ଥାରେ । ‘‘କ’ଣ ହେଲା ଡାକ୍ତରବାବୁଙ୍କର ଆଜ୍ଞା ? ମୁଁ ଆଉ ତ କିଛି ଶୁଣିନି । ଏବେପରା ତାଙ୍କ ପାଖରୁ ଚିଠି ଆସିଥିଲା । ଆପଣ କ’ଣ ଆଉ କିଛି ଖବର ପାଇଛନ୍ତି ?”

 

‘‘ହଁ, ବିଧୁଶେଖର ଆଜି ବନ୍ଦୀ, ଯୁଦ୍ଧବନ୍ଦୀ ।’’ ମଦନବାବୁ ଯେତିକି ତୁନି ତୁନି କହୁଥାନ୍ତି, ସେତିକି ତାଙ୍କ ଗଳା ଥରି ଉଠୁଥାଏ । ମୋ ପାଦ ଦି’ଟା ବି ସାଇକଲ ପେଡ଼େଲ ଉପରେ ହଠାତ୍ ସେମିତି ଥକ୍‍କା ମାରିଗଲା ।

 

‘‘ଯୁଦ୍ଧ ବନ୍ଦୀ ! ମଦନବାବୁଙ୍କ କଥାର ପ୍ରତିଧ୍ୱନି ଶୁଣାଗଲା ମୋରି ମୁହଁରେ–କିଏ ତାଙ୍କୁ ବନ୍ଦୀ କଲା ?”

 

‘‘କାହିଁକି ? ଭାରତର ହଜାର ହଜାର ସୈନ୍ୟଙ୍କୁ ଯେ ବନ୍ଦୀ କରିଚି–ସେଇ ଜାପାନ । କାଗଜରେ କ’ଣ ପଢ଼ିନାହଁ ? ସିଙ୍ଗାପୁରଘାଟି ପଡ଼ିଚି ତା’ରି ହାତରେ, ତା’ପରେ ରେଙ୍ଗୁନ ସହର ଦଖଲ କରି ଜାପାନିସୈନ୍ୟ ମାଡ଼ି ଚାଲିଛନ୍ତି ବର୍ମା ଭିତରକୁ । ତହୁଁ ଇଂରେଜ ପକ୍ଷ ସୈନ୍ୟ ସସମ୍ମାନରେ ପଛଘୁଞ୍ଚା ଦେଇ ପଳାଇ ଆସୁଛନ୍ତି । ବୁଝିଲ ଦିବାକରବାବୁ ! ଏ ସବୁ କେତେ ସତ, କେତେ ମିଛ କେଜାଣି ? ମତେ ଖାଲି ହଟଚମଟ ଖେଳ ପରି ଲାଗୁଚି ।”

 

ଖେଳ ନୁହେଁ ତ ଆଉ କ’ଣ ? ପର୍ଦା ଉଠେ ପର୍ଦା ପଡ଼େ–ସବୁଠୁଁ ବଡ଼ ସବୁଠୁଁ ଜୀବନ୍ତ ନାଟକ । ଆଜି ଯେ ବନ୍ଦୀ, କାଲି ସେ ମୁକ୍ତ–ଆଜିର ଘୋର ଶତ୍ରୁ, କାଲିକି ପରମ ବନ୍ଧୁ ଜାପାନିସୈନ୍ୟ ଇଂରେଜ ମାଲିକଦ୍ଵାରା ଚାଳିତ ଭାରତୀୟ ସୈନ୍ୟଙ୍କୁ ଶତ୍ରୁରୂପେ ଦେଖି ଆସିଥିଲା । ଏସିଆ ମହାଦେଶର ଦୁଇ ପଡ଼ୋଶୀ ଜାତି ଭିତରେ ଲାଗିଥିଲା ହଣାହଣି, ଉପରୁ ଏକ ବିଦେଶୀ ଶକ୍ତିର ନିର୍ଦ୍ଦେଶରେ । ସେଇ ବିଦେଶୀ ପ୍ରଭାବରୁ ଭାରତର ସୈନ୍ୟ ଆଜି ମୁକ୍ତ; ତେଣୁ ଜାପାନ ଭାରତ ଭାଇ ଭାଇ । ମୁକ୍ତ ସିଙ୍ଗପୁରଠାରେ ଗଢ଼ା ହୋଇଛି–ପ୍ରଥମ ଭାରତ ସ୍ୱାଧୀନ ସରକାର । ଭାରତର ମୁକ୍ତ ସିପାହୀ–ଆଜାଦ ହିନ୍ଦ୍ ଫୌଜ୍ । ଜପାନ ବିରୁଦ୍ଧରେ ନ ଲଢ଼ି ହଠାତ୍ ସେ ଆଜି ଓଲଟି ପଡ଼ିଛି ସ୍ଵଦେଶ ଆଡ଼କୁ ମୁହଁକରି–‘‘ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ’’, ‘‘କଦମ୍ କଦମ୍ ବଢ଼ାୟ ଯା’’–କମ୍ପି ଉଠିଚି ପୂର୍ବାକାଶ ! ଶିଖ୍ ନେପାଳୀ, ଓଡ଼ିଆ, ବଙ୍ଗାଳୀ ତେଲୁଗୁ, ତାମିଲ୍‍, ପଞ୍ଜାବୀ, ମରଠା ସବୁରି ମୁହଁରେ ଗୋଟାଏ ଧ୍ୱନି–‘‘ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ ।” ସେ ଦିନୁ ଯେମିତି ସାରାଭାରତ–ନା-ନା-ସାରାଦୁନିଆର ମୁହଁରେ ସେହି ଗୋଟାଏ ଶବ୍ଦ ‘‘ଦିଲ୍ଲୀ ଚଲୋ’’–ଆଉ ସେଇ ଶବ୍ଦଟାକୁ କ୍ରମେ ଉଚ୍ଚତର କରି ଉଠାଇବା ପାଇଁ ନିଃଶବ୍ଦ ହୋଇପଡ଼ିଲେ କେତେ ମଣିଷ, କେତେକଥା, କେତେନାମ, ସବୁଦିନ ଲାଗି । ତାଙ୍କରି ଭିତରେ ରହିଗଲେ ଡାକ୍ତର ବିଧୁଶେଖର–ଅଜଣା, ଆଶୁଣା, ଅଲୋଡ଼ା, ଅକୁହା ହୋଇ ।

 

‘‘ବୋଉଙ୍କ ଅବସ୍ଥା ଦେଖୁଛ ତ ? ପଳେ ପଳେ ସେ ଆପଣା ଜୀବନକୁ ନଷ୍ଟ କରି ଦେଉଛନ୍ତି । କେତେକାଳ ଆଉ ବାପାଙ୍କ ଖବରଟା ଲୁଚାଇ ରଖିଥିବା ତାଙ୍କ ପାଖରୁ ?”

 

‘‘ତୁମେ ଫିଟାଇ କହିଲେ ବି ସେ ଯେ ବିଶ୍ୱାସ ଯିବେ ନାହିଁ । ଅଖଣ୍ଡ ତାଙ୍କର ବିଶ୍ୱାସ, ଅସୀମ ତାଙ୍କର ପ୍ରତୀକ୍ଷା ।”

 

‘‘ନାହିଁ ଗୌରୀ ! ଆମର ଅଧିକାର ନାହିଁ, ଜୀବନକୁ ଏପରି ବରବାଦ କରିଦେବା ପାଇଁ-। ଜୀବନର କିନାରା ଖୋଜିବା ଆମର କାମ–’’ ସଂକ୍ଷେପରେ ଜଣାଇଦିଏ ତୁହିନ ।

 

ଦୂର ଆକାଶର ବିରାଟ ନୀଳ ପାଚେରୀ ଠିଆହୋଇଛି ସମୁଦ୍ରକୁ ଦି’ଖଣ୍ଡ କରିଦେଇ । ପଶ୍ଚିମ ଆକାଶ ଛାତିରେ ଛୁରୀ ମାରିଛି ତୀର୍ଯ୍ୟକ୍ ସୂର୍ଯ୍ୟ–ଛୁଟାଇଛି ରକ୍ତର ଫୁଆରା । ସେଇଆଡ଼ ପହଁରିଆସିଲା ଗୌରୀର ନର୍ତ୍ତନଶୀଳ ଡୋଳା ଯୋଡ଼ିକ–

 

‘‘କାହାକୁ ତୁମେ ଯେ ବରବାଦ୍ କହ, ତୁହିନ ! ପୁଣି ଜୀବନର କିନାରା ଯେ ତୁମର କେଉଁଠି । ମୁଁ ଖାଲି ଏତିକି ବୁଝେଁ, ଜୀବନ ଗୋଟାଏ ଚଳନ୍ତ ବସ୍ତୁ । ଶଙ୍କରାଚାର୍ଯ୍ୟ ଆମର ମୋହ ଭାଙ୍ଗିଛନ୍ତି କେଉଁ କାଳରୁ.....ପଦ୍ମପତ୍ରରେ ପାଣି ଟୋପାଏ ପରି ଜୀବନ–ସବୁବେଳେ ଚଞ୍ଚଳ, ଅସ୍ଥିର–ଯେଉଁଠି ତାହା ସ୍ଥିର କି ସ୍ଥାଣୁ; ତେବେ ତ ସେ ଆଉ ଜୀବନ ନୁହେଁ, ଜଡ଼, ନିଷ୍ପାଣ ଜଡ଼ । ତୁମେ କ’ଣ କିନାରା ବୋଇଲେ ଏୟା ବୁଝ ? ନା, ନା, କଦାପି ନୁହେଁ । ଚଲାବାଟର ଖାଲ, ଢିପ, କଣ୍ଟାବଣ, ପାଣିକାଦୁଅ, ବିପଦଆପଦ ଭିତରେ ଜୀବନ ଅହରହ ଚାଲିଚି–ସେଇ ହେଲା ତା’ର କିନାରା ।”

 

‘‘ତୁମେ କହୁଛ ଜୀବନର ବହିପଢ଼ା ସଂଜ୍ଞା । ବାଡ଼ିବାଇଗଣ ପୋଥିବାଇଗଣ ଭିତରେ ଯେ ବହୁତ ଫରକ୍‍–ସେ କଥା କିଏ ନ ଜାଣେ ଭଲା ?”

 

‘‘ତୁମେ ତା’ହେଲେ ଏକ୍ଷଣି ପୋଥି ବାଇଗଣ ଶେଷ କରିସାରି, ବାଡ଼ିବାଇଗଣ ତୋଳିବାକୁ ଲାଗିଲଣି । ବିଭାଯାକେ ପାଠ, ନଇଲେ ଚାକିରି ଯାଏ ପାଠ, ନୁହେଁ କି ?” ଗୌରୀ ଟିକିଏ ମୁରୁକି ହସିଦିଏ, ତା’ର ସ୍ଵାଭାବିକ ଭଙ୍ଗିରେ । ସମୁଦ୍ର ଭିତରେ ଲାଲ ସୂର୍ଯ୍ୟଟା ଅଧେ ବୁଡ଼ାମାରି ହସିଦିଏ ସେମିତି । ତାହାରି ଆଗରେ ଯୋଡ଼ାଏ ଧଳା ଚଢ଼େଇ ଫଗୁ ଖେଳି ଉଡ଼ିଯାନ୍ତି ଢେଉ ଉପରେ । ତାଙ୍କ ଧଳା ପର ସାଙ୍ଗକୁ ସାନ ସାନ କଳା ମୁଣ୍ଡରେ ନାଲି ଥଣ୍ଟ ଯୋଡ଼ିକର ଚମତ୍କାର ରଙ୍ଗର ଯୋଜନା ।

 

‘‘ସବୁବେଳେ ତୁମେ ଖାଲି ମୋ ଚାକିରି କଥାଟା ଉଲୁଖା ଦେଉଛ । ଆମ ଦୁହିଁଙ୍କ ମଝିରେ ଚାକିରିଟା କ’ଣ ବାଧାହୋଇ ଛିଡ଼ା ହେବ କି ? ଚାକିରି ତ କରୁଛନ୍ତି ବହୁତ ଲୋକ । ମୁଁ ଅବା ଅଧିକା କ’ଣ କରିପକେଇଲି ଯେ ! କିନ୍ତୁ ମଣିଷ ଜୀବନଟା କ’ଣ ଚାକିରି ? ସେ ଖାଲି ପେଟପୋଷିବା କଥା ସିନା, କୋଟି କୋଟି ପଶୁପକ୍ଷୀ, ପୋକ ଝିଣ୍ଟିକା କ’ଣ ପେଟ ପୋଷୁ ନାହାନ୍ତି କି ? –ପେଟପୋଷ, ନାହିଁ ଦୋଷ–ଜୀବନର କିନାରା କହୁଛି, ମୁଁ କ’ଣ ଏଇ ଚାକିରି କି ?” ବାଲି ଉପରକୁ ଆଉଁଷି ସାଉଁଳି ଦିଏ ତୁହିନ । ସେହି ଅତର୍କିତ ଆଲିମ୍ପନ ଉପରେ କେତୁଟା ଅର୍ଥହୀନ ଅକ୍ଷର ଅଙ୍କିଯାଏ ତା’ର ଆଙ୍ଗୁଠି । ଥରକୁ ଥର ସେ ଅକ୍ଷର ପୋଛା ଯାଇ ପୁଣି ଲେଖା ହୁଏ । ରାତିକ ପାଇଁ ଲାଲ ସୂର୍ଯ୍ୟଟା ବିଦାୟ ଘେନିଯାଏ ସମୁଦ୍ରର ଉହାଡ଼ରେ ।

 

–ଗୌରୀର ନଜରକୁ ଏଡ଼ି ଗୋଟାଏ ସାନ ବାଲିକଙ୍କଡ଼ା ଲୁଚିଯାଏ ତା’ର ସରୁମୁହାଁ ବାଲିକୋରଡ଼ ଭିତରେ ।

 

‘‘ହଁ, ତୁମେ ଚାକିରି କରିବା ଦିନୁଁ ଏମିତି ତତ୍ତ୍ଵ ବଖାଣିବାକୁ ଆରମ୍ଭ କଲଣି, ଦେଖୁଛି । ପୁଣି ସେଇ ଚାକିରିର ଉନ୍ନତି ପାଇଁ ଆଜି ତ ଆମେରିକା ବାହାରିଲଣି । ସେଠାରୁ ଫେରିଲେ ଆହୁରି ଯେ କେତେ କ’ଣ ଗପିବ ଆମେରିକାରେ ୟା ଅଛି, ତା’ହେଲା । ସେଠାରେ ସ୍କାଇକ୍ରେପର, ମାଟି ତଳେ ରେଲ୍‍ଗାଡ଼ି । ଆକାଶରେ ବ୍ୟୋମଯାନରେ ବିଭାଘର–ରୋଷେଇଘରେ ବିଜୁଳି ଚୁଲି । ଯନ୍ତ୍ର ବଳରେ ମଣିଷ ଚାଲିଚି–ସବୁ ଖାଲି ଯନ୍ତ୍ର ଯନ୍ତ୍ର–ଆମ ଯାଦବ ପିଇସା ଯେମିତି ଗପୁଛନ୍ତି । ଦିନ କେଇଟା ପାଇଁ ବିଲାତ ଯାଇଛନ୍ତି କି ନାହିଁ; ସେଠାରୁ ଫେରି ଯେତେଟି ବାକ୍ୟ ସେ ଆଜିପର୍ଯ୍ୟନ୍ତ ଉଚ୍ଚାରଣ କଲେଣି, କେଉଁ ବାକ୍ୟରେ ଯେ ବିଲାତର ଉଲୁଖା ନାହିଁ ତାଙ୍କର ! କିନ୍ତୁ ଆଗରୁ ତୁମକୁ ମୁଁ ସାବଧାନ କରିଦେଉଛି । ତୁମ ମୁହଁରୁ କଦାପି ସେ ସବୁ ମୁଁ ଶୁଣିପାରିବିନି । ଆଚ୍ଛା ! ତୁମ ବିଚାରରେ କେତେ ଟଙ୍କା ରୋଜଗାର କଲେ ଯେ ଜୀବନର କିନାରା କରାଯାଏ, ତାହା ବୁଝିବା ମୁଷ୍କିଲ ।”

 

‘‘ତୁମେ ମୋତେ ବୁଝିପାରୁନାହଁ ଗୌରୀ ! ସେଟା ତମର ତ୍ରୁଟି ନୁହେଁ–ମୋର । ମୁଁ ତୁମ ପାଖେ ନିଜକୁ ବୋଧେ ଠିକ୍‍ରୂପେ–’’

 

ଗୌରୀର ଓଠକୋଣରେ ଲାଗିରହେ ଗୋଟାଏ ଦୁଷ୍ଟ କୁଟିଳ ହସ । ‘‘କ’ଣ ବୁଝିବି ତୁମକୁ ? ଚଲାବାଟରେ କଣ୍ଟା ପଡ଼ିଥିଲେ, ତାକୁ ମଣିଷ କାଢ଼ି ଫିଙ୍ଗି ଦେଉଛି–ଖାଲ ଖମାକୁ ପାରି ହୋଇଯାଉଚି । ଆଉ ଯେଉଁଠି ବାଟ ଏକାବେଳେ ବନ୍ଦ, ସେଠାରେ ସେ ବଙ୍କେଇ ଚାଲୁଚି ଅଲଗା ରାସ୍ତାରେ । କାହିଁ ହେଲେ ଅଟକି ନ ଯିବା ହେଲା, ଜୀବନର କିନାରା–ମୁଁ ଖାଲି କିନାରା କହିଲେ ଏତିକି ଜାଣେ–ବିଶ୍ରାମ ବୋଇଲେ ନିଦ୍ରା, ମହାନିଦ୍ରା–ସେ ତ ଜୀବନ ନୁହେଁ କଦାପି । ପୁଣି ମଣିଷର ଅଧିକାର କ’ଣ, ଅନଧିକାର କ’ଣ–ସେଇ ଜୀବନକୁ ବରବାଦ କରାଯାଏ କିପରି, ଏ ସବୁକଥା ତୁମେ ଖାଲି ଧାର କରି ଆଣିଲା ପରି ଲାଗୁଚି ମତେ । କେହି କ’ଣ ଆପଣା ଜୀବନକୁ କେବେହେଲେ ବରବାଦ୍ କରେ ? ଆଜି ଯେ ହଜାର ହଜାର ମଣିଷ ଯୁଦ୍ଧଭୂଇଁରୁ ଫେରୁ ନାହାନ୍ତି, ତାଙ୍କ ଜୀବନ କ’ଣ ବରବାଦ୍ ହୋଇଗଲା ?”

 

‘‘ସେ କଥା ସତ । ମୋ ବାପା ତ କେବେହେଲେ ନିଜ ଜୀବନକୁ ବରବାଦ୍ କରିବାକୁ ଯାଇନଥିଲେ । ସେ ବରଂ ଯୁଦ୍ଧକୁ ଯାଇଥିଲେ, ଆହୁରି ବେଶି କରି ଜୀବନକୁ ପାଇବାକୁ; କିନ୍ତୁ ତୁମେ ମୋର ଅସଲ କଥାଟାକୁ ବରାବର ଯେ ଏଡ଼ିଦେଇ ଚାଲିଛ । ମୁଁ ଆଉ ତ କାହାରିକୁ ଲକ୍ଷ୍ୟ କରୁନାହିଁ, କେବଳ ତୁମକୁ ।”

 

‘‘ମୋତେ ? ହଁ, ମୋରି ଜୀବନର କିନାରା ହେଲା ନାହିଁ ପରା ଆଜିଯାକେ । ବୋଉଙ୍କ କଥା ପଡ଼ିଥିଲା । ସେଠାରୁ ହଠାତ୍ ମୁଁ ପୁଣି କିମିତି ଲକ୍ଷ୍ୟସ୍ଥଳ ହୋଇପଡ଼ିଲି ।” ଗୌରୀର ସ୍ୱରରେ ମିଶିଥାଏ ପରିହାସ–‘‘ଠିକ୍ କଥା, ମୁଁ ପରୀକ୍ଷାରେ ପାଶ୍ କଲି, ଲେଖାପଢ଼ା, କହିବାବୋଲିବାରେ ହେଲି ଧୁରନ୍ଧର । ଶେଷରେ କିନ୍ତୁ କେଉଁ କୁଳର ହେଲି ନାହିଁ । ନ ହେଲି ବଇଷମ, କି ନ ହୋଇଲି ତନ୍ତୀ–ଏଇବାଟେ ମୋର ଜୀବନଟା ହେଲା ବରବାଦ୍–ନୁହେଁ କି ? ଆଉ ତୁମେ କମ୍ପିଟିଟିଭ୍ ପରୀକ୍ଷାରେ ପାଶ୍ କଲ । ବଡ଼ ଚାକିରି, ମାନ ସମ୍ମାନ, କୋଠାବାଡ଼ି, ଚାକର ଚପରାଶି ସମସ୍ତେ ଆଜି ତକେଇଛନ୍ତି, ତମରି ମୁହଁକୁ–ଏହାହିଁ ହେଲା ତମ ଜୀବନର କିନାରା । ବେଶ୍ ! କିନ୍ତୁ ମୋ ଜୀବନର କିନାରା ମୁଁ କ’ଣ କହିନାହିଁ, ତୁମକୁ ? ସେ ହେଲା ଗୋଟାଏ ପାହାଡ଼ିଆ ଝରଣା ଭଳି ଅସରନ୍ତି, ଆଉ ଲୁହା ଭଳି ଟାଣୁଆ । ଯେତେ ତାକୁ ଖର୍ଚ୍ଚ କଲେ ସେ ବରବାଦ୍ ହୁଏ ନାହିଁ । ପୁଣି ଯେତେ ପିଟିଲେ ସେ ଆହୁରି ଟାଣ ହୁଏ । ତୁମେ ଉଚ୍ଚ ପାହିଆରେ ବସି ଦିନରାତି କାଗଜ ରାମ୍ପି ଯେ ଦିନ କାଟୁଛ, ସେ କ’ଣ ବରବାଦ୍ ନୁହେଁ ? ତୁମ ତଳେ ଯେଉଁ କିରାନି ଦଳ ବହୁତ ବେଶି ଖଟନ୍ତି, ଅଥଚ ଦରମା ପାନ୍ତି ତୁମଠାରୁ ଢେର୍‍ କମ୍ । ତାଙ୍କ ଜୀବନଟା କେତେଦୂର ବରବାଦ୍ ହୋଇଯାଏ ? ପୁଣି ତୁମ ଉପରେ ରହି ଯେଉଁମାନେ କାମ କରନ୍ତି ଢେର କମ୍; କିନ୍ତୁ ଦରମା ପା’ନ୍ତି ଅନେକ ବେଶି ? ଶେଷକୁ ସଭା ଉପରେ ରହି ଯେ ଶାସନ କରନ୍ତି, ତାଙ୍କ ଖାଟେଣି ଆହୁରି ଫରକ୍‍-। କିରାନି ହାକିମଙ୍କ ଭଳି ଏତେ କଲମ ଘୋରି କାଳି କାଗଜ ଖରଚ କରିବାକୁ ହୁଏନାହିଁ ତାଙ୍କୁ–ଅଧ ଇଞ୍ଚ ଲମ୍ବ ଗୋଟିଏ ଛୋଟିଆ ଦସ୍ତଖତ୍ ବସାଇ ଦେଲେ, ବାସ୍ ! ତାହାହିଁ ହେଲା ବେଦର ଗାର ! ତାଙ୍କ ଦୃଷ୍ଟିରେ ହୁଏତ କିରାନି ଚପରାଶିଙ୍କ ଜୀବନ ଯେମିତି ବରବାଦ୍ ହୋଇଯାଏ, ତୁମେ ସେଇ ଚଷମା ଲଗାଇ ଆଜି ଏକଥା କହୁଚ ପରା ! ରୋଜିନା ଯେ ମାଟି ହାଣି, ମୋଟ ବୋହି, ରିକ୍‍ସା ଟାଣି ପେଟ ପୋଷୁଛି, ତା’ ଜୀବନଟା କ’ଣ ଖାଲି ଏକ ବରବାଦ୍‍ର ସାମଗ୍ରୀ ? ତୁମେ ତା’ଠାରୁ ବେଶି ସୁଖୀ, ବେଶି ମହତ୍ ? ତୁମ ହସ ତା’ ହସ ଭିତରେ ଫରକ୍‍ କେଉଁଠି, କହିବ କି ? ତୁମ କାନ୍ଦ ତା’ କାନ୍ଦ ସନ୍ତୋଷ ଅସନ୍ତୋଷ, ରାଗ ହିଂସା ସ୍ନେହ ପ୍ରେମ କେଉଁ ଗୁଣରେ ତୁମ ଜୀବନ ତା’ଠାରୁ ଅଧିକ, ଶୁଣେ ? ତୁମରି ଘରେ ସବୁ ଅଛି, ତା’ଘରେ କ’ଣ ହସ ଖୁସି, ପୁଣ୍ୟ, ପର୍ବ, ଖେଳ କୌତୁକ କିଛି ନାହିଁ ? ସବୁ ଖାଲି ତା’ର ବରବାଦ୍ ? ତୁମ ମେଜାଜ ଆଜି ଅନେକ ଉପରେ କି ନା, ଏ ସବୁ ଏତେ ସହଜରେ ବୁଝିବାକୁ ଗଲେ ତୁମେ ବୋଧେ ପାରିବ ନାହିଁ ।”

 

ତୁହିନ ଗମ୍ଭୀର ହୋଇପଡ଼େ–‘‘ଖୁବ୍ ସହଜରେ ବୁଝିହୁଏ ଗୌରୀ ! ଖୁବ୍ ସହଜରେ । ଏ ସବୁ ପୁରୁଣା କଥା, ସାନ ପିଲାଏ ଆଜି ବି ବୁଝନ୍ତି । ନିରକ୍ଷର ଅନ୍ଧମଣିଷ ବି ବୁଝେ; କିନ୍ତୁ ଗୋଟାଏ କଥା ବୁଝି ହୁଏ ନାହିଁ, ତାହା କ’ଣ ଜାଣ ?”

 

ଆପଣାର ଢଳ ଢଳ ଡୋଳା ଯୋଡ଼ିକୁ ସମୁଦ୍ର ଢେଉରେ ନଚାଇ ଆଣି ଗୌରୀ ତାହାକୁ ଶେଷରେ ନେଇ ରଖେ ତୁହିନର ଆଖି ଉପରେ–ସେଇବାଟେ ପଶି ତା’ କଥାର ମର୍ମ ବୁଝିବାକୁ । ତୁହିନ ଆଉ ଟିକିଏ ଲାଗି ଆସେ ଗୌରୀ ପାଖକୁ । ସୂର୍ଯ୍ୟର ଆରକ୍ତ ଆଭା ଆସ୍ତେ ଆସ୍ତେ ନିଭିଗଲାଣି । ତା’ରି ଛାୟା କୋଳରେ ଆପଣାକୁ ଲୁଚାଇ ଦେଉଛି, ଧରଣୀ । ଦୁହିଁଙ୍କ ଆଗରେ ଲହଡ଼ିର ନାଚ ହସ, ଖେଳ କୌତୁକ–ଗୋଟିଏ ଉପରେ ଆଉ ଗୋଟିଏ ଲହଡ଼ି ଭାଙ୍ଗିପଡ଼ି ନିଜକୁ ନିଃଶେଷ କରିଦେଉଛି–ଚୁମ୍ବନ ଆଲିଙ୍ଗନର ଅସରନ୍ତି ଅତ୍ୟାଚାର ଭିତରେ । ‘‘ଆମେତ ଆଜି ଆଉ ସ୍କୁଲ ପିଲା ହୋଇ ରହିନଥାଇ ଗୌରୀ ! ପୁଣି ଆମର ସମାଜ, ଆଉ ପରିସ୍ଥିତି । କେତେଦିନ ଏମିତି ଅନିଶ୍ଚୟତା ଭିତରେ ରହିଥିବା, କହିଲ ? ଆମର ସୌଭାଗ୍ୟ ଯେ ତୁମ ବାପା ଏଡ଼େ ମହତ୍‍, ଏଡ଼େ ଉଦାର, ଆଉ ଧୈର୍ଯ୍ୟଶୀଳ । ଆମ ପାଇଁ ସେ କ’ଣ ସହି ନାହାନ୍ତି । କି ଦୁଃଖ, କି ଅପମାନ, ଲଜ୍ଜା, କି ଦୁଶ୍ଚିନ୍ତା, କି ଲୋକ ନିନ୍ଦା !”

 

“ବୁଝିଲି ଏଥର–ଆମରି ବିବାହ ପ୍ରସଙ୍ଗ, ନା ? ସେଥିପାଇଁ ଏତେ ଉପକ୍ରମଣିକା କାହିଁକି ? ହଁ, ହଁ ମତେ ବି ଚିହ୍ନାଅଚିହ୍ନା ସାଙ୍ଗସାଥି ବନ୍ଧୁ ଅବନ୍ଧୁ ଅନେକଲୋକ ଅନେକକଥା ପଚାରୁଛନ୍ତି”; ଚଟ୍‍କରି କହିପକାଏ ଗୌରୀ ।

 

“ପଚାରିବେ ନାହିଁ ? ନିଶ୍ଚୟ ପଚାରିବେ । ସେହିମାନଙ୍କୁ ଘେନି ତ ସମାଜ । ସମାଜର ଅବାଧ୍ୟ ହୋଇ, ତାହାର ସାଧାରଣ ନିୟମ ଭାଙ୍ଗି ଆମେ ଯେବେ ଆଉ କିଛି କରିବସୁଁ, ତା’ହେଲେ-? ତା’ହେଲେ ପଚାରିବେ ନାହିଁ ସେମାନେ ?”

 

“ପଚାରିବେ ! କାହିଁକି ପଚାରିବେ !” ଗୌରୀର ସ୍ୱର ତେଜିଉଠେ; ନିକଟରେ ବସି ତୁହିନକୁ ତା’ର ନିଃଶ୍ୱାସ ପ୍ରଶ୍ୱାସ ଶୁଣାଯାଏ । ‘‘କେଉଁଠି ତୁମ ସମାଜ ! କିଏ ତାହାର ଅବାଧ୍ୟ ହେଲା-? କାହା ଦୁଃଖରେ କିଏ କ’ଣ ଭାଗ ନିଏ, କହିଲ ?”

 

“ଏସବୁ ଆମ ନିଜ ପକ୍ଷର ଯୁକ୍ତି–ଯୁବକ ଯୁବତୀ ବିଭା ନ ହୋଇ ସ୍ୱଛନ୍ଦରେ ମିଳାମିଶା, ବସ ଉଠ–ଏଇଟା ଯଦି କାହା ଆଖିକୁ ଖରାପ ଦିଶିଲା, କି କାହା ମୁହଁରୁ ସମାଲୋଚନା ବାହାରିଲା, ଆମେ ତ କାହାରି ମୁହଁକୁ ବନ୍ଦ କରିପାରିବା ନାହିଁ । ଆମ ମୁହଁ ଆଖିକୁ କେହି ବନ୍ଦ କରିପାରୁଛି କି-?”

 

“ତା’ହେଲେ ଯେଝା କଥା ସେ କରୁଚି–ଲୋକେ ଯାହା କହିବେ କୁହନ୍ତୁ, ସେଥିରେ ଆମର ଯାଏ ଆସେ କ’ଣ ?” ଅତି ସହଜ ସ୍ୱଚ୍ଛନ୍ଦ ଗୌରୀର କଥା–ଯେତେଦୂର ସହଜ ସ୍ୱଚ୍ଛନ୍ଦ ହେଲେ ତହିଁରେ ଭୟ କି ଭ୍ରୂକ୍ଷେପ ମିଶି ନ ଥାଏ । ସେ କଥାରୁ ତୁହିନକୁ ମିଳେ, ଅସୀମ ସାହସ ଆଉ ସଙ୍କୋଚଶୂନ୍ୟତା । ତାହାର ଟାଣୁଆ ହାତଟା ଯେମିତି ଅବା ନିଜ ଅଜାଣତରେ ଆସି ଆଉଜି ପଡ଼େ ଗୌରୀର ଉଷୁମ ପାପୁଲିରେ । ଭଙ୍ଗା ଲହଡ଼ିର ସରୁ ସରୁ ଜଳକଣା ସ୍ପ୍ରେ କଲାପରି ଲିପି ହୋଇଯାଉଥାଏ; ଗୌରୀର କପାଳରେ ଆଉ କାନ ପାଖରେ ତା’ର ସାନ ସାନ କେଶ କେତୁଟା ନିଃଶବ୍ଦରେ ନାଚି ଉଠୁଥାଏ ।

 

“ବାଃ ! ବାଃ ! ଦୁନିଆରେ ମନଇଚ୍ଛା ଯେ ଯାହା କରିଯିବେ ! ଆମକୁ ବି ଯାହା ସୁଖ ଲାଗିବ, ଆମେ ତାହା କରିଯିବା, ଏ ଯେ ବିଶୁଦ୍ଧ ସ୍ୱେଚ୍ଛାଚାରିତା । ଏଭଳି ଯୁକ୍ତି ତୁମେ କରିପାର ଗୌରୀ ।”

 

ଏ ତ ଖାଲି ଯୁକ୍ତି ନୁହେଁ–ନିରାଟ ନିପଟ ଘଟଣା–ଯାହା ଆମ ଆଖିଆଗରେ ନିତି ଘଟୁଛି, ନିତି ଆମକୁ ଅଙ୍ଗେ ନିଭାଇବାକୁ ପଡ଼ୁଚି, ଏ ସେଇ କଥା–” “ଆମ ସମ୍ପର୍କଟା ଯେ ଏଣିକି କାହାରି ପାଖରେ ଅଛପା ହୋଇ ରହିନାହିଁ, ଜାଣ ତ ?” “ଜଣେ । ତେବେ ଆଉ ଡେଙ୍ଗୁରା ପିଟି ସେଇ ସମ୍ପର୍କଟାକୁ ଜଣାଇ ହେବାରେ ଲାଭ କ’ଣ ?”

 

କିନ୍ତୁ ତୁମ ଘରେ ଆମଘରେ ସମସ୍ତଙ୍କର ଯେ ଏହାହିଁ ଇଚ୍ଛା । ବାପାଙ୍କ ଦୁର୍ଘଟଣା ପରେ ବୋଉଙ୍କର ଯେଉଁ ଅବସ୍ଥା, ତାହାତ ନିଜେ ଦେଖୁଚ । ସେ ଯେମିତି ଘଡ଼ିଘଡ଼ି ମୂର୍ଚ୍ଛା ଯାଉଛନ୍ତି, କେତେବେଳେ ତାଙ୍କର ଯେ କ’ଣ ହେବ –ତୁମେ ଯେବେ ପାଖରେ ନ ଥାନ୍ତ ଗୌରୀ !”

 

“ମୁଁ ନ ଥିଲେ ଆଉ କିଏ ହେଲେ ଥାନ୍ତା ।”

 

“କିନ୍ତୁ ଲୋକେ କ’ଣ କହୁଛନ୍ତି !”

 

“କ’ଣ କହୁଛନ୍ତି ?”

 

“ଆମେ ସ୍ତ୍ରୀ ପୁରୁଷ ଭଳି ଚଳୁଥାଇଁ ?”

 

‘‘କହିଲେ ତ ମାରା କ’ଣ ? ତୁମେ ଜଣେ ପୁରୁଷ, ମୁଁ ଜଣେ ସ୍ତ୍ରୀ–ସ୍ତ୍ରୀ ପୁରୁଷ ଭଳି ଚଳିବାନି ତ ଆଉ କିପରି ?” ତୁହିନର ଭୟକୁ ଗୌରୀ ଏକ ଫୁତ୍‍କାରରେ ଉଡ଼ାଇ ଦିଏ ।

 

“ତେବେ କ’ଣ ତୁମେ କହୁଚ, ମୁଁ ଆମେରିକାରୁ ଫେରି ଆସିବା ପରେ ବିଭାଘର ? ତୁମକୁ ଏଇ ଲୋକନିନ୍ଦା ମୁହଁକୁ ପେଲିଦେଇ ମୁଁ ନିଶ୍ଚିନ୍ତରେ ବିଦେଶ ଯାଇ ପାରିବି ବୋଲି ଭାବୁଚ-?” ତୁହିନ ପଚାରେ ଗଦ୍ ଗଦ୍ କଣ୍ଠରେ ।

 

“ମୁଁ କିଛି ଭାବୁ ନାହିଁ । ନିଶ୍ଚିନ୍ତରେ ତୁମେ ଆମେରିକା ଯାଅ । ବୋଉଙ୍କ ପାଇଁ ମୁଁ ଅଛି । ତୁମେ ଫେରି ଆସିଲେ–” ଗୌରୀର ପାପୁଲି ଉପରୁ ଖସିଯାଏ ତୁହିନର ହାତ–“ଫେରି ଆସିଲେ-?” ତାହାର ଜିଜ୍ଞାସୁ ସ୍ୱରରେ ଯେମିତି ଖେଳିବୁଲେ ଏକ ନାସ୍ତିକ ନିରାଶା ।

 

“ହଁ, ହଁ, ହଁ–ଫେରି ଆସିଲେ । ଆଗରୁ କ’ଣ ଗୁଆ ମହାପ୍ରସାଦ ନିର୍ବନ୍ଧ କରିସାରି ଏରୋପ୍ଲେନରେ ଉଠିବ ?” କୌତୁକ କରି ସାହସ ଯୋଗାଏ ଗୌରୀ ।

 

ତୁହିନର ସର୍ବାଙ୍ଗ ଥରି ଉଠେ । ସାମ୍‍ନାର ସମୁଦ୍ର ଢେଉରେ ଗୋଧୂଳିର ଛାୟା ଥରିଲା ପରି । ସେ ପୁଣି ଗୌରୀର ପାପୁଲିଟାକୁ ଖୁବ୍ ଜୋରରେ ମୁଠାଇ ଧରି ଦୋହଲାଇ ଦିଏ–“ଗୌରୀ-! ଗୌରୀ ! ତୁମେ କ’ଣ କହୁଛ ଗୌରୀ ! ମୁଁ ଯେ ତୁମକୁ ଆଦୌ ବୁଝିପାରୁନାହିଁ । ଆଜି ସୁଦ୍ଧା ପାରିନଥିଲି । ଆଜି ତୁମେ ଆହୁରି ବଡ଼ ପ୍ରହେଳିକା ହୋଇ ଦେଖାଦେଇଛ ମୋ ଆଗରେ । ମତେ ଲାଗୁଛି, ଯେମିତି ମୋ ଆଗରୁ ଦୂରେଇ ଦୂରେଇ ଚାଲିଯାଉଛ ତୁମେ । ନାହିଁ ଗୌରୀ ! ମୁଁ ପାରିବି ନାହିଁ । ମୋର ଆମେରିକା ଯିବା ଆଜି ଏଠାରେ ଇତିଶ୍ରୀ । ତୁମକୁ ଛାଡ଼ିଯିବା ଏକାବେଳେ ଅସମ୍ଭବ-।”

 

“ଆଶ୍ଚର୍ଯ୍ୟ ! ତୁମେ ଏଡ଼େ ଦୁର୍ବଳ ବୋଲି ତ ମୁଁ କେବେ ଜାଣି ନ ଥିଲି !”

 

ତା’ହେଲେ ଆଜିଠାରୁ ଜାଣ, ତୁମକୁ ଛାଡ଼ିଲେ ତୁହିନ ସବୁଠାରୁ ଦୁର୍ବଳ, ଅଶକ୍ତ, ନିର୍ବୋଧ ହୋଇପଡ଼େ ।”

 

“କଦାପି ନୁହେଁ । ମୁଁ ତୁମକୁ ଏତେ ବେଶି ଭାବପ୍ରବଣ ହେବାକୁ ଦେବି ନାହିଁ ।”

 

“ଭାବପ୍ରବଣ ।”

 

“ହଁ, ଭାବପ୍ରବଣ ନୁହଁ ତ ଆଉ କ’ଣ ! ଜୀବନର ବିସ୍ତୃତି ଆଡ଼କୁ ନଜର ଦେଲେ ତୁମ ଭାବନା ଅତି ବ୍ୟକ୍ତିଗତ ମନେହୁଏ ନାହିଁ କି ? ସେ ଯେ ଗୋଟାଏ କ୍ଷଣିକ ନିଶା–”

 

“ମାତ୍ର ସେଇ କ୍ଷଣିକ ନିଶାଟାହିଁ ଜୀବନର ଯେ ଚରମ ସତ୍ୟ ହୋଇ ଉଠିଚି । ଯୁଗେ ଯୁଗେ ସେଇ ନିଶାଟା ହୋଇଛି, ମଣିଷର ପ୍ରଧାନ ଉପଜୀବ୍ୟ ! ତୁମେ ଯାହା କହ ଗୌରୀ ! ବିଭା ନ ହୋଇ ମୁଁ ଦେଶ ଛାଡ଼ି ଯାଉ ନାହିଁ । ଯଦି ଯାଏଁ, ତେବେ ସେ ଯାତ୍ରା ସୁଖକର ହେବ ନାହିଁ ପଦେ ପଦେ ମତେ ଅଶାନ୍ତି ଆଶଙ୍କାରେ ଜଳିପୋଡ଼ି ମରିବାକୁ ଦିଅନାହିଁ, ଗୌରୀ ! ଏହା ମୋର ଶେଷ ଅନୁରୋଧ ।”

 

“ତୁମେ ପ୍ରକୃତରେ ପିଲାଙ୍କ ଭଳି ଅବୁଝା ହୋଇପଡ଼ୁଚ; କାଲି ତମର ଯାତ୍ରାରମ୍ଭ, ଆଜି କହୁଚ ବିଭା କରିବ !”

 

“କାହିଁକି ? ଆଗରୁ ମଧ୍ୟ ଏକଥା ମୁଁ କେତେଥର କହିଥିବି । ତୁମେ ବରାବର ମଟାଳି ଆସୁଚ ।”

 

“ବିଭାହେବାକୁ ତମର ଫୁର୍‍ସତ କେତେବେଳେ, କହିଲ ? ପଢ଼ାସାରି ଚାକିରି କଲ । ସଙ୍ଗେ ସଙ୍ଗେ ବାପାଙ୍କ ମୃତ୍ୟୁ ଖବର ଆସି ପହଁଞ୍ଚିଲା । ତାହାପରେ ତ ବିଦେଶ ଯିବାର ଆୟୋଜନ-।”

 

“ନା ନା ଗୌରୀ ! ଆମକୁ ବିବାହ କରିବାକୁ ହେବ ।”

 

“ଆମର ତେବେ କ’ଣ ବିବାହ ହୋଇ ନାହିଁ ?”

 

“ହେଲେ କ’ଣ ହେଲା । ଆମ ପରିବାର କି ସମାଜରେ କେହି ତ ଜାଣିଲେ ନାହିଁ ।”

 

“ତେବେ ଯାହାଙ୍କର ବିଭା ହୋଇଯାଇଛି, ସେ ଦିହେଁ ତ ଜାଣିଲେ ଅନ୍ୟମାନେ ଜାଣିବାଟା କ’ଣ ଏତେ ଜରୁରୀ ?”

 

“ତୁମେ ପାସୋରି ପକାଉଛ ଗୌରୀ, ବିବାହଟା ଯେତିକି ବ୍ୟକ୍ତିଗତ, ସେତିକି ଅବା ତା’ଠାରୁ ବଡ଼ ସାମାଜିକ ଅନୁଷ୍ଠାନ । ଆମ ବିବାହଟା ବ୍ୟକ୍ତିଗତ ଭାବରେ ହୋଇଛି ସିନା, ସାମାଜିକ ତ ହୋଇନାହଁ ।”

 

“କିଛିଦିନ ପାଇଁ ତା’ର ସାମାଜିକ କ୍ରିୟା ବାକି ରହିପାରେ । ଭାବି ଦେଖ, ତମର ଆଶଙ୍କା ସବୁ ବୃଥା । ଆଉ ଟିକିଏ ଧୈର୍ଯ୍ୟ ସାହସ ଧରିବାକୁ ହେବ ଆମକୁ । ପ୍ରକୃତ ବିବାହର ପରିଚୟ ହେଲା, ଧୈର୍ଯ୍ୟ ଆଉ ସାହସ ।”

 

ଧୈର୍ଯ୍ୟ ଆଉ ସାହସ ! ତୁହିନ ପାଖରେ ଗୌରୀ ଆହୁରି ଅବୋଧ୍ୟ ହୋଇପଡ଼େ । ଅସହାୟ ଆଖିରେ ସେ ତା’ରି ମୁହଁକୁ ଚାହିଁ ରହେ ।

 

ଲାଗ୍ ଲାଗ୍ ଆମେ ଯେ ଦି ଦି’ଟା ପୃଥିବୀ ମହାସମର ଭୋଗ କଲୁ, ଯେତେ ରକ୍ତ ଢାଳିଲୁଁ ଜୀବନ ଦେଲୁ ତା’ର ଅର୍ଥ କ’ଣ ? ଅନେକ ଲୋକ ଏହା ଉପରେ ଅନେକ କଥା କହନ୍ତି । ଯୁଦ୍ଧ ବୋଇଲେ ହିଂସା, ମଣିଷର ପଶୁ ପ୍ରକୃତି । ଆଦିମ ବର୍ବରତାର ନୂଆ ସଂସ୍କରଣ । ଏମିତି କେତେ କ’ଣ । ପୁଣି ଏହା ଅର୍ଥନୈତିକ ଯୁଦ୍ଧ, ବୈଜ୍ଞାନିକ ଯୁଦ୍ଧ, ଅବା ଆଦର୍ଶବାଦର ସଂଘର୍ଷରୁ ଉପଜାତ ବୋଲି, କେତେ ରକମ ନାମ ଦିଆଯାଏ । କେତେ କାରଣ ଖୋଜାହୁଏ । ଯୁଦ୍ଧ ବିରୁଦ୍ଧରେ ହିଂସା ବିରୁଦ୍ଧରେ ଆମିଷ ବିରୁଦ୍ଧରେ ପରିପ୍ରଚାର ଆରମ୍ଭ ହେଲାଣି କେଉଁକାଳୁ । ଆଜି ଦୁନିଆର ଶ୍ରେଷ୍ଠତର ଶକ୍ତି, ଶ୍ରେଷ୍ଠତର ସଭ୍ୟ ତାଲିକାରେ ନାମ ଲେଖାଇଥିବା ଅନେକ ଦେଶ ଜାତି ଯେତେବେଳେ ଏକପ୍ରକାର ବନ୍ୟ ବର୍ବର ଅବସ୍ଥାରେ ଥାନ୍ତି, ସେହି ସମୟରୁ ଅହିଂସା ପରମ ଧର୍ମ ବୋଲି ସମ୍ମାନିତ ହୋଇଛି ।

 

ଆଜି କିନ୍ତୁ ସଭ୍ୟତାର ମାପକାଠି ଫରକ୍ ହୋଇ ପଡ଼ିଚି–ତା’ର ଅସଲ କଷଟି ହେଲା ଯୁଦ୍ଧ–ବୈଜ୍ଞାନିକ ଯୁଦ୍ଧ–ନୂଆ ନୂଆ ମାରଣାସ୍ତ୍ର ଆବିଷ୍କାର କରିବାର ବୁଦ୍ଧି ବିଜ୍ଞତା କୌଶଳ ସାମର୍ଥ୍ୟ-। ସଭ୍ୟତା ବୋଇଲେ ସେଇ ଶକ୍ତି, ସାମର୍ଥ୍ୟ, କ୍ଷମତା ଅବା ପ୍ରଭୁତ୍ୱକୁ ବୁଝାଏ । ଅନ୍ୟ ଉପରେ ଯେତେ ବେଶି ଯେ ପ୍ରଭୁତ୍ୱ ବିସ୍ତାର କରିପାରେ, ସେତିକି ସଭ୍ୟ ବୋଲି ତା’ଙ୍କ ପରିଚୟ; ଆଦିମକାଳରୁ ଆଜି ସୁଦ୍ଧା ସଭ୍ୟତାର ନିଷ୍ପତ୍ତି କରିଛି ଯୁଦ୍ଧ । ସେ ଯୁଦ୍ଧ ଯେପରି ଇଶ୍ୱରଙ୍କ ଭଳି ପୁରୁଣା, ତାଙ୍କରି ଭଳି ସ୍ଥାୟୀ । ବୁଦ୍ଧ ଇଶ୍ୱରଙ୍କୁ ମାନିଲେ ନାହିଁ, ସେଥି ସଙ୍ଗେ ହିଂସାକୁ ମଧ୍ୟ; କିନ୍ତୁ ହିଂସାକୁ ଛାଡ଼ି ଯୁଦ୍ଧକୁ ଛାଡ଼ି ଚଳିହେଲା ନାହିଁ; ତେଣୁ ବୁଦ୍ଧଙ୍କୁ ଭଗବାନ ଉପାଧି ଦିଆଯାଇ ପୂଜା କରାଗଲା । ଶେଷରେ ଜୟହେଲା ଅବଶ୍ୟ ବୁଦ୍ଧଙ୍କର–ଭଗବାନଙ୍କୁ ଅମାନ୍ୟ କରି ଯେ ନିକାଲି ଦେଲେ, ସେ ତାଙ୍କ ଗାଦି ଦଖଲ କରିବେ ନାହିଁ ତ ଆଉ କିଏ ? ସ୍ୱୟଂ ଭଗବାନ ବୋଲାଇବାଟା ବୁଦ୍ଧଙ୍କର ଇଚ୍ଛାବିରୁଦ୍ଧ ହେଉ କି ନ ହେଉ, ନିଶ୍ଚୟ ନୀତି ବିରୁଦ୍ଧ ବୋଲି ତ ଜଣାପଡ଼େ । ଗାନ୍ଧିଙ୍କୁ ମଧ୍ୟ ଏହି ବିଂଶ ଶତାବ୍ଦୀରେ ସ୍ୱୟଂ ଭଗବାନ ନ ହେବାପାଇଁ ଯେଉଁ ଲଢ଼େଇ କରିବାକୁ ହୋଇଥିଲା, ତାହାର ଜୋର ଇଂରେଜ ବିରୁଦ୍ଧରେ ଲଢ଼େଇଠାରୁ କିଛି କମ୍ ନୁହେଁ । ଭଗବାନ ସୃଷ୍ଟି ତଥା-କଥିତ ଜାତିଭେଦ, ଅସ୍ପୃଶ୍ୟତା ବିରୁଦ୍ଧରେ ଲଢ଼େଇକୁ ସୃଷ୍ଟିକର୍ତ୍ତାଙ୍କ ବିରୋଧିତା ବୋଲି ଅନେକ ରକ୍ଷଣଶୀଳଙ୍କ ମତ । ସେଥିପାଇଁ ଅଜ୍ଞ ଲୋକେ ତାଙ୍କୁ ଭଗବାନ ବିଚାରି ପୂଜା କରନ୍ତି । ତେବେ ଭଗବାନଙ୍କୁ ତଡ଼ି ସ୍ଵୟଂ ଭଗବାନ ହେବା ବୁଦ୍ଧଙ୍କର ଯେମିତି ନୀତିବିରୁଦ୍ଧ, ଇଂରେଜ ଶୂନ୍ୟସ୍ଥାନକୁ ପୂରଣ କରି ନିଜେ ଶାସକ ବୋଲାଇବାର ଆକାଙ୍କ୍ଷା ମଧ୍ୟ ଗାନ୍ଧିଙ୍କର ନ ଥିଲା; ଅଥଚ ଶେଷରେ ତାଙ୍କରି ନେତୃତ୍ୱ ହିଁ ଶାସନ ଦାୟିତ୍ୱ ବହନ କଲା ଭାରତବର୍ଷର । ଭଗବାନଙ୍କ ବିରୁଦ୍ଧରେ ବୁଦ୍ଧଙ୍କ ଲଢ଼େଇ ପରେ ତାଙ୍କର ଗାଦିକୁ ମଜବୁତ୍ କରିବା ପାଇଁ ପରେ ଅଶୋକଙ୍କର ଲଢ଼େଇ । ତେବେ କଳିଙ୍ଗ ଲଢ଼େଇ ପରେ ଅଶୋକଙ୍କର ଧର୍ମ-ରାଜ୍ୟ ମର୍ତ୍ତ୍ୟକୁ ଜୟ କରି ସାରି ସ୍ୱର୍ଗକୁ ପୁଣି ଜୟ କରିବା ଅର୍ଥ ମୋ ମୁଣ୍ଡରେ ପଶି ପାରେ ନାହିଁ । ସିକନ୍ଦର ପୃଥିବୀ ଜୟ କରିସାରି ଆଉ ଜୟ ପାଇଁ ଦେଶ ନ ଥିବାରୁ ବିଳାପ କରିଥିଲେ । ଆଜିର ମଣିଷ ସାମ୍ରାଜ୍ୟବାଦର ବିରୋଧୀ ହୋଇ ଚନ୍ଦ୍ରଲୋକରେ ନୂଆ ସାମ୍ରାଜ୍ୟ ଆବିଷ୍କାର ପାଇଁ ବାହାରିଲାଣି । କିନ୍ତୁ ଦୁଇ ହଜାର ବର୍ଷ ଆଗେ ଅଶୋକ ପୃଥିବୀଜୟ ପରେ କେଉଁ ସ୍ୱର୍ଗଜୟ କରି ବାହାରିଥିଲେ ତା’ ସ୍ୱତନ୍ତ୍ର । ତାହା ହେଲା ମଣିଷ ହୃଦୟର ଜୟ । ଯାହା ସବୁଠାରୁ କଠିଣ, ଅଜ୍ଞେୟ, ଅନାବିଷ୍କୃତ ! ଆଜିର ଯୁଦ୍ଧ ଆମକୁ ସିଆଡ଼ିକି ଚାବୁକ୍ ମାରି ନେଉନାହିଁ ବୋଲି କିଏ କହିବ ? ମୋ ଛୋଟବୁଦ୍ଧିରେ ଯୁଦ୍ଧକୁ ମୁଁ ଘୃଣା କରେ ନାହିଁ–ମଣିଷ ସମାଜର ସବୁ ଭେଦ ଘୁଞ୍ଚାଇ, ସମସ୍ତଙ୍କୁ ଏହାହିଁ ଏକାଠି କରିଦେଉଛି ବୋଲି ମୋର ବିଶ୍ୱାସ-

 

ପୃଥିବୀ-ଯୁଦ୍ଧ କହିଲେ, ପୃଥିବୀର ମିଳନ, ପୃଥିବୀର ଶାନ୍ତି । ଯୁଦ୍ଧଭୂଇଁରେ ହିଁ ଏହି ମିଳନର ଆରମ୍ଭ । ଯୁଦ୍ଧ ପରେ ଆମେ ଯେମିତି ଆହୁରି ଆପଣା ଆପଣା ପାଖକୁ ଲାଗି ଆସିଛୁ । ଏହି ଯୁଦ୍ଧ ଭିତରେ ଆଉ କେତେ କାରଣରୁ ମଣିଷ ମରିବାର ଘଟଣାମାନ ଦେଖାଗଲା ଯାହାକୁ କହନ୍ତି ହାତରେ ନ ମାରି ଭାତରେ ମାରିବା ।

 

ଯୁଦ୍ଧଭୂଇଁରେ ସିନା ମଣିଷ ମଣିଷକୁ ହାତରେ ମାରେ–ଯେଉଁଠି ସେ ସୁବିଧା ନାଇଁ, ସେଇଠି ମାରେ ଭାତରେ । ସେତେବେଳେ ଓଡ଼ିଶା ଥାଏ, ଧାନ ଚାଉଳରେ ବଳକା । ହଜାର ହଜାର ବସ୍ତା ଚାଉଳ ବୁହା ଚାଲିଥାଏ, ବଙ୍ଗ ପ୍ରଦେଶକୁ; କାରଣ ସେଠାରେ ଚାଉଳ ଅଭାବ । ବାଟରେ ଘାଟରେ ରେଲଗାଡ଼ି ବସରେ ସରକାରୀ ଖାନତଲାସ–ଚାଉଳ କି ଆଉ କିଛି ଖାଇବା ଜିନିଷ କିଏ କୁଆଡ଼େ ବୋହିନେଉଚି, ତାଙ୍କୁ ଧରି ଜେଲଖାନାରେ ଠୁଙ୍କ । ଏମିତି କି ଶୁଣାଗଲା, କେତେ ଲୋକ ଇଚ୍ଛା କରି ଅପରାଧୀ ହେଲେ–ଜେଲଖାନାରେ ନିକୁଚ୍ଛରେ ଗଣ୍ଡେ ଖାଇବାକୁ ପାଇବେ ବୋଲି !

 

କଲିକତାର ଫୁଟ୍‍ପାଥ୍ ହୋଇଥାଏ, ଦେଖିବା ଥାନ । ଛୁଆ ବୁଢ଼ା, ମର୍ଦ ମାଇପେ ସବୁରି ସେଇଠି ଖିଆପିଆ, ଶୁଆବସା–ଖିଆପିଆ କହିଲେ ଆଦୌ ଠିକ୍ ହେବନି । ଅଳିଆ-କୁଣ୍ଡରୁ ଅଇଁଠା ସାଉଁଟି ପାଟିରେ ପୂରାଇବାକୁ ଯଦି ଖିଆପିଆ କୁହାଯିବ, ଏହା ତେବେ ସେହିଭଳି । କୁଆ କୁକୁରଙ୍କଠାରୁ ଛଡ଼ାଇ ମଣିଷ ତ ସବୁଦିନ ଆପଣା ପେଟକୁ ପୂରାଉଛି । ସେଇ ଚିତ୍ରଟା ସିଧା ନଜର ଉପରେ ପଡ଼ୁଥାଏ କଲିକତା ଫୁଟ୍‍ପାଥରେ । ଖାଇବାକୁ ନ ପାଇ ଯେତେଲୋକ ଚଲାବାଟରେ ଶୋଇ ଯାଉଥାନ୍ତି ସବୁଦିନ ପାଇଁ, ତାଙ୍କ ଲାସ୍ ଉଠାଇବା ମଧ୍ୟ ଏକ ବ୍ୟାପାର ହୋଇପଡ଼ିଥାଏ ।

 

ମୋ ଭାଗ୍ୟର ଉଦୟ ଘଟିଲା ସେତିକିବେଳେ । ସେତିକିବେଳେ ମୋତେ ଓଡ଼ିଶା ଛାଡ଼ି କଲିକତା ଆସିବାକୁ ହୁଏ । ଏହା ବୋଧହୁଏ ସାଧାରଣ କଥା–ବହୁ ଲୋକଙ୍କର ଦୁର୍ଭାଗ୍ୟରୁ କେତେଜଣଙ୍କ ସୌଭାଗ୍ୟର ହୁଏ ଉତ୍ପତ୍ତି । ଯୁଦ୍ଧ ପ୍ରଭାବରେ ଆମେ ଯେମିତି ଐତିହାସିକ ଅବା ଭୌଗୋଳିକ ପରିବର୍ତ୍ତନ ଭିତରେ ଗତି କରୁଁ ସେମିତି ଯୁଦ୍ଧକାଳୀନ ଅର୍ଥନୀତିର ଉଠାପଡ଼ାରୂପେ ପୂରାପୂରି ବୈପ୍ଳବିକ । ପୁରୁଷାନୁକ୍ରମେ ଯେଉଁ ମାଟିକୁ ଯେଉଁ ଘରକୁ ମଣିଷ ଆପଣାର ବୋଲି ଧରି ନେଇଥାଏ, ହଠାତ୍ ସେଠାରୁ ସେ ବିନା ଦୋଷରେ ହୁଏ ବେଦଖଲ; ଆଉ କାହିଁ ହୁଏ ଆଶ୍ରୟପ୍ରାର୍ଥୀ–ଅମୀର ଫକୀର ଫରକ୍‍ଟା ଚଳଚ୍ଚିତ୍ର ଭଳି ହଠାତ୍ ଓଲଟ ପାଲଟ ହୋଇପଡ଼େ–ସତେ ଅବା କେଉଁ ଜାଦୁକରର ହାତ-ସଫେଇ ! ମୁଁ ବି ସେଇ ହାତ-ସଫେଇର ଏକ ଉପାଦାନ ହୋଇ, ଆଲାଉଦ୍ଦିନ ଲ୍ୟାମ୍ପର ଜାଦୁଭଳି ଓଡ଼ିଶାକୁ ଛାଡ଼ି ଶୂନ୍ୟେ ଶୁନ୍ୟେ ଭାସି ଶେଷରେ ବଙ୍ଗଳା ରାଜ୍ୟରେ ପାଦ ରଖିଲି । ଆଗ ଆସିଲି, ଚାଉଳ କାରବାରୀଙ୍କର ଜଣେ ଛୋଟିଆ କର୍ମଚାରୀ ଭାବରେ । ସେଥିପାଇଁ ମଦନବାବୁଙ୍କ ସାହାଯ୍ୟ ଭୁଲି ପାରିବି ନାହିଁ । ସେହି ମୋତେ ଏହା ଭିତରକୁ ଆଣିଲେ । ଅବସ୍ଥା ମୋର କାହିଲ୍ ହୋଇପଡ଼ିଥାଏ । ବିଡ଼ି ଖଣ୍ଡେ ଟାଣିବାକୁ ସୁଦ୍ଧା ପଇସାଟାଏ ଥାଏ ନାହିଁ ପାଖରେ । ସେଥର ମଦନବାବୁ ଆଉ ମୁଁ ଦୁହେଁ ସାଥି ହୋଇ ସହରକୁ ଆସିଲୁଁ–ମଦନବାବୁଙ୍କର ଜଣେ ଛାତ୍ର ଥାନ୍ତି, ସରକାରୀ ଉଚ୍ଚ ପାହ୍ୟାରେ କର୍ମଚାରୀ । ସେଇ ଭଦ୍ରଲୋକଙ୍କ ଜରିଆରେ ମୋତେ ଚାଉଳ ଚାଲାଣରେ କାମ ଖଣ୍ଡିକ ମିଳିଗଲା । ଚାଉଳ ଡିପୁର ମାର୍ଫତରେ ରହି ମୁଁ ଗୋଟାଏ ପାଖରେ ଦେଖୁଥାଏଁ, ପର୍ବତ ପ୍ରମାଣ ଚାଉଳ ବସ୍ତା । ଆଉ ଗୋଟାଏ ପାଖେ ଫୁଟ୍‍ପାଥ୍ ଉପରେ ମଣିଷର ଲଢ଼େଇ, କୁଆ, କୁକୁର ସାଥିରେ–ପୁଣି ଦୋକାନ ଆଗରେ ଚାଉଳ କିଣିବାକୁ ପିମ୍ପୁଡ଼ି ଧାର ପରି ଧାଡ଼ି ମୂଲିଆ ସକାଳୁ ସଞ୍ଜ ଯାକେ ଛିଡ଼ା ହୋଇ ତକେଇଥିବା ଶହ ଶହ ହଜାର ହଜାର ଦି’ଗୋଡ଼ିଆ ପଶୁ ! ହଁ, ପଶୁ ନୁହଁନ୍ତି ତ ଆଉ କ’ଣ ? ଆଉ କେଉଁ ଦେଶ ହୋଇଥିଲେ, ଚାଉଳ-ପାହାଡ଼ ପାଖରେ ଲୋକେ ପୁଣି ନ ଖାଇ ମରନ୍ତେ ! ଭରାନଈ କୂଳରେ ଥାଇ ଶୋଷରେ ତଣ୍ଟି ଶୁଖିଲା ପରି ! ଏ ସବୁକଥା ମୋ’ଠାରୁ ଅବଶ୍ୟ ଆଜି ସରିକି ବାହାରୁଚି ସିନା, ସେତେବେଳେ କିନ୍ତୁ ମୁଁ ଥିଲି ପୂରା ନିମକସଚ୍ଚା ଚାକର । ସେତେବେଳେ କିଏ ଆସି ମୁଠାଏ ଚାଉଳ ଧଇଲେ, ତା’ ଉପରେ ହୁଏତ ଗୁଳି ନ ଲାଛି ମୁଁ ଛାଡ଼ନ୍ତି ନାହିଁ ।

ସେଇଟା ହେଲା, ଯୁଦ୍ଧ ବଜାରରେ ମୁନାଫା ସୁଅର ଯୁଗ । ସେଇ ସୁଅର ଖୁବ୍ ଗୋଟେ ସରୁ ଧାର ବଙ୍କେଇ ଆସିଲା ମୋରି ଆଡ଼କୁ । ଯାହାକୁ କହନ୍ତି, ଲକ୍ଷ୍ମୀ ଠାକୁରାଣୀ ଟେରେଇ ଚାହିଁବା–ଐଶ୍ୱର୍ଯ୍ୟର ଶୁଭ ସମୟ–ଫାଳେ ପକେଇଲେ ଗୋଟାଏ ହୁଏ–ଜୀବନରେ ଯାହା ଖୁବ୍ କମ୍ ସମୟପାଇଁ ଆସେ । ‘ଖୋଦା ସବ୍ ଦେତା, ଛପର ଫାଡ଼କେ ଦେତା ।’ ଏକାବେଳେ ଆଶାତୀତ–ଚାହୁଁ ଚାହୁଁ ପୁଣି ଚାଉଳ ଚାଲାଣ କରିବା ଚାକିରିରୁ ମୋର ଉନ୍ନତି ଘଟିଲା, ସୈନ୍ୟ ଛାଉଣୀ କଣ୍ଟ୍ରାକ୍ଟର ପଦକୁ । ସେତେଦିନ ଯାଏ ଜାଣି ନ ଥିଲି, ଟଙ୍କାର ଦାମ୍ ଏତେ କମ୍ ବୋଲି । ଏହା ଗୋଟାଏ ସ୍ତରର କଥା । ପବନରେ ବାଲି ଉଡ଼ିଲା ଭଳି କୁଢ଼ କୁଢ଼ ଟଙ୍କା ଯେମିତି ଉଡ଼ି ଉଡ଼ି ଯେଉଁଠି ସେଠି ଜମା ହୋଇଯାଉଚି–ସେଥିଲାଗି କାହାରି ଚେଷ୍ଟା ନାହିଁ, ଚିନ୍ତା ନାହିଁ, ମେହନତ୍ ନାହିଁ । ଏଣେ ଛାତ୍ରମାନେ ଅର୍ଥନୀତିଶାସ୍ତ୍ର ଘୋଷି ଘୋଷି ହାଲିଆ, ଅଧ୍ୟାପକମାନେ ବକ୍ତୃତା ଦେଇ ଥକା । ଅର୍ଥ ଯେ କେଉଁ ବାଟରେ ଆସେ, ପୁଣି ବୋହିଯାଏ, ସାମନା ଉପରେ ତାହା ଦେଖିହେବ ଏଇଠିକି ଆସିଲେ ।

ଡଷ୍ଟବିନ୍‍ ଦରାଣ୍ଡି, ସବୁରି ଆଗରେ ହାତ ପତେଇ, ପେଟ ଦେଖାଇ, ଯେତେବେଳେ ହଜାର ହଜାର ମଣିଷ–ମଢ଼ କଲିକତା ଫୁଟ୍‍ପାଥରେ ଗଡ଼ୁଥାନ୍ତି, ସେତିକିବେଳେ ସୈନ୍ୟଛାଉଣୀ ସତକୁ ସତ ଭାଷୁଥାଏ ଘିଅ ମହୁରେ । ମନେଅଛି, ଥରେ କେଇଟା ପାଚିଲା କମଳା ଲେମ୍ବୁ ଟିକିଏ ଦାଗୀ ପଡ଼ିଲା । ସାଙ୍ଗେ ସାଙ୍ଗେ ସୈନ୍ୟଛାଉଣୀର ସ୍ଵାସ୍ଥ୍ୟ-ଡାକ୍ତରଙ୍କ ହୁକୁମ୍ ହେଲା, ଶହେ ଝୁଡ଼ି କମଳା ଲେମ୍ବୁକୁ ନଷ୍ଟ କରିଦେବା ପାଇଁ । ମିଲିଟାରି ହୁକୁମ୍ ! ବାହାରେ ସୁଦ୍ଧା କାହାରିକି ଗୋଟାଏ ଦେବା ନିଷେଧ ।

ଆହୁରି ମନେଅଛି, ଚଲାବାଟରେ ଲୋକଙ୍କୁ ସିନା ଥାନ ମିଳୁନଥାଏ–ମୋର ବିରାଟ ଘରଟାରେ ଚାରିଟା ବଡ଼ ପରିବାର ଖୁସିରେ ଚଳନ୍ତେ; ଅଥଚ ମୁଁ ଏକା । ବାକି ଯେତେ ଖାଲି ଚାକର, ଆଉ ଚପରାଶି ! କାଉକୋଇଲି ନ ଦେଖିବା ଥାନ ଓଡ଼ିଶାର ଦୂର ମଫସଲା ଗାଆଁର ପଚାପାଣି କାଦୁଅ ଭିତରେ ଦିନେ ଯେ ଦେଶ-ଉନ୍ନତିର ସ୍ୱପ୍ନ ଦେଖୁଥିଲା, ପୁଣି ସହରକୁ ଆସି କାଣିକଉଡ଼ିଟା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିଲା, ଆଜି ତା’ରି ମୁହଁରୁ କଥାପଦେ ଶୁଣିବାକୁ ଧାଇଁଛନ୍ତି କାହାଣ କାହାଣ ଲୋକ; ସେ କଥାର ଅର୍ଥ କିଛି ନ ଥାଉ ପଛେ–ତାହାଦ୍ୱାରା କାହାରି କିଛି ଲାଭ ଲୋକସାନ ନ ହେଉ ପଛେ । ମୋରି ତଳେ ଦୁନିଆଟାର ଏତେଗୁଡ଼ା ଅଂଶ ରହିଯାଇଚି–ଏତେ ଲୋକ ଅଛନ୍ତି ମୋ ମଟରକୁ ବାଟଛାଡ଼ି ଆଡ଼େଇ ଯିବାକୁ–ହାତଟେକି ସଲାମ୍ କରିବାପାଇଁ !

ପେଟ୍ରୋଲ ନ ପାଇ ଘରୋଇ ମଟରଗାଡ଼ି ସବୁ ଅନଶନଗ୍ରସ୍ତ, ଅଚଳ; କିନ୍ତୁ ସୈନ୍ୟଛାଉଣୀରେ ଅଭାବ କ’ଣ ? ସେମାନେ ବଡ଼ ଜ୍ୱାଇଁ ହେଲେ, ଆମେ ତ ତାଙ୍କରି ପାଖେ ବରଯାତ୍ରୀ । ପେଟ୍ରୋଲ ଟିକିଏ ପାଇବା ପାଇଁ କେତେ ଗୋରା କଳା ବଡ଼ଲୋକ ଆସି ରୁଣ୍ଡ ହୁଅନ୍ତି-। ମୋ ଫ୍ଲାଟ୍ ଆଗରେ–ହଜାର ଲୋକଙ୍କର ହଜାର କାମ । କେଉଁଠି ଟିକିଏ ବସି ପଡ଼ିଲେ ଟେଲିଫୋନ୍ କ୍ରିଂ କ୍ରିଂ–ଘରେ ବାହାରେ ଜିପରେ ଉଠିଲେ କି ଜିପ୍‍ରୁ ଓହ୍ଲେଇଲେ, ସିନେମା, ଥିଏଟରରେ ଲୋକେ ଲାଗି ଲାଗି ରହିଥାନ୍ତି ମୋ ପିଛାଧରି । ଅନେକ ସମୟରେ ମେଜାଜଟା ମୋର ବଡ଼ ଗରମ ହୋଇପଡ଼େ । ସମସ୍ତଙ୍କୁ ସାକ୍ଷାତ୍‍ ଦେବା ସମ୍ଭବ ହୋଇ ଉଠେ ନାହିଁ । ଟେଲିଫୋନ୍ ବାଜିଲେ ମୁଁ ଘରେ ନାହିଁ ବୋଲି ଜଣାଇ ଦିଏଁ–ମୋର ଅଡ଼ର୍ଲି, ଏଟମ୍ ମୁହଁରେ ।

ଅଇଁଠାକୁ ମୁଁ ଏଟମ୍ ବୋଲି ଡାକେ । ସେତେବେଳକୁ ଆମର ଏଣେ ଏଟମ୍ ବୋମାର ଖାଲି ନାଆଁଟା ଶୁଣାଯାଇଥାଏ । ଜାପାନର ହିରୋସିମା, ନାଗାସାକି ସହର ଯୋଡ଼ାକ ଧୂଳି ପାଲଟି ନ ଥାଏ । ଅପତ୍ୟାଣି-ପୁଅ ଅଇଁଠା ! ଯମ ତାକୁ ଛୁଇଁବନି ବୋଲି ବାପ ମାଆ ଏମିତି ନାଁ ରଖିଥାନ୍ତି-। ମୋରି ଶ୍ୱଶୁର-ଗାଁର ଲୋକ ସେ । ଅନେକ ବର୍ଷ ହେଲା କଲିକତା କଳବାଡ଼ିରେ କାମ କରି ପେଟ ପୋଷୁଥିଲା; ଶେଷକୁ ମୋ ଆଶ୍ରୟ ପାଇ ରହି ଯାଇଚି ଏଠାରେ । କୁକୁର ପରି ଘରଟାକୁ ମୋର ଜଗି ପଡ଼ି ରହିଥାଏ, କି ଦିନ, କି ରାତି ।

ସୈନ୍ୟଛାଉଣୀରେ ଥାଏ, ଗୋଟାଏ ବଡ଼ ଡିନର । ଏମିତି ତ କଥା କଥାକେ ଡିନର ନାଚଗୀତ ହୁଏ । ସେ ଦିନ ଖିଆପିଆ ନାଚଗୀତର ଧୂମ୍ ବହୁତ ରାତି ପର୍ଯ୍ୟନ୍ତ ଚାଲିଲା । ଜଣେ ମାର୍କିନ ଯୁବତୀ ଯେଉଁ ପରିମାଣରେ ମଦପିଇଲେ, ତାହା ଦେଖି ମତେ ପଚାରେ କିଏ, ଛାଉଣୀର ନାମଜାଦା ମଦ୍ୟପମାନେ ବି ଅବାକ୍ ହୋଇଗଲେ । କଲିକତାର ବ୍ଲାକାଉଟ୍ ରାସ୍ତାରେ ଗାଡ଼ି ଛୁଟାଇ ଫ୍ଲାଟରେ ପହଞ୍ଚିଲାବେଳକୁ ସେଦିନ ରାତି ପ୍ରାୟ ଦେଢ଼ଟା ।

ସୁଇଚ୍ ଟିପି ଲିଫ୍ଟରେ ଉଠିଲି ଉପର ମହଲାକୁ । ସବୁଦିନ ପରି ଅଇଁଠା ମତେ ଚାହିଁ ବସିଚି । ପୋଷାକପତ୍ର କାଢ଼ି ଶୋଇବାକୁ ଯାଉଚି, ଅଇଁଠା ଖୁବ୍ ନରମଗଳାରେ କହିଲା, “ବାବୁ ସାହେବ !” ସେ ମୋତେ ଏଇ ଡବ୍ଲ ସମ୍ବୋଧନ କରେ ‘ବାବୁ’ ସାଥିରେ ‘ସାହେବ’ ଶବ୍ଦଟାକୁ ଯୋଡ଼ି-

“କି ରେ ଏଟମ୍ ! କ’ଣ ହେଲା କି ?” ପଚାରିଲି ।

“କଲିକତାରେ ଆଉ ରହି କରିନି, ଆଜ୍ଞା ! ଚାଲନ୍ତୁ, ପଳାଇବା ଏଠାରୁ ।”

“କି ରେ କାହିଁକି ?” ଆଶ୍ଚର୍ଯ୍ୟ ହୋଇ ମୁଁ ତା’ ମୁହଁକୁ ଚାହିଁଲି । ‘‘ଆଜି ତୋର ହଠାତ୍ ଏମିତି ବୈରାଗ୍ୟ ହେଲାଣି ଯେ, କଲିକତାରେ ତ ତୋର ଦାନ୍ତ ପଡ଼ିଲା, ବାଳ ପାଚିଲା ।”

“ହଁ ବାବୁ ସାହେବ, କଲିକତାରେ ମୋର ଦି’କୋଡ଼ି ବର୍ଷ କଟି ଗଲାଣି ହେଲେ ଆଜି ଯାହା ଦେଖିଲି”–

“କ’ଣ ଦେଖିଲୁ ?’’

“ବହୁତ ରାତି ହେଲାଣି ଆଜ୍ଞା, କାଲି କହିବି ।”

ମୋର ଜିଦ୍ ଦେଖି ସେ ଯାହା କହିଲା, ଆଜି ସେ କଥା ନିଜ ଭାଷାରେ ଏଠି ମୁଁ ତର୍ଜମା କରୁଛି–‘‘କ’ଣ କହିବି ଆଜ୍ଞା, ଆଜି ଉପର ଓଳି କଣ୍ଟ୍ରୋଲ ଦୋକାନରୁ ଚାହାଚିନି ଧରି ମୁଁ ଲେଉଟୁଛି-। କିଏ ଯେମିତି ମତେ ପଛରୁ ଡାକ ପକେଇଲା, ଲେଉଟି ଚାହେଁ ତ ଜଣେ ଗୁର୍ଖା ଦରଓ୍ୟାନ୍ ଅଣ୍ଟାରେ ତା’ର ଛୁରି, କାନ୍ଧରେ ବନ୍ଧୁକ, ମୁଣ୍ଡରେ କୁଲାଭଳି ଝାମ୍ପି । ମୁଁ କିଛି ପଚାରିଲା ଆଗରୁ ସେ ଜବରଦସ୍ତି ମତେ ଟାଣି ଘେନିଗଲା ଗୋଟାଏ ଦି’ତାଲା କୋଠା ଉପରକୁ । ସେଇ ଗଳିଟାରେ ଆଗରୁ ବହୁତ ଥର ଯା’ ଆସ କରିଛି ମୁଁ । ହେଲେ କ’ଣ ହେଲା, କେଉଁ ଘର ଭିତରେ ପଶି ନ ଥିଲି ଆଜିଯାକେ । ଚୋରି ଡକାଇତି ମଣିଷମାରୁଙ୍କ ଆଡ଼ା ହେଲା ସେ ଗଳିଟା । ଛାତି ମୋର ଗୋଟିପଣେ ଥରି ଉଠୁଥାଏ । ବଲ ବଲ କରି ମୁଁ ସେ ଗୁର୍ଖା ଦରୁଆନ୍ ମୁହଁକୁ ଚାହିଁଲି । ଗୁର୍ଖାମାନେ ବେଶି ହସିବାର ତ ମୁଁ ଦେଖିନାହିଁ; ସେ ପରା ହସିଲା ଆଜ୍ଞା ! ପୁଣି ମୋତେ ସାହସ ଦେଇ ଠାରିଲା–ଉପରେ ମୋ ଲାଗି ବଢ଼ିଆ ଖାନା ରହିଛି ! ଦୋ-ଦୋ ପାଞ୍ଚ ହୋଇ ମୁଁ ପାହାଚ ଉଠୁଥାଏ, ଗୋଟାଏ ଗୋଟାଏ ମହଲାରେ କୋଡ଼ିଏ ପଚିଶି ବଖରା କୋଠରୀ–ସବୁ କୋଠରୀରେ ଖାଲି ଝିଅ ଭର୍ତ୍ତି । କେଉଁଠି ସିଗାରେଟ୍ ଧୂଆଁ ଉଡ଼ୁଛି ତ; କାହିଁ ହସଗୀତ ଛୁଟିଛି । ଅସରନ୍ତି ହସଗୀତ । ଯେଉଁ ଘରେ ଯାଇଁ ପହଞ୍ଚିଲି, ସତେ ଯେମିତି ସେ କାଚତିଆରି ଗୋଟାଏ ଇନ୍ଦ୍ରପୁରୀ । ଚାରିଆଡ଼େ କି ମହକ, କି ଖୁସ୍‍ବୁ ।”

“ତୁ’ କ’ଣ ଇନ୍ଦ୍ରପୁରୀ ଦେଖିଚୁ, ଏଟମ୍ ? କହୁନୁ କାହାକୁ ଦେଖିଲୁ ସେ ଘରେ ?”

“ଯାହାକୁ ଦେଖିଲି ଆଜ୍ଞା, ରୂପରେ ତା’ର ତ ତିନିପୁର ମୋହି ହୋଇଯିବ । ଆଖି ଯୋଡ଼ାକ ମୋର ଖୋସି ହୋଇଗଲା, କଲିକତା ସହରରେ ଲାଖ ଲାଖ ଝିଅ ମୁଁ ଦେଖିଥିବି । ହେଲେ ଏମିତି ରୂପ, ଆଖି, ନାକ, କପାଳ, ଓଠ, ହାତ, ଗୋଡ଼–କ’ଣ କହିବି ଆଜ୍ଞା ! କାହାଠାରୁ ଯେ କିଏ ଊଣା କିଏ ଅଧିକା–”

ହସି ପକେଇଲି ମୁଁ–“କିରେ ଏଟମ୍ ! ବୁଢ଼ାଦିନେ ତ ଖୁବ୍ ରସିକତା ତୋର, ଏକାବେଳେ କବି ପାଲଟିଗଲୁ ଯେ ।”

“ଶୁଣନ୍ତୁ, ବାବୁସାହେବ ! ଗୋଟାଏ ଗଦି ଚଉକିରେ ଝୁଲି ଝୁଲି ସେ କ’ଣ ଖଣ୍ଡେ କିତାପ ପଢ଼ୁଥାଏ । ମତେ ଦେଖିପକେଇ ବେଗି ଦଉଡ଼ି ଆସିଲା, ଆଉ ମୋର ପାଦ ଯୋଡ଼ାକୁ ଧରି ମୁକୁଳା ମୁଣ୍ଡଟାକୁ ତା’ରି ଉପରେ ଦେଲା ଅଜାଡ଼ି । ମୋର ତ ତୁଣ୍ଡ ଲେଉଟିଲାନି । ସତେ ଅବା ହାଁକାସି ଉଡ଼ିଯିବ । ଏ କିଏ–କଥା କ’ଣ ? ମୋ ହାତଧରି ସେ ଘର ଭିତରେ ନେଇ ବସାଇଲା, ଆଉ ଗୋଟା ଗଦି ଚୌକିରେ । ଲୁହ ପୋଛି-ସାରି କହିଲା, ମତେ ତମେ ଚିହ୍ନିପାରୁନାହଁ, ଅଜା !”

‘‘ଏ କ’ଣ ! ଓଡ଼ିଆ କଥା ! ମୁଁ ପୁଣି ତା’ର ଅଜା ହେଲି କେଉଁଦିନ ? ତା’ର ଲୁହ ଢଳ ଢଳ ଆଖିତଳେ ଟିକିଏ ମୁରୁକି ହସ ଲାଗି ଆସିଲା–ଚିହ୍ନିପାରିଲ ନାହିଁ ? ମୁଁ ପରା ତମ ଉଷା ।”

–ଉଷା ! ମୋରି ପଡ଼ିଶାଘର ବିକଳା ବାରିକ ଝିଅ, ଉଷା । ଯାହାର ଜନମ କାଳ କୁଆଁଠାରୁ ବାହାଘରଯାକେ ମୁଁ ସବୁ ଦେଖିଚି, ସବୁ ଶୁଣିଚି । ଉଷା ଯାହାର ହାତ ଧରିଥିଲା, ତା’ଘର ହେଲା ନରିଲୋ–ଆମ ଗାଆଁକୁ ବାଟ ଦେଢ଼ କୋଶ । ବର ତା’ର ଏହି କଲିକତା ହାବଡ଼ା କି ଢାକାରେ କେଉଁଠି ଚାକିରି କରେ । ବାହା ହୋଇସାରି ଥରେ ଦି’ଥର ସେ ଗାଁକୁ ଗଲା । ତହିଁରୁ ବନ୍ଦ ! କେତେଥର ଉଷାର ବାପ ବିକଳା ବାରିକ କଲିକତା ଆସି ମୋ ପାଖେ ରହିଚି । ଉଷାର ବରକୁ ଖୋଜିବା ପାଇଁ ମୁଁ ଯେ କଲିକତା ସହରର କେଉଁ ଗଳିକନ୍ଦି ନ ବୁଲିଚି–କ’ଣ କହିବି ସେ କଥା ଆପଣଙ୍କୁ, ବର ତା’ର କୁଆଡ଼େ ଗୋଟାଏ ତିର୍ଲାକୁ ଆଦରି ରହିଚି ବୋଲି ଶୁଣାଗଲା ।

Unknown

‘‘ବାରିକକୁଳ ତ ! ଉଷାର ବାପ ଆଉ ଜଣକୁ ଦ୍ୱିତୀୟ କରିଦେବ ବୋଲି ବାହାରିଲା । ତେବେ ସେ ଝିଅଟାର ସାହସ କ’ଣ କମ୍ କି ! ଦ୍ୱିତୀୟ ହେବାକୁ ବାପ ତେଣେ ଯୋଗାଡ଼ କରୁଚି । ଝିଅ ଏଣେ ତା’ ଶ୍ୱଶୁର ଘର ଗାଁର ପହଲା ସାଥିରେ ପଳେଇ ଆସିଲା କଲିକତାକୁ, ଆପଣା ବରକୁ ଖୋଜିବା ପାଇଁ !”

ମୁଣ୍ଡ ମୋର ସ୍ଫୁଟ୍‍ନିକ୍‍ଠାରୁ ଅଧିକ ବେଗରେ ପୃଥିବୀ ଚାରିପଟେ ଘେରାଟାଏ ଆସିଲା, ଆଉ ତା’ଭିତରେ ବସିଥିଲା ଲାଇକା କୁକୁର ଭଳି ଏକୁଟିଆ ଉଷା । ‘‘କିରେ ଏଟମ୍ ! କିଏ ସେ, ଉଷା । ସତେ କ’ଣ ତମରି ଗାଁର ସେ ।”

“ହଁ ବାବୁସାହେବ ! ଆପଣ ତ ତାକୁ ଦେଖିଛନ୍ତି ନଇଲେ ମତେ କାଇଁକି ସେ ଡାକି ନିଅନ୍ତା କି ।”

“ମୁଁ ?”

ଆପଣା କାନ୍ଧରେ ପଡ଼ିଥିବା ଡଷ୍ଟର ଖଣ୍ଡ ମୁହଁରେ ମାରି ଏଟମ୍ ତା’ର ହସ ପୋଛି ଦେଲା–‘‘ହଁ ଆଜ୍ଞା ! ଆପଣଙ୍କ ବାହାଘରେ ସେହି ବାରିକାଣୀ ଝିଅ ଉଷା ପରା କଉଡ଼ି ଖେଳେଇ ଥିଲା । ପୁଣି ଏବେ ସେଦିନ କୁଆଡ଼େ–”

ଚମକି ଉଠି ଶେଯ ଉପରେ ବସି ପଡ଼ିଲି, ଆଉ ଜୋରଗଳାରେ ଚିତ୍କାର କଲି, ‘‘କେଉଁଦିନ ?”

ଏଟମ୍ ମୋର ମେଜାଜଟାକୁ ଠିକ୍ ମାପି ସାରିଛି–ଧୀରେ ଧୀରେ ହାତରେ ଯେମିତି ପିସ୍ତଲଟା ମୁଠାଇ ସେ କହିଲା, “ସେ ଦିନ ଯେଉଁ ଗୋରା ସର୍ଜେଣ୍ଟ ସାଥିରେ ଆପଣ ତା’ରି ଘରକୁ ଯାଇଥିଲେ ? ଆଉ ସେଇ ସର୍ଜେଣ୍ଟକୁ ବାଟ ନ ଛାଡ଼ି ଲାଛି ଦେବବୋଲି ଗୁର୍ଖା ଦରୁଆନ୍ ଉଠାଇଥିଲା ବନ୍ଧୁକ ? ନାହିଁ ଆଜ୍ଞା ! ଚାଲନ୍ତୁ କଲିକତା ଛାଡ଼ି ଘରକୁ ପଳେଇବା । ଉଷା ମୋ ହାତରେ ସେଇକଥା କହି ପଠେଇଛି ।”

 

ସେଇ ଘରଟା ତେବେ ଉଷାର ! ସେଇ ବିଜୁଳି ପରି ଚଞ୍ଚଳ ଝିଅଟି ! ଧରିବାକୁ ଗଲେ ଯେ ହାତରୁ ଖସି ପଳାଉଥିଲା–ଯାହାର ଦୁଷ୍ଟ ଚାହାଁଣି ଆଜି ବି ମୋର ପାସୋର ଯାଇନାହିଁ । ସେଇ ଏବେ କଲିକତାରେ ! ପୁଣି ତାଆରି ଦୁଆରେ ସେଦିନ ରାତିରେ ଗୁର୍ଖା ଦରୁଆନ୍ ସଙ୍ଗେ ଆମର ଏତେ ଝଗଡ଼ା ! ଲଜ୍ଜାରେ, ଅପମାନରେ ମୁହଁ ପୋତି ସେଠାରୁ ଲେଉଟି ଆସିବାକୁ ପଡ଼ିଥିଲା ସେଦିନ ।

 

ଗୋରା ସର୍ଜେଣ୍ଟ ବୋଲି ଅଇଁଠା ଯାହାକୁ କହିଲା, ସୈନ୍ୟଛାଉଣିର ସେ ଯୁବକ କପ୍ତାନ-। ଅଳ୍ପଦିନ ଭିତରେ ତାଙ୍କ ସଙ୍ଗେ ମୋର ଖୁବ୍ ଦୋସ୍ତି ବନି ଯାଇଥାଏ । ବେଶ୍ ସୁନ୍ଦର ସ୍ଵଭାବ । ଗୋରା ସୈନ୍ୟଙ୍କ ଦାକ୍ଷିଣ୍ୟକୁ ଏକା ରିକ୍‍ସା ଅବା ଟ୍ରାକ୍‍ସି ଡ୍ରାଇଭର ତ ସୁମାରି ହେଉନଥିଲେ । ଏ ଦେଶର ରୂପ-ବଜାରରେ ସୁଦ୍ଧା ତାଙ୍କ ଅକାତର ଦାନର ତୁଳନା ନାହିଁ । ମୋର ବନ୍ଧୁ କପ୍ତାନ ସାହେବଙ୍କ ଅନୁରୋଧରେ କଲିକତାର ସେଇ ବିଖ୍ୟାତ ଗଳିକୁ ତାଙ୍କ ସାଥିରେ ଯାଇଥାଏ-। ସେଦିନ ଉଷାଘରୁ ଯେଉଁ ତିକ୍ତ ଅଭିଜ୍ଞତା ଘେନି ଦୁହେଁ ଫେରିଥିଲୁ, ଅଇଁଠା ପୁଣି ସେଇ ତିକ୍ତ ସ୍ମୃତିର ସଳିତାକୁ ତେଜି ଦେଲା ।

 

ଉଷା ମତେ ସେ ରାତିରେ ଚିହ୍ନିଲା କିପରି ! ଆଉ ଯେବେ ଚିହ୍ନିପାରିଲା, ତା’ହେଲେ ଏମିତି ଅପମାନ ଦେଲା କାହିଁକି ? ପୁଣି ନିଜେ ଗୋଟେ ଭୟଙ୍କର ଘୃଣ୍ୟ ଜୀବନକୁ ଆଦରି ନେଇ ମୋତେ ପରାମର୍ଶ ଦେଉଛି, ମଫସଲ ଗାଆଁର ଶାନ୍ତ ନିରୀହ କୋଳକୁ ବାହୁଡ଼ି ଯିବାକୁ ! ମୋ ପ୍ରତି ତା’ର ଏତେ ଦରଦ, ଏତେ ଅନୁକମ୍ପା ! ସେଦିନ ଗୁର୍ଖା ଦରୁଆନର ହିଂସ୍ର ଆଖି ଆଗରେ ଆମ ଅବସ୍ଥା ଯେତେ କାହିଲ୍ ହୋଇପଡ଼ିଥିଲା–ମୋର ଗୋରା ଯୁବକ ବନ୍ଧୁଙ୍କୁ ଘେନି ଯେପରି ନୀରବରେ ତା’ ଦୁଆରୁ ଫେରି ଆସିଥିଲି–ସେଥିରେ ଉଷାର କୃପା ପାତ୍ର ହେବା ସ୍ୱାଭାବିକ । ସେ ତା’ହେଲେ ଏତେ ବେଶି ବଦଳି ଯାଇଛି ଏହା ଭିତରେ ! ଉଷାକୁ ଆବିଷ୍କାର କରିବା ପାଇଁ ମନ ମୋର ଛକପକ ହେଲା ।

 

ଅସଂଖ୍ୟ କଳ୍ପନା ଜଳ୍ପନାର ଫାନସ୍ ଉଡ଼ାଇ ଚାଲିଲି ଉଷାର ଘର ଆଡ଼କୁ । କଲିକତା ସହରର ଟାମ୍, ବାସ୍, ଗାଡ଼ି ମଟରର ଅଶ୍ଳୀଳ ଶବ୍ଦ । ତା’ରି ଭିତରେ ଭାସି ଆସୁଥିଲା ତାନପୁରାର ଗୋଟିଏ ସୂକ୍ଷ୍ମ ସ୍ୱର ଲହରୀ । ଆଉ ତିତାଲା କୋଠାର ପ୍ରତିଟି ପାହାଚ ଉଠିଲାବେଳେ ସେହି ସ୍ୱର ଯେମିତି ବଢ଼ାଇ ଦେଉଥାଏ ମୋ ଛାତି ଭିତରେ ଏକ ଅସମ୍ଭବ ଉଦବେଗ !

 

ଏଟମ୍‍ର ବର୍ଣ୍ଣନା ଅବିକଳ ଖାପ୍‍ ଖାଇଗଲା ଉଷାର ଘର ଓ ଆଧୁନିକ ଚେହେରା ସହିତ । ସେଥି ସାଙ୍ଗକୁ ଗୁର୍ଖା ଦରବାନ୍ ବାହାଦୂର ସିଂ ବି ।

 

ଆଜି ମୁଁ ଦୁଆରେ ଗୋଡ଼ ଦେବାକ୍ଷଣି ସେହି ପୁଣି ମୋତେ ପାଛୋଟି ଘେନିଗଲା ଭିତରକୁ । ନୟନଗଡ଼ର ବିକଳା ବାରିକର ଝିଅ ଉଷା ! ତା’ରି ଆଜି ଏଇ ବେଶଭୂଷା, ରୂପ-ପରିପାଟୀ, ଶିକ୍ଷା ବ୍ୟବହାର ! ଏତକ ପାଇବା ପାଇଁ କି ତ୍ୟାଗ ନ କରିଛି ସେ କୁଳ ସମାଜ, ଲାଜ ମାନ ସଙ୍ଗେ ତା’ର ସେଇ ମଫସଲି ମସିହା ଖୋଳଟାକୁ ଫିଙ୍ଗିଦେଇ ପିନ୍ଧିଚି ନୂଆ ସାଜ । ଓଡ଼ିଆ ଅକ୍ଷର ସଙ୍ଗେ ଯାହାର ପରିଚୟ ନ ଥିଲା, ତା’ରି ମୁହଁରେ ଆଜି ଅନର୍ଗଳ ହିନ୍ଦୀ ପୁଣି ବଙ୍ଗଳା ଭାଷା-! କଲିକତା ଆସିବା ଦିନୁ ଏମିତି କେତେ ଝିଅଙ୍କୁ ଦେଖିଚି ମୁଁ । କଥାବାର୍ତ୍ତା ଭାବଭଙ୍ଗିରୁ ତାଙ୍କୁ ଓଡ଼ିଆ କହିବାର ଉପାୟ ନାହିଁ; ମାତ୍ର ଉଷା ଯେ ମୋର ଏକ ଶୁଭ ମୁହୂର୍ତ୍ତର ପରିଚୟ, ମୋ ବିବାହର ଅଭୁଲା ସାକ୍ଷୀ !

 

ଦୁଇହାତ ଯୋଡ଼ି ମୋ ଆଡ଼କୁ ଆଗେଇ ଆସିଲା ଉଷା, ଅଭିବାଦନ ଭଙ୍ଗିରେ । ମନ୍ତ୍ରମୁଗ୍‍ଧ ଭଳି ଧୀରେ ଧୀରେ ଯାଇ ତା’ରି ଆଗରେ ବସିଲି, ତକେଇ ରହିଲି ତା’ରି ଆଡ଼କୁ । ମୋ ଆଗରେ ଉଷାର ଉଦ୍ଧାମ ଉଛୁଳା ଯୌବନ । ଓଠରେ ଏକ ଅଯାଚିତ ହତ୍ୟାର ହସ । ମୁହିଁ ଆଗ କଥା କହିଲି ।

 

“ସେଦିନ ଏଠାକୁ ଆସି ଭାରି ଭୁଲ୍‍ କରିଛି ଉଷା । କେବେହେଲେ ସ୍ୱପ୍ନରେ ଭାବିନାହିଁ-।”

 

“ଉଷା ଏଠାରେ ଥିବ ବୋଲି, ନୁହେଁ କି” ? ସେ ମୋର ବାକ୍ୟଟାକୁ ପୂରଣ କରିଦେଲା-। ‘‘କିନ୍ତୁ ଆଜି ପୁଣି ଆସି ତ ଭୁଲ୍‍ କରିନାହାନ୍ତି ?”

 

“ତୁମେ ମୋତେ କ୍ଷମାକର ଉଷା ।”

 

“ହେଉ, ଆଉ ବେଶି ଭଦ୍ରତା କରିବାକୁ ହେବ ନାହିଁ ମୋ ପାଖରେ”–ଅତି ସହଜ ଭାବରେ କହିଯାଏ ଉଷା–“ମୁଁ ଯେ ଅଜାଙ୍କ ହାତରେ କହି ପଠାଇଥିଲି ଆପଣ ଗାଆଁକୁ ଫେରିଯିବେ ବୋଲି–ଏଠିକି ଆସିବାକୁ ତ କହିନଥିଲି….”

 

ଉଷା ମୋ ଆଡ଼କୁ ସେମିତି କୁଟିଳ ଆଖିରେ କଣେଇ ଚାହିଁଲା, ଯେମିତି ଚାହିଁଥିଲା, ବିଭାବେଦୀରେ କଉଡ଼ିଖେଳବେଳେ । ଆଜି ସୁନା ଫ୍ରେମର ଚଷମା କାଚକୁ ଭେଦ କରି ସେଇ ଦୁଷ୍ଟ ଆଖିଯୋଡ଼ିକ ଚମକି ଆସୁଥାଏ ମୋରି ଆଡ଼ିକି ।

 

ହସି ହସି କହିଲି, ‘‘ହଁ ଉଷା ମୁଁ ଗାଆଁକୁ ଯାଉଥିଲି ଯେ, ବାଟଭୁଲି ଏଣିକି ଆସିଲି ବାହାରି ।” ଉଷା ମଧ୍ୟ ହସି ଉଠିଲା, ଆଉ ମୋ ଆଗକୁ ବଢ଼ାଇଦେଲା ଗୋଟାଏ ଦାମୀ ସିଗାରେଟ୍ କେସ୍–ସିଗାରେଟ୍ ଖଣ୍ଡେ ଧରି ଦି’ ଆଙ୍ଗୁଠି ମଝିରେ ନଚାଇ ନଚାଇ କହିଲି, ‘‘ସିଗାରେଟ୍ ଖିଆ ମୁଁ ଅନେକ ଦିନୁଁ ଛାଡ଼ିଦେଇଛି, ଉଷା !”

 

ନିଜ ଓଠରେ ସିଗାରେଟ୍ ଗୁଞ୍ଜି ସେ ଦିଆସିଲ ମାରିଲା–ଜଳନ୍ତା ଦିଆସିଲି କାଠିଟାକୁ ମୋ ଆଡ଼କୁ ଦେଖାଇ କହିଲା ‘‘ସତେ ନା ? କେଉଁଦିନୁଁ ?” ତାହାରି ଆଖି ଦି’ଟା ଢଳିପଡ଼ିଲା ଯେମିତି ମୋରି ଆଖି ଉପରକୁ ସେଇ ଦିଆଦିଲି କାଠି ଧରିଥିବା ଆଙ୍ଗୁଠି ଯୋଡ଼ିକ ସାଥିରେ । ସେଥିସଙ୍ଗେ ତା’ର ଉଲଗ୍ନ କୃଶୋଦର ଉପରକୁ କାଞ୍ଚଲାଭେଦ କରି ତୀକ୍ଷ୍‍ଣ ଉନ୍ନତ ବକ୍ଷ–ଚଳଚିତ୍ରର ରମଣୀ ଭଳି ଆହତ କରିପାରେ ଏ ଯୁଗର ପୁରୁଷକୁ । ଏ ଯୁଗର ପୁରୁଷକୁ କାହିଁକି–ବୋଧହୁଏ ମହାପୁରୁଷକୁ–ହଁ, ହଁ, ସବୁ କାଳରେ ହିଁ ମହାପୁରୁଷଙ୍କର ଆବିର୍ଭାବ ଏଇ ଉଷାର ଅପେକ୍ଷା ରଖିଛି; ରମ୍ଭା, ଉର୍ବଶୀ, ମେନକା, ଅମ୍ବାପାଳୀ, ଚିନ୍ତାମଣି, ପୁଣି ଆମଭଳି ଅତି ସାଧାରଣ ମଣିଷ–ଆମକୁ ଛାଡ଼ି ଅସାଧାରଣ ଅତି ମାନବର ସ୍ଥିତି କେଉଁଠି ?

 

“ଅନେକ ଦିନୁ ଉଷା ! ଅନେକ ଦିନୁ ।” ସଶବ୍ଦରେ ସିଗାରେଟ୍ ଶୋଷି ଉପରକୁ ଛାଡ଼ିଦେଲି ଧୂଆଁ । କୁଣ୍ଡଳାକାରରେ ସେ ଧୂଆଁ ଚକ୍ରିବାଣ ଭଳି ଘୂରି ଘୂରି ଉଠୁଥାଏ, ଆଉ ଜଣାଇ ଦେଉଥାଏ ସିଗାରେଟ୍ ପିଇବାରେ ମୋର ଅଲୌକିକ ଓସ୍ତାଦି । ଦୁଷ୍ଟ ଚାହାଣି ହାଣି ଉଷା ତାହାର ଡୋଳାବାଟେ ଯେପରି ଅବା ମୋତେ ପଚାରିଲା, “ଅନେକ ଦିନୁ” ? ତା’ପରେ ମୋ ଆଡ଼କୁ ଆଗେଇ ଆଣିଲା ବୋତଲ ଗ୍ଲାସ୍‍ ସଜା ହୋଇଥିବା ଗୋଟାଏ ଟ୍ରେ । ‘‘ଏ ସବୁ ପୁଣି କ’ଣ, ଯୁଦ୍ଧ ବଜାରରେ ? ଏ ଯେ ଖାଣ୍ଟି ବିଲାତି ।”

 

“ଖାଲି କ’ଣ ସୈନ୍ୟଛାଉଣିରେ ସବୁ ଖାଣ୍ଟି ଜିନିଷ ମିଳିବ, ଆଉ କେଉଁଠି ନୁହେଁ ?”

 

“କାହିଁକି ନୁହେଁ ?” ଦୁହେଁ ପୁଣି ହସି ଉଠିଲୁ, ହେଉ ହସର ଅନେକ ଅର୍ଥ ଅଛି, ଅଥଚ କିଛି ହେଲେ ନାହିଁ, ନିର୍ବୋଧ ନିରର୍ଥକ ହସ, ପିଲାଏ ଯେମିତି ହସନ୍ତି ।

 

ପିଇବା ସାଙ୍ଗକୁ ଖାଇବାର ସମ୍ଭାର ସଜାଡ଼ି ରଖିଚି ସେ । ‘‘ତୁମେ କ’ଣ ଜାଣିଥିଲ ଉଷା-! ମୁଁ ଆଉ ତମ ଦୁଆର ମାଡ଼ନ୍ତି ? ପୁଣି ସେଦିନ ତମ ଦରବାନ୍ ବାହାଦୂର ସିଂ ଯେଉଁ ଅପମାନ ଦେଇଥିଲା, ତାହାପରେ ମଧ୍ୟ ?” ହସି ହସି ଉଷା ଲୋଟି ଯାଉଥାଏ, ‘‘ସତେ ଆପଙ୍କଣର ସେ ମାର୍କିନ ବନ୍ଧୁ ଜଣକ କେଡ଼େ ସାହସୀ ମ ! ଗୋଟାଏ ପାହାଡ଼ିଆ ଗୁର୍ଖା ପାଖରେ ସେ ଏମିତି ଡରିଗଲେ । ସାଙ୍ଗେ ସାଙ୍ଗେ ଏବାଉଟ୍ ଟର୍ଣ୍ଣ ଡବ୍‍ଲ ମାର୍ଚ୍ଚ ?”

 

“ପାହାଡ଼ିଆ ଗୁର୍ଖା ? ନା, ନା, ବାହାଦୂର ସିଂକୁ ଗୋଟାଏ ଶିକାରୀ ଆଲ୍‍ସିସିଆନ କି ରଏଲ ବେଙ୍ଗଲ ଟାଇଗର କହିବା ଠିକ୍ ହେବ । ଓଃ ! କି ଦୁର୍ଦ୍ଧର୍ଷ ! କିନ୍ତୁ ଆଜି ତ ଦେଖୁଚି ସେ ଏକାବେଳକେ ମୂଷା ପାଲଟି ଯାଇଚି । ଗୁର୍ଖାମାନଙ୍କୁ ପରା ପାହାଡ଼ି ମୂଷା କହନ୍ତି ? କିନ୍ତୁ ଜାଣ ସେ ସାହେବଙ୍କ ହାତରେ ବନ୍ଧୁକ ଥିଲେ କ’ଣ ହୋଇଥାନ୍ତା ?”

 

“କ’ଣ ଆଉ ହୁଅନ୍ତା”, ଖୁବ୍ ବେଖାତିର ଭାବ ଉଷାର । ‘‘ହୁଏତ ଲାଗିଥାନ୍ତା ଗୋଟାଏ ହସ୍ତାହସ୍ତି ଲଢ଼େଇ–ନ ହେଲେ ଖୁନ୍-ଖରାପି, ସେମିତି ଘଟଣା ଏଠି ତ ପ୍ରାୟ ଲାଗି ରହିଚି । ଅଚ୍ଛା, ସେ ସାହେବ କଥା ଛାଡ଼ନ୍ତୁ–ଆପଣ ନିଜେ ଭଲା ଡରିଛନ୍ତି କି ନାହିଁ, କହିଲେ ?”

 

“ମୁଁ ନା ? ନିଶ୍ଚୟ ଡରିଚି, ନ ହେଲେ କି ତୁମେ ପରାମର୍ଶ ଦିଅନ୍ତ ମୁଁ ଗାଁକୁ ଯିବି ବୋଲି-।’’

 

“ଆଚ୍ଛା, ମୋତେ ଗାଁକୁ ଯିବାକୁ ପରାମର୍ଶ ଦେଇ ଏ ସବୁ ସାମଗ୍ରୀ ତେବେ କାହାପାଇଁ ଯୋଗାଡ଼ ହୋଇଛି ଶୁଣେଁ ?”

 

ଉଷା ଜବାବ୍‍ ଦିଏ, ‘‘ଆପଣ ମୋତେ ତୁମେ ବୋଲି ଡାକିବେ ନାହିଁ, ବାହାଘରବେଳେ କ’ଣ ଏମିତି ଡାକୁଥିଲେ ?”

 

“ମୂଳରୁ ମୁଁ ବାହା ହୋଇଛି କି ନାହିଁ, ସେ କଥା ମୋର ମନେନାହିଁ, ଉଷା ! –ପୁଣି ତୁମକୁ କ’ଣ ବୋଲି ସେତେବେଳେ ଡାକୁଥିଲି, ତାହା କିମିତି ମନେରହନ୍ତା ?” ଗୋଟାଏ ବିଶ୍ରାମର ନିଃଶ୍ୱାସ ଛାଡ଼େ ଉଷା । ସେ ନିଃଶ୍ୱାସରେ ଅନେକ ସ୍ମୃତିର ପାହାଡ଼ ବହୁ ଭାବନାର ବୋଝ ଖାଲି ହୋଇଯାଏ–ହଁ ବଡ଼ଲୋକମାନେ କୁଆଡ଼େ ଏମିତି ବହୁତ କଥା ପାସୋରି ପକାନ୍ତି, ନୁହେଁ କି ?”

 

“ପାସୋରି ପକାଇବାଟା ଖାଲି ତ ବଡ଼ ଲୋକଙ୍କର ଏକଚାଟିଆ ନୁହେଁ ।”

 

“ନା, ନା; ସାନ ଲୋକେ ଢେର୍‍ କମ୍‍ ଦେଖନ୍ତି, ଢେର୍ କମ୍ ଶୁଣନ୍ତି କି ନା ! ସେଥିପାଇଁ ତାଙ୍କ ମନରେ କେତେ କଥା ଅଭୁଲା ହୋଇ ଲାଖିଯାଏ ।” ଗ୍ଲାସରେ ସୁରା ଢାଳି ମୋ ହାତକୁ ସେ ବଢ଼ାଇ ଦିଏ–ଆଉ ଟେକି ଧରେ ତା’ର ଆପଣା ଗ୍ଲାସ୍‍ଟି । ହାତରେ ତାହାର ପାନ-ପାତ୍ରର ସ୍ୱଚ୍ଛ ଢଳ ଢଳ ସୁରାଭଳି ଉଷାର ଆଖିଯୋଡ଼ିକ ଛଳ ଛଳ ହୋଇ ଉଠେ । ବିଜୁଳି ବତୀ ଆଲୁଅରେ ଆହୁରି ବେଶି ଚକ୍ ଚକ୍ କରେ ତା’ର ଲୁହ ସେଥିସଙ୍ଗେ ପାନପାତ୍ରର ସୁରା ତପ୍ତ ତରଳ ସୁନା ଭଳି ଆମ ମଝିରେ ରଚନା କରେ ଏକ ମଧୁର ବେଦନାତୁର ଯୋଗ-ସୂତ୍ର ।

 

“ତେବେ ତୁମକୁ କ’ଣ ବୋଲି ଡାକିବି ଉଷା ?”

 

“କହିଁକି ! ତୁ ?”

 

“ଆଉ ତୁମେ ମତେ ଡାକିବ– ?” “ଆପଣ !”

 

ବାଃ, ତା’ହେଲେ ଯେ ଜଣେ ଫାଷ୍ଟକ୍ଲାସ୍–ଆଉ ଜଣେ ଏକାବେଳେ ଯାଇ ଥାର୍ଡ଼କ୍ଲାସରେ-। ମଝିରୁ ‘‘ତୁମେ” ଶବ୍ଦଟା ବାଏଁ ବାଏଁ ଉଡ଼ିଗଲା । ନାହିଁ ଉଷା ! ଆମେ ଦୁହେଁ ଆଜି ଗୋଟାଏ କ୍ଲାସରେ ବସିଚେଁ ତୁ, ତୁମେ, ଆପଣ ଭିତରୁ ଗୋଟିକୁ ବାଛି ନେବାକୁ ହେବ, ଦି’ଜଣଙ୍କ ପାଇଁ-। ନଇଲେ ହେବ ପକ୍ଷପାତ, ଅବିଚାର ।

 

ଦୁଇଟା ପାନପାତ୍ର ଅତି ନିକଟକୁ ଲାଗିଆସେ–ଦୁଇଟା ଗ୍ଲାସ୍‍ର ଆଘାତ ସୃଷ୍ଠି କରେ କି ଏକ କ୍ଷୀଣ ଅସ୍ପଷ୍ଟ, ଅନିର୍ବଚନୀୟ କ୍ଷଣିକ ଗୁଞ୍ଜନ ! ଗ୍ଲାସ୍ ଭିତରେ ଚହଲି ଉଠେ ଚଞ୍ଚଳ ସୁରା । ତାହାରି ଭଳି ଚଞ୍ଚଳ ଢଳ ଢଳ ଉଷାର ଜୀବନ କାହାଣୀ । କେଉଁଠୁ ଆରମ୍ଭ ହୋଇ ସେ ଯେ କେଉଁଠି ସରିଛି– !!!

 

ବିଚିତ୍ର ସେଇ କାହାଣୀ ଭିତରେ ମୁଁ ମଧ୍ୟ ଗୋଟାଏ ବଡ଼ ଅଂଶ ଦଖଲ କରି ବସିଲି । ନିଜ ଇଚ୍ଛା ବିରୁଦ୍ଧରେ ଯେମିତି ଉଷାକୁ ଆଜିର ଏହି ଅବସ୍ଥାରେ କିଏ ପକାଇ ଦେଲା, ମୋତେ ମଧ୍ୟ ସେମିତି । ଦୁନିଆର ନୀତିବାଗୀଶମାନେ ନିଶ୍ଚୟ ଆମକୁ ନିନ୍ଦା କରିବେ; କାରଣ ଆମେ ଦୁର୍ବଳ, ଆମେ ଚରିତ୍ରହୀନ, ସୁଖର କାଙ୍ଗାଳ–ଆଉ ସେଇ ଅଳ୍ପ କେତେଜଣ ହେଲେ ଭାଗ୍ୟବାନ ସୁଖୀ ପୁରୁଷ–ଧର୍ମ ଅର୍ଥ କାମ ମୋକ୍ଷର ଅଧିକାରୀ ସେଇମାନେ । ଯେତେ ବଡ଼ ଆଦର୍ଶ ଦେଖାନ୍ତୁ ପଛେ, ଦୁନିଆକୁ ଭଲା ସେମାନେ କାଣିଚାଏ ବଦଳେଇ ପାରିଛନ୍ତି କି ? ଉଷା ପରି ହଜାର ହଜାର ଝିଅ ଯେ ଘରଛାଡ଼ି କୁଳଛାଡ଼ି ପଳାଇ ଆସନ୍ତି–କାହିଁକି ? କେଉଁଠି ତାଙ୍କୁ ଥଳକୁଳ ମିଳେ ନାହିଁ ବୋଲି ତ-?

 

ନିଜ ସ୍ୱାମୀକୁ ଖୋଜିବା ପାଇଁ ଆସି ଉଷା ଯେତେ ଲୋକଙ୍କ ହାତରେ ପଡ଼ିଲା, ଯେଉଁ ଦଶା ଭୋଗିଲା ସେଥିଲାଗି ଦାୟୀ କିଏ ?

 

କଲିକତା ଗାଡ଼ିର ସେଇ ରେଳଡବାରେ ତ ଅନେକ ପୁରୁଷ ଥିଲେ, କ’ଣ କଲେ ସେମାନେ ? ରେଳ ପୁଲିସ ଆଗରେ ସେଇମାନେ ତ ଆଗ ପହଲାକୁ ଚିହ୍ନା ପକେଇ ଦେଲେ । ଜଣେ ଯୁବତୀ ଝିଅକୁ ଘେନି ସେ କଲିକତାରେ କେଉଁଠି ବିକି ଦେବ ବୋଲି ତାଙ୍କରି ଭିତରୁ ଉଠିଲା ଅଭିଯୋଗ । ପୁଣି ଡବା ଭିତରେ ସବୁରି ଥଟ୍ଟା ତାମସାକୁ ମୁଣ୍ଡପାତି ଶୁଣି ହାତେ ଓଢ଼ଣା ଭିତରେ ଲୋଚିକୋଚି ହୋଇ ଭୟରେ ଦୁଃଖରେ ଯେ ଲୁହ ଅସରା ଢାଳୁଥିଲା, ସେଇ ଉଷା ପୁଣି ନିଜ ଦୁଆରୁ ନିକାଲି ଦେଇଛି, ସୈନ୍ୟବିଭାଗର ଜଣେ ଗୋରା ଅଫିସରକୁ । ଚଳନ୍ତା ରେଳ ଭିତରେ ସେଦିନ ସେ ଗୋଟିପଣେ ଥରୁଥାଏ–ମନେ ମନେ ଡାକୁଥାଏ, ହେ ଧରିତ୍ରୀ ! ତୁ ଦି’ଫାଳ ହୋଇଯା, ମୁଁ ତୋ ଭିତରେ ପଶିଯାଏଁ । କିନ୍ତୁ ଧରିତ୍ରୀ ଯାହା ପାଇଁ ଫାଟିଥିଲା ସେ ତ ବାରିକାଣୀ ଝିଅ ଉଷା ନୁହଁ–ମିଥିଳା ରାଜାର ଝିଅ–ଅଯୋଧ୍ୟା ରାଜାର ବୋହୂ ।

 

କହୁ କହୁ ଉଷା ମୁହଁରେ କେତେପ୍ରକାର ଛାଇ ପଡ଼ିଯାଏ–ଘୃଣା, ଭୟ, ଦୁଃଖ, ଲଜ୍ଜା, ଅପମାନ ଚିତ୍ରକର ତୁଳି ମଧ୍ୟ ସେଠାରେ ହାରିଯିବ । ମୋର ଭାଷା ଉପରେ ଅବା କି ଦଖଲ ଅଛି-?

 

ଗାଡ଼ି ଆସି ହାବଡ଼ା ଷ୍ଟେସନରେ ପହଞ୍ଚିଲା । ସେହି ମୁହୂର୍ତ୍ତରୁ ଉଷା ଏକାବେଳେ ଅଲଗା ହୋଇଗଲା ତା’ର ସମୁଦାୟ ଅତୀତଠାରୁ । ଜୀବନ ରଙ୍ଗମଞ୍ଚରେ ଦେଖାଗଲା ନୂଆ ଅଭିନୟ । ଯେଉଁ ସିପାହୀ ଜଣଙ୍କ ତାହାର ସ୍ୱାମୀକୁ ଖୋଜି ବାହାର କରିବ ବୋଲି ଉଷାକୁ ଥାନାକୁ ଘେନିଗଲା, ସେ ତ ଥାନା ନୁହଁ–ସେଠାରେ ଆହୁରି କେତେଜଣ ସିପାହୀ, ପଞ୍ଜାବୀ ଡ୍ରାଇଭର, ହୋଟେଲ ମାଲିକ, କଳଚାଳକ ଘରଭଡ଼ା ନେଇ ରହିଛନ୍ତି ।

 

ଉଷାର ଜୀବନ କାହାଣୀ ସରେ ନାହିଁ । କେଉଁ କାହାଣୀ କେବେ ହେଲେ ସରିଛି ଭଲା-?

 

ସେ କହି ଚାଲେ । ଓଠ ମୋର ଲାଗିରହେ ଚାହା-କପରେ ଆଉ ଆଖି ଦି’ଟା ତା’ରି ଲିପ୍‍ଷ୍ଟିକ୍ ରଞ୍ଜିତ ଓଠରେ । ସେଇ କୃତ୍ରିମ ଓଷ୍ଠ ଦିଓଟି ସୁଦ୍ଧା ତାହାର ଭୟାବହ ମର୍ମନ୍ତୁଦ ଜୀବନ-କାହାଣୀ ବଖାଣିବାକୁ ମଝିରେ ମଝିରେ ସଙ୍କୁଚିତ ହୋଇ ପଡ଼ୁଥାଏ ।

 

“ତୁମେ ଏତେ ସଂକୋଚ କରୁଚ କାହିଁକି ? ମଣିଷ ଜୀବନଟା ଯେ ପାଣିସୁଅ ଭଳି କେତେ ଖାଲ ଢିପ ଡେଇଁ କେବେ ପୁଣି ଆଉକେତେ ସୁଅରେ ମିଶି ଏକ ହୋଇଯାଏ । ତା’ପରେ ଖଣ୍ଡେଦୂର ଯାଇ ପୁଣି ତାହା ଫାଙ୍କ ହୋଇ ନିଆରା ନିଆରା ରାସ୍ତା ଧରେ । ତମ ମୋ ଜୀବନ ସେମିତି ଗଡ଼ି ଗଡ଼ି ଆସି ଗୋଟାଏ ଥାନରେ ମିଶିଛି, ପୁଣି ହୁଏତ କେଉଁଦିନ ଫରକ ହୋଇଯିବ ।”

 

“ଯାହା କହନ୍ତୁ ଆପଣ ! ସବୁକଥା କ’ଣ କେବେହେଲେ ଖୋଲା ଖୋଲି କହି ହୁଏ କି-? ତେବେ ଆଉ ଭଦ୍ରସମାଜ ହୋଇ ରହିବ କ’ଣ ? ପ୍ରକାଶ କରିଦେଲେ ଯେ ସମସ୍ତେ ଆମେ ହୋଇ ପଡ଼ିବା ଅପରାଧୀ !”

 

କଲିକତା ସହର । ଉଷା ଯେଉଁଠି ଆସି ରହିଲା, ସେଠାରେ ବଖରା ଲେଖାଁ ଘରେ ଚାରି ପାଞ୍ଚଟା ପିଲା ଝିଲା ଘେନି ମଧ୍ୟ ଲୋକ ଅଛନ୍ତି । ପହିଲେ ସେ ଶୁଣିଲା, ଖୁବ୍‍ କଅଁଳ କଥା ସେହି ସିପାହୀ ଜଣଙ୍କ ମୁହଁରୁ । ଅଧା ବଙ୍ଗଳା, ଅଧା ହିନ୍ଦୀ ଭାଷାରେ । ସେ ଯେ ଉଷାର ସ୍ୱାମୀକୁ ପାଇବା ପାଇଁ ବହୁତ ଧାଁଧପଡ଼ ଲଗାଇଛି, ଏମିତ ଛଳନା ବହୁତ କଲା; କିନ୍ତୁ ତା’ର ଅସଲ ମତଲବ୍‍ ବୁଝିବାକୁ ଉଷାର ବେଶି ଡେରି ହେଲା ନାହିଁ । ସିପାହୀଟାର ଜବରଦସ୍ତି ଅତ୍ୟାଚାରରେ ଏହି ଅସହାୟା ମଫସଲି ଝିଅଟି ଆତ୍ମହତ୍ୟା କରିବାକୁ ବାଟ ଖୋଜିଲା; ହେଲେ ଆତ୍ମହତ୍ୟା କାରିବାକୁ ଥାନ କାହିଁ ? ଉପାୟ କାହିଁ ?

 

ଏହି ଅବସ୍ଥାରେ ଜୁଟିଗଲା ଜଣେ ହୋଟେଲ ମାଲିକ । ଆଗରୁ କଥାବାର୍ତ୍ତା କରି ଗୋଟିଏ ରାତିରେ ସେ ପଳାଇ ଆସେ । ସିପାହୀଟାର ସେ ରାତିରେ ଥାଏ ପହରା ଡିଉଟି । ଖୋଜି ଖୋଜି ଚାରି ଛ’ଦିନ ପରେ ସିପାହୀଟା ସେଇଠି ଯାଇଁ ପହଞ୍ଚିଲା ଯେଉଁଠାକୁ ଉଷା ପଳାଇଥିଲା ।

 

ହୋଟେଲ ମାଲିକ ସାଥିରେ ସିପାହୀର ଯେଉଁ ହାତାହାତି ଲଢ଼େଇ ଲାଗିଗଲା, ତାହା ମଧ୍ୟ ଉଷା ଦେଖିଛି । କାଠ ପିତୁଳା ପରି । ଆହୁରି କେତେ ଲୋକ ସେଠାରେ ରୁଣ୍ଡ ହୋଇଗଲେ, ସିଆଡ଼କୁ ତା’ର ନଜର ନ ଥିଲା । ଉଷାକୁ ଆପଣାର ସ୍ତ୍ରୀ ବୋଲି କହି ସିପାହୀଟା ଝିଙ୍କି ଆଣିଲା । ଅଜଣା ଅଶୁଣା ଏହି ସହର ମଝିରେ ପାଟି ଫିଟାଇ ପ୍ରତିବାଦ କରିବାକୁ ଉଷାର ସାହସ ପାଇଲା ନାହିଁ । ଘରକୁ ଆଣି ସିପାହୀଟା ସବୁତକ ରାଗ ସାଧି ଦେଲା ଉଷା ଉପରେ । ତା’ର ନିର୍ମମ ମାଡ଼ରେ ଉଷା ବେହୋସ ହୋଇପଡ଼େ । ଘର ଭିତରେ ତାକୁ କଚାଡ଼ି ଦେଇ ତାଲା ଠୁଙ୍କି ସିପାହୀଟା ଚାଲିଯାଏ ଆପଣା କାମରେ ।

 

ଉଷାର କଥା ସରେ ନାହିଁ । କଥା ଶୁଣିବାକୁ ମୋର ଆଗ୍ରହ ଆହୁରି ବେଶି ବଢ଼ି ଉଠେ ଆରବ୍ୟ ଉପନ୍ୟାସ ଭଳି । ଏହାରି ଭିତରେ ସେ ପୁଣି ଏତେ ବେଶି ଦେଖିଲାଣି, ସହିଲାଣି ! ମୋରି ଯିବା ଆସିବା ବାଟରେ ପଡ଼େ ଘରଟା ତା’ର । ଏଣିକି ମୋ ଘରଟାକୁ ଏକରକମ୍ ଏଟମ୍ ଜିମା ଛାଡ଼ିଦେଲି । ଖାଇବା, ବୁଲିବା, ସିନେମା, ଥିଏଟର ସବୁଠାରେ ଶୁଣିଲି ଉଷାର ଉପନ୍ୟାସ, ତାରି ନିଜ ମୁହଁରୁ ।

 

ସେଦିନ ଉଷାର ଯେମିତି ହୋସ ଆସିଲା–ସେ ଆଖି ଫିଟାଏ, ଘରଟାରେ କେହି ନାହିଁ, ଦେହଯାକ ମାଡ଼ରେ ଫୁଲି ଦରଜ । ସେଇ ସାନ କୋଠରୀଟା ଭିତରେ ଯେଉଁଠି ଅନ୍ଧାରର କଲିଜା ଚିରି ସେ ଡାକି ଉଠେ–ପାଣି ! ପାଣି ! ବିରାଟ କଲିକତା ନଗରୀରେ ଜଣେ ହେଲେ କେହି ଶୁଣନ୍ତିନି ସେ ଡାକ ।

 

ଟ୍ରାମ୍ ମଟରର ଅବିଶ୍ରାନ୍ତ ଶବ୍ଦ ଭିତରେ ସେ ଡାକ କାହିଁ ମିଳାଇଯାଏ । ତଣ୍ଟି ଓଦା କରିବାକୁ ପାଣି ବୁନ୍ଦାଏ ମିଳେ ନାହିଁ ତାକୁ । ଚଟାଣ ଉପରେ ଦରାଣ୍ଡି ଦରାଣ୍ଡି ଯେଉଁଠିକି ସେ ହାତ ବଢ଼ାଇଥିଲା ପାଣି ଟୋପାଏ ଲାଗି–ପାଣି ବଦଳରେ ତାକୁ ମିଳିଲା ଗୋଟାଏ ନିଆଁ–ପ୍ରତିହିଂସା ଅଲିଭା ନିଆଁ ।

 

ତା’ପରେ ହଠାତ୍ ଦିନେ ଥାନାରେ ଯାଇ ସେ ହାଜର । ସିପାହୀ ବିରୁଦ୍ଧରେ ତା’ର ଫେରାଦି । ସାକ୍ଷୀ ହେଲା ସେହି ହୋଟେଲ ମାଲିକ, ଆହୁରି କେତେ ଦେଖିବା ଲୋକ । ଏହି କାମରେ ତାକୁ ବୁଦ୍ଧି ସାହସ ଯୋଗାଇ ଥିଲା ତା’ର ପଡ଼ିଶାଘରର ଗୋଟିଏ ବୁଢ଼ୀ । ସିପାହୀଟା ଚାକିରିରୁ ତଡ଼ା ଖାଇ ଗିରଫ ହେଲା । ଉଷା ରହିଲା ଆସି ବୁଢ଼ୀ ପାଖରେ ।

 

ବୁଢ଼ୀ ଥିଲା ଗୋଟିଏ ଗଣିକା ବ୍ୟବସାୟୀ । ଉଷାର ଅତୀତ ସିନା ଆଗରୁ ତୁଟି ଯାଇଥିଲା, ଏବେ ଭବିଷ୍ୟତ ଗଢ଼ାହେଲା ସେହି ବୁଢ଼ୀ ଜରିଆରେ । ଗଢ଼ାହେଲା କି ଭଙ୍ଗାହେଲା ସେ ବୁଝିପାରେନି–ସେତେବେଳେ ତା’ ପାଖରେ ଆପଦ, ନିରାପଦ, ମାନ, ଅପମାନ, ଭୟ, ଅଭୟ, କୁଳ, ଅକୁଳର ଫରକ୍ ସବୁ ଘୁଞ୍ଚି ଯାଇଥିଲା ।

 

ସେ ଗୋଟାଏ ନୂଆ ଜୀବନ, ନୂଆ ଦୁନିଆ–ଯହିଁରେ ପୁରୁଣାର ଟିକିଏ ସୁଦ୍ଧା ଗନ୍ଧ ନାହିଁ-। ଉଷାର ଗୀତ ଶୁଣିବାକୁ–ସେତେବେଳେ ଜୁଟିଲେ କେତେ ନାମଜାଦା ଓସ୍ତାଦ୍ । ତା’ର ନାଚ ଦେଖି ଚଞ୍ଚଳ ପାଦ ଯୋଡ଼ିକୁ ଚାହିଁ ରହିବାକୁ ଅଳିକଲେ କେତେ କୋଟିପତି, ସେଠ୍, ରାଜା, ଜମିଦାର ।

 

ସବୁଠାରୁ ମୋତେ ତାରିଫ୍ ବୋଧ ହେଲା, ଉଷାର ବିଚକ୍ଷଣ ବୁଦ୍ଧି । ଓଡ଼ିଶା ମଫସଲ ଗାଁର ସେଇ ଗରିବ ଘର ଝିଅଟି ! ଅବସ୍ଥା-ଚକ୍ରରେ ଏଇ ମଣିଷ ପୁଣି କ’ଣ ନ ହୁଏ । ଏକା ଉଷା କାହିଁକି ଖୋଜି ବସିଲେ, ଅଭାବ ଦୁଃଖରେ ଆହୁରି କେତେ କାରଣରୁ ଓଡ଼ିଶାର କେଉଁ କଣରୁ କେତେ ଝିଅ ଯେ ଏମିତି ପଳାଇ ଆସନ୍ତି, ହିସାବ ତାଙ୍କର କିଏ ରଖେ । ଉଷା ପାଖରେ ସେମିତି କେତେ ଝିଅଙ୍କ ଖବର ପହଞ୍ଚେ । ସେହି ପ୍ରକାଣ୍ଡ କୋଠା ଭିତରେ ବି ଅନେକ ଓଡ଼ିଆ ଝିଅ, ବଙ୍ଗାଳୀ, ହିନ୍ଦୁସ୍ଥାନୀ ଝିଅଙ୍କ ସାଥିରେ ମିଶି ଯାଇଛନ୍ତି; ଭାଷାରେ ବ୍ୟବହାରରେ ତାଙ୍କୁ ଠଉରେଇବାର ଉପାୟ ନାହିଁ । ମନୁଷ୍ୟ ଯେଉଁ ସମାଜ ଗଢ଼େ, ନୀତି ନିୟମ ବାଢ଼େ, ତାହାର କେଉଁଠି ଆରମ୍ଭ ହୋଇ ଶେଷ ହୁଏ ଆସି ଏଇଠାରେ ?

 

ସମାଜ-ଜୀବନର ଏଇ ଦିଗଟାକୁ ଓଲଟପାଲଟ କରି ଦେଖିବା ଲାଗି ସେତେବେଳ ମୋର ଯେଉଁ କୌତୂହଳ ଥିଲା ଆଜି ତାହା ମଉଳି ଯାଇଛି । ଯାହା ଆଜି ପୋଡ଼ି ପାଉଁଶ ହୋଇ ଗଲାଣି, ସେଇ ପାଉଁଶକୁ ଉଖାରି ମୁଁ ଯେଉଁ ଅସ୍ଥିଖଣ୍ଡ ପାଉଛି, ଆପଣା ମନବୋଧ ପାଇଁ ତାହାରି ବୟାନ କରୁଛି ଏଠାରେ ।

 

ସେଦିନ ସଖାଳୁଆ ବୁଲି ବାହାରି ଉଷା ଘରେ ବସି ମୁଁ ଚାହା ଖାଉଥାଏ । ସବୁଦିନ ପରି ସେଦିନ ମଧ୍ୟ ଆମ ଭିତରେ ଉଠୁଥାଏ ହସ ଖୁସିର ହିଲ୍ଲୋଳ । ଉଷା ପୁଣି ତା’ର ସେହି ଦୃଷ୍ଟି ଭଙ୍ଗିରେ ଜିଦ୍ କଲା ହଁ, ଆପଣଙ୍କୁ ନିଶ୍ଚୟ ଫେରିଯିବାକୁ ହେବ । କଲିକତା ତ ଆପଣଙ୍କର ଘର ନୁହେଁ ।

 

“କଲିକତା ସହର କାହାରି ଘର ନୁହେଁ ଉଷା, ପୁଣି ଦାବି କରି ବସିଲେ ଏହା ଆମର ସବୁରି ଘର । ତେବେ ଫେରିବାକୁ ହେଲେ ମୁଁ ଏକା ଫେରିବି କାହିଁକି, କହିଲ ଦେଖି ?”

 

“ଆଉ କ’ଣ ତେବେ ଦୋକା ?” ଉଷା ପଚାରେ ହସି ହସି ।

 

“ହଁ, ନିଶ୍ଚୟ !” ଜବାବ ଦେଲି ମୁଁ ।

 

“ଆଉ କାହାକୁ ସାଥିରେ ନେବେ, କହୁନାହାନ୍ତି ?”

 

“କାହିଁକି ତୁମକୁ ।”

 

“ମତେ ?” ହସି ହସି ଉଷା ପୁଣି ଲୋଟିଯାଏ–ହସର ଜୋରରେ ଆଖି ତା’ର ଲୁହ ଢଳ ଢଳ ହୋଇପଡ଼େ । ହସ ସଙ୍ଗେ କାନ୍ଦ ମିଶିଯାଇ ଉଷା ଦିଶେ ଆହୁରି, ସୁନ୍ଦର, ଅନ୍ଧାର ସାଥିରେ ଆଲୁଅ ମିଶି ଜନ୍ମ ଲଭେ ଉଷା–ଅନେକ ଭାବିଚିନ୍ତି ଉଷାର ନାଁଟାକୁ ଯେମିତି ଅବା କିଏ ଦେଇଥିଲା, ତା’ର ସ୍ଵଭାବ ସଙ୍ଗେ ଯୋଡ଼ିଦେଇ । ଆଲୁଅ-ଅନ୍ଧାର ହସ-କାନ୍ଦର ଧୂପ ଛାୟା ଭଳି ଆଜି ସେ ମତେ ଜଣାପଡ଼ୁଚି । ଆପଣା ଆଖିର ବାମ୍ଫକୁ ରୁମାଲ କାନିରେ ସେ ପୋଛିଦିଏ, “ମତେ ପୁଣି ଫେରିବାକୁ ହେବ କେଉଁ ଗାତକୁ ? କଲିକତା ଯେମିତି ମୋର ଘର ନୁହେଁ, ଗାଆଁକୁ ଗଲେ କିଏ ମତେ ଅବା ଠା ଟିକିଏ ଦେବ ? ମୁଁ ଯେ ଅଘୋରୀ ।”

 

“ଆଉ ମୁଁ ? ଏଠାରେ ମୋର କି ଅଭାବ ଅଛି ଯେ, ମୁଁ ଆଜି କଲିକତା ଛାଡ଼ି ଘରକୁ ଯିବାପାଇଁ ମନ କରିବି ?”

 

“କାହିଁକି । ଆପଣଙ୍କର ତ ଘର ସଂସାର, ସ୍ତ୍ରୀ ପରିବାର ସମସ୍ତେ ଅଛନ୍ତି । କହଲେ ଦେଖି, ଦେଈଙ୍କୁ ଆପଣ ଏମିତି ଛାଡ଼ି ରହିବାଟା କ’ଣ ଉଚିତ ? ଯୋଡ଼ିଏ ଯୋଡ଼ିଏ ପିଲାଙ୍କୁ ଘେନି ସେ ରହିବେ କେଉଁ ମଫସଲ ଗାଆଁରେ, ଆଉ ଆପଣ କଲିକତାରେ । ଦେଈଙ୍କ ଭଳି ସତୀସାବିତ୍ରୀଙ୍କୁ ଛାଡ଼ି କଲିକତା ସହରର ରୂପ-ବଜାରରେ ଆପଣ ସଉଦା କରି ବୁଲିବେ–ନା, ନା, ଏଟା ଆଦୌ ଠିକ୍‍ ନୁହେଁ ।” ଉଷାର କଥାରେ କଦାପି ଛଳନା ନ ଥିଲା । ଅତି ଆପଣାର ଲୋକ ବୋଲି ସେ ଯେମିତି ମତେ କୋବଲଉ ଥାଏ ।

 

“ତୁମକୁ କେତେଥର କହିଛି ଉଷା । ମୋର ସବୁ ଥାଇଁ କିଛି ନ ଥିଲାପରି । ମୁଁ ଆଜି ଜଣେ ସତକୁ ସତ ରୂପର କାଙ୍ଗାଳ, ସ୍ନେହ ମମତାର ଭିକାରୀ । ତମର କିନ୍ତୁ କିଛି ନ ଥାଇ ସଂସାରଟାକୁ ଆପଣାର କରି ନେଇଛ । ଅଥଚ ମୋ ସଂସାରରେ ଏତେ ଅଛନ୍ତି–ମୋ ଭଳି ତୁମେ ମଧ୍ୟ ବିଭା ହୋଇଥିଲ ତ–ତମର ଭଲା କାହିଁକି ଏକଥା କହିଲ ଦେଖି ?”

 

ଛି, ଛି, କାହା ସାଥିରେ କାହାର ତୁଳନା–କାହିଁ ରାଣୀ, କାହିଁ ଚନ୍ଦର କାଣୀ ।”

 

“କିଏ ରାଣୀ, କିଏ କାଣୀ ସେ ଫରକ ମୁଁ ଆଲୋଚନା କରୁନାହିଁ ତ ! ମୁଁ କହୁଛି, ବିବାହ କରନ୍ତି ପ୍ରାୟ ସମସ୍ତେ, କାଣିଚାଏ ସୁଦ୍ଧା ଯାହାଙ୍କର ସୁବିଧା ଅଛି । ଆଉ ଏଇ ବିବାହଟା ହେଲା ମଣିଷ ସମାଜର ଅବା ସଭ୍ୟତାର ସବୁଠାରୁ ପୁରୁଣା ପ୍ରଥା । ସମାଜ ଆଉ ରାଷ୍ଟ୍ର ଭିତରେ କେତେ ପୁରୁଣା ପ୍ରଥା ପୋପରା ହୋଇ ଖସି ପଡ଼ିଲାଣି । ଆଉ କେତେଟା ବହୁତ ମଜାଘଷା ହୋଇ ଶେଷରେ କଇଁଛ ଭଳି ଟାଣୁଆ ପିଠି ପତେଇ ପଡ଼ି ରହିଛି । କେତେବେଳ ଗୋଡ଼ ଚାରିଟା କାଢ଼ି ଟିକିଏ ଚାଲୁଛି ତ, ପରେ କିଛି ଆଘାତର ଭୟ ଥିଲେ ଯାକିଯୁକି ହୋଇ ପଡ଼ିରହିଛି । ବିବାହ ପ୍ରଥାଟା କଇଁଛ ପିଠି ଭଳି ଟାଣୁଆ ଧରିଗଲାଣି, ବୁଝିଲ ଉଷା ?”

 

“ନା, ମୁଁ କିମିତି ବୁଝିବି, କହିଲେ ? ଆପଣ ବାହା ହେଇସାରି ଘର ସଂସାର କଲା ପରେ ତାକୁ ପୁରୁଣା ପଚା କହି ଛାଡ଼ି ଚାଲି ଆସିଛନ୍ତି । ଆଉ ମୁଁ ? ମୁଁ ଯେ ବାହାହେଇ ଘର ସଂସାର କରିବାକୁ ଦୁନିଆଯାକ ଖୋଜି ବୁଲୁଛି, କେଉଁଠି ତାକୁ ପାଇବି ବୋଲି । ତେବେ ଭଲା ମତେ କାହିଁକି ସେ ପ୍ରଥାଟା ପଚା ପୁରୁଣା ବୋଧ ହେବ ? ସେତ ଏବେସୁଦ୍ଧା ମୋ ପାଇଁ ନୂଆ, ଏବେସୁଦ୍ଧା ଗୋଟେ ଅଜଣା ରହସ୍ୟ–ଆପଣଙ୍କ ପାଖରେ ସିନା ସେ ଭୋଜବିଦ୍ୟାର ମର୍ମ ଫିଟି ପଡ଼ିଛି । ମୋ ଆଗରେ ତ ସେ ଜଉମୁଦ–“ଦିଲ୍ଲୀକା ଲଡ଼ୁ ।”

 

“ସତ କହିଲ ଉଷା ! ବିବାହଟା ଏକ ଦିଲ୍ଲୀକା ଲଡ଼ୁ–ତୁମେ ଅଧା ଚାଖି ପସ୍ତାଉଚ, ମୁଁ ଚାଖିସାରି ପସ୍ତାଉଚି । ଥରେ ବିଭା ହୋଇଗଲେ ତେଣିକି ବୋଧହୁଏ ପୁରୁଷ ପକ୍ଷରେ ସ୍ତ୍ରୀ, କି ସ୍ତ୍ରୀ ପକ୍ଷରେ ପୁରୁଷ ଅପରିହାର୍ଯ୍ୟ ଯେତେ ସତୀସାଧ୍ୱୀ ହେଲେ ବି ଭିକ୍ଷାଶୀ ପୁରୁଷର ଛଳନା କାକୁତିକୁ ଏଡ଼ି ନ ପାରି ଦାନଶୀଳା ନାରୀ ଭିକ୍ଷା ଦେବାକୁ ଆସି ଅପହୃତା ହୁଏ, ପୁଣି ଯେତେ ଏକପତ୍ନୀ-ବ୍ରତ ହେଲେ ବି ପୁରୁଷର ଲୋଡ଼ା ହୁଏ ଅନ୍ତତଃ ଗୋଟିଏ ସୁନାର ପ୍ରତିମା ।”

 

“ଆପଣ ସେ ରାମାୟଣ, ମହାଭାରତ କଥା କହି ମତେ ଭୁଲାନ୍ତୁ ନାହିଁ ।”

 

“ତୁମକୁ ମୁଁ ଭୁଲାଇଲେ ବି ତୁମେ ଯେ ଭୁଲିବ ନାହିଁ, ତାହା ମୁଁ ଜାଣେ । ଆହୁରି ମଧ୍ୟ ଜାଣେ ଯେ ଆମେ ରାମାୟଣ ମହାଭାରତ ଯୁଗର ମଣିଷ ନୋହୁ, ଆମେ ଆଜିର ମଣିଷ । ହୁଏତ କେବେ ଆମକୁ ନୂଆ ଜୀବନ ଖୋଜିବାପାଇଁ ପୁଣି ସେଇ ରାମାୟଣ ମହାଭାରତ ଯୁଗକୁ ଫେରିବାକୁ ପଡ଼ିବ । ତାହା ବୋଲି ଆଜିକୁ ଆମେ ଏଡ଼ି ଦେଇପାରିବା ନାହିଁ । କାଲିଠାରୁ ପଛେ ଆଜିଟା ଯେତେ ଅସହ୍ୟ ହେଉ, ମୃତ୍ୟୁଠାରୁ ପଛେ ଜୀବନଟା ଯେତେ ଭୀଷଣ ତାହାରି ଆଡ଼କୁ ଆଗେଇ ଯିବାକୁ ହେବ ଆମକୁ ।”

 

ଟିପୟ ଉପରେ ଖବର କାଗଜ ପଡ଼ିଥିଲା । ସେ ଖଣ୍ଡ ଉଠାଇ ନେଇ ଉଷା ଚାହା କପରେ ନିଜର ଲିପ୍‍ଷ୍ଟିକ୍-ରଞ୍ଜିତ ବିମ୍ବାଧରକୁ ବୁଡ଼ାଇଲା । ହଠାତ୍ ଚମକି ପଡ଼ି ସେ କହିଲା, ‘‘ଏ କ’ଣ ଦେଖିଲଣି ?”

 

ସେତେବେଳଯାକେ ମୁଁ ଖବର କାଗଜ ଫିଟାଇ ନାହିଁ । ସକାଳ ସଞ୍ଜ, ଦିନ ରାତି ଉଷା ହିଁ ମୋର ସବୁ ଖବରର ଖଣି । ତାହାଠାରୁ କାଗଜଟା ଟାଣିନେଇ ଦେଖିଲି ! କାଗଜ ଉପରୁ ମୋ ଆଖି ଯେମିତି ଉଠିବାକୁ ଚାହେଁ ନାହିଁ । ଖବରଟାରେ ଅଛି, ଆମେରିକାରୁ ଗୋଟାଏ ଯାତ୍ରୀବାହୀ ଜାହାଜ ଫେରିବା ବାଟରେ ଶତ୍ରୁର ବୋମା ମାଡ଼ରେ ଜଳମଗ୍ନ । ଯାତ୍ରୀମାନଙ୍କ ଭିତରେ ଓଡ଼ିଶାର ଜଣେ ଯୁବକ ତୁହିନ ଶେଖର ପ୍ରାଣ ହରାଇଛନ୍ତି । ତାଙ୍କର ପିତା ବିଧୁଶେଖର ବର୍ମା ସୀମାନ୍ତରେ ଆଜାଦ୍‍ହିନ୍ଦ ଫୌଜରେ ଯୋଗଦେଇ ମୃତ୍ୟୁ ବରଣ କରିଥିଲେ । ତୁହିନଶେଖରଙ୍କ ବାଗଦତ୍ତାପତ୍ନୀ ଶ୍ରୀମତୀ ଗୌରୀ ଦେବୀ କିଛିକାଳ ପୂର୍ବେ ପିକେଟିଂ କରି ରାଜନୈତିକ ଅପରାଧରେ ବନ୍ଦୀ ହୋଇଥିଲେ । ବାରମ୍ବାର ଏଇ ସମ୍ବାଦ ଉପରେ ଆଖି ବୁଲାଇ ମଧ୍ୟ ମୁଁ ବିଶ୍ୱାସ କରିନାହିଁ । ଗୌରୀ, ତୁହିନ, ମଦନବାବୁ, ବିଧୁଶେଖର–କିଏ ସତ କିଏ ମିଛ ମନୁଷ୍ୟର ଆଶା ଆକାଙ୍‍କ୍ଷା ସୁଖ ଦୁଃଖ, ସ୍ନେହ ମମତା କାହୁଁ ଆସି ସେସବୁ କାହିଁ ପୁଣି ମିଳାଇ ଯାଏ–କିଛି କୁଆଡ଼ୁ ମୁଁ ଠିକ୍‍ରୂପେ ଠଉରେଇ ପାରିଲି ନାହିଁ, ସବୁ ଗୋଳମାଳ ହୋଇଗଲା ।

 

ବୋଧହୁଏ ଦୁନିଆର ପ୍ରଖର ଅନିଶ୍ଚୟତା ମଝିରେ ଆପଣାକୁ ଟିକିଏ ଥୟ କରି ଦେଖିପାରିବା ପାଇଁ ମଣିଷ ଚେଷ୍ଟାକରେ ଏଇଥିଲାଗି । ମୋ ଆଗରେ ବସିରହି ଉଷା କାଠ ପିତୁଳା ପରି ଅନେଇଥାଏ । ତାହାରି ପ୍ରଶ୍ନରେହିଁ ମୋର ଚେତନା ଆସିଲା । ‘‘ଗୌରୀ ଦେଈ କ’ଣ ଆଜିଯାକେ ଜେଲ୍‍ରୁ ଖଲାସ ହୋଇନାହାନ୍ତି ? ଆପଣ ତ କେବେହେଲେ ମତେ କାହିଁକି ତାହା କହି ନ ଥିଲେ ?”

 

କିଏ କେତେଥର ଜେଲ୍‍ ଯାଉଛି, ପୁଣି ଖଲାସ ହୋଇ ଆସୁଛି, ତାହା ସିନା ଖବରକାଗଜରେ ବାହାରିବା କଥା, ସେ ହିସାବ ମନେ ରଖିବାକୁ କାହାର ଅବା ତର ଅଛି ? ବର୍ଷେ ଦେଢ଼ବର୍ଷର କଥା ହେଲାଣି । ସେତେବେଳକୁ ମୁଁ ତୁମ ଘରକୁ ଆସି ନ ଥାଏ, କି ତମର କିଛି ଖବର ପାଇ ନ ଥାଏ । ଓଡ଼ିଆ ଖବର କାଗଜ ପଢ଼ି ମନେ ହେଉଥାଏ, ଯେମିତି ତାଙ୍କର ଜେଲ୍‍ ଯିବା ଛଡ଼ା ଆଉକିଛି କାମ ନାହିଁ । ଯାହା କହ, ଝିଅମାନଙ୍କ ରାଜନୀତିରେ ପଶିବାକୁ ମୁଁ ବଡ଼ ନାପସନ୍ଦ କରେ । ଜାଣ ଉଷା, ଗୌରୀ ଦେବୀ ରାଜନୀତିରେ ଯେପରି ଯୋଗ ଦେଇଥିଲେ, ତାଙ୍କର ତ ବହୁତ ଆଗରୁ ଜେଲ୍ ଯିବା କଥା । ଆଉ ତୁହିନ ବାବୁଙ୍କ ସଙ୍ଗେ ତାଙ୍କର ସମ୍ବନ୍ଧ ଘନେଇ ଆସିବାରୁ ଜେଲ୍ ଯିବଟା ଟିକିଏ ଅଟକି ଯାଇଥିଲା ସିନା, ନଇଲେ ସେ କ’ଣ କେବେହେଲେ ଥିର ହୋଇ ରହିବା ଜନ୍ତୁ ? ଝିଅ ଜନ୍ମ କରି ଗୌରୀ ଦେବୀଙ୍କ ପାଇଁ ମଦନବାବୁଙ୍କର ଯେଉଁ ଉଦବେଗ, ସେସବୁ ନିଜେ ମୁଁ ଜାଣିଛି । ଶୁଣିଛି ପୁଣି ତାଙ୍କରି ମୁହଁରୁ ।

 

“ତାଙ୍କର ପରା କ’ଣ ବାହାଘର ହେବ ବୋଲି ସବୁ ଠିକ୍ ହୋଇ ସାରିଥିଲା ?”

 

“କେଉଁଟା ଠିକ୍, କିଏ ବେଠିକ୍, କହିପାରିବି ନାହିଁ ମୁଁ ସେସବୁ । ହେଲେ, ଗୌରୀ ଦେବୀ ଯେମିତି ତୁହିନ ବାବୁଙ୍କ ଆମେରିକା ଯିବାକୁ ତକେଇ ରହିଥିଲେ । ତାଙ୍କ ଯିବା ପଛେ ପଛେ ନିଜେ ଏଣେ ଚାଲିଲେ ଜେଲ୍ ଭିତରକୁ ।” ଚାହକପ୍‍ ମୁହଁରେ ଦୁଇଥର ମୃଦୁ ଚୁମ୍ବନ ଦେଇ ଉଷା ଆଗରେ ମୁଁ ନିଜ ଚିନ୍ତାର ବହାଦୁରି ଦେଖାଏ–ଏଇ ଜେଲ୍‍ ଯିବାର ବିଶେଷତ୍ୱଟା ଯେ କେଉଁଠି ଅଛି, ତାହା ଆଜିଯାକେ ବୁଝିବାକୁ ମୁଁ ସମର୍ଥ ହୋଇପାରିଲି ନାହିଁ । ଦୁନିଆରେ କେଉଁ ଜଣକ ଭଲା ଜେଲ୍ ଯିବା ପାଇଁ ଉପଯୁକ୍ତ ନୁହେଁ, କହିଲ ? ଆମରି କଥା ବିଚାର କର–ତୁମେ ଆଉ ମୁଁ–ଆମେ କ’ଣ ଜେଲ୍‍ ଗଲାଭଳି ଅପରାଧ କରି ନ ଥାଇଁ–? ବରଂ ଜେଲ୍‍କୁ ଏଡ଼ି ରହିପାରିବାଟା ସିନା ବହାଦୁରି । ଯେମିତି ଆମଭଳି କୋଟି କୋଟି ଲୋକ ରହିପାରିଛନ୍ତି । ଧରା ପଡ଼ିଥିବା କେଇଜଣ ବୋକା ଅପରାଧୀଙ୍କ ପାଇଁ ସିନା ଜେଲ୍ ହୋଇଛି । ନଇଲେ ସବୁ ଅପରାଧୀଙ୍କ ପାଇଁ ସେଠାରେ ଥାନ କାହିଁ ?”

 

ମୋ ଯୁକ୍ତିରେ ଉଷା କାନ ଦିଏ ନାହିଁ, ଗୌରୀର ଚିନ୍ତା ତାକୁ ଗ୍ରାସ କରିବସେ ।

 

“ଏବେ ଯେଉଁ ଦୁର୍ଦ୍ଧଶା ଘଟିଲା କ’ଣ ହେବ ତାଙ୍କର ? ଓଃ କେଉଁ ଜଣକ ଯେ ସୁଖରେ ଅଛି । ପିଲାଦିନୁ ମୁଁ ଗୌରୀ ଦେବୀଙ୍କୁ ଦେଖିଚି । କାହାରି ଟିକିଏ ଦୁଃଖ କଷ୍ଟ ହେଲେ ସେ ସହିପାରନ୍ତି ନାହିଁ । ଗାଆଁରେ କାହାରି ଦିହ ଦୁଃଖ କି ଗର୍ଭକଷ୍ଟ ହେଲାତ ତା’ଘରେ ଛାଏଁ ଛାଏଁ ଯାଇ ଦି’ଟା–କାମ କରିଆସିବେ । ତାଙ୍କରି କପାଳରେ ଥିଲା ଏତିକି ଦୁଃଖ !”

 

“ପୁଣି ତୁହିନ ବାବୁ ! କେତେ ଆଶା କେତେ କଳ୍ପନା ଘେନି ସେ ବିଦେଶ ଯାଇଥିଲେ, ଭାବିଲ ଉଷା, ଦୁଃଖ ହୁଏ ମୋର ତାଙ୍କରି ପାଇଁ ! ଆହା ବିଚାରା ! ବିଦେଶରୁ ଫେରି ସେ ବଡ଼ ଚାକିରି ପାଇବେ ବୋଲି ସମସ୍ତେ ଚାହିଁ ବସିଥିଲେ ।”

 

“ଇସ୍ ! ତାଙ୍କ ମା’ଙ୍କର ଅବସ୍ଥା ଆଜି କ’ଣ ହୋଇଥିବା ।” ସ୍ୱାମୀ ଯାଇଥିଲେ ଏବେ ପୁଣି ସେ ପୁଅକୁ ହରାଇଲେ, ସେ କ’ଣ ଆଉ ବଞ୍ଚିବେ ?”

 

“ନିଶ୍ଚୟ ବଞ୍ଚିବେ, ତାଙ୍କଠାରୁ ଆହୁରି ଦୁଃଖକଷ୍ଟ ପାଇ ଲକ୍ଷ ଲକ୍ଷ ଲୋକ ତ ବଞ୍ଚିରହିଛନ୍ତି ।”

 

କଲିକତା ସହରରେ ଉଷା ସଙ୍ଗେ ମୋର ଏଇ କଥାବାର୍ତ୍ତା ଚାଲିଥିଲାବେଳେ ଓଡ଼ିଶାର ଏକ ଦୂର ମଫସଲ ଗାଁରେ ତୁହିନର ମା ବେହୋସ୍ ହୋଇପଡ଼ିଥାନ୍ତି । ତାଙ୍କ ପାଖରେ ମିନି ଛଡ଼ା ଆଉ କେହି ନାହିଁ । ପରିବାରର ଅବଶେଷ ସେଇ ଗୋଟିଏ ବୋଲି ଝିଅ । ଗୌରୀକୁ ସେ ଦି’ଆଖିରେ ଦେଖିପାରେ ନାହିଁ, ଘରର ସବୁ ବିପଦ ଅକଲ୍ୟାଣ ପାଇଁ ମିନି ବରାବର ଦାୟୀ କରି ଆସିଛି ଗୌରୀକୁ, ସେଇ ଏ ଘରେ ପାଦ ଦେଲା ଦିନୁଁ ଘରଟାର ଶିରୀ ତୁଟିଗଲା । ବୋଉକୁ ତା’ର ସେ କଥା କାନେ କାନେ ବୁଝାଇବାକୁ ମିନି ଛାଡ଼ି ନାହିଁ । ଗୌରୀର ଆଗରେ ପଛରେ ଦେଖେଇ ଶିଖେଇ ଛିଗୁଲେଇ ବିଗୁଲେଇ ସେ ବହୁତ କଥା କହେ ।

 

ତୁହିନ ଆମେରିକା ଯିବା ଆଗରୁ ମିନିର ଗୌରୀ ପ୍ରତି ଏହିପରି ବ୍ୟବହାର ଜାଣିଥିଲା । ସେଥିପାଇଁ ସେ କେତେଥର ଭଉଣୀକୁ ବୁଝାଇଚି । ଦୁଃଖ କରିଚି ବୋଉ ପାଖରେ, ତାଥାପି ମିନି ବଦଳି ନାହିଁ । ଶେଷରେ ଅବସ୍ଥା ଏପରି ହେଲା; ଗୌରୀ ପକ୍ଷରେ ତୁହିନର ଘରକୁ ଯିବା ମଧ୍ୟ ଅସମମ୍ଭବ ହୋଇପଡ଼ିଲା । ସେ ବିଦେଶରେ ଥିବାବେଳେ ଗୌରୀ ତା’ର ମାଆଙ୍କ ଯତ୍ନ ନେବାକୁ ଯେଉଁ ଦାୟିତ୍ୱ ନେଇଥିଲା, ସେତକ ବି ତୁଲାଇ ପାରିଲା ନାହିଁ ।

 

ମିନି କଥାକୁ ସେ କୌଣସି ଦିନ ଗୁରୁତ୍ୱ ଦେଉନଥିଲା । ବିଦେଶ ଯିବା ଆଗରୁ ତୁହିନ ଯେବେ ବିଦାୟ ନେଲା ସେଦିନ ମିନିର ବ୍ୟବହାରରେ ଗୌରୀ କ୍ଷୁଣ୍ଣ ହୋଇ ପଡ଼ିଥାଏ । ତାହା ଅନୁମାନ କରି ତୁହିନ କହିଥିଲା, ଗୌରୀ ! ମିନି ମୋର ଯେବେ ଭଉଣୀ, ତମର କ’ଣ ନୁହେଁ ? –ତୁମେ ତାକୁ କ୍ଷମା କର ।” ସେଇକଥା ମନେରଖି ଗୌରୀ ତାକୁ ବରାବର କ୍ଷମା କରିଆସିଛି; କିନ୍ତୁ କ୍ଷମା ନ ଚାହୁଁଥିବା ଲୋକକୁ ଅଯାଚିତ ଭାବରେ କ୍ଷମା କରିବାର ଅର୍ଥ ଗୌରୀ ପାଖରେ ଦୁର୍ବୋଧ୍ୟ ହୋଇପଡ଼େ–ଯାହାକୁ ସାଧାରଣ କଥାରେ କହନ୍ତି, ମାଗି ଓଳିଗି ଯାଚି କଲ୍ୟାଣ । ଶେଷରେ ଯେଉଁଦିନ ମିନି କବାଟ ବନ୍ଦ କରି ଗୌରୀକୁ ଘର ଭିତରକୁ ଛାଡ଼ିଲା ନାହିଁ, ତାହା ପରଠାରୁ ନିଜ ପାଇଁ ଜେଲ୍‍ଖାନା ଛଡ଼ା ଗୌରୀ ଆଉ କିଛି ସ୍ଥାନ ଖୋଜି ନାହଁ ।

 

ଆଜି ତୁହିନର ଶେଷଖବର ପାଇ ସେ ନିଜ ଗାଁରୁ ଦଶ ମାଇଲ ବାଟ ଚାଲି ଚାଲି ଆସିଛି ମାଆକୁ ଦେଖିବ ବୋଲି । ହେଲେ ଆଜି ବି ତାହାପାଇଁ ତୁହିନ ଘରର ଦୁଆର ବନ୍ଦ ହୋଇଗଲା । ଆଜି ବି ତା’ର ଭଉଣୀ ମିନି କବାଟ ଫିଟାଇଲା ନାହିଁ । ଘରୁ ସେ ଚାକରାଣୀ ହାତରେ କହି ପଠାଇଲା, ‘‘ଯା କହିଦେବୁ ସେଇ ଅଲକ୍ଷଣୀ ଯୋଗରୁ ମୋର ବାପ ମଲା; ଭାଇ ମଲା, ଏବେ ମାଆ ବଞ୍ଚିବ କି ମରିବ ଠିକ୍ ନାହିଁ । କହି ଦେ, ଆଜିଠୁଁ ସେ ଆଉ ଆମ ଘରକୁ ମୁହାଁଇବ ନାହିଁ । ତାକୁ ଏଣିକି ବଡ଼ଦାଣ୍ତ ଯୋଗ ଅଛି ।”

 

ଗୌରୀ ଯେମିତି ଚାଲି ଚାଲି ଯାଇଥିଲା, ତୁହିନ ପାଖରେ ଆଗରୁ ଦେଇଥିବା ନିଜ ପ୍ରତିଶ୍ରୁତି ରଖିବା ପାଇଁ ସେମିତି ସେ ଫେରି ଆସିଲା ମିନିର ଅନୁରୋଧ ଶୁଣି । ଏଥର ନିଜ ଘରକୁ ନୁହେଁ ସତକୁ ସତ ବଡ଼ଦାଣ୍ଡକୁ ! କାର୍ତ୍ତିକ ମାସର ସନ୍ଧ୍ୟା । ଆକାଶରେ ଅନେକ ଦୀପାଳି । ତଳେ ବଡ଼ଦାଣ୍ଡର ନାଲି ଧୂଳି । ସେଇ ଧୂଳି ଉପରେ ପାଦ ରଖିଲା ଗୌରୀ । ବଡ଼ଦାଣ୍ଡର ଧୂଳିକୁ ଛୁଇଁ ପତିତମାନେ ଉଦ୍ଧାର ପାନ୍ତି । ଗୌରୀ ଆଜି ତାଙ୍କ ଭିତରୁ ଜଣେ । ସେଇଥିପାଇଁ ମିନି ତାକୁ ପଠାଇ ଦେଇଛି ବଡ଼ଦାଣ୍ଡକୁ । ଗୌରୀ ନିଜ ମୁଣ୍ଡରେ ସେ ଧୂଳିରୁ ଟିକିଏ ଲଗାଇଲା । ଆଖିରୁ ଦି’ଟୋପା ଲୁହ ଗଡ଼ାଇବାକୁ ଚେଷ୍ଟାକଲା; ମାତ୍ର ପାରିଲା ନାହିଁ । ବଡ଼ଦେଉଳଆଡ଼କୁ ଚାହିଁ ନମସ୍କାର କଲା । ତାରା ଆଲୁଅରେ ବଡ଼ଦେଉଳର ସିଲୋହ୍ୟେଟ୍ ମାତ୍ର ଦେଖାଯାଉଛି । ସେଇ ଦେଉଳରେ କେତେଥର ତୁହିନ ସାଥିରେ ତା’ରି ଭେଟ । ଚାହିଁ ପାରିଲା ନାହିଁ ସେ ତେଣିକି ।

 

କେତେଦିନୁ ଗୌରୀ ନିଜର ବାପା ମାଙ୍କୁ ହରାଇଛି । ଶେଷରେ ଆଜି ତୁହିନକୁ । ତା’ର ସମୁଦାୟ ସଂସାରକୁ ଯେମିତି ସେ ହରାଇ ବସିଲା । ଆଉ ସେଥିସଙ୍ଗେ ଆପଣାକୁ ବି ! ପୁଣି ସେଇ ସଂସାରକୁ ଆପଣାକୁ ଫେରି ପାଇବାକୁ ହେବ । ନ ହେଲେ ତ ବଞ୍ଚି ରହିବା ଅସମ୍ଭବ । ନିଜକୁ ଫେରି ପାଇବା ପାଇଁ ଅସୀମ ସାଧନା ଧୈର୍ଯ୍ୟ ସାହସ ସଂଯମ ପରା ଲୋଡ଼ା । ସେତକ ହାସଲ କରିବା ପାଇଁ ମଣିଷ ଯେଉଁ ପ୍ରୟାସ କରେ, ତାହାହିଁ ହେଲା ତା’ର ଅସଲ ଦୁଃଖ । ସେହି ଦୁଃଖହିଁ ପ୍ରିୟଜନ ବିଚ୍ଛେଦରେ କିମ୍ବା ପ୍ରିୟବସ୍ତୁକୁ ହରାଇ ମଣିଷର କାନ୍ଦିବାର କାରଣ । ନ ହେଲେ, କିଏ ନ ଜାଣେ, ଯେତେ କାନ୍ଦି ମୁଣ୍ଡ କୋଡ଼ି ହେଲେ ବି ମଲା ମଣିଷ ଲେଉଟି ଆସେନାହିଁ, କି ହଜିଲା ଧନ ଖୋଜିଲେ ମିଳେ ନାହିଁ ।

 

ମନେପଡ଼ିଲା ତୁହିନର ଯୁକ୍ତି । ସେଇ ସେ ସମୁଦ୍ର-ଗଭୀର ପ୍ରଶାନ୍ତ ସଜଳ ଚଞ୍ଚଳ ସାଗର ଆଉ ତା’ର ମଧୁର ଅଧୀର କୋମଳ ଅଧର ଭଳି ବିସ୍ତୃତ ବାଲୁକା ବେଳା । ସେହି ବେଳାଭୂମି ଉପରେ ବସି ତୁହିନ ସାଥିରେ ତା’ର କେତେସନ୍ଧ୍ୟା ଗଭୀର ରାତି ପାଲଟି ଯାଇଛି, କେତେଛାୟା ଅନ୍ଧାର ହୋଇପଡ଼ିଚି, କେତେ ଚନ୍ଦ୍ରୋଦୟ ଜ୍ୟୋତ୍ସ୍ନାମୟ ହୋଇ ହସାଇଛି ଧରଣୀକୁ । ସେଇ ଦିଗରେ ଗୌରୀର ଗୋଡ଼ ଦି’ଟା ଯେମିତି ଆଜି ରାତି ଅନ୍ଧାରରେ ତାକୁ ଟାଣି ଓଟାରି ଘେନିଗଲା ଅନିଚ୍ଛାରେ ଅଜଣାରେ । ଶୁଣାଗଲା ଲହଡ଼ିର ଗର୍ଜନ–ଆଉ ତା’ରି ସଙ୍ଗେ ଭାସି ଆସିଲା, ଆକାଶରୁ ଖସି ଏଇ ଜଳସମାଧିରେ ଅଦୃଶ୍ୟ ହୋଇପଡ଼ିଥିବା ତୁହିନର କଥା–“ମଣିଷ କାହିଁକି କାନ୍ଦେ ଜାଣ କି ଗୌରୀ ? ଯାହା ଚିରକାଳ ପାଇଁ ହଜିଗଲା ତାହା ପାଇଁ ନୁହଁ । ଯାହା ସାଥିରେ ଆଉଥରେ ଭେଟ ହେବ ନାହିଁ ତାହା ଲାଗି ନୁହେଁ–ପ୍ରିୟଜନ ସାଥିରେ ପ୍ରିୟବସ୍ତୁର ସ୍ମୃତିରେ ମଣିଷ ଯେ ଆପଣା ମୁଁ ଟିକି ହଜାଇ ଦେଇଥାଏ, ସେହି ମୁଁକୁ ଆଉରି ଥରେ କିପରି ଫେରିପାଇବ ସେଇଥିଲାଗି ସେ କାନ୍ଦେ” ।

 

ଆମ ଗାଆଁ, ଘର, ସାବିତ୍ରୀ–ଆଉ ମୋର ପୁଅ ଦିଓଟିଙ୍କ କଥା–ହଁ–ଏସବୁ ପ୍ରାୟ ପାସୋର ହୋଇଯାଇଥାଏ–ଅଥବା ମୁଁ ଇଚ୍ଛାକରି ପାସୋରି ପକାଇ ଥାଏ । ଯେହେତୁ ମନେପକାଇବାକୁ କିଛିମାତ୍ର ବିଷୟ ନ ଥିଲା । ଅନେକ ଦିନୁଁ ତ ଦୁଇ ତରଫରୁ ଚିଠି ଲେଖା ବନ୍ଦ । ଖାଲି ଆମ ଗାଁରୁ କି ଗାଁ ପାଖରୁ କିଏ କେବେ କଲିକତା ଗଲେ ଅଇଲେ ତାଙ୍କ ମୁହଁରୁ ଯେତିକି ଖବର ମିଳେ । ତା’ଛଡ଼ା କାହାରିକୁ କିଛି ପଚାରି ବୁଝିବା ଆଗ୍ରହ ମୋର ନ ଥିଲା । ଆମ ସ୍ତ୍ରୀ ପୁରୁଷଙ୍କ ମଝିରେ ଅଭିମାନର ଯେଉଁ ପାଚେରୀଟା ଛିଡ଼ାହୋଇଥିଲା କ୍ରମେ ତାହା ଉଚ୍ଚକୁ ଉଚ୍ଚକୁ ଉଠିଯାଇ ବୋଧହୁଏ ଲାଗିଗଲା କେଉଁ ସୂର୍ଯ୍ୟଲୋକରେ । ତାକୁ ଭେଦ କରିବାକୁ କାହାରି ପଟୁ ଚେଷ୍ଟା ହେଲାନାହିଁ ମୋ ପଟୁ ନ ହେବାର କାରଣ ଥିଲା ସେତେବେଳେ ଅନେକ । କଲିକତା ସହରରେ ଯେଉଁ ଲୋକର ଟଙ୍କାର ଅଭାବ ନାହିଁ, ସେ ଅବା ସ୍ତ୍ରୀର ଅଭାବ ଅନୁଭବ କରିବ କାହିଁକି-? ସାବିତ୍ରୀ ପଟରେ ମଧ୍ୟ ତହିଁରୁ ବୋଧହୁଏ କିଛି କମ୍ କାରଣ ନ ଥିଲା । ଟଙ୍କାର ଅଭାବ ସାଙ୍ଗକୁ ତା’ର ଅଭାବ ସଂଖ୍ୟା ଏତେବେଶି ହୋଇପଡ଼ିଥିଲା ଯେ ମୋ ଉପସ୍ଥିତିର ଅଭାବଟା ତା’ରି ଭିତରେ ଏକପ୍ରକାର ଉଭେଇ ଯାଇଥିଲା । ଶୁଣିଲି, ସାବିତ୍ରୀ ଅନେକ ଦିନ ମାରାତ୍ମକ ବେମାରରେ ପଡ଼ି ବି ମୋତେ ସେ ଖବର ଦେଇନାହିଁ । ଏମିତିକି ବଡ଼ପୁଅ ନୀରଦ ମୋତେ ଚିଠି ଲେଖି ତାହା ଜଣାଇବାକୁ ଗଲାବେଳେ, ସାବିତ୍ରୀ ତାକୁ ବାଧା ଦେଇଛି । ଥରେ ମୁଁ କିଛି ଟଙ୍କା ଘରକୁ ପଠାଇଥାଏଁ । ବୋଧହୁଏ ଚାରିଶହ ଟଙ୍କା; କିନ୍ତୁ ସାବିତ୍ରୀ ମନିଅଡ଼ରଟାକୁ ଫେରାଇ ଦେଲା-। ତାହାର ଦର୍ପ ଦେଖି ମୋର ଆହତ ଆତ୍ମା ଭୀଷଣ ଭାବରେ ଜଳିଉଠିଲା । ସେହିଦିନୁ ଆଉ ସେମାନଙ୍କୁ ସାହାଯ୍ୟ କରିବା ମୋ ପକ୍ଷରେ ଆବଶ୍ୟକ ହୋଇନାହିଁ ।

 

ବଡ଼ପୁଅ ନୀରଦ ପଢ଼ୁଥାଏ, ଆମ ଗାଆଁ ପାଖରେ ନୂଆ ହୋଇ ବସିଥିବା ଏକ ହାଇସ୍କୁଲରେ । ଆମ ଗାଆଁକୁ ଦୁଇମାଇଲ ଅଢ଼େଇ ମାଇଲ ବାଟ । ତାହାର ପଢ଼ା ଖର୍ଚ୍ଚ, ଦରମା, ବହିପତ୍ର, ସାବିତ୍ରୀ କିପରି ଜୁଟାଏ–ସେ ଖବର ମୋତେ ସେ ଦେଇନାହିଁ । ମୋର ଅବା ତାହା ବୁଝିବା କି ଗରଜ ?

ସାବିତ୍ରୀ ନିଜଗଢ଼ା ସଂସାର ଭିତରେ ଆପଣାକୁ ହଜାଇ ଦେଇଥାଏ । ସାଙ୍ଗ ସାଥି କାହାରି ଖବର ରଖିବା କେବେ ତା’ର ଲୋଡ଼ା ପଡ଼ିନାହିଁ । ଯାହାକୁ କହନ୍ତି ପୂରାପୂରି ଆତ୍ମକୈନ୍ଦ୍ରିକ-। ଆପଣା ଘରବାଡ଼ି ପିଲା-ଯୋଡ଼ିଙ୍କୁ ଘେନି ସେ ଯେଉଁ ଛୋଟ ସଂସାରଟି ଗଢ଼ିଥାଏ, ତା’ ବାହାରକୁ ଯିବାପାଇଁ କିଛି କାରଣ ନ ଥାଏ ତା’ର । ଯେଉଁଦିନ ସେ ନୀରଦ ମୁହଁରୁ ଶୁଣିଲା, ତାଙ୍କ ଇସ୍କୁଲକୁ ଜଣେ ନୂଆ ମାଷ୍ଟରାଣୀ ଆସିଛନ୍ତି, ସେ କଥା ତା’କାନରେ ପଶିଲା ନାହିଁ । ଆଉଦିନେ ପୁଅ ସ୍କୁଲରୁ ଫେରିବା ବେଳ ଜାଣି ସେ ଜଳଖିଆ ସଜାଡ଼ୁଛି, ନୀରଦ ଘରେ ପଶିଯାଇ କହିଲା, ‘‘ବୋଉ ! ସ୍କୁଲକୁ ଆମ ସେ ଯେଉଁ ମାଷ୍ଟରାଣୀ ଆସି ନାହାନ୍ତି ?”

‘‘ହଉ ଆସିଲେ ତ ହେଲା କ’ଣ ? ତୁ ଆଗ ପାଟିକି ଗଣ୍ଡାଏ ନେଲୁ । ନଇଲେ ଦଗଧ ଉଠିଯିବ ଭୋକ ମରିଯାଇ ।’’ ସାବିତ୍ରୀ ଗୋଟାଏ ଭୋଗେଇରେ ମୁଢ଼ି ଉଖୁଡ଼ା ପୂରାଇ ପୁଅ ହାତକୁ ବଢ଼ାଇ ଦେଲା । ତା’ପରେ କୁଲା ଖଣ୍ଡେ ଧରି ଚାଉଳ ପାଛୁଡ଼ି ବସିଲା । ମୁଠାଏ ମୁଢ଼ି ଉଖୁଡ଼ା ପାଟିରେ ପୂରାଇ ନୀରଦ କହିଲା, ‘‘ଶୁଣୁଚୁ ବୋଉ ! ସେ ତୋ କଥା ବହୁତ ପଚାରୁଥିଲେ । ଭାରି ଭଲ ମଣିଷ ସେ, କହୁଥିଲେ ତତେ କୁଆଡ଼େ ସେ ଭଲକରି ଚିହ୍ନିଛନ୍ତି” ।

“ମତେ ଚିହ୍ନିଛନ୍ତି ! କିଏ ମ ସେ ?’’ ଏଥର ଯେମିତି ସାବିତ୍ରୀର ହୋସ୍‍ ଆସିଲା, ସେ କିଛି ଠିକ୍ କରିପାରିଲା ନାହିଁ । ଚାଉଳ ପାଛୁଡ଼ୁ ପାଛୁଡ଼ୁ ପୁଅ ମୁହଁକୁ ଚାହିଁ ରହିଲା ।

“ହଁଲୋ ବୋଉ ! ଆମ କ୍ଲାସ୍‍କୁ ସେ ଆଜି ଆସିଲେ । ଜଣ ଜଣ କରି ସବୁ ପିଲାଙ୍କର ନାଁ ଗାଁ ବାପ ମା’ଙ୍କ କଥା ପଚାରିଲେ । କ୍ଲାସ୍ ଶେଷରେ ମତେ ଡାକିନେଇ ଭାରି ଆଦର କଲେ । ତୁ କେମିତି ଅଛୁ, ଆମ ଘର ଚଳୁଛି କିମିତି, ବାପା କେଉଁଠି କ’ଣ କରୁଛନ୍ତି, ଘରକୁ ଆସନ୍ତି କି ନାହିଁ, ଚିଠିପତ୍ର ଟଙ୍କାକଉଡ଼ି ପଠାନ୍ତି କି ନାହିଁ ସବୁକଥା ପଚାରିଲେ ।’’

ସାବିତ୍ରୀର ପଛକଥା ଜାଲୁଜାଲୁଆ ମନେପଡ଼ିଲା, କିଏ ସେ ମାଷ୍ଟରାଣୀ ? ଆଜି ସାବିତ୍ରୀର ଯିଏ ଖବର ନେବାର କଥା, ସେ ତ ତାକୁ ଏକାବେଳେ ପାସୋରି ପକାଇଚି, ଆଉ କେଉଁ କାଳର ଜଣାଶୁଣା ଏ କିଏ ? ହଁ ଆଜିକାଲି ତ କେତେ ନୂଆସ୍କୁଲ ନୂଆ ନୂଆ ମାଷ୍ଟର ମାଷ୍ଟରାଣୀ ବାହାରିଲେଣି । କେଉଁ ମାଷ୍ଟରାଣୀ ସାଥିରେ କେବେ ତା’ର ଚିହ୍ନାପରିଚ ହେଲେ ହୋଇଥିବ । ‘‘ସେ ଆଉ କ’ଣ ପଚାରୁଥିଲେ, କହିଲୁ ?” ସାବିତ୍ରୀର ଟିକିଏ ଆଗ୍ରହ ବଢ଼ିଲା । ପିଲାଦିନର କେତେ ଲୋକ, କେତେ ସାଙ୍ଗ ସୁଖ କିଏ କାହିଁ ଉଭେଇ ଗଲେଣି । କଥାରେ କହନ୍ତି, ‘‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ ।’’ ସେଇ ଦଇବ ଦଉଡ଼ି କେଉଁ ମଣିଷକୁ କେତେଆଡ଼େ ଓଟାରି ନିଏ, କେତେ ଅତି ନିକଟକୁ ସବୁଠାରୁ ଦୂରରେ ଛାଡ଼ିଆସେ, ଆଉ କାହାକୁ କେଉଁ ଅଜଣା ଅଶୁଣା ଦୂରରୁ ଟାଣି ଘେନି ଆସେ ଏକାବେଳେ ପାଖକୁ ।

ନୀରଦ କହିଲା, ‘‘ତୁ ତାଙ୍କୁ କିମିତି ଚିହ୍ନିପାରୁନୁ ବୋଉ ? ଆମରି ମାମୁଁଘର ଗାଁରେ କୁଆଡ଼େ ତାଙ୍କରି ଘର; ପିଲାଦିନୁ ଦିହେଁ ସାଥିହୋଇ ପଢ଼ୁଥିଲ ତମରି ଗାଁ ସ୍କୁଲରେ । ତୋର କିଛି ମନେ ନାହିଁ ?”

“ଆମେ କେତେ ପିଲା ତ ସାଙ୍ଗ ହୋଇ ପଢ଼ୁଥିଲୁରେ । ସେଠୁଁ କିଏ କେଉଁଆଡ଼େ ଚାଲି ଗଲେଣି । ସବୁରି କଥା ମୋ ମନେରହିବ କିମିତି ?” ସାବିତ୍ରୀର ସ୍ୱରରେ ମିଶିଥାଏ ଗୋଟାଏ ଅକ୍ଷମତାର ଅନୁନୟ । ଏଇ ଅନୁନୟର ଭୀରୁତା ସାଥିରେ ଆନୁସଙ୍ଗିକ ସଂଶୟ ଯେମିତି ମିଶିଯାଇ ଅବା ପାଲଟି ଗଲା ଅବିଚଳିତ ସୁଦୃଢ଼ ଆତ୍ମପ୍ରତ୍ୟୟରେ । ସାବିତ୍ରୀ ହଠାତ୍ ପଚାରି ବସିଲା, ‘‘କ’ଣ ତାଙ୍କ ନାଁ କହିଲୁ ? ସେ ତ ଗୌରୀ ନୁହେଁ ? ଗୌରୀ କାହିଁକି ଏ ମଫସଲି ଅନ୍ଧାର ମୁଲକକୁ ଆସନ୍ତା ।’’

 

“ହଁ ଲୋ ବୋଉ ! ମୋର ବି ହେଜ ନ ଥିଲା । ତୁ ତ ତାଙ୍କରି କଥା କେତେଥର ମତେ କହିଥିବୁ । ସେ କୁଆଡ଼େ ଖାସା ମଣିଷ–ଭାରି ପର ଉପକାରୀ ନୁହଁ କି ? ହଁ, ହଁ, ସବୁ ସ୍କୁଲ ପିଲାଏ କ’ଣ କଥାବାର୍ତ୍ତା ହେଉଥିଲେ ତ–ତାଙ୍କ ନାଁ ବୋଧେ ଗୌରୀ ଦେବୀ ।’’

 

ସାବିତ୍ରୀ ହାତରେ କୁଲାଟା ଅଟକି ରହିଗଲା ଯେମିତି କେଉଁ ମନ୍ତ୍ରବଳରେ । ସେ ଆଉ ଚାଉଳ ପାଛୁଡ଼ି ପାରିଲା ନାହିଁ । ‘‘–ଗୌରୀ ? କ’ଣ କହିଲୁ ? ସେଇ ଆସିଛନ୍ତି ତମ ସ୍କୁଲକୁ ମାଷ୍ଟରାଣୀ ହୋଇ ?”

 

“ହଁ, ବୋଉ ! ତୋର ଯଦି ବିଶ୍ୱାସ ହେଉନାହିଁ, ମୁଁ ଏଛୁଣି ମୋହନକୁ ଡାକି ଆଣୁଛି, ତାକୁ ପଚାରି ସବୁକଥା ଶୁଣିବୁ ।’’

 

ମୋହନ ନୀରଦର ପଢ଼ା ସାଥୀ, ଦୁହେଁ ନିତି ସାଥୀ ହୋଇ ସ୍କୁଲକୁ ଯାନ୍ତି, ସ୍କୁଲରୁ ଫେରନ୍ତି । ନୀରଦକୁ ସାକ୍ଷୀ ପ୍ରମାଣ ଦେବାକୁ ପଡ଼ିଲାନାହିଁ । ସାବିତ୍ରୀ ତା’ କଥାରେ ବିଶ୍ୱାସ ଯିବା ଜାଣିପାରି ଛାତି ତା’ର କୁଣ୍ଢେମୋଟ ହୋଇ ଫୁଲିଗଲା ।

 

“ସେ ପୁଣି କହିଛନ୍ତି ଆମ ଘରକୁ ଆସିବେ ଯେ ।’’ ନୀରଦ ଏଣିକି ଭାରି ଖୁସି ।

 

“ସତେ ? ଆମ ଘରକୁ ଆସିବେ ? କେବେ ? ତତେ ସେ କ’ଣ କହୁଥିଲେ ଏ କଥା-?’’

 

“ହଁ ଲୋ ବୋଉ ! ଏଇ ରଇବାର ଛୁଟିରେ ଆସିବେ । ତତେ ଦେଖିବାକୁ ତାଙ୍କର ଭାରି ମନ । ଆଜି ତ ମୋରି ସାଙ୍ଗରେ ବାହାରିଥିଲେ । ହେଲେ ନୂଆ ହୋଇ ଆସିଛନ୍ତି । ସେଥିପାଇଁ ତାଙ୍କର ସୁବିଧା ହେଲାନି । କେଉଁଠି ରହିବେ, କେଉଁଠି ଖାଇବେ, ଜିନିଷପତ୍ର ରଖିବେ, ଏସବୁ ଠିକ୍ ନ କରି କିମିତି ଆସନ୍ତେ ?” ‘‘କାହିଁକି ? ତାଙ୍କ ପାଇଁ ରହିବାକୁ କ’ଣ ଘର ଠିକଣା ହୋଇନଥିଲା-?’’ ପଚାରିଲା ସାବିତ୍ରୀ । ‘‘ଆରେ ! ତୁ କିମିତି ଓଲିଙ୍କ ଭଳି କଥା କହୁଚୁ ମ ବୋଉ ! ସେ କ’ଣ ମାଷ୍ଟର ହୋଇଛନ୍ତି ଯେ ଯେଉଁଠି ସେଠି ରହିଯିବେ ! ମାଷ୍ଟରାଣୀ ପରା !” ନୀରଦ ଖୁବ୍ ମୁରବିପଣିଆ ଦେଖାଇଲା ।

 

ଅନେକ ବର୍ଷ ହୋଇଗଲା ଗୌରୀର କିଛି ଖବର ସେ ପାଇନାହିଁ । ଯେବେ ଗୋଟାଏ ଉଡ଼ା ଖବର ଶୁଣିଥିଲା, ଗୌରୀର ବିବାହ ହୋଇଛି ତୁହିନ ସାଥୀରେ; ତାହା ପରଠାରୁ ଦିବାକର ତାକୁ ଛାଡ଼ି ଚାଲିଯାଇଛି । ଆପଣାର ଦୁଃଖବୋଝ ସାବିତ୍ରୀ ପାଇଁ ଏତେ ଭାରି ହୋଇପଡ଼ିଛି ଯେ, ଗୌରୀ ବିଷୟରେ ଆଉକିଛି ସେ ଶୁଣି ପାରିନାହିଁ । ଗୌରୀ ଯେ ବିଭା ହୋଇସାରି ଖୁବ୍ ସୁଖସ୍ୱାଚ୍ଛନ୍ଦରେ ରହିଛି, ଏଇ ଧାରଣାଇ ମୁଣ୍ଡରେ ତା’ର ଚେରମାଡ଼ି ବସିଥିଲା । ସେ ଆସି ଏଇ ନିଛାଟିଆ ଗାଁ ସ୍କୁଲରେ ଶିକ୍ଷକତା କରିବ କାହିଁକି ? ନାନା ସନ୍ଦେହ ଭିତରେ ସାବିତ୍ରୀ କିଛି ଠାବ କରିପାରିଲା ନାହିଁ ।

 

ରବିବାର ଦିନ ହାଣ୍ଡିଶାଳ ବାରଣ୍ଡାରେ ବସି ସେ ମୁଗ ଭାଜୁଚି, ପଛରୁ ନୀରଦ ଡାକିଲା, ‘‘ବୋଉ !” ନୀରଦର ସ୍ୱରଟା ଅସ୍ୱାଭାବିକରୂପେ ଉଚ୍ଚ ହୋଇପଡ଼ିଥାଏ ।

 

ବୁଲିପଡ଼ି ସାବିତ୍ରୀ ଚାହିଁଲା–ତା’ରି ଆଡ଼କୁ ଅତି ପରିଚିତ ହସ ହସି ଆଗେଇ ଆସୁଛି ଗୌରୀ ! ପିଲାଦିନ ଚେହେରାର ସେଇ ଛାଞ୍ଚଟା ଗୌରୀର ମୁହଁରେ ଆଖିରେ ଓଠରେ ନାକରେ ସେମିତି ଲାଖିଯାଇଛି ଅବା ! ସାବିତ୍ରୀ ମୁହଁରୁ କିଛି କଥା ବାହାରିଲା ନାହିଁ । ପିନ୍ଧିଥିବା କୋତରା ଲୁଗା କାନିଟାକୁ ଦେହରେ ଟିକିଏ ଟାଣି ସଜାଡ଼ି ଦେଇ ସେ ଛିଡ଼ାହେଲା । ପିଲାଦିନର ସେଇ ପୁରୁଣା ସାଥୀ ଗୌରୀ ଆଗରେ ଯେମିତି ସଂକୋଚରେ ସେ ସଢ଼ି ପଡ଼ିଲା । ଗୌରୀ ତା’ର ପାଖକୁ ଲାଗିଆସି ଆପଣାର ଗୋରା ତକତକ ହାତ ଦୁଇଟାରେ ସାବିତ୍ରୀକୁ ଜାବୁଡ଼ି ଧରିଲା । ଆଉ ଦୁହିଁଙ୍କ ଆଖିରୁ ଝର ଝର ହୋଇ ଗଡ଼ିପଡ଼ିଲା ଅସରନ୍ତି ଲୁହର ଧାରା । ସେହି ଲୁହଧାରା ଭିତରେ ହୁଏତ ଝରି ପଡ଼ିଥିଲା, କେତେ ଦୁଃଖ ଲାଞ୍ଛନା, ଅପମାନ–କେତେ ଅକଥନୀୟ ଅତୀତର ମରମଫଟା କାହାଣୀଜାଲ–କେତେ ବେଦନାର ଉତ୍ସ ଉବୁକି ଉଠିଥିଲା ତାହାରି ଭିତରେ ।

 

ଗୌରୀର ମଧ୍ୟ ଧାରଣା ନ ଥିଲା, ସେ ଆଜି ସାବିତ୍ରୀର ଏତେ ନିକଟକୁ ଆସିଯାଇଛି । ଦୁହିଁଙ୍କ ଜୀବନ-କାହାଣୀ ଦୁହିଁଙ୍କ ଆଗରେ ଫିଟି ପଡ଼ିଲା ।

 

ଆଜିଯାକେ ସାବିତ୍ରୀ ନିଜର ସ୍ୱାମୀ, ସନ୍ତାନ, ସଂସାର ନିଜର ଦୁଃଖ ସୁଖ ଛଡ଼ା ପ୍ରାୟ ଆଉକିଛି ଭାବୁ ନ ଥିଲା । ସେଇ ଏକା ଯେମିତି ଦୁନିଆରେ ସବୁଠୁ ବଡ଼ ଦୁଃଖିନୀ; କିନ୍ତୁ ଗୌରୀ ! ଗୌରୀର ଦୁଃଖ ପାଖରେ ତା’ ଦୁଃଖ କେଉଁ ତଳେ ଲୁଚି ଯାଇଛି । ରୂପ, ଗୁଣ, ବିଦ୍ୟା, ବୁଦ୍ଧି, କାହିଁରେ ଗୌରୀ ଊଣା ! କିନ୍ତୁ ଦୁନିଆ ଭିତରେ ଆଜି ସେ ବୋଧହୁଏ ସବୁଠାରୁ ଦୁଃଖିନୀ ।

 

ଗୋଟିଏ ଦିନରେ ଶେଷ ଯବନିକା ପଡ଼ିଚି, ଧରଣୀର ବିକ୍ଷତ ରକ୍ତାକ୍ତ ଅଭୁଲା ଅଭିନୟ ଉପରେ । ସଙ୍ଗେ ସଙ୍ଗେ ରିହିୟାର୍ସାଲ ଆରମ୍ଭ ହୋଇଛି, ଯେମିତି ଅବା ଆଉ ଏକ ବିରାଟତର ଅଭିନୟ ପାଇଁ । ତାହାରି ପ୍ରସ୍ତୁତି ଲାଗି ପୂର୍ବ ସୀମାନ୍ତରେ ନିଜକୁ ଉତ୍ସର୍ଗ କରିଥାନ୍ତି ହିରୋସୀମା ନାଗାସାକି । ସେହିଠାରେ ପହିଲିଥର ପାଇଁ ପରୀକ୍ଷା କରାହୁଏ ନୂଆ ଆଣବିକ ଅସ୍ତ୍ରର । ଆଉ ସେଇ ପରୀକ୍ଷାରେ ସହରଯୋଡ଼ିକ ଖାଲି ଯାହା ନିଜର ନାମ ଛାଡ଼ି ଦେଇ କ୍ଷଣକ ଭିତରେ ପୃଥିବୀ ସ୍ଲେଟ୍‍ରୁ ଚିରକାଳ ପାଇଁ ନିଭିଗଲେ । ପରେ ପରେ ଆସିଲା ଭାରତୀୟ ଜାତୀୟବାହିନୀର ବିଚାର-। ଯେତେ ଦୁର୍ବଳ ନିରସ୍ତ୍ର ହେଲେ ବି ସେଇ ଇତିହାସ-ପ୍ରସିଦ୍ଧ ଆଜାଦ ହିନ୍ଦ୍ ଫୌଜର ଦେଶ ଦ୍ରୋହ ଅପରାଧରେ ବିଚାର ଯେମିତି ଦେଶପ୍ରେମର ତୀବ୍ରବହ୍ନି ଜାଳିଦେଲା । ଦିଲ୍ଲୀର ଲାଲକିଲ୍ଲା ଭିତରୁ ଯେଉଁ ବହ୍ନିର ଉତ୍ପତ୍ତି ହୋଇ ବ୍ୟାପିଗଲା ଦେଶମୟ । ବାସ୍ତବିକ ଆଜାଦ ହିନ୍ଦ୍‍ ଫଉଜର ସେଇ ବିଚାରହିଁ ଜଗାଇ ଦେଇଥିଲା ବିଦେଶୀ ଶାସନ ବିରୁଦ୍ଧରେ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ସବୁଆଡ଼େ ଚରମ ଘୃଣା ଓ ପ୍ରତିବାଦ । –ଖୋଳିଥିଲା ଇଂରେଜ ସାମ୍ରାଜ୍ୟର ଅନ୍ତିମ ସମାଧିର ଗଭୀରତମ ଗର୍ତ୍ତ । ସେ ବହ୍ନିର ପ୍ରଥମ ପ୍ରକାଶ ଘଟେ ଭାରତୀୟ ନୌବାହିନୀର ବିଦ୍ରୋହ ରୂପରେ ସାମ୍ରାଜ୍ୟ ବିଲୋପର ତୃତୀୟ ଓ ଶେଷ ଘଣ୍ଟି ବଜାଇଦେଇ ।

 

ତାହାପରେ–ଚଳଚ୍ଚିତ୍ରର ରିଲ୍ ଭଳି କେଉଁଠି ଗୋଟାଏ ଘଟଣା ସରିଯାଇ ଆଉ ଗୋଟାକର ଆରମ୍ଭ, ସେସବୁ ମନେପକେଇବା ସହଜ ନୁହେଁ ଆଜି । ଅସ୍ଥାୟୀ ଜାତୀୟସରକାର ଗଢ଼ିବା ପାଇଁ ଇଂରେଜ ଶାସନକର୍ତ୍ତାମାନଙ୍କ ଉଦ୍ୟମ ଫଳରେ ତିନିଜଣିଆ ବ୍ରିଟିଶ୍‍ ମନ୍ତ୍ରୀ ମିଶନର ଭାରତ ଆଗମନ । କିନ୍ତୁ କଂଗ୍ରେସ ସେ ପ୍ରସ୍ତାବକୁ ଆଗ୍ରାହ୍ୟ କରିବାରୁ ତାଙ୍କର ପ୍ରତ୍ୟାବର୍ତ୍ତନ, ମୁସ୍‍ଲିମ ଲିଗ୍ ପୁଣି କଂଗ୍ରେସ ଦଳ ଭିତରେ ଟଣାଓଟରା ହୋଇ ଭାରତର ଭାଗ୍ୟ ଝୁଲୁଥାଏ ସୂତା ଖିଅଟାରେ ।

 

ସେତିକିବେଳେ ମାଡ଼ି ଆସିଲା ମୁସ୍‍ଲିମ ଲିଗ୍‍ର ରାଜନୈତିକ ବିକ୍ଷୋଭ–କଲିକତା ନଗରୀର ରାସ୍ତାଘାଟ ଗଳିକନ୍ଦି ସବୁଆଡ଼େ ଉଠିଲା ହତ୍ୟାର ହାହାକାର । ସବୁଆଡ଼େ ନାଚିଲା ଧର୍ମାନ୍ଧତାର କୁତ୍ସିତ ରୂପ । ଧର୍ମ ନାମରେ ସମ୍ପ୍ରଦାୟର ବାହାନା କରି ମଣିଷ ଭିତରର ପଶୁ ପ୍ରକୃତି ଉତ୍କଟ ହୋଇଉଠିଲା । ରକ୍ତ ! ରକ୍ତ ! ରକ୍ତ ! କି ଅମାନୁଷିକ ରକ୍ତର ଲାଳସା ! ମଣିଷର ରକ୍ତ ମଣିଷ ଲୋଡ଼ୁଚି–ପୈଶାଚିକ ସେ ରକ୍ତର ତୃଷା–ଅସହାୟା ନାରୀ, ଶିଶୁ ବୃଦ୍ଧ କାହାରି ନିସ୍ତାର ନାହିଁ ତହିଁରୁ । କଲିକତାର କଳ କାରଖାନା, ଦୋକାନ, ବଜାର, ରାସ୍ତା ଘର କାନ୍ଥ ଚଟାଣ ମଣିଷ ରକ୍ତରେ ଲାଲ ହୋଇ ଉଠିଥାଏ । ମଣିଷର ପ୍ରାଣହୀନ ରକ୍ତାକ୍ତ ଶବ ଗଡ଼ୁଥାଏ ଫୁଟ୍‍ପାଥ୍ କଡ଼ରେ । ମଣିଷ ତାହା ଦେଖି ନ ଦେଖିଲା ପରି ଚାଲି ଯାଉଚି । ପାଖ ଘରୁ ସ୍ତ୍ରୀ କଣ୍ଠର ଚିତ୍କାର ଉଠୁଚି । ଶିଶୁର ମରଣ କୁହାଟ ଶୁଭୁଚି । ବାଟୋଇ ତାହା ଶୁଣି ନ ଶୁଣିଲା ପରି ବାଟକାଟି ଚାଲିବାରେ ବ୍ୟସ୍ତ-। ଏଟା ଯେମିତି ତା’ର ସବୁ ଦିନର ଅଭ୍ୟାସ, ଆଜି କିଛି ନୂଆ ନୁହେଁ । ଧର୍ମ, ସମ୍ପ୍ରଦାୟ, ଜାତି, ବର୍ଣ୍ଣ ଖାଲି ବାହାନା ଭଳି ବୋଧହୁଏ । ଏ ସବୁକୁ କାଢ଼ିଦେଲେ ମଧ୍ୟ ମଣିଷ ମଣିଷକୁ ମାରିବ କୁଆଡ଼ୁ ହେଲେ କିଛି ଗୋଟାଏ ଆଳ କରି । କେଉଁଠି ଭୂମି ଲୋଭରେ ତ, ଆଉ କାହିଁ ଅର୍ଥ ଲୋଭରେ–ଯେଉଁଠି କିଛି ହେଲେ ଲାଭର ଆଶା ନାହିଁ ସେଠାରେ ଖାଲି ଆପଣା ବହାଦୁରି ଦେଖାଇବା, ମଣିଷ ମାରି ପାରିବାର ଶକ୍ତି ଜାହିର କରିବା ହେଲା ଅସଲ ଲକ୍ଷ୍ୟ ।

 

ଅହିଂସ ଭାରତ ଶତ ଅନିଚ୍ଛାସତ୍ତ୍ୱେ ଏହି ରକ୍ତାକ୍ତ ବାଟରେ ଶେଷକୁ ପାଦ ପକାଇଛି ସ୍ୱାଧୀନତାର ସିଂହାସନ ଉପରକୁ ।

 

ହିଂସାକୁ ଏଡ଼ିବା ପାଇଁ ମୂଳରୁହିଁ ତାହାର ଚେଷ୍ଟା ନ ହେଲେ ଆହୁରି କେତେ ଯେ ରକ୍ତ ତାକୁ ଢାଳିବାକୁ ହୋଇଥାନ୍ତା । ହିଂସାରୁହିଁ ସୃଷ୍ଟିର ଜନ୍ମ, ସେଇ ହିଂସା ଉପରେ ତା’ର ସ୍ଥିତି ଆଉ ଲୟ-। ସେଇଥିପାଇଁ ଅହିଂସା ନାମରେ ଗୋଟାଏ ନାସ୍ତିବାଚକ ବରୋଧାତ୍ମକ ଶବ୍ଦ ବୋଧହୁଏ ତିଆରି ହୋଇଛି । ଅସଲ ମୌଳିକ ଶବ୍ଦ ହେଲା ହିଂସା । 'ଅ’ଟିଏ ଯୋଡ଼ି ତା’ର ବିପରୀତ ଭାବ ପ୍ରକାଶ କରାଯାଇଛି ସିନା, ନଇଲେ ହିଂସା ବା ଯୁଦ୍ଧ ହେଲା ନିୟମ, ଅହିଂସା ଖାଲି ବ୍ୟତିକ୍ରମ । ଯୁଦ୍ଧରୁ ମଣିଷ କିଛିକାଳ ପାଇଁ ବିରତ ହେବା ବିଶ୍ରାମ ନେବାକୁ ଯୁଦ୍ଧ ଶେଷ ବୋଲି କୁହାଯାଏ । ଏହିପରି ଗୋଟିଏ ଦିନରେ ପୃଥିବୀ ମହାସମରର ପରସମାପ୍ତି–ଗୋଟିଏ ରାତିର ଭାରତକୁ କ୍ଷମତା ହସ୍ତାନ୍ତର–ଯୁଗ ଯୁଗ ବ୍ୟାପୀ ପରାଧୀନତାର ବିଲୟ, ଯୁଦ୍ଧର ବିଜୟ ଉତ୍ସବ ପରେ ଭାରତର ପତାକା ଉତ୍ସବ–ଦିଲ୍ଲୀର ଲାଲକିଲ୍ଲା ଉପରେ ଉଡ଼ିଚି ତ୍ରିରଙ୍ଗା ପତାକା । ଯେଉଁ ଲାଲକିଲ୍ଲାରେ ବନ୍ଦୀ ହୋଇଥିଲେ ସିପାହୀ-ବିଦ୍ରୋହର ନେତା, ପ୍ରଥମ ସ୍ୱାଧୀନତା ସମରର ଅନ୍ୟତମ ସହିଦ୍‍ ବାହାଦୂର ଶାହ । ଯେଉଁ ଲାଲକିଲ୍ଲାରେ ସେଦିନ ବିଚାର ହୋଇଥିଲା ଆଜାଦ ହିନ୍ଦ୍‍ ଫୌଜ ନେତାମାନଙ୍କର-

 

ଦେଶର ଏଇ ବାୟୁମଣ୍ଡଳ ଭିତରେ ଓଡ଼ିଶାର ଗୋଟିଏ ଅଜଣା ଅଶୁଣା ଛୋଟିଆ ଗାଆଁରେ ଗୌରୀ, ସାବିତ୍ରୀଙ୍କ ଭେଟ–ଭଙ୍ଗା ଗଢ଼ା ଦୁନିଆରେ ଦୁହିଁଙ୍କ ଭିତରେ ଅତୀତର ସେହି ପୁରୁଣା ବନ୍ଧୁତା ଗଢ଼ାହୁଏ ପୁଣି ନୂଆ ରୂପରେ । ଦୁହେଁ ପାସୋରି ପକାନ୍ତି ଆପଣ ଭିତରେ ଜମି ଉଠିଥିବା ଶିକ୍ଷା ଦୀକ୍ଷାର ଫରକ୍ ।

 

ଯେଉଁ ଗାଆଁକୁ ମୁଁ ମୋର ଯୌବନର ଅସଂଖ୍ୟ ରଙ୍ଗିନ୍ କଳ୍ପନାରେ ରଙ୍ଗାଇଥିଲି ଏକ ପ୍ରାଣ-ଧର୍ମୀ ଆଦର୍ଶ ଘେନି, ଯାହାକୁ ଦିନେ ଅପରୂପ ରୂପ ଦେବାଲାଗି ମନ ବଳାଇଥିଲି, ମାତ୍ର ଘରେ ବାହାରେ କାହାରିଠାରୁ ପଦେ ହେଲେ ସାବାସ୍ ନ ପାଇ ଦୁଃଖରେ ନିରାଶାରେ ଚାଲି ଆସିଥିଲି ସହରକୁ ସେଇଠି ପୁଣିଥରେ ଶୁଭଦେଲା ଆସି ଗୌରୀ । ସେତେବେଳେ ଯେଉଁ କାମରେ ସବୁଠୁଁ, ମୋତେ ବେଶି ବାଧିଥିଲା ସାବିତ୍ରୀର ନିଶ୍ଚେଷ୍ଟ ଅସହଯୋଗ, ସେହି କାମରେ ଆଜି ସାବିତ୍ରୀ ନିଜେ ଘେନିଛି ନେତୃତ୍ୱ । ଓଢ଼ଣା ବାହାରକୁ ସେତେବେଳେ ଆସିବାକୁ ନାରାଜ ହୋଇ ଯେ ମୋର ସବୁଚେଷ୍ଟାକୁ ପଣ୍ଡ କରି ପକାଇଲା, ସେଇ ପୁଣି ଆଜି ଗୌରୀକୁ ଆଗରେ ରଖି ଦାଣ୍ଡ ମଝିକୁ ବାହାରି ପଡ଼ିଚି ।

 

ଗାଆଁର ପୁରୁଖା ବୁଢ଼ୀ ପଲ ପଲ ଝିଅ ମାଇପେ ରୋଜ ଆସି ରୁଣ୍ଡ ହେଉଛନ୍ତି, ଆମରି ଘରେ । ତାଙ୍କୁ ଅକ୍ଷରଶିଖାଇ ପାଠପଢ଼ାଇବା ହେଲା, ସାବିତ୍ରୀର କାମ । ଦେଶର ରୂପ ହୁ ହୁ ବଦଳିବାରେ ଲଗିଛି । ଆମ ଗାଆଁର ଟାଉଟର ମାମଲତ୍‍କାର ଧନୀ ମହାଜନ ହୋଇ ଯେଉଁ ଦୁଇ ଚାରିଜଣ ଥିଲେ, ସେହିମାନେ ହିଁ ଆଜି ହଠାତ୍ ଦେଶପ୍ରେମୀ ପାଲଟି ଯାଇଛନ୍ତି । ତାଙ୍କରି ଭିତରେ ହୃଦୟ ପରିବର୍ତ୍ତନର ଟଣାଓଟରା ଲାଗିଯାଇ ଶେଷରେ ସେମାନେ ବସିଛନ୍ତି ନୂଆ ହୋଇ ଗଢ଼ାଯାଇଥିବା ଗାଁ ପଞ୍ଚାୟତ ଆସନରେ । ସ୍ୱାଧୀନତା ପୂର୍ବରେ ସେହିମାନେ ଯେମିତି ଗାଆଁର ନେତୃତ୍ୱ ନେଇଥିଲେ, ସ୍ୱାଧୀନତା ପରେ ତାଙ୍କର ଟିକିଏ ଖାଲି ବେଶ ବଦଳି ଯାଇ ସେଇ ନେତୃତ୍ୱ ଆସି ହାତରେ ପଡ଼ିଚି । ପୁଣି ଆଗଭଳି ପ୍ରତି ନେତାଙ୍କ ସାଙ୍ଗକୁ ତିନି ଚାରିଜଣ ସ୍ୱାର୍ଥାନ୍ୱେଷୀ ସ୍ତାବକ ମଧ୍ୟ ଜୁଟି ଯାଇଛନ୍ତି, ଝିଅ ମାଇପେ ସମସ୍ତେ ପାଠ ପଢ଼ିବେ । ଛୁଆଁ ଅଛୁଆଁ ବାରଣ ରହିବ ନାହିଁ । ଏ ସବୁ ସିନା କାଗଜ କଲମରେ, ବତ୍କୃତାରେ ବିଚାରରେ ଭଲରୂପେ ଚାଲେରେ ବାବୁ ! ନିଜ ଘରେ ନିଜ ଗାଁରେ ଚାଲିବ କିପରି ? ତେବେ ତ ଆଉ ସ୍ତ୍ରୀମାନେ ପୁରୁଷଙ୍କୁ ମାନିବେ ନାହିଁ, ଉଚ୍ଚଜାତି ନୀଚଜାତି ହୋଇ କେହି ରହିବେ ନାହିଁ । ଏହା ଖାଲି କହିଦେବା କଥା ନୁହେଁ, ଗାଆଁ ଛାଡ଼ି ଯେଉଁମାନେ ସହର ବଜାରରେ ରହି ଶିକ୍ଷିତ ବୋଲାଉଛନ୍ତି, ସେଇମାନେ ଅବା କହିବେ ସିନା; କିନ୍ତୁ ଗାଆଁକୁ ଆସି ସେମାନେ ବରଷେ ଛ’ମାସ ଏଠାରେ ଚଳନ୍ତୁ ଦେଖି ଗାଆଁ ଲୋକଙ୍କ ସାଥିରେ ! ତେବେ ସିନା ଜାଣନ୍ତେ କେଉଁ ପାଣି କୁଆଡ଼କୁ ଏଠି ବୋହୁଛି ।

 

ଶ୍ରୀପଞ୍ଚ କପିଳ ଦାସ ଖୁବ୍‍ ଚତୁର ଲୋକ । ଗାଆଁଟାକୁ ସେ ଏକପ୍ରକାର ହାତମୁଠାରେ ରଖି ଆସିଛନ୍ତି । ଗାଆଁର ନିମ୍ନ ପ୍ରାଥମିକ ସ୍କୁଲର ମଧ୍ୟ ସେ ସମ୍ପାଦକ । ମୁଁ ଯେତେବେଳେ ଗାଆଁର ରାସ୍ତାଘାଟ ଚାଷବାସର ଉନ୍ନତି ପାଇଁ ନିଜେ ନେତୃତ୍ୱ ନେଇ ଲାଗିପଡ଼ିଥାଏ, ସେତେବେଳେ ସେ ଉପରେ ଉପରେ ଗୋଟିପଣ ମୋ ପକ୍ଷ ହୋଇ ଯାଇଥିଲେ । ଭିତରେ ଭିତରେ କିନ୍ତୁ ଏମିତି ସୂତ୍ର ଖଞ୍ଜିଲେ ଯେ ଆପେ ସିନା ଚିହ୍ନା ପଡ଼ିଲେ ନାହିଁ, ମତେ ଗଣ୍ଠିଲିପତ୍ର ବାନ୍ଧି ଘରଛାଡ଼ି ପଳାଇ ଆସିବାକୁ ହୋଇଥିଲା । ସ୍କୁଲ ଶିକ୍ଷକ ମଧୁ ମାଷ୍ଟର ତାଙ୍କରିଠାରୁ ଶୁଣିଲେ, ‘‘କହିଲ ଦେଖି ମାଷ୍ଟ୍ରେ ! ସ୍କୁଲତ ହେଇଚି ପିଲାଙ୍କୁ ପଢ଼ାଇବା ପାଇଁ; ଆଉ ଏସବୁ ବୁଢ଼ୀ ଦରବୁଢ଼ୀ ଭୁଆସୁଣୀ ଝିଅ ପାଠ ପଢ଼ି କରିବେ କ’ଣ ? ଏଥିରେ ଦେଶର ଯେ କି ଉନ୍ନତି ହେଉଚି ମୁଁ ପ୍ରକୃତରେ ବୁଝିପାରୁନି ।”

 

ତାଙ୍କ ସାଙ୍ଗକୁ ମଧୁ ମାଷ୍ଟର ମଧ୍ୟ ବୁଝନ୍ତି ନାହିଁ । ଏମିତିକି ଆମ ଗାଆଁର ଜଣେ ହେଲେ ପୁରୁଷ ପକ୍ଷରେ ଏହା ବୁଝିବା କଷ୍ଟକର । ଝିଅ ମାଇପେ ଘର କାମଧନ୍ଦା ଛାଡ଼ି କି ପାଠ ପଢ଼ିବେ ଖୁବ୍‍ ସଂଯତ ଭାବରେ ମଧୁ ମାଷ୍ଟର କହନ୍ତି–“ସେକଥା ଆଉ ମତେ କ’ଣ ପଚାରୁଛନ୍ତି । ମୁଁ ହେଲି ତ ବୀରଣା ଗାଆଁର ଲୋକ । ପେଟପାଟଣା ପାଇଁ ସିନା ପାଞ୍ଚକୋଶ ଦୂରରେ ଆସି ପଡ଼ିଚି । କେତେ ଗାଆଁରେ ଇସ୍କୁଲ ମାଷ୍ଟରି କରି, ମୋର ବାଳ ପାଚିଲାଣି, ହେଲେ ଏମତି ମୁଁ ଆଉ କେଉଁଠି ଦେଖିନି ।”

 

‘‘ଖାଲି ଦେଖିବା ଶୁଣିବା କଥା ନୁହେଁ, ମାଷ୍ଟ୍ରେ ! ଏଥିରୁ ବହୁତ କନ୍ଦଳ ଉପୁଜିଲାଣି । ପଚାର ଏଇ ଦଇତାରିକୁ । ସେ କ’ଣ ଆଜି ପଞ୍ଚୁଆତରେ ଫେରାଦ ହେବାକୁ ଆସିଚି, ପଚାର ତାକୁ-।”

 

ଦଇତାରି କପିଳ ଦାସଙ୍କର ଜଣେ ଭାଗଚାଷୀ । ଯେତେ ଆଇନକାନୁନ ପ୍ରଚାର ହେଲେ ବି ସେ ବିଚରା ତା’ର ତିନିପୁରୁଷୀ ଭାଗ ସଞ୍ଜା ଦେବାରେ ଊଣା କରିନାହିଁ । ସେ ପ୍ରକୃତରେ ଆସିଥିଲା, ତା’ର ଭାଗଚାଷ ହିସାବ ବୁଝାଇବା ପାଇଁ । ଦାସେ ଖୋଳିତାଡ଼ି ପଚାରିବାରୁ ଆପଣା ଘରକଥା ପଦେ ସେ କହି ପକାଇଥିଲା । ସେତିକି ଶୁଣି ଦାସେ ତାକୁ ଏମିତି ପଦାରେ ହଟହଟା କରିବେ ବୋଲି ସେ ଆଦୌ ପ୍ରସ୍ତୁତ ନ ଥିଲା । ସେଥିପାଇଁ ଲାଜରେ ମୁହଁ ପୋତିଦେଲା, କିଛି କହିପାରିଲା ନାହିଁ । ଦାସଙ୍କ ବଳଦଯୋଡ଼ିକ ପିଣ୍ଡାତଳ ଖୁଣ୍ଟରେ ବନ୍ଧା ହୋଇଥିଲେ । ପଘା ଛନ୍ଦି ହୋଇ ବଳଦ ଦି’ଟା ଟଣାଓଟରା ଲଗାଇଲେ । ଦଇତାରି ଉଠିଗଲା ପଘା ସଜାଡ଼ି ଦେବାକୁ ।

 

“କଥା କ’ଣ କି ମାଷ୍ଟ୍ରେ ।” କପିଳ ଦାସ ବୁଝାଇ ଦେଲେ, ‘‘ଦଇତାରି ବିଚରା ତମଠୁଁ ମୋଠୁଁ ମାଣେକଣେ ଭାଗ ଚଷି ପେଟ ପୋଷେ । ତୁମେ ତ ଦେଖିଛ କିମିତି କାମିକା ଲୋକ ସେ । ବାଡ଼ିଘରେ ଦି’ ପଟାଳି ଶାଗ, ପିଆଜ, କୋବି, ବାଇଗଣ କରିଚି । ସେ ଯିବ ଦିନସାରା ବିଲକୁ, ଘର ବାରିରେ ଆଖି ପକାଇବାକୁ ଏକା ବୋଲି ଘରଣୀ ସେ ଯେବେ ପାଠ ପଢ଼ିବାକୁ ବହାରିଯାଏ, ତେବେ ତା’ର ଶାଗ ପଟାଳି, ବାଇଗଣ କିଆରି ଜଗିବ କିଏ ! ନିଧି ସାନ୍ତ୍ରାଙ୍କ ଓଲେଇ ଗାଈ; ନଇଲେ ତ ଖାନୁ ମିଆଙ୍କ ବକ୍ରି ପଲ, ନୁହେଁ କି ?”

 

ମାଷ୍ଟ୍ରେ ଟିକିଏ ଗୁଣ୍ଡିପତ୍ର ମକଚି ପାଟିକି ପକେଇ ଦେଉଁ ଦେଉଁ ଖେଁ କରି ହସିପକାନ୍ତି । ତାଙ୍କ ହସ ସାଥିରେ କିଛି ଗୁଣ୍ଡିପତ୍ର ଧୂଳି ବି ପଦାକୁ ବାହାରିପଡ଼େ । ବାକିତକ ଗୁଣ୍ଡି ଯତ୍ନରେ କଳରେ ଯାକି ସେ କହନ୍ତି–“ତା’ହେଲେ ଶାଗ ପଟାଳି ସବୁ ସଫା ?”

 

“ଖାଲି କ’ଣ ସେତିକି ? ଏ ତ ଦଇତାରି ଘରେ ଫୌଜଦାରୀ ମାମଲା । ହଁ, ମାଷ୍ଟ୍ରେ ! ସ୍ତ୍ରୀ ପୁରୁଷ ଭିତରେ କଳିକଜିଆ କାହା ଘରେ ନାହିଁ ଭଲା ? କିଏ ବା ଆପଣା ସ୍ତ୍ରୀକୁ ଭଲମନ୍ଦରେ ଆକଟ ନ କରେ ? ଦଇତାରି ସେମିତି ଅବା ତା’ ଘରଣୀକି ଗାଳି ଆକଟ କଲା, ଦି’ଟା ଗୋଟାଏ ମାଇଲା କି ଧଇଲା, ହେଲେ ଆଉ ତ କେହି ନୁହେଁ ନିଜର ଘରଣୀ ? ତମେ ବାହାର ଲୋକ । ତମର କି ବିଷ୍‍ ଅଛି, ତା’ଘର କଳିରେ ଆସି କଥା କହିବାକୁ ?”

 

ଦଇତାରି ତୁନିହୋଇ ସବୁ ଶୁଣୁଥାଏ, ମାଷ୍ଟ୍ରେ ପଚାରିଲେ, ‘‘କିଓ ଦଇତାରି ! କିଏ ତମ ଘରେ ଆସି ମାମଲତକାରୀ କଲେ କି ?”

 

ମୁରୁକି ହସି ଦଇତାରି କହିଲା, ‘‘ନାହିଁ ଅବଧାନେ ! ସେ କଥା କିଛି ନୁହେଁ । ଦିବାକର ବାବୁଙ୍କ ଘର ମଣିଷ ଯାଇଥିଲେ ଆମ ଘରେ ପାଟିତୁଣ୍ଡ ଶୁଣି । ବହୁତମତେ ବୁଝେଇ ଶୁଝେଇ କହିଲେ । ଯାହା ମୋର ଲୋକସାନ୍ ହୋଇଚି ସବୁ ସେ ପୂରଣ କରିଦେବେ ବୋଲି କହିଛନ୍ତି ।”

 

“କ’ଣ ଶାଗ ପଟାଳି, ନା ବାଇଗଣ କିଆରି, କେଉଁଟା ପୂରଣ କରି ଦେବେ ଶୁଣେ ?” କପିଳ ଦାସ ପଚାରିଲେ, ‘‘ଶୁଣିଲଟି ମାଷ୍ଟ୍ରେ ! ମାଇପେ ହେଲେଣି ଆମ ଗାଆଁର ଏଣିକି ମାମଲତ୍‍କାର ।

 

ଯେଉଁ ଲୋକ ନିଜ ସ୍ୱାମୀକୁ ଘରେ ରଖିପାରୁନି ବୋଲି ସେ ଯାଇଁ କଲିକତା ସହରରେ ରାଣ୍ଡିବାଜି କରି ରହିଚି, ସେଇ ଲୋକର ପହିଜ ଦେଖ । ସେ ପୁଣି ଆମ ଗାଆଁର ବୋହୂ । ହାତେ ଓଢ଼ଣା ଟାଣି ଘରେ ଲୁଚିବା ଲୋକ, ଆଜି ତାଙ୍କ ଛଇ ଦେଖ ।”

 

“ସେକଥା ଆପଣ କହୁଛନ୍ତି କାହିଁକି ?” ମାଷ୍ଟ୍ରଙ୍କ ସ୍ୱର ନଇଁ ଆସେ । ଆପଣଙ୍କ ଗାଆଁ ଦାଣ୍ଡରେ ମାଇପେ ଯେମିତି ହାତ ହଲେଇ ଚାଲିଲେଣି, ଆମକୁ ମୁହଁରେ ଗାମୁଛା ପକାଇ ପରା ବଙ୍କା ରାସ୍ତା ଦେଖିବାକୁ ହେଉଚି ।”

 

ସବୁର ମୂଳ ହେଲା ସେଇ ରଣଚଣ୍ଡୀ । ତା’ର ତ ଇସ୍କୁଲରେ ମାଷ୍ଟରାଣୀ ହୋଇ ଚାକିରି କରିବା କାମ; ଏ ସବୁ ତାମସା ଭଲା ସେ ଲଗେଇଚି କାହିଁକି ? ରାଗରେ ବିରକ୍ତିରେ ଶ୍ରୀପଞ୍ଚଙ୍କ ମୁଣ୍ଡ ତାତି ଉଠିଥାଏ । ଏଇଟା ତାଙ୍କର ଅବଶ୍ୟ ସାଧାରଣ ଅବସ୍ଥା । ବାକି ଅସାଧାରଣ ଅବସ୍ଥା ହେଲା ଖୁସିବାସିରେ ଥଣ୍ଡା ମେଜାଜରେ କଥା କହିବା ।

 

ମାଷ୍ଟ୍ରେ ଯୋଗ ଦିଅନ୍ତି ସ୍କୁଲ ସମ୍ପାଦକଙ୍କୁ ତୋୟାଜ କରି, ‘‘ଆମକୁ ବା ତହିଁରୁ ମିଳିବ କ’ଣ । ଆଜିକାଲି ଲୋକେ ପାଠପଢ଼ି ଯାଛା ତା’ କରୁଛନ୍ତି, ବେଶି ପାଠ ପଢ଼ିବେ ତ ଗୋଟାଏ ଖୁଣି ନୁହଁ ସାତ ଖୁଣି ମାଫ । ଆମେ ଅଳପକ ଲୋକ, ଆମକୁ ବା ତାହଁରୁ ମିଳିବ କ’ଣ । ଏ ବଡ଼ଲୋକଙ୍କର ମତ–ଅଳପ ଲୋକେ ବିପରୀତ ।”

 

ଶ୍ରୀପଞ୍ଚ କହନ୍ତି, ‘‘ଯେମିତି ଦେଖାଗଲାଣି ମାଷ୍ଟ୍ରେ ! ଲେଡ଼ିଗୁଡ଼ କହୁଣୀକି ବୋହିଯିବା ଉପରେ । ନା, ନା, ଗାଆଁ ଭିତରେ ରହି ଏସବୁ ବରଦାସ୍ତ କରାଯାଇନପାରେ । ଯାହା କହନ୍ତି, ଅବଳା ଯତ୍ର ପ୍ରବଳା–ସେଠାରେ କ’ଣ ଆଉ ଘର କରିଅଛି ? ରାତି ଅଧ ନାହିଁ, କି ଦିନ ଦି’ ପହର ନାଇଁ–ଏ ଅଣ୍ଡିରାଚଣ୍ଡୀଗୁଡ଼ା ଦାଣ୍ଡ ମଝିରେ ବୁଲିବେ, ଆମେ ବସି ଏଇୟା ଦେଖୁଥିବା ।”

 

‘‘ନ ଦେଖି ଆପଣ ଯିବେ କୁଆଡ଼େ ? ନଇଲେ ତା’ ଘର ଭିତରେ ଲୁଚିବାକୁ ପଡ଼ିବ ଯେ । ଆଉ ଏ ଇସ୍କୁଲ ଖଣ୍ଡିକ ବା କାହିଁକି ଗାଁ ଭିତରେ ପକେଇ ରଖିଛନ୍ତି ? ମାଇପେ ଯେଉଁଠି ପାଠ ପଢ଼ୁଛନ୍ତି, ପିଲାମାନେ ସେଠି ପଢ଼ିଲେ କ’ଣ ହୁଅନ୍ତା ନାହିଁ କି ?”

 

ଦଇତାରି ବସି ସବୁ ଶୁଣୁଥିଲା । ଶେଷରେ କହିଲା, “ଆମ ଗରିବଙ୍କର ସିନା ପାଠ ହଜମ ହେଉନାହିଁ, କି ଏସବୁ ବୁଣାବୁଣି ସିଲେଇ କାମ ପୋଷୋଉ ନାହିଁ । ହେଲେ ଜଣକେତେ ଝିଅପିଲା ଖାସା ରୋଜଗାର କଲେଣି । ସୁନୟନା ବିଚାରିର କର୍ମ ଫାଟିଲା, ସ୍ୱାମୀ ପଡ଼ିଲା ବଡ଼ରୋଗରେ । ହେଲେ ଏଇ କାମ କରି ସେ କ’ଣ କମ୍‍ ସମ୍ଭାଳିଚି । ବାଡ଼ି ଗୋବରେ ତ ଗୋବେ ବୋଲି ଜମି ନାଇଁ କି ଘର ଚାରିକଣ ଓଳେଇ ଆଣିଲେ ଖୁଦ ପୋଷେ ମିଳିବ ନାହିଁ–ଏଇଠି କାମ କରି ଯାହା ପାଇଲା, ସେଥିରେ ତ ନିଜେ ଚଳି ଆପଣା ମରଦଟିର ଇଞ୍ଜେସନ୍‍ ଖରଚ, ଖାଇବାପିଇବା ଖରଚ ବି ତୁଲାଇ ପାରିଲା । ସେ କ’ଣ ଆଜ୍ଞା, କମ୍‍ କଥା ! ନଇଲେ ସେ କରନ୍ତା କ’ଣ ?”

 

“ସେ ଆଉ କରନ୍ତା କ’ଣ ? ତତେ ବାହାହେଇ ବିଧା ଚାପୁଡ଼ା ଖାଇଥାନ୍ତା ।” ଶ୍ରୀପଞ୍ଚଙ୍କ କଥାରେ ଦଇତାରି ତୁନି ହୋଇଯାଏ । ମାଷ୍ଟ୍ରେ ଠୋ ଠୋ ହସନ୍ତି ।

 

ଗାଆଁ ଭିତରେ ଗୋଟାଏ ତୁମୂଳ ବିପ୍ଳବ ସୃଷ୍ଟି କରିଥିଲା ଗୌରୀ, ପ୍ରତି ଘରକଣରେ ଚୁଲିମୁଣ୍ଡରେ ସେଠାରୁ ଯାଇଁ ପୁରୁଷ ମହଲରେ ସେ ବିପ୍ଳବର ପ୍ରଭାବ ପଡ଼ିଥାଏ ।

 

ସ୍କୁଲ ଛୁଟି ପରେ ପ୍ରତି ଶନିବାର, ରବିବାର ଗୌରୀ ଆସି କାମ ଯାଞ୍ଚକରି ଦେଖୁଚି । ଦୁଲଣା, ଶୋଭା, ସୁନୟନା, ଶ୍ରୀମତୀ ଗାଆଁର କେତେ ଅଧା ପାଠୋଇ ବୋହୂ ଝିଅ ମଧ୍ୟ ଜୁଟିଯାଇଛନ୍ତି, ସାବିତ୍ରୀର ସାଥୀ ସହକର୍ମୀ ଭାବରେ ।

 

ବହିପତ୍ର, ସ୍ଲେଟ ଖାତା ପେନ୍‍ସିଲ କାଗଜର ଯୋଗାଡ଼ କରିବା–ଗାଁ ଗାଁ ଘର ଘର ବୁଲି ଝିଅ ବୋହୂଙ୍କୁ ପାଠପଢ଼ାଇବା–ସିଲେଇକାମ, ବୁଣାବୁଣି କାମ ଶିଖେଇବା ପୁଣି ଚାନ୍ଦା ଉଠାଇବାରେ କ’ଣ-ଭୁଆସୁଣୀମାନେ ସୁଦ୍ଧା ଲାଗି ପଡ଼ିଲେ । ଆମ ଅଞ୍ଚଳରୁ କଲିକତାକୁ ଯାହାଙ୍କର ଯା-ଆସ ଚାଲିଥାଏ, ସବୁରି ମୁହଁରେ ସେଇକଥା । ଶେଷକୁ ଗାଉଁଲି ଟାଉଟର ନେତାଙ୍କର ଚାଲିଲା ବିରୋଧିତା । ଆଗ କାନ୍ଥରେ, ଗଛରେ, ଗୌରୀ ବିରୁଦ୍ଧରେ, ପୁଣି ସାବିତ୍ରୀ ନାଁରେ କେତେ ଅଶ୍ଳୀଳ କଥା ଲେଖାହେଲା । ଏଡ଼େ ଟିକିଏ ବୋଲି ଗାଆଁ, ସେଠାରେ ସୁଦ୍ଧା ଏଇଭଳି ରାଜନୀତି । ଏହା ଅବଶ୍ୟ ରାଜନୀତିର ନୀଚତମ ସ୍ୱରୂପ । ଧର୍ମଟା ପୁରୁଣା ଅକାମୀ ହୋଇପଡ଼ିବାରୁ ଯେଉଁ ଶକ୍ତିଶାଳୀ ଭାବୁକ ତାହାକୁ ମଣିଷ ସମାଜର ଅଫିମ ବୋଲି କହିଥିଲେ, ଧର୍ମର ଉତ୍ତରାଧିକାରୀ ରାଜନୀତି ଯେ ସେଇଭଳି ଅବା ତା’ଠାରୁ ଆହୁରି ଉତ୍କଟ ଅଫିମର ନିଶା, ସେକଥା ତାଙ୍କ ମୁଣ୍ଡରେ କଦାପି ଜୁଟି ନ ଥିଲା । କାରଣ ଧର୍ମ-ଅଫିମକୁ ଛାଡ଼ିବାକୁ ଯାଇ ସେ ରାଜନୀତି ଅଫିମର ଆଶ୍ରା ନେଇଥିଲେ । ଗାଆଁ ଛାଡ଼ି ଦୂର କଲିକତା ସହରରେ ଥାଇ ସୁଦ୍ଧା ମୋ ହାତରେ ପ୍ରତି ହପ୍ତାରେ କେତେ ବେନାମୀ ଚିଠି ପଡ଼େ–ସାବିତ୍ରୀର, ଗୌରୀର ପୁଣି ମୋରି କୁତ୍ସାରେ ଭର୍ତ୍ତି । ମୁହିଁ ଯେ ସବୁ ନାଟର ଗୋବର୍ଦ୍ଧନ । ମୋରି ଘରେ ତେଣୁ ଏତେ ତାମସା ଚାଲିଚି । ତା’ପରେ କେତେ ଚିଠିରେ ଥାଏ, ମୋରି ଉପରେ ନନା ଧମକ ଚମକ । ଏ ସବୁର ଶୀଘ୍ର ପ୍ରତିକାର ନ କଲେ ମତେ ମୋର ଜୀବନର ଆଶା ଛାଡ଼ିବାକୁ ପଡ଼ିବ–ଏମିତି କେତେ କ’ଣ । ଚିଠି ଉପରେ ଅନେକ ଡାକଘରର ଛାପ ମରିଥାଏ । ଖାଲି ଆମ ଗାଁପାଖ ଡାକଘର ଛାପ ନୁହେଁ । ଏମିତିକି ଚିଠି ଉପରେ କଲିକତା ଡାକଘର ଛାପ ମଧ୍ୟ ଦେଖିଲି । ସବୁ ବେନାମୀ ଚିଠି ମୂଳରେ ଯେ ଆମ ଗାଁ ଟାଉଟରମାନଙ୍କ ହାତ ଅଛି, ତାହା ବୁଝିବାକୁ ମୋର ବାକି ରହିଲା ନାହିଁ । ଉଷାକୁ ମୁଁ ସବୁ ଦେଖାଏ-। ତାହାରି ପରାମର୍ଶରେ ଲେଖିଲି ନୀରଦ ପାଖକୁ, ପ୍ରକୃତ କଥା ଜାଣିବା ପାଇଁ । କିନ୍ତୁ ଜବାବ ଯାହା ଆସିଲା ସେଥିରେ ଆମେ ଦୁହେଁ ଅବାକ୍ ହୋଇ ପଡ଼ିଲୁଁ ।

 

ଶନିବାର ରାତି । ଏକ ଦୁର୍ଘଟଣା ଘଟିଯାଇଥାଏ; ଗୌରୀ ସାବିତ୍ରୀ ଦୁହେଁ ଆମ ଗାଆଁରୁ ଚାରି ମାଇଲ୍ ଦୂରରେ ଥିବା ଆଉ ଗୋଟିଏ ଗାଆଁକୁ ଯାଇଥିଲେ । ସେଠାରେ ସ୍ତ୍ରୀଲୋକମାନଙ୍କର ଗୋଟିଏ ସଭା କରିସାରି ଦୁହେଁ ଫେରୁଥାନ୍ତି । କିଟି କିଟି ଅନ୍ଧାର ରାତି । ଭୁଆସୁଣୀ ଦି’ଜଣ । ଗାଆଁଲୋକେ ସାଙ୍ଗରେ ଆସି ବାଟେଇ ଦେବାକୁ ବାହାରିଥିଲେ; ମାତ୍ର ଏ ଦୁହେଁ ତାଙ୍କୁ ମନା କଲେ, ଆପଣା ସାହସ ବାହାଦୁରି ଦେଖାଇ । ବାଟ ମଝିରେ ଖଣ୍ଡେ ନିଛାଟିଆ ବୁଦିବୁଦିକିଆ ଜଙ୍ଗଲ । ସେଇଠି ହେଲା ଦୁହିଁଙ୍କ ଉପରେ ଆକ୍ରମଣ, ବାଘ ଭାଲୁ ନୁହେଁ, ମଣିଷର । ଗୌରୀର ମୁହଁ ବାନ୍ଧି ତାକୁ ଗୋଟାଏ ଖାଲ ଭିତରେ ଫିଙ୍ଗି ଦିଆଗଲା । ସାବିତ୍ରୀ ପାଇଲା ସବୁଠୁଁ ବେଶି ଆଘାତ, ରକ୍ତାକ୍ତ ଦେହରେ ସେ ବେହୋସ ହୋଇପଡ଼ିଥାଏ, ରାତିଯାକ ସେହି ଅବସ୍ଥାରେ ଦିହିଙ୍କର କଟିଗଲା । ସକାଳୁ ତିନି ଚାରିଜଣ ଚାଷୀ ବିଲକୁ ଯାଇ ସେ ଦୁହିଁଙ୍କୁ ଉଦ୍ଧାର କଲେ । ଯେଉଁମାନେ ଏ କାଣ୍ଡ ଭିଆଇଲେ, ଲୋକ ତାଙ୍କୁ ସନ୍ଦେହ କରି ପୁଲିସରେ ଏତଲା ଦେଦବାକୁ ବାହାରିଲେ; କିନ୍ତୁ ଗୌରୀ ତାଙ୍କୁ ମନାକଲା । କାରଣ ମକଦ୍ଦମା କଲେ ଗାଆଁର ସବୁ କାମ ବନ୍ଦ ହୋଇଯାନ୍ତା । ସାବିତ୍ରୀ ଦେହରେ ଜର ଭର୍ତ୍ତି–୧୦୩ ଡିଗ୍ରୀରୁ କମୁ ନାହିଁ । ବେଳେ ବେଳେ ୧୦୪କୁ ଜର ଉଠୁଚି-। ସେତେବେଳେ ସେ ବିଳିବିଳେଇ ମୋତେ ବହୁତ ଖୋଜୁଛି । ଦେହ ମୁଣ୍ଡ ଖଣ୍ଡିଆ-ଖାବରା ହୋଇ ପଟି ବନ୍ଧା ଯାଇଛି । ସ୍କୁଲରୁ ଛୁଟି ନେଇ ଗୌରୀ ଦିନରାତି ତା’ ପାଖରେ ଜଗି ବସିଚି । ଗାଆଁ ପାଖ ଡାକ୍ତରବାବୁ ରୋଜ ଆସି ଦେଖି ଯାଉଛନ୍ତି । ତାଙ୍କ ମତରେ ସାବିତ୍ରୀକୁ ବଡ଼ ଡାକ୍ତରଖାନାକୁ ନେଇଯିବା ଦରକାର । ମଫସଲରେ ଇଞ୍ଜେକ୍ସନ ଔଷଧ ମିଳୁନାହିଁ ।

 

ଚିଠିପଢ଼ି ଉଷା ଏଥର ଜିଗର ଧରି ବସିଲା, ସଙ୍ଗେ ସଙ୍ଗେ ମୁଁ ଗାଆଁକୁ ଯାଏ । ସାବିତ୍ରୀର ଅବସ୍ଥା ଯେ ଖୁବ୍‍ ଉଦବେଗଜନକ ନୀରଦ ଚିଠିରୁ ତାହା ଜଣାପଡ଼ୁଥାଏ । ଏହା ପୂର୍ବରୁ ମଧ୍ୟ ଉଷା ମୋ ସାଥୀରେ ବହୁତ ଥର ଲଗାଇଛି, ଗାଆଁକୁ ଯିବାପାଇଁ । ଆଜି ତା’ର ଜିଦ୍‍ ସବୁଠାରୁ ବେଶି । ସାବିତ୍ରୀ ପାଇଁ ତା’ର ଆନ୍ତରିକତାରେ ମୋର ତିଳେ ସନ୍ଦେହ ରହିଲା ନାହିଁ । ଗୌରୀ ସାବିତ୍ରୀଙ୍କ କଥା ପଡ଼ିଲେ ଶ୍ରଦ୍ଧାରେ ଯେମିତି ପ୍ରାଣ ତା’ର ପୂରିଉଠେ, ଆଜି ସେମିତି ଆଖି ତା’ର ଲୁହରେ ପୂରିଗଲା । ଧୀରେ ଧୀରେ ସେ କହିଲା, ‘‘ଏଇପରି ଜୀବନର ସିନା ସଂସାରରେ ସ୍ୱାର୍ଥ ଅଛି । ସତରେ ଦିବାକର ବାବୁ ! ମୋର ଭାରି ମନହେଉଛି ତାଙ୍କ ପାଖକୁ ଆଜି ପଳାଇଯାନ୍ତି । ତାଙ୍କରି ସାଥୀରେ ଗାଁ ଗାଁ ଘର ଘର ବୁଲି କାମ କରନ୍ତି, ଏମିତି ବିପଦରେ ପଡ଼ନ୍ତି; କିନ୍ତୁ ମୋ ପାଇଁ ଯେ ସବୁଆଡ଼ୁ ବାଟ ବନ୍ଦ ।”

 

ଆଖି ପୋଛି ସାରି ଉଷା ହସିଦିଏ । ସେଇ ଅସୀମ ହତାଶାର ହସ । ଉଷାର ସେଇ ହସଟା ମତେ କିନ୍ତୁ ଭାରି ସୁଖ ଲାଗେ । ଧୂଳିରେ ଝଡ଼ିପଡ଼ିଥିବା ଗଙ୍ଗଶିଉଳି ପରି ସେ ହସ । ଯାହା ଉପରେ ଶିଶିର ବିନ୍ଦୁ ଆଣି ଦିଏ ମୃଦୁ ଚୁମ୍ବନ–ଯେତିକି ସତେଜ ସେତିକି କରୁଣ । ଗଛରେ ଲାଗି ବେପରୁଆ ଦୋହଲୁଥିବା ଫୁଲପରି ସେ ହସର ଦମ୍ଭ ନାହିଁ । ପୁଣିଥରେ ଫେରିଯାଇ ଗଛରେ ଲାଗିବ ବୋଲି ଭରସା ନାହିଁ । ତଥାପି ସେ ତଳେପଡ଼ି ହସୁଚି, ଆଉ ହସାଇ ଦେଉଚି ଧୂଳିକୁ, ଚିର ଆବିଳ ଧୂଳିକୁ ।

 

“ସାବିତ୍ରୀ ! ସାବିତ୍ରୀ ! ଏଇ ଦେଖ, ମୁଁ ଫେରି ଆସିଚି । ଶୁଣୁଚ ସାବିତ୍ରୀ ।” ସାବିତ୍ରୀ ଶୁଣିଲା ନାହିଁ ।

 

ଗୌରୀ ମତେ ଆଶ୍ୱସନା ଦେଲା । ‘‘ଏହିକ୍ଷଣି ସେ ଟିକିଏ ଶୋଇଚି । ସେ ଭଲ ଅଛି, ଜର ଆଉ ନାହିଁ, ଆପଣ ବ୍ୟସ୍ତ ହେବେ ନାହିଁ ।”

 

ମୁଁ ବ୍ୟସ୍ତ ହେଉନଥିଲି । ସାବିତ୍ରୀ ପାଇଁ ମୋର ଯେ ତାହା ପ୍ରେମ ନୁହେଁ, ଅନୁକମ୍ପା ମାତ୍ର–ସେକଥା ଗୌରୀ କାହିଁକି ବୁଝନ୍ତା । ଅନେକ ବର୍ଷ ପରେ ମୁଁ ଘରକୁ ଫେରିଥାଏଁ । ସାବିତ୍ରୀର ହାତରେ ମୁଣ୍ଡରେ ବେଣ୍ଡେଜବନ୍ଧା ଚେହେରାକୁ ଚାହିଁ, ପୁଣି ମୋତେ ନିର୍ବୋଧ ଆଖିରେ ଅଚିହ୍ନା ମଣୁଥିବା ପୁଅ ଯୋଡ଼ିଙ୍କୁ ଦେଖି ମୋ ମନରେ ଗୋଟାଏ ପ୍ରଶ୍ନ ଉଠୁଥାଏ–ଏଇ କ’ଣ ମୋର ପରିବାର ?

 

ସାବିତ୍ରୀର ମୁଦି ହୋଇଯାଇଥିବା ଆଖିପତା ଉପରେ ସ୍ଥିର ଭ୍ରୂଲତା, କପାଳ, ଓଠ ଚିବୁକ–ଆଉ ଧୀର ନିଃଶ୍ୱାସରେ ପଡ଼ି ଉଠୁଥିବା ଛାତି–ବେଣ୍ଡେଜବନ୍ଧା ବାହା–ଯେଉଁ ଦେହର ପ୍ରତି ଅଂଶ ସଙ୍ଗେ ମୋର ନିବିଡ଼ତମ ନିରନ୍ଧ୍ର ପରିଚୟ । ହଁ ଏଇତ ସେ ଦେହ, ଯାହା ମୋ ଦେହର ଗୋଟାଏ ଅଙ୍ଗ ହୋଇପଡ଼ିଥିଲା–ଅର୍ଦ୍ଧାଙ୍ଗ । ସାବିତ୍ରୀକୁ ମୁଁ ଅର୍ଦ୍ଧାଙ୍ଗିନୀରୂପେ ଅନୁଭବ କରିଛି । ପ୍ରାଣସଙ୍ଗିନୀରୂପେ କରିଛି କି ନାହିଁ କହିବା ମୁସ୍କିଲି । ତା’ହେଲେ ମୋ ନିଜର ଆଗ ପ୍ରାଣ ଅଛି କି ନାହିଁ ପରଖ କରିବାକୁ ହେବ । ତେବେ ତା’ର ଯେଉଁ ଦେହ ମୋର ଅତି ପ୍ରିୟ ଥିଲା ସେହି ଦେହ ଆଜି ଆହତ । ସାବିତ୍ରୀ ନିଜେ ଏସବୁ ପ୍ରହାର ନିର୍ଯାତନାକୁ ଅର୍ଜିଛି, କାହିଁକି ? ମୋରି ଉପରେ ପ୍ରତିଶୋଧ ନେବାକୁ ନୁହେଁ ତ ? ମୋରି ବିରୁଦ୍ଧରେ ସେ କ’ଣ ଆପଣାକୁ ଏମିତି ହତମାନ କରି ଫୋପାଡ଼ିଦେଲା, ଦାଣ୍ଡମଝିରେ ? ପରେ ବୁଝିଲି ମୋ ଅନୁମାନଟା ବହୁତ ଠିକ୍‍ । ମୁଁ ବାହାଘର ପରେ ସାବିତ୍ରୀକୁ ପଦାକୁ ଆଣିବାପାଇଁ ଯେତେ ଚେଷ୍ଟା କରିଥିଲି, ସେତିକି ସେ ଓଢ଼ଣା ଭିତରେ ଲୁଚି ରହିଥିଲା । ଏବେ ଗୌରୀ ସାହାଯ୍ୟରେ ପଦାକୁ ବାହାରିଲା, ଅନେକ ବିଳମ୍ବରେ । ପଛବୁଦ୍ଧିର ଶାସ୍ତି ଆଜି ତାକୁ ମିଳିଛି ।

 

ଶ୍ରୀପଞ୍ଚ କପିଳ ଦାସ ମୋର ଦାଦି ଲେଖା ହେବେ । ମୋତେ ଦେଖି ଟିପ୍‍ପଣୀ କଲେ, ‘‘କିଏ ଦିବାକର ବାବୁଟିକି ? ଏତେ ଦିନକେ ଗାଆଁ ମନେପଡ଼ିଲା ପରା ! ଯାହାହେଉ ଆସିଲ ଭଲ କଲ । ତୁମେ ତ ରହିଲ କଲିକତାରେ–କୋଠାବାଡ଼ିରେ ବଡ଼ ସାହେବ ହୋଇ । ଆମ ମଳିମୁଣ୍ଡିଆଙ୍କୁ ପଚାରେ କିଏ ? ହେଲେ ବାବୁ ! ଘରେ ତମର ଏ ଯେଉଁ ତାମସା ଲଗେଇଚ ନା, ଆମେ ମଧ୍ୟ ଆଉ ଏ ଗାଆଁରେ ରହିବା ଅସମ୍ଭବ ।”

 

ସତେ ତ ! କପିଳ ଦାସଙ୍କ କଥା କ’ଣ ଠିକ୍‍ ନୁହେଁ । ଗୌରୀ ସାବିତ୍ରୀ ଯେଉଁ କାମ କରନ୍ତି, ସେଥିରେ ତ ତାଙ୍କର ନିଶ୍ଚୟ ଅସୁବିଧା ହେଉଛି । ଗାଆଁରେ ଆଉ କେତେ ଲୋକଙ୍କ ମୁହଁରୁ ବି ଶୁଣିଲି ସେହି ଅଭିଯୋଗ । ବୋହୂ ଝିଅମାନେ ଦାଣ୍ଡକୁ ବାହାରିବାଟା କାହାରି ପସନ୍ଦ ହେଉନଥାଏ । ସେଇମାନେ ଯେବେ ପୁଣି ଦିଅଁ ଦେଉଳ, ଛୁଆଁ ଅଛୁଆଁ ନ ମାନିବେ ତେବେ ଆଉ ସଂସାର ଚଳିବ ତ ? ଯେଉଁ ବନ୍ଧୁମାନଙ୍କୁ ଘେନି ଦିନେ ଗାଆଁକୁ ନୂଆ ରୂପ ଦେବାକୁ ବାହାରିଥିଲି, ଯାହାଙ୍କ ପିଛା ମୋର ସମୟ, ସମ୍ପତ୍ତି ଉଜାଡ଼ି ଦେଇଥିଲି, ସେଇମାନେ ହିଁ ଆଜି ଓଲଟି ପଡ଼ିଛନ୍ତି–ନିନ୍ଦା ରଟନା କରୁଛନ୍ତି ଗୌରୀ ସାବିତ୍ରୀର ।

 

ତାଙ୍କ ଭିତରେ ପୁଣି ନରହରି ! ମୋର ସବୁଠାରୁ ବେଶି ଆତ୍ମୀୟ, ପିଲାଦିନର ବନ୍ଧୁ, ଏକାଠି ବସିବା, ହସିବା ଖାଇବା ଶୋଇବାରେ କେତେଦିନ କେତେରାତି କଟିଯାଇଚି ଆମ ଦୁହିଁଙ୍କର–ଟଙ୍କା ପଇସାରେ ବି ଯାହା ସଙ୍ଗେ ମୋର କେବେହେଲେ ହିସାବ ହୋଇନାହିଁ । ଆମ ଦୁହିଁଙ୍କର ଗୋଟାଏ ମାଆ ନ ହେଲେ ବି ଗୋଟାଏ ବାପ ହୋଇଥିବ–ସେଇଆ ଉଘେଇ ଗାଉଁଲି ଲୋକେ କେତେ ଟାହିଟାପରା ମୋତେ କରୁଥାନ୍ତି ସେତେବେଳେ । ସାବିତ୍ରୀ କେତେଥର ଆମ ଦୁହିଁକୁ ଏକସଙ୍ଗରେ ଖାଇବାକୁ ଦେଇଛି । ନରହରି ତାକୁ ଭାଉଜ ବୋଲି ଡାକେ । ମୋର ଭାଇ ନ ଥିବାରୁ ସାବିତ୍ରୀ ବି ନରହରିକୁ ଠିକ୍‍ ଦିଅର ଭଳି ଦେଖୁଥାଏ । ପୁଣି ସାବିତ୍ରୀ ଓ ମୋ ଭିତରେ ଯେତେ ଅପଡ଼ ହୋଇଚି, ସେଥିରେ ମଧ୍ୟସ୍ଥ ହୁଏ ନରହରି । ଶେଷରେ ଘର ଛାଡ଼ି ମୁଁ ପ୍ରବାସରେ ଥିଲାବେଳେ ସାବିତ୍ରୀ, ସଙ୍ଗେ ତା’ର ବରାବର ସେ ସମ୍ପର୍କ ସେ ରଖିଆସିଚି । ଆଉ ତା’ର ଅଭାବ ଅସୁବିଧା ପୂରଣ କରିଚି ସାବିତ୍ରୀ । ସେଥର କପିଳ ଦାସଙ୍କ କରଜ ଟଙ୍କା ଶୁଝି ନ ପାରିବାରୁ ନରହରିର ଘର କୋରଖ ଡିଗ୍ରୀ ପରୋଆନା ଆସିଥାଏ । ସେତେବେଳେ ଗୌରୀ, ସାବିତ୍ରୀ ଦୁହେଁ ଲାଗିପଡ଼ି କିଛି ଟଙ୍କା ଯୋଗାଡ଼ କରି ଅଦାଲତ ପିଉନୁକୁ ବିଦା କରିଦେଇଥିଲେ । ପୁଣି ନରହରିର ସ୍ତ୍ରୀ ପ୍ରସୂତି-ରୋଗରେ ପଡ଼ିଥିବାବେଳେ ସେଇ ଦୁହେଁ ଡାକ୍ତର ଡାକି ତାକୁ ମରଣ ମୁହଁରୁ ବଞ୍ଚାଇଥିଲେ ।

 

ସେଇ ନରହରି କୁଆଡ଼େ କପିଳ ଦାସଙ୍କୁ ଖୁସି କରିବାକୁ ସେଦିନ ରାତି ଅଧରେ ଗୌରୀ, ସାବିତ୍ରୀଙ୍କ ଉପରେ ଆକ୍ରମଣ କଲା । ମୁଁ କେବେହେଲେ ଏହା ବିଶ୍ୱାସ କରିପାରନ୍ତି ନାହିଁ; କିନ୍ତୁ ଅନେକ ଦିନ ପରେ ଏହାର ପ୍ରମାଣ ମିଳିଲା । ଆଉ କାହାରିଠାରୁ ନୁହେଁ, ଗୌରୀ ସାବିତ୍ରୀଙ୍କ ମୁହଁରୁ । ସେଇ ଘୋର ଅନ୍ଧକାର ରାତିରେ ତାରା ଆଲୁଅ ତଳେ ସେ ଦୁହେଁ ନରହରିକୁ ଚିହ୍ନି ଥିଲେ-। ସେ ପୁଣି ଆଉ କେତେଜଣକୁ ଡାକିଲାବେଳେ ତା’ର ତୁଣ୍ଡ ମଧ୍ୟ ସଫା ବାରିହୋଇ ଯାଉଥିଲା-। ତା’ପରେ ଗୌରୀର ମୁହଁ ବନ୍ଧା ହୋଇ ସେ କେଉଁଠି ପଡ଼ିଲା, ଜାଣିଲା ନାହିଁ । ସାବିତ୍ରୀର ହାତଗୋଡ଼ ଦେହମୁଣ୍ଡ ସବୁଆଡ଼େ ବସିଲା ପାହାର ଉପରେ ପାହାର । ତାହା ଆଖିକି ଆଉ ତାରା ଆଲୁଅ ବା ହିଡ଼ବାଟ କିଛି ହେଲେ ଦିଶିଲା ନାହିଁ । ଏକଥା ଆଜି ଲେଖିଲାବେଳେ ବି ମୋର ଘଟିଛି ସମାନ ଦଶା–ମନରେ ଉଙ୍କି ମାରିଚି ଯୁଗ ଯୁଗର ଦେହଘଷା ପ୍ରଶ୍ନ–କିଏ ବାଟ, କିଏ ପୁଣି ଅବାଟ-? କୁଆଡ଼ିକି ଆମେ ଧାଇଁଚୁଁ ପୁଣି କାହିଁକି ? ଆମେ ପୁରୁଷଯାକ ନା, ନା, କି ପୁରୁଷ କି ସ୍ତ୍ରୀ ସମସ୍ତେ–ହଁ ସମସ୍ତେ, ଯେମିତି ଦଳେ ପାଗଳା କୁକୁର । ଜଣେ ଆଉ ଜଣକୁ କାମୁଡ଼ିବା ଛଡ଼ା ଆଉ ବା ଆମର କାମ କ’ଣ ଏ ଦୁନିଆରେ । କିଏ ଯେ ନ କାମୁଡ଼େ ଆଉ କିଏ ଯେ ନ ଖାଏ କାମୁଡ଼ା । ଖାଲି ଆମ ଗାଁ ଶ୍ରୀପଞ୍ଚ କାହିଁକି ମୁଁ ନିଜେ ନ ହେଲି କିଆଁ ? ଗୌରୀ, ସାବିତ୍ରୀ, ଉଷା–କାହାଠି ଅବା ଏ ବିଷ ନାହିଁ, କିଏ ବା ତାହାର ବିଷଦାନ୍ତ ନ ବସାଏ ଅନ୍ୟ ଉପରେ ! ସ୍ତ୍ରୀ ପୁରୁଷକୁ, ପୁରୁଷ ସ୍ତ୍ରୀକୁ, ବାପ ପୁଅକୁ, ପୁଅ ବାପକୁ–ଶେଷରେ ଆମେ ସମୁଦାୟ ବାୟୁମଣ୍ଡଳକୁ କରିଦେଉଛୁଁ ବିଷାକ୍ତ, ବ୍ୟର୍ଥ-। ସେଇ ଅଜେୟ ଅବିନାଶୀ ବ୍ୟର୍ଥତା ବିରୁଦ୍ଧରେ ଲଢ଼େଇ କରିବାହଁ ବୋଧହୁଏ ଜୀବନ-

 

କଲିକତା ଆସିଛି ସାବିତ୍ରୀ ମୋ ଇଚ୍ଛାରେ, କି ଗୌରୀର ଜବରଦସ୍ତିରେ, କହିପାରିବି ନାହିଁ । ଏଠାରେ ଚିକିତ୍ସା ହୋଇ ଦେହ ତା’ର ବଦଳି ଗଲାଣି । ନୂଆ ଜାଗାକୁ ଆସି ମନ ତା’ର ବେଶ୍ ଟିକିଏ ହାଲୁକା ଜଣାପଡ଼ୁଥାଏ । ପିଲାଯୋଡ଼ିଙ୍କ ସାଥିରେ ସେ ଚାରିଆଡ଼ ହସଖୁସିରେ ବୁଲାଚଲା କଲା । ତେବେ ମୋତେ ଲାଗୁଥାଏ, ସେଇ ଖୁସି ଭିତରେ କ’ଣ କେଉଁଠି ଅଟକି ଗଲାପରି । ସାବିତ୍ରୀର ଦେହର ଜଖମ ଭଲ ହେଲେ ସୁଦ୍ଧା ମନର ଜଖମ ରହିଯାଇଥାଏ । ସେ ଜଖମଟା ସାବିତ୍ରୀର ହେଉ ବା ମୋର ନିଜର ହେଉ–ଦୁହେଁ ଯେମିତି ଡରୁଥାଉଁ, କେହି କାହା ଆଗେ ପ୍ରକାଶ କରିବାକୁ । ଅଥଚ ଦୁହେଁଯାକ ଭଲକରି ଜାଣୁ, ସେ ଜଖମ୍‍ଟା ହେଲା ଉଷା, ମୋର କେତେଥର ଇଚ୍ଛାହୁଏ, ସାବିତ୍ରୀ ଆଗରେ ସବୁକଥା ଫିଟାଇ କହିବାକୁ; ମାତ୍ର ସେ ଯେମିତି ସବୁକଥାକୁ ବେଖାତିର କରି ଆଡ଼େଇ ଯାଏ–ପାସଙ୍ଗରେ ପକାଏ ନାହିଁ କିଛି ହେଲେ । ସବୁ ସାହସ ମୋର ଫସରଫାଟି ଯାଏ । ଅଳ୍ପ କେତେକ ମାସ ପରେ ସାବିତ୍ରୀ ବାହାରିଲା ଗାଁକୁ । ଗାଁରେ ତା’ର ଅନେକ କାମ ବାକି । ଏ ବର୍ଷ କେତେ ନୂଆ ନୂଆ ଫସଲ, ପନିପରିବା ଉଠାଇବାକୁ ସେ ଯୋଜନାମାନ କରିସାରିଚି । ଗଲାବର୍ଷ ଆଖୁ, କୋବି, କଖାରୁ, ଆଳୁ, ପିଆଜ ଚାଷରୁ କେମିତି ଲାଭ ମିଳିଥିଲା, ଏ ବର୍ଷ ଆଉରି ବେଶି ଆମଦାନୀ ହେବ–ସେଇସବୁ ହିସାବ-ଫର୍ଦ୍ଦ ସେ ମୋ ଆଗରେ ବାଢ଼ି ବସିଲା । ଜମିବାଡ଼ିରୁ ସେ ଯାହା ରୋଜଗାର କରୁପଛେ, ମୋର କଲିକତା ଆୟ ତୁଳନାରେ ସେ ଯେ କିଛି ନୁହଁ–ସେ କଥା ସାବିତ୍ରୀ ବୁଝିଲା ନାହିଁ । ପୁଣି ବୁଝିଲା ନାହିଁ ଯେ, କଲିକତାରେ ପିଲା ଦିହିଁଙ୍କର ପାଠପଢ଼ା ଗାଆଁ ଇସ୍କୁଲଠାରୁ ଭଲ ହୋଇପାରେ । ଏହାହିଁ ମୋ ପକ୍ଷରେ ସବୁଠାରୁ ଦାରୁଣ ବିଷୟ ।

ବଡ଼ଦିନ ପର୍ବରେ ପୁଅଯୋଡ଼ିଙ୍କୁ ଘେନି ଆମେ କଲିକତାର ଚିଡ଼ିଆଖାନା ଦେଖି ଯାଇଥାଉଁ । ଅନେକ ଦେଶୀ ବିଦେଶୀ ସାହେବ ପରିବାର ଚିଡ଼ିଆଖାନାର ଗୋଟିଏ ଲେଖା ଜାଗା ଦଖଲ କରି ଉତ୍ସବ ପାଳୁଥାନ୍ତି; କେଉଁଠି ପିକ୍‍ନିକର ଯୋଗାଡ଼ ଚାଲିଛି ତ, ଆଉ କେଉଁଠି ଯୁବକଯୁବତୀ, ବୁଢ଼ାବୁଢ଼ୀ, ପୁଅଝିଅ ନାଚ ଆରମ୍ଭ କରିଦେଇଛନ୍ତି । ମୋର ପୁଅଯୋଡ଼ିକ ସେହି କୃତ୍ରିମ ବେଢ଼ା ଭିତରେ ଅକୃତ୍ରିମ ଜନ୍ତୁଗୁଡ଼ିଙ୍କୁ ଦେଖିଲାଗିଥାନ୍ତି । ପାଣିକୂଳେ ଗୋଟାଏ ବେଞ୍ଚରେ ବସିଲି, ସାବିତ୍ରୀକୁ ଡାକି ପାଖରେ ବସାଇଲି–“ତୁମକୁ ମୋ ସକାଶେ କଲିକତାରେ ରହିବାକୁ ତ ମୁଁ କହୁନି, ସାବିତ୍ରୀ ! କହୁଚି ପୁଅ ଦୁହିଁଙ୍କ ପାଇଁ । ତାଙ୍କ ଭବିଷ୍ୟତ ଆମେ ସିନା ଦେଖିବା, ନଇଲେ ଆଉ କିଏ ?” ଛବିରେ ଅଙ୍କାହେବା ଭଳି ଯୋଡ଼ିଏ ହଂସ ପାଣି ଉପରେ ଛାଏଁ ଅତି ସହଜରେ ଭାସିଯାଉଥାନ୍ତି ବୁଲି ଫେରି ଏଣେ ତେଣେ । ସେଆଡ଼େ ଚାହିଁ ସାବିତ୍ରୀ କହିଲା ‘‘କେବେ ସିନା ମୋର ତୁମ ପାଇଁ ଲୋଡ଼ା ଥିଲା, ଆଜି ତାହା କ’ଣ ମନେଅଛି ? କାହିଁକି ବା ରହିବ–ଆଉ କି ଆକର୍ଷଣ ଅଛି ମୋର ? ଏକ୍ଷଣି ତ ମୁଁ ଅଲୋଡ଼ା । ଏହାପରେ–ହଁ–ଏହାପରେ ପୁଣି ପିଲାଙ୍କ ଭବିଷ୍ୟତ-ତାହା ନିଶ୍ଚୟ ଭାବିବ କଥା !” –ସାବିତ୍ରୀର ସ୍ୱରରେ ଯେଉଁ ଶ୍ଲେଷ ଆଉ ମୃଦୁ ଉସ୍ତନା ଥିଲା ଆଜି ବି ମତେ ସେ ଦର୍ଶନ କରେ । ସେତେବେଳେ ମୋର ମନେ ହୋଇଥିଲା, ସାବିତ୍ରୀ । ଟିକିଏ ସୁଦ୍ଧା ବଦଳି ନାହିଁ, ଗୌରୀ ପାଖରେ ରହି ମଧ୍ୟ । ସେମିତି ନିର୍ବୋଧ, ସେମିତି ଗୋଟାଏ ମୂର୍ଖ, ସ୍ୱାର୍ଥପର–ତା' ପାଇଁ ମୁଁ କ’ଣ ନ କରିଛି । ଜୀବନଜାକ ପଳ ପଳ ରକ୍ତ ଶୋଷି ସେ ମୋର ନିଃଶେଷ କଲା । ସବୁ ପଛକଥା ପୋଛିପକେଇ ମୁଁ ତା'ର ବିପଦରେ ଗାଁକୁ ଯାଇ ଏତେ ସାହାଯ୍ୟ କଲି । କଲିକତା ଆଣି ଚିକିତ୍ସା କରାଇଲି । ଏଇ ତେବେ ତା’ର ପ୍ରତିଦାନ ମୋର ମନକଥା ସବୁ ଜାଣିଲା ପରେ ସାବିତ୍ରୀ ଆଗଭୁରା ହୋଇ କହି ବସିଲା,”ମୋ ପାଇଁ ତୁମେ ବହୁତ କରିଛ, ତୁମ ଦୟା ପାସୋରିବାର ନୁହେଁ । ହଁ, ଦୟା ନୁହେଁ ତ ଆଉ କ’ଣ ?”

କ୍ରୋଧକୁ ଚାପି କହିଲି–‘‘ତୁମେ ଏହା ଭିତରେ” ନୂଆ ଢଙ୍ଗରେ କହିବାକୁ ବହୁତ ଶିଖିଲିଣି ସାବିତ୍ରୀ । ଶିଖିବାର ତ କଥା । ତେବେ ମନଟା ତମର ବଦଳି ନାହିଁ ।”

ତୁମେ ବି ଏହା ଭିତରେ ବହୁତ ନୂଆ ନୂଆ କାମ କରିବାକୁ ଶିଖିଲଣି ତା, କିନ୍ତୁ ତାହା ସାଥିରେ ତମ ମନ ବି ବଦଳି ଯାଇଛି । ନୁହଁ କି ?” ଜବାବ ଦିଅ ସାବିତ୍ରୀ ।

“ବେଶ କଲ, ଆଛା କଲ, ଭୁଲିଯାଉଛ ସାବିତ୍ରୀ । ମୁଁ ଯାହା କରେ ସେ ମୋ କମେଇରେ, ମୋର ସେ ବାହାଦୂରୀ, କିନ୍ତୁ । ତୁମେ ? କାହା ଘରେ ରହି ଶିକ୍ଷା-କେନ୍ଦ୍ର ଖୋଲିଚ ? କାହା ଜମି ଉପରୁ ଫସଲ କରୁଚ ?” ବିରକ୍ତ ହୋଇ ପଡ଼ିଥାଏ ମୁଁ । ଏସବୁ ତାହାକୁ ଛିଗୁଲେଇ କହିଲି ।

“ସେକଥା ସତ ! ଖାଲି ତମରି ଘର, ତମରି ଜମିବାଡ଼ି କାହିଁକି ? ତମରି ପୁଅ ଯୋଡିଙ୍କୁ ପାଳୁଛି ମଧ୍ୟ । ତୁମ ପୁଅ ଛଡ଼ା ତାଙ୍କୁ ମୋ ପୁଅ ବୋଲି କିଏ ବା କହୁଛି କି । ହାତୀ ବନସ୍ତରେ ଥିଲେ ବି ତ ରାଜାଙ୍କର ! ତୁମ ଛଡ଼ା ମୋର ଅନ୍ୟ ଆଶ୍ରୟ କାହିଁ ?”

 

“ତା’ହେଲେ ପୁଅ ଦିହେଁ ମୋ ପାଖରେ ରହିବେ । ତାଙ୍କୁ ତୁମେ ଛାଡ଼ି ଯାଅ ଭି ।”

 

ସାବିତ୍ରୀ ପ୍ରତିବାଦ କଲାନାହିଁ, କହିଲା–“ମୁଁ କ’ଣ ଛାଡ଼ିଯିବି ? ତାଙ୍କୁ ମୁଁ ଧରି ରଖିଚି କି-? ତୁମେ ସିନା ତାଙ୍କୁ ଛାଡ଼ିଯାଇଛ । ଏବେ ତୁମେ ତାଙ୍କୁ ରଖନାହିଁ ? କିଏ ମନା କଲା-!”

 

“ଏହା ଖାଲି ଯୁକ୍ତିତର୍କର କଥା ନୁହେଁ ।” ମୋ ସ୍ଵରଟା ଏଥର ଛାଏଁ ନରମ ହୋଇଗଲା-।” କେତେ କ’ଣ ଦୁନିଆ ଚାଲେ । ତୁମେ ନିଜେ ଆଗେ ବୁଝ–ପିଲାଙ୍କ ପଢ଼ାଶୁଣା କଲିକତାରେ ଭଲ ହେବ–କି ଗାଆଁରେ ? ଦୁନିଆ ଏବେ ଆଗେଇ ଚାଲିଚି, କଲିକତା ହେଲା ପ୍ରଗତିର ପୀଠ, ଏଠାରେ ଖାଲି ରହିଲେ ମଣିଷର ଆଖି ଖୋଲିଯିବ । ପାଠପଢ଼ିବା ଦୂରରେ ଥାଉ, ଆମର ସୁବିଧା ଅଛି, ଗାଆଁର ପଚାସଢା ବେଷ୍ଟନୀ ଭିତରୁ ଏଠାରେ ଆଣି ପିଲାଙ୍କୁ ରଖି ପାରିବା, ତୁମେ ଏଥିରେ ନାରାଜ ହେବାଟା କ’ଣ ଠିକ୍ ?” ଖୁବ୍ ମୁଲାୟମ ସ୍ୱରରେ ମୁଁ କହେ ।

 

ତଥାପି ସାବିତ୍ରୀ ବୁଝେନାହିଁ–‘‘ତୁମେ ମତେ ତର୍କ କରିବାକୁ ମନାକଲ । ଅଥଚ ନିଜେ ଆରମ୍ଭ କରୁଚ ତର୍କ । ଗାଆଁଟା ପଚାସଢ଼ା, କି କଲିକତାଟା ପଚାସଢା, ପୁଣି ଦୁନିଆର ପ୍ରଗତି କଲିକତା ବାଟେ ହେଇଛି, ସେ ବିଷୟରେ ମତଭେଦ ଅଛି !”

 

“ମତଭେଦଟା କାହାର ? ତମର ନା ତମ ଦୀକ୍ଷାଦାତ୍ରୀ ଗୌରୀର ଶୁଣେ ? ଗୌରୀ ସାଥିରେ ତୁମେ ଯୋଉ ପ୍ରଗତି କରୁଚ, ସେ ତ ଗାଁଗଣ୍ଡା ଚାରିଆଡ଼େ ବ୍ୟାପିଯାଇଚି, ସେକଥା କହି ଆଉ ଲାଭ କ’ଣ ? ଧନ୍ୟ ତମର ଶିକ୍ଷା, ଧନ୍ୟ ତମର ଆଦର୍ଶ !” ମୁଁ ଆଉ ରାଗ ସମ୍ଭାଳି ପାରିଲି ନାହିଁ ।

 

“ରଖ, ରଖ, ତୁମେ ବି କଲିକତାରେ ରହି ଯେଉଁ ପ୍ରଗତି କଲଣି, ସେ ତ ଆଉ ଲୁଚି କରିନାହିଁ । କଜିଆ ବହୁତ ହୋଇ ଯାଇଛି, ଆଉ ସେ ପୁରୁଣା କଜିଆ କାଢ଼ି ଲାଭ କ’ଣ ? ତେବେ ଗୋଟଏ କଥା ମତେ ତୁମେ ଯାହା ଇଛା କହିପାର କିନ୍ତୁ ଗୌରୀ ଏଠାରେ ନାହିଁ । ତାହା ବିରୁଦ୍ଧରେ ପଛରେ କିଛି କହିବା ସୌଜନ୍ୟ ବିରୁଦ୍ଧ” ସାବିତ୍ରୀର ସ୍ୱରରେ ଅସହ୍ୟ ଦୃଢ଼ତା ଆଉ ଦାମ୍ଭିକତା ।

 

“ଆ ହା ହା ! କି ସୌଜନ୍ୟ ମତେ ଶିଖାଇଲ ତୁମେ ! କହିବି ନାହିଁ, ନ କହିଲେ ଏ ଘରେ ରହିବି ନାହିଁ । ବରାବର ମୁଁ ତୁମକୁ ଲକ୍ଷ୍ୟ କରିଆସୁଛି ସାବିତ୍ରୀ ! ଆରମ୍ଭରୁ ଗୌରୀ ହିଁ ତମର ଆଦର୍ଶ । ଦୈବାତ୍ ଖାଲି ମୋ ସାଥିରେ ଯାହା ତମର ହାତଗଣ୍ଠିଟା ପଡ଼ି ଯାଇଥିଲା ସିନା । ନଇଲେ ସ୍ୱାଧୀନ ହୋଇ ରହିବାକୁ ତମର ଇଛା, ଗୌରୀ ଭଳି । ବିବାହଟା ତମ ଆଖିରେ ଏକ ଆଦିମ୍ ଯୁଗର ପଚା ଅନୁଷ୍ଠାନ । ଗୌରୀ ତୁହିନଙ୍କ ଭଳି ତମେ ବି ବୋଧହୁଏ ଖୋଜୁଥିଲ ଜଣେ ସଙ୍ଗୀ । ମୁଁ ଜାଣେ ଆଜିକାଲିର ଏ ଗୋଟଏ ନୂଆ ଫେସନ । କୁଣ୍ଢେଇ ପିତୁଳାଙ୍କୁ ଆଗେ ଆମେ ଦିଅଁ ବୋଲି ପୂଜା କରୁଥିଲୁ; ସେଉଠୁ ପୌତଳିକତା ବିରୁଦ୍ଧରେ ସାଇଁ ଧଇଲୁ ଏକାଶ୍ୱରବାଦକୁ–ତା’ପରେ ହେଲୁ ସମ୍ପୂର୍ଣ୍ଣ ନିରୀଶ୍ୱର । ସେମିତି ବାହବେଦୀ ବାଜା ବଜତ୍ରୀ ପୁରୁଣା ହୋଇପଡ଼ିଲେ ତହୁଁ ରେଜେଷ୍ଟ୍ରିରେ ଦସ୍ତଖତ କରିଦେଲେ ବିବାଘର ହେଲା । ଏବେ ସେସବୁ ଛାଡ଼ି ଯାହାକୁ ଯାହାର ଖୁସି ଦିନକେତେ ଆଦରି ରହିଲେ ଚଳିଲା । ତୁ ମୁଁ ଯେବେ ରାଜି, କ୍ୟା କରେଗା କାଜି ! ଚିରକାଳ ଜଣେ ସ୍ତ୍ରୀ ଜଣେ ପୁରୁଷ ବନ୍ଧା ଛନ୍ଦା ହୋଇ ସଂଯମ ବ୍ରତ ପାଳୁଥିବେ–ଶେଷଆଡ଼କୁ କେହି କାହାର ମୁହଁକୁ ନ ଚାହିଁ, ଚାହିଁବେ ଖାଲି ପୁଅ, ନାତି ମୁହଁକୁ । କାରଣ ନିଜ ନିଜ ମୁହଁ ପୁରୁଣା ହୋଇଯାଏ, ଦାନ୍ତ ଝଡ଼ି ଚମଡ଼ା ଓହଳି ପଡ଼ିଥାଏ ।”

 

ସାବିତ୍ରୀ ହସିଦେଲା, ଗୋଟାଏ ତାକୁଲ୍ୟା ହସ । କାହିଁକି ! ଏମିତି ଅସ୍ୱାଭାବିକ ଅବସ୍ଥାରୁ ବାହାରି ଯିବାକୁ ବାଟ ନାହିଁ କି ? ଏତେ ବଡ଼ ଦୁନିଆଟାରେ ନୂଆ ନୂଆ ମୁହଁର କ’ଣ ଅଭାବ ଅଛି ଯେ ଖାଲି ପୁଅ ନାତିଙ୍କ ମୁହଁକୁ ଚାହିଁଥିବ ।”

 

ଗାଆଁରେ ନେଇ ଛାଡ଼ିଆସିଲି ସେମାନଙ୍କୁ । ଗୌରୀ ସାଥିରେ ଭେଟହେଲା । ସେ ପଚାରିଲା, ”କଲିକତାରୁ ସୈନ୍ୟମାନେତ ବହାରି ଗଲେଣି, ଆପଣଙ୍କର ଆଉ କି କାମ ଅଛି ସେଠାରେ ?” ମୁଁ ଯେ ଆଉ ଗୋଟାକେତେ କଣ୍ଡୋକଟୋରି ବ୍ୟବସାୟ ଧରିଚି, ତାହା ଗୌରୀକୁ କହିଲି । ତେବେ ଜଣାପଡ଼ିଲା, ଗୌରୀର ମଧ୍ୟ ଇଛା ମୁଁ ଗାଆଁକୁ ଆସେ, କିନ୍ତୁ ଗାଆଁକୁ ଆସି ମୁଁ କରିବି କ’ଣ ? ପୁଣି କଲିକତା, ସେଠାରେ ମୋର ବ୍ୟବସାୟ ଯେମିତି ମାନ୍ଦା ପଡ଼ିଗଲାଣି–କେତେଦିନ ଅବା ରହି ରହିବି ଆଉ ସେଠାରେ ? ଫେରି ଆସିବା ଦିନ ମନ ମୋର ଗାଆଁ ଓ କଲିକତା ମଝିରେ ଏପାଖ ସେପାଖ ହେବାକୁ ଲାଗିଲା ।

 

କଲିକତାର ସେଇ ସରୁଗଲିଟା ଭିତରକୁ କେତେବେଳେ ସକାଳ ଆସେ, ଜାଣି ହୁଏ ନାହିଁ । ସୂର୍ଯ୍ୟର ଆଖି ଆଢ଼ୁଆଳରେ ବୋଧହୁଏ ଖାଲି ସେ ଗଳିଟା ରହିଯାଇଚି, ପୃଥିବୀ ଗ୍ରହର ଏହି ଜନଗହଳି ସହର ମଝିରେ । ସେଥରେ ଯେମିତି ଆଲୁଆକୁ ଚାରିପଟେ ବାଟଘେରା ଉଗାଳି ଦେଇ ଅନ୍ଧାର କରିଚି ରାଜତ୍ୱ । ଦିନ ଦ୍ୱିପ୍ରହରେ ସୁଦ୍ଧା ସେ ଗଳିଟାକୁ ସୂର୍ଯ୍ୟ ଆସନ୍ତି ନାହିଁ, ଆସନ୍ତି ଖାଲି ତାଙ୍କରି ସ୍ତ୍ରୀ, ଛାୟା–ଏଇଥିପାଇଁ ପରା ସ୍ତ୍ରୀମାନଙ୍କୁ ଆଗେ କୁହାଯାଉଥିଲା ଅସୂର୍ଯ୍ୟମଷ୍ୟା ଅନ୍ଧାର କଣରେ ଲୁଚି ରହିବା ଯେମିତି ତାଙ୍କର ପ୍ରକୃତି । ଛାୟାର ସ୍ୱଭାବ ଘେନି ନାରୀର ଜନ୍ମ । ଆପଣ ମତେ ପୁରୁଣାକାଳିଆ କହି ହସିଦେବ ନିଶ୍ଚୟ, ଆଜି ଏହି ନାରୀ ପ୍ରଗତି ଯୁଗରେ; କିନ୍ତୁ ମାଫ୍‍ କରିବେ, ଏ ଯୁଗରେ ସୁଦ୍ଧା ନାରୀ ପ୍ରଗତିଟା ଅନ୍ଧାରରେ କି ଆଲୁଅରେ ଚାଲିଚି, ସେ ବିଷୟରେ ମୋର ସନ୍ଦେହ ଦୂର ହୋଇନାହିଁ–ପୁଣି ତାଙ୍କ ସାଥିରେ ପୁରୁଷମାନଙ୍କ ପ୍ରଗତି ମଧ୍ୟ । ସୂର୍ଯ୍ୟଙ୍କୁ ଛାଇ ନ ଛାଡ଼ିଲା ପରି ପୁରୁଷକୁ ଛାଡ଼ି ନାରୀ ରହିପାରେ କେଉଁଠି ?

 

ଦିନ ଦ୍ୱିପ୍ରହର । ଗଲି ଭିତରେ କାଁ ଭାଁ ଲୋକ ଯା ଆସ କରୁଛନ୍ତି । ଛାଡ଼ିପାତ ବଡ଼ ରାସ୍ତାରୁ ଟ୍ରାମ, ମଟର ଶବ୍ଦ ଅବାଧ୍ୟ ହୋଇ ଏକ ଗଲି ଉପରେ ଯେମିତି ଆସି ଧକ୍‍କା ମାରୁଚି । ତିନି ଚାରିଟି ଯୁବତୀ ଝିଅ ଗଳିମୁଣ୍ଡ ଗୋଟାଏ ଦୁଆରେ ହସଖୁସି ଗପରେ ମାତି ସିଗାରେଟ୍‍ ଟାଣୁଛନ୍ତି । ମୁକୁଳା କେଶକୁ ସୁଖାଇବା ପାଇଁ ଖରାର ଅଭାବ । ଦ୍ଵାର ପାଖରେ ଚେନାଏ ଖରା କେଉଁବାଟେ ଛିଟିକି ଆସି ପଡ଼ିଚି । ତାହାରି ପାଇଁ ତାଙ୍କ ଭିତରେ ଠେଲା ଠେଲି ।

 

ଠଣ ଠଣ ଶବ୍ଦର ଜଣେ ରିକ୍‍ସାରେ ଆସି ଅଟକିଲା । ରିକ୍‍ସାରୁ ଓହ୍ଲାଇଲା ଜଣେ ଯୁବତୀ । ଆଗନ୍ତୁକଆଡ଼କୁ ଚାହିଁ ସେମାନେ ଠରାଠରି ହେଲେ । ଏ ଅଞ୍ଚଳରେ ଯେ ସେ ଏକାବେଳେ ନୂଆ, ତାହା ଠଉରେଇବା କଷ୍ଟକର ନୁହେଁ । ଆଗନ୍ତୁକ ଚାରିଆଡ଼କୁ ଚାହିଁ କେଉଁ ଘରଟା ଖୋଜୁଥିଲା ଯେପରି । ତାହାର ବେଶରେ କିଛି ଦେଖିବାକୁ ନ ଥାଏ; କିନ୍ତୁ ରୂପରେ ଥାଏ ଗୋଟାଏ ତୀବ୍ରତା; ଯାହାକୁ ଧାରଣ କରିହେବ ନାହିଁ ଅସାଧାରଣ । ରୁଣ୍ଡ ହୋଇଥିବା ଝିଅଙ୍କ ମଧ୍ୟରୁ ଜଣେ ତାହାରିଆଡ଼କୁ ଚାହିଁଲା, ଝିଅଟିର ପିଠିକୁ ଆଚ୍ଛନ୍ନ କରିଥାଏ କୃଷ୍ଣ କେଶର ଅରଣ୍ୟ, ମୁହଁରେ ଧଳାଛଉର ଦାଗ ।

 

“ତିନିଶ ସତର ନମ୍ବର ଘର କିଏ ?” ନବାଗତା ପଚାରିଲା । ଡାହାଣ ପଟକୁ ଦେଖାଇ ସେହି ନମ୍ବର ଘରକୁ ଝିଅଟି ଚିହ୍ନାଇ ଦେଲା ।”ସେଇଠି କ’ଣ ଉଷା ଦେବୀ ରହନ୍ତି କି ?” ଝିଅଟି ଆଗନ୍ତୁକାର ପାଦରୁ ମୁଣ୍ଡଯାଏଁ ଥରେ ଆଖି ପକାଇ ପଚାରିଲା ବଙ୍ଗଭାଷାରେ–“ଆପଣ କେଉଁ ଉଷା ଦେବୀଙ୍କୁ ଚାହାଁନ୍ତି ? ସେ ଘରେ ଅନେକ ଝିଅ ଅଛନ୍ତି, ଆପଣ ଯାଇ ସେଇଠି ପଚାରନ୍ତୁ ।”

 

ଆଗନ୍ତୁକ ଚାଲିଲା ସେଇଆଡକୁ । ପଛରୁ ଶୁଣିଲା ଗୋଟାଏ ଚପାହସ । ସେଇ ଘରଟାର ଦୁଆର ଆଗରେ ବସିଥାଏ ଜଣେ ବୁଢ଼ୀ, ତାହାର ହାତପାଦ କୁଷ୍ଠରୋଗରେ ଝଡ଼ିପଡ଼ିଥିଲା । ଆଖି ନାକ ମଧ୍ୟ ମୁଁହ ତଳକୁ ଓହଳି ପଡ଼ିଥିଲା । ଆଗନ୍ତୁକ ପାଖରେ ଛିଡ଼ାହୋଇ କିଛି ପଚାରି ପାରିଲା ନାହିଁ । ବୁଢ଼ୀ ଆଗକରି କଥା କହିଲା, ‘‘କାହାକୁ ଖୋଜୁଚ ଝିଅ ?” ନବାଗତା ଯୁବତୀ ପଛକୁ ପାଦେ ଘୁଞ୍ଚିଯାଇ ପୁଣି ଯେମିତି ସାହସ ବାନ୍ଧି ବୁଢ଼ୀ ପାଖରେ ଛିଡ଼ା ହେଲା–

 

“ମୁଁ ଖୋଜୁଚି, ହଁ, ମୁଁ ଖୋଜୁଚି ଉଷାକୁ, ସେପରି ନାମରେ ଏଠି କେହି ଅଛି କି ?

 

“ଉଷା ! ଓ ଉଷାରାଣୀ ଦେବୀ ? ସେଇ ସେ ସିନେମା ଷ୍ଟାର ନା ?”

 

“ହଁ, ହଁ ସେଇ ଉଷା–ସେଇ ଉଷାକୁ ମୁଁ ଖୋଜୁଚି ।”

 

“ସେ ଅଛି ଦିତାଲା ଉପରେ । ଏଇ ସିଡ଼ିରେ ଉଠିଗଲେ ବାଁହାତି ପଡ଼ିବ ତା’ର କୋଠରୀ, ସେଇଠି ଜଣେ ଦରୱାନ ଅଛି, ବହାଦୂର ସିଂ–ତାକୁ କହିଲେ ସେ ଘେନିଯିବ ଉଷାଦେବୀ ପାଖକୁ ।”

 

ଆଗନ୍ତୁକ ସାହାସ ବାନ୍ଧି ସିଡ଼ି ଉପରକୁ ଉଠିଲା । ପ୍ରତି ପାହାଚରେ ପାଦ ଦେଲାବେଳେ ତା’ର ଦେହ ଯେମିତି ଶିତେଇ ଉଠୁଥାଏ । ପ୍ରତି ପାହାଚକୁ ଓହ୍ଲାଇ ଫେରିଯିବାକୁ ଇଛା ହେଉଥାଏ-। ପୁଣି ସାହସ ବାନ୍ଧି ପାଦ ପକାଉଥାଏ । ମନ ଭିତରେ ତା’ର ଏକ ପ୍ରବଳ ଘୁର୍ଣ୍ଣିବାତ ମଣିଷସମାଜ ତେବେ ଏଇ ଉପେକ୍ଷିତ ରୋଗବ୍ୟାଧି ଉପରେ ଗଢ଼ା ହୋଇଛି–ଯାହାର ପ୍ରତିକାର ନାହିଁ, ଉପଶମ ନାହିଁ ! ଏଇଠାକୁ ଫେରାଇ ଆଣିବାକୁ ହେବ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ଜୀବନ ? ପୂର୍ବକାଳରେ ତପସ୍ୟାର ଲକ୍ଷ୍ୟ ଥିଲା ଏହାହିଁ । ଆଜି ବିଜ୍ଞାନଯୁଗରେ ତାହା ବହୁ ଆକାର ପ୍ରକାର ଘେନି ଦେଖାଦେଇଛି । ସୁସ୍ଥ ସମାଜ, ସୁଖୀ ଜୀବନ ଗଢ଼ିବା ପାଇଁ ମନୁଷ୍ୟର କି ଅଦ୍ୟମ ଉଦ୍ୟମ । ଯୁଗ ଯୁଗ ଧରି ଏ ଉଦ୍ୟମର ଅନ୍ତ ନାହିଁ । ତେବେ କେଉଁଠି ସମାଜର ଶିକ୍ଷା ଦୀକ୍ଷାର ଚରମ ପରିଣତି ? ଚିରକାଳ କ’ଣ ସବୁ ଉଦ୍ୟମସତ୍ତ୍ୱେ ଏଇ ରୋଗର ସ୍ଥାୟୀ ପ୍ରତିକାର ମିଳିବ ନାହିଁ ? ଯେତେ ଚେଷ୍ଟାକଲେ ମଧ୍ୟ ଏଥିରୁ ଚିରମୁକ୍ତିର ଉପାୟ କ’ଣ ନାହିଁ ? ଉଷାର ଘର ଆଗରେ ଆଗନ୍ତୁକ ଆସି ଠିଆହେଲା । ଉଷା ସେତେବେଳେ ଚଉକିରେ ଆଉଜି ପଡ଼ି ଗୋଟାଏ ଚଳଚ୍ଚିତ୍ର ପତ୍ରିକା ଉପରେ ଆଖି ବୁଲାଉଥାଏ । ନବାଗତାକୁ ଚାହିଁ ସେ ପତ୍ରିକାଟାକୁ ପକାଇଦେଇ ହଠାତ୍‍ ଚମକିଉଥିଲା ।

 

“କିଏ ଗୌରୀ ଦେଈ ! ତୁମେ କେମିତି ଆସିଗଲ ଏଠାକୁ ?” ସଂକୋଚରେ ସମ୍ଭ୍ରମରେ ଉଷା ଦୁଇହାତ ଯୋଡ଼ି ଗୌରୀକୁ ନମସ୍କାର କଲା; କିନ୍ତୁ ତାହା ପାଖକୁ ଆସିପାରିଲା ନାହିଁ । ତାକୁ ବୋଧହେଲା, ଗୌରୀ ସାମନାରେ ସେ ଯେମିତି ସେଇ କାନ୍ଥରେ ମିଶିଯାନ୍ତା କି ! ଧୀରେ ଧୀରେ ପାଦ ପକାଇ ଗୌରୀ ତା’ର ସାଧାରଣ ରୀତିରେ ଉଷା ପାଖକୁ ଲାଗିଆସିଲ, ଉଷା କିନ୍ତୁ ଅଛୁଆଁ, ଅପରାଧି ଭଳି ଘୁଞ୍ଚି ଘୁଞ୍ଚି ଯାଉଥାଏ । ଗୌରୀକୁ ଛୁଇଁ ପକେଇବାର ସାହସ ନ ଥାଏ ଉଷାର ।

 

“କାହିଁକି ଉଷା ! ଏ ଥାନ କ’ଣ ଦୁନିଆ ଭିତରୁ ବାହାର କି ଲୋ ?” ଗୌରୀ ତାକୁ କୁଣ୍ଢାଇ ପକାଇ କହିଲା, ‘‘ଉଷା, ଉଷା ମୁ ତୋର ସବୁକଥା ଶୁଣିଚି”–ଏଇ ପଦକ କଥାରେ ଗୌରୀ ଯେମିତି ତା’ର ସମୁଦାୟ ଜୀବନ ଉଷା ଆଗରେ ଫିଟାଇଦେଲା ।

 

ସେ କଥାରେ ଉପକ୍ରମ ନାହିଁ–ସମ୍ଭ୍ରମ ନାହିଁ–ସମୟର ସୁଦୀର୍ଘ ବ୍ୟବଧ୍ୟାନକୁ ଗୌରୀ ଯେମିତି ଅସ୍ୱୀକାର କରିପକାଇଛି ।

 

“ମତେ କ’ଣ ତମେ କ୍ଷମା କରିପାରିଛ ଗୌରୀଦେଈ” ଉଷାର ଆଖି ଦୁଇଟା ଫାଟି ଲୁହ ଝରିପଡ଼ିଲା–

 

“କ୍ଷମା ! କ୍ଷମା କିଏ କାହାକୁ କରିପାରେ ଲୋ ଭଉଣୀ ? ଏ ଦୁନିଆରେ ଦୋଷୀ କିଏ-? ପୁଣି କ୍ଷମା ଦବାର ଆସନରେ କିଏ ଅବା ବସିଛି, କହିଲୁ ?” ଗୌରୀର ଆଲିଙ୍ଗନ ଭିତରୁ ମୁକୁଳିବାକୁ ସେ ଇଛା କଲା ନାହିଁ । ଚିରକାଳ ସେ ଏହାରି ଭିତରେ ରହି ଜୀବନ ଶେଷ କରିଦିଅନ୍ତା ହେଲେ ! ସହସ୍ର ଆଲିଙ୍ଗନ ଭିତରେ ରହି ଦିନେହେଲେ ସେ ନିଜକୁ ଅନୁଭବ କରି ନହିଁ, ସେ ଗୋଟାଏ କାଠ କି ପଥର ଆଜିଯାକେ ତାହା ବୁଝିନଥିଲା । ଆଜି ଯେମିତି ତା’ର ମନେହେଲା, ସେ ମରିନାହିଁ, ଜୀଇଁଚି । ଉଷା କାଠପଥର ନୁହେଁ, ମଣିଷ ! ହୃଦୟର ଆବେଗରେ ସେ କିଛିହେଲେ କହିପାରିଲା ନାହିଁ କିମ୍ଵା ଗୌରୀର ଆଲିଙ୍ଗନରୁ ଆପଣାଙ୍କୁ ମୁକ୍ତ କଲାନାହିଁ । ପିଲାଙ୍କ ଭଳି କେବଳ କଇଁ କଇଁ କାନ୍ଦିବାକୁ ଲାଗିଲା; କାରଣ, ସେ ଭାବିଥିଲା ଗୌରୀ ଏଡ଼େ ଶିକ୍ଷତା ଝିଅ ହୋଇ ନିଶ୍ଚୟ ତାକୁ ଘୃଣା କରିବ ଅଥଚ ଦେଖିଲା ଠିକ୍‍ ଓଲଟା ।

 

ଚୌକିରେ ବସିପଡ଼ି ଗୌରୀ ଉଷାକୁ ବସିବାକୁ ଡାକିଲା ।” ନାଇଁ ଗୌରୀ ଦେଈ ସେ କଥା ତମେ ମତେ କୁହ ନହିଁ, ତୁମ ପାଖରେ ବସିବାକୁ ମୁଁ ଯୋଗ୍ୟ ନୁହେଁ ।” ଉଷା କଥାରେ ଟିକିଏ ହେଲେ ଦେଖାଣିଆ ଢଙ୍ଗ ନ ଥିଲା । ଗୌରୀ ତାକୁ ଝାଙ୍କିଆଣି ନିଜ ପାଖରେ ବସାଇ ଦେଲା ।” ଉଷା ଲୋ ! ତୁ ପିଲାଦିନର ସେଇ ଉଷା ରହି ଯାଇଚୁ ? ମତେ ତୁ କ୍ଷମା କର ଭଉଣୀ, ମୁଁ ଭାବିଥିଲି, ତୁ ଏକାବେଳେ ବଦଳି ଯାଇଥିବୁ ବୋଲି ।”

 

“ଆଉ ତୁମେ ତ ସେଇଆ ଅଛ । ଏତେ ବୁଦ୍ଧିବିଦ୍ୟା କମେଇ ସୁଦ୍ଧା କାହିଁ କେଉଁଠି ବଦଳିଚ ଭଲା ?” ଶୈଶବର ସ୍ମୃତି ରୋମନ୍ଥନ କଲେ ଦୁଇସାଥି । ଅଖଣ୍ଡ ଜୀବନ-ପ୍ରବାହର ଖଣ୍ଡିତ ସ୍ମୃତି, ସେଗୁଡ଼ିକ ରଖିବାର ସାଧ୍ୟ କାହାର ? ତଥାପି ସେଇ ହଜିଗଲା ସ୍ମୃତିରେ ଭାସି ବୁଲୁଥାଏ କେତେ ଅର୍ଥହୀନ ଉଛାଶ କେତେ ଅକାରଣ ମୂଲ୍ୟବୋଧ, ପିଲାଦିନେ ଉଷା କିପରି ଗଛ ଚଢ଼ିବାରେ ଧୁରନ୍ଧର ଥଲା, ସ୍ୱାଇଁ ଘର ବାଡ଼ିରେ ଯେଉ କୟାଁ ଗଛ, ଉଷା ଚଢ଼େ ଗଛ ଉପରେ, ସାବିତ୍ରୀ ଗୌରୀ ତଳେ ଛିଡ଼ା ହୋଇ ଜଗି ରହିଥାନ୍ତି । ସ୍ୱାଇଁ ବୁଢ଼ା ପାଟି କଲାକ୍ଷଣି ଦୁହେଁ ପଳାଇଆସି କୟାଁ ସାଥିରେ ଲଙ୍କାମରିଚ ଚକଟି କେମିତି ମଜା କରନ୍ତି । ସାବିତ୍ରୀଟା ଥାକୁଲି ଦଉଡ଼ି ନ ପାରି ସମସ୍ତଙ୍କୁ ଧରା ପକାଇ ଦିଏ କେତେଥର ।” ହଁ ଉଷା, ତୁ କେତେ ଆମ୍ବ, କୟାଁ, ବରକୋଳି ଆମକୁ ଦେଇନାହୁଁ, ସେମିତି ଆଜି ମୁଁ ତୋ ପାଖକୁ ଗୋଟାଏ ଜିନିଷ ମାଗିବାକୁ ଆସିଛି ।”

 

“ତୁମକୁ ଦେଲା ଭଳି ମୋର କି ଜିନିଷ ଅଛି, ଗୌରୀ ଦେଈ ? ମୁ ଯେ ଦାଣ୍ଡର ଭିକାରୁଣୀ–ତୁମକୁ ପୁଣି କ’ଣ ଦେଇପାରେ ।”

 

“ନାହିଁ ଉଷା ! ତୁ ଭିକାରୁଣୀ ନୋହୁ, ଗଜରାଣୀ ! ତୁହି ଖାଲି ଦେଇପାରୁ ଆଉ କେହି ନୁହେଁ ।”

 

“ଥଟ୍ଟା କର ନାହିଁ । ଗୌରୀ ଦେଈ ! ମୁଁ ଗଜରାଣୀ ନୁହେ, ସବୁଠୁଁ ହିନୀମାନି–ଆଖି ତା’ର ଛଳଛଳେଇ ଉଠିଲା ।”

 

“ମୁଁ କ’ଣ ଦେଇପାରେ ?” ନିବୋଧ ଆଖିରେ ସେ ଗୌରୀ ମୁହଁକୁ ଚାହିଁଲା ।

 

“ହଁ ଉଷା ! ତୁହି ଦେଇପାରୁ–ତୋ ଛଡ଼ା ଆଉ କେହି ନୁହେଁ । ତୋ ପାଖରୁ ଦିବାକର ବାବୁଙ୍କୁ ଫେରାଇ ନେବାକୁ ଆସିଛି ମୁଁ ।”

 

“ଦିବାକର ବାବୁଙ୍କୁ ? ମୁଁ କ’ଣ ତାଙ୍କୁ ଧରି ରଖିଛି କି ? ତୁମେ ଏକଥା କହୁଚ ଗୌରୀ-?”

 

“ତୋ ଆଗରେ କ’ଣ କିଛି ମୋର ଲୁଚାଇବାର ଅଛି କି ? ଜାଣୁ ତ ସାବିତ୍ରୀର ଅବସ୍ଥା ଏଠାକୁ ଆସି ତିନି ଚାରି ମାସ ରହି ସେ ପୁଣି ଗାଆଁକୁ ଯାଇଚି । ପିଲଯୋଡ଼ିଙ୍କୁ ଧରି ସ୍ୱାମୀ ପାଖରୁ ଅଲଗା ହୋଇ କି କଷ୍ଟରେ ସେ ଯେ ଚଳୁଚି, ସେ କଥା କ’ଣ ତୋତେ କହିବାକୁ ହେବ ?”

 

“କିନ୍ତୁ ମତେ କ’ଣ ତାଙ୍କର ଏ ଅବସ୍ଥା ପାଇଁ ତୁମେ ଦାୟୀ କରୁଚ ?”

 

“କଦାପି ନୁହେଁ ଲୋ, ଭଉଣୀ ! ତେବେ ଏଇ ଅବସ୍ଥାକୁ ବଦଳେଇ ଦେବାର ଛବି ଅଛି ତୋରି ହାତରେ । ତୁହି ଇଛା କଲେ ଦିବାକର ବାବୁଙ୍କୁ ଗାଆଁକୁ ଫେରାଇ ଦେଇପାରୁ ।”

 

“ମୁଁ ତାଙ୍କୁ ତା’ ଗାଆଁରୁ କଲିକତା ଆଣି ନ ଥିଲି ?”

 

“ସେ କଥା ତତେ ମୁ କ’ଣ କହିଲି କି ?”

 

“ତାହାହେଲେ ମୁଁ ତାଙ୍କୁ ଗାଆଁକୁ ଫେରାଇ ପାରିବି କିପରି ? ଗୌରୀ ଦେଈ ! ତୁମେ ଜାଣନାହିଁ କେତେଥର ତାଙ୍କୁ ମୁଁ ଗାଆଁକୁ ଯିବା ପାଇଁ ଜିଗର କରିଛି; କିନ୍ତୁ ମୋ କଥା ସିଏ କାନକୁ ନେଇନାହାନ୍ତି ।”

 

“ତଥାପି ମୋର ବିଶ୍ୱାସ ତୁ ଇସାବ କଲେ ଦିବାକର ବାବୁ ଗାଆଁ ଫେରିଯିବେ । ସାବିତ୍ରୀ ଆଉ ତା’ର ପିଲଯୋଡ଼ିଙ୍କର ଦଶା ବି ଟିକିଏ ଫେରିବ ।”

 

ଗୌରୀର ଆଲିଙ୍ଗନ ଭିତରୁ ଉଷା ଯେମିତି ଇଛା କରୁନଥିଲା–ସେମିତି ଏକ୍ଷଣି ଇଚ୍ଛାକଲେ ସୁଦ୍ଧା ତା’ର ଦୃଢ଼ତା ଆଉ ବିଶ୍ୱାସ କବଳରୁ ମୁକୁଳିବା ଅସମ୍ଭବ । ସେ ହଁ, ନାହଁ କିଛି କରିପାରିଲା ନାହିଁ । କହିବାର କିଛି ନ ଥିଲା । କ୍ଷଣକ ପରେ ସେ ହଠାତ୍ ଆତଙ୍କିତ ହୋଇ ଉଠିଲା,” ତୁମେ ଆସି ରହିଛ କେଉଁଠି, ଗୌରୀ ଦେଈ ?”

 

ନିର୍ବିକାର ହସ ହସି ଗୌରୀ କହିଲା, ‘‘କହିଁକି ? ଗୋଟାଯାକ କଲିକତା ସହରରେ ମୋରି ପାଇଁ ଏକା କ’ଣ ଥାନ ନାହିଁ ?”

 

“ତୁମ ଆସିବା କଥା ଦିବାକର ବାବୁ ଜାଣନ୍ତି ?”

 

“ନା, ଗାଡ଼ିରୁ ଓହ୍ଲାଇ ମୁଁ ସିଧା ତୋରି ଘରକୁ ଆସିଲି, ଏଠାରୁ ପୁଣି ସିଧା ସଳଖେ ବସିବି ଯାଇ ରେଲଗାଡ଼ିରେ ।”

 

“ତୁମେ କ’ଣ ଶୁଣିନାହଁ ଗୌରୀ ଦେଈ କଲିକତା ଖବର ?”

 

“କ’ଣ ଖବର ? ଓଃ ଏଇ ହିନ୍ଦୁ ମୁସଲମାନ ଦଙ୍ଗାକଥା ?”

 

“ଆସ୍ତେ କୁହ ଗୌରୀ ଦେଈ, ଖୁବ୍‍ ଆସ୍ତେ, କଲିକତା ସହର ଏକ୍ଷଣି ଦୁଲୁକୁଚି । କଲିକତା କାଳୀଠାକୁରାଣୀ ରକ୍ତମୁଖା-ଗଲା ରାତିରେ ଏଇ ଘର ଭିତରେ ଦି’ଜଣ ଲୋକ ହଣାନ ଖାଇଛନ୍ତି । ଦିନ ନାହିଁ, ରାତି ନାହିଁ, ସ୍ତ୍ରୀ, ପିଲା, ରୋଗୀ ବୁଢ଼ା କିଛି ହେଲେ ବାଛବିଚାର ନାହିଁ । ଯେ ଯେଉଁଠି ଯାହାକୁ ପାଇଲା ହାଣିଲା । ସବୁ କଥା ଜାଣି ଶୁଣି ତୁମେ–"

 

“ମୋତେ କ’ଣ କେହି ହାଣିପାରିବ ଭାବିଛୁ ? ଭାରତ ବର୍ଷରେ ଏମିତି କେହି ମୁସଲମାନ କି ହିନ୍ଦୁ ନାହିଁ, ଯେ ମୋ ଦେହରେ ଛୁରୀ ମାରିବ । ମୋ ଦେହଟା ଯେ ଗୁଣ୍ଡାଙ୍କ କଟୁରିଠାରୁ ଆହୁରି ଦାଢ଼ୁଆ, ଆହୁରି ଟାଣ ।”

 

“ପ୍ରକୃତରେ ତୁମେ କେଉଁଠି ମାଡ଼ ଖାଇନାହଁ ବୋଲି ଏକଥା ସିନା କହିପାରିଲ ।”

 

“ତୋ କଥା ବୋଧହୁଏ ଠିକ୍-ତୋଠାରୁ ନିଶ୍ଚୟ ମୁଁ ଦେଖିଛି କମ୍,ସହିଚି ଆହୁରି କମ୍ । କଲିକତା ସହରଟା ଗୋଟାଏ ବିରାଟ ସ୍ୱପ୍ନ–ପୁଣି ସେତିକି ଅବା ତା’ଠାରୁ ଆହୁରି ଗୋଟାଏ ବଡ଼ ଜାଗରଣ, ତେବେ କଲିକତାରେ ମୋର ଆଉ କି କାମ ? ଯେଉଁଥି ପାଇଁ ଆସିଥିଲି, ସେ କାମ ତ ହୋଇଗଲା ।”

 

“ହୋଇଗଲା ?” ଉଷାର ଆଖି ପୁଣି ଜକେଇ ଆସିଲା ।

 

“ହଁ ଉଷା ! କେବେ କ’ଣ ତୋର ଗୌରୀ ଦେଈଙ୍କୁ ଦେଖିଛୁ, ସେ ତା’ର କାମ ହାସଲ ନ କରି ଫେରି ଯିବାର ? ଆଉ କେବେହେଲେ ଜାଣିଛୁକି, ଗୌରୀ ଯେବେ ଯାହା ଉଷାକୁ ମାଗିବ, ସେ ତାକୁ ନ ଦେଇ ଫେରାଇ ପାରିବ ? ହଁ, ହଁ ଗୋଟାଏ କଥା ତୋ ଘରେ ଆଜି ମୁଁ ନ ଖାଇ ଫେରୁନାହିଁ ।”

 

“ତୁମେ ମୋ ଘରେ ପାଣି ଛୁଇଁବ, ଗୌରୀ ଦେଈ ? ପିଲାଦିନେ ସିନା ଜାତିଗୋତ୍ର ନ ଥାଏ ଯେ ମୋ ସାଙ୍ଗରେ ଆମ ଘରେ କେତେଥର ପଖାଳ ଖାଇଚ ? ହେଲେ, ଆଜି କ’ଣ ମୋର ଜାତି ଅଛି ନା ଗୋତ୍ର ଅଛି ?”

 

“ସେ ସବୁ ବାକ୍‍ଚାତୁରୀ ରଖିବେ ଉଷା, ଖାଇବାକୁ କ’ଣ ଦେଉଛୁ, ଆଗ ଆଣିଲୁ । ଭୋକରେ ପେଟ ଜଳିଲାଣି ।”

 

ଉଷା ପ୍ରକୃତରେ ଛଳନା କରୁଥିଲା । ଆଗତୁରା ସେ ଗୌରୀ ପାଇଁ ଖାଇବା ଯୋଗାଡ଼ କରି ସରିଥାଏ ।

 

ସେହିଦିନ ସନ୍ଧ୍ୟାରେ ମୁଁ ଉଷା ଘରଆଡ଼େ ବାହାରିଥାଏ । ଦେଖିଲି ଦୁଆର ମୁହଁରେ ପୁଲିସ୍‍ ଦାରୋଗା । ପୁଲିସ୍‍, ଡାକ୍ତର, ଓକିଲଙ୍କ ଭଳି କେତେକ ଶ୍ରେଣୀର ମନୁଷ୍ୟ ଅଛନ୍ତି, ଯାହାଙ୍କୁ ମନୁଷ୍ୟ ନ କହି ମନୁଷ୍ୟର ଦୁର୍ଘଟଣା କହିବାକୁ ଇଛା ହୁଏ । ଯାହାଙ୍କ ଦର୍ଶନକୁ ମୁଁ ଖୁବ୍‍ କମ୍ ସମୟରେ ଶୁଭ ଲକ୍ଷଣ ବୋଲି ବିଚାରିଥାଏ । ଦାରୋଗା ବାବୁଙ୍କଠାରୁ ଶୁଣିଲି ଜଣେ ଲୋକକୁ ଗୁଣ୍ଡାଦଳ ଫୁଟ୍‍ପାଥରେ ହାଣି ପଳାଇଛନ୍ତି । ଅଳ୍ପସମୟ ଭିତରେ ଲୋକଟିର ପ୍ରାଣ ଛାଡ଼ିଗଲା । ମରିବା ଆଗରୁ ସେ ମୋରି ନାଆ କହୁଥିଲା ।

 

“ମୋରି ନାଁ କହୁଥିଲା ?”

 

ବିଜୁଳି ଆଲୁଅରେ ଦାରୋଗାର ଖାକି ପୋଷକଟା ଉଜ୍ଵଳ ଦିଶୁଥାଏ । ହାତରେ ଧରିଥିବା ସରୁବେତ ଖଣ୍ଡ ହଲାଇ ସେ କହିଲେ,”ହଁ ଆପଣଙ୍କ ନାମ ଦିବାକର ବାବୁ ତ ? ଆସନ୍ତୁ ସେ ଆପଣଙ୍କ ଲୋକ କି ନୁହେଁ, ଦେଖିଲେ ଚିହ୍ନିବେ ?” ମୋର ଦେହମୟ ଖେଳିଗଲା ଗୋଟାଏ ସାନ୍ନିପାତିକ ଶୀତଳତା ।

 

ଦାରୋଗା ସହିତ ପୁଲିସ୍‍ ଜିପ୍ ଗାଡ଼ିରେ ଚାଲିଲି । ଫୁଟ୍‍ପାଥ ପାଖରେ ଗାଡ଼ି ଆସି ଅଟକିଲା । ଜମା ହୋଇଥିବା ଲୋକ ଆଡ଼େଇଗଲେ । ଆଖି ଆଗରେ ଯାହା ଦେଖିଲି, ସେଥିରେ ପଥର ପାଲଟି ଗଲି । ସେହି ମୃତ ମଣିଷର ଦେହଟି ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥାଏ । ଗୋଟାଏ ହାତ ଦେହରୁ ଅଲଗା ହୋଇ ଟିକିଏ ଦୂରରେ ଛିଟିକି ପଡ଼ିଥାଏ । ପୁଣି ସେଇ ହାତରେ ମୁଠା ପଡ଼ିଥାଏ ଗୋଟାଏ ଛୁରୀ । ରକ୍ତ ବୋଳା ମୁହଁ ଓ ନିଶ ଅତି ଭୟଙ୍କର ଦିଶୁଥାଏ । ଚିହ୍ନି ପାରିଲି, ସେ ଏଟମ୍ । ମୋର ଶ୍ୱଶୁର ଗାଆଁର ସେହି ବିଶ୍ୱାସୀ ଚାକର । କିନ୍ତୁ କେଉଁ ରାଜନୀତି ପାଇଁ କେଉଁ ଆସନରେ ବସିବ ବୋଲି ଏଟମର ଏହି ରକ୍ତସ୍ନାନ ! କେଉଁ ପାକିସ୍ଥାନ ଦେବ ନାହଁ ବୋଲି ସେ ଅମଙ୍ଗ ହେଲା ? କେଉଁ ଭାରତର ସ୍ୱାଧୀନତା ପାଇଁ ଅବା ସେ ଲଢ଼େଇ କରି କାହାର ହେଲା ବିରୋଧୀ ? ଓଡ଼ିଶା ମୁଲକର ନୟନଗଡ଼ର ଅଇଁଠା ପରିଡ଼ା ! ସେହି ଆଜି ହେଲା ସାମ୍ପ୍ରଦାୟକ ଦଙ୍ଗାର ଶିକାର–କିଏ କହିବ କଲିକତା ଫୁଟ୍‍ପାଥର ସହିଦ ହେଲା ସେ କାହିଁକି ?

 

ଉଷା ଘରକୁ ଗଲି, ଉଷା ବ୍ୟଥିତ ହେଲା ସିନା, ବସି ତ ହେଲା ନାହିଁ । ରୋଜ ତ ଏମିତି ଶହ ଶହ ଲୋକ ହଣା ଖାଉଛନ୍ତି । ତାଙ୍କ ଭିତରେ ପୁଣି ଶହ ଶହ ଓଡ଼ିଆ ମଜୁରିଆ କେଉଁ ଅନ୍ଧାର କଣରୁ ଆସି କଲିକତାରେ ଏଇ ସାମ୍ପ୍ରଦାୟକ ଦଙ୍ଗାର ଶିକାର ହେଲେଣି, ଛେଳି କଟାହେବା ଭଳି । ଏଠାରେ ସେମାନେ ମାଟି ହାଣି ନିଜ ନିଜ ଜୀବନ ଦେଇ କଲିକତା ସହରଟାକୁ ଆପଣାର କରି ନେଲେଣି; କିନ୍ତୁ ନୟନଗଡ଼ର ପାଇକ ପୁଅ ଅଇଁଠା ପରିଡ଼ା ଆଉମାନଙ୍କ ପରି ସେ ଖାଲି ଆପେ ହଣାଖାଇ ମରିନାହଁ । କେଇଟାଙ୍କୁ ମାରି, ଆଉ କେଇଟାଙ୍କୁ ଖଣ୍ଡିଆଖାବେରା କରିସାରି ନିଜେ ମରିଛି । ଯେଉଁଠି ସେ ମରି ଶୋଇଥିଲା ସେଠି ଯେ ଗୋଟାଏ ଖଣ୍ଡଯୁଦ୍ଧ ଲାଗିଯାଇଥାଏ । ସେଦିନ ଚାରିଟାବେଳେ କିଏ ଦୂରରେ ରହି କିଏ ଝରକା ବାଟେ ଦେଖିଥିବା ଲୋକେ ସେ ଘଟଣାରେ ସାକ୍ଷୀ ଦେଲେ । ପୁଣି ସାକ୍ଷୀ ହେଲା, ଅଇଁଠାର କଟା ହାତରେ ଲାଗିଥିବା ସେଇ ଛୁରୀଟା । ଯେଉଁ କେତେଜଣ ତା’ ହାତରେ ହଣା ଖାଇଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଦୁର୍ବୃତ୍ତମାନେ ଘେନି ପଳାଇ ଯାଇଥିଲେ । ମୋଠାରୁ ଉଷା ସବୁ ଶୁଣିଲା; କିନ୍ତୁ ସେ ଗୌରୀ କଲିକତା ଆସିଥିବାର କିଛି ହେଲେ ଖବର ଦେଲା ନାହିଁ ମୋତେ, ଅଥଚ ଯେଉଁ ଖବର ଦେଲା, ସେଥିଲାଗି ମୁଁ ଏକାବେଳେ ଅପ୍ରସ୍ତୁତ ଥିଲି ।

 

ବମ୍ବେର ଗୋଟାଏ ବଡ଼ ସିନେମା କମ୍ପାନୀ ସଙ୍ଗେ ଉଷା ଚୁକ୍ତି କରିସାରିଛି । ଦିନେ ମୋରି ଆଗରେ ସେ ଯେଉଁ ଚୁକ୍ତିକୁ ଚିରି ଫିଙ୍ଗି ଦେଇଥିଲା । ଆଜି ଆଉ ଗୋଟାଏ କମ୍ପାନୀ ସାଥିରେ ତା’ର ଚୁକ୍ତି ହୋଇଯାଇଛି, କାଲି ବମ୍ବେ ଯିବାକୁ ତା’ର ଟିକେଟ୍ କିଣା ସରିଲାଣି ।

 

କାଲି । କାହିଁ ? ମତେ ଟିକିଏ ସୁଦ୍ଧା ପଚାରିଲ ନାହିଁ ଉଷା ! ମୁଣ୍ଡ ମୋର ଗୋଳମାଳ ହୋଇଗଲା, ସେଠାରେ କେତେଦିନର କାମ ଅଛି କି ?

 

ଅଳ୍ପ ହସି ଉଷା କହିଲା,”କେତେଦିନ କ’ଣ ? ଆଉ ବୋଧହୁଏ ମୋତେ ଫେରିବାକୁ ହବ ନାହିଁ ।”

 

ଉଷାର ମୁହଁକୁ ନ ଚାହିଁ ପଚାରିଲି–

 

“ନା ? ତୁମେ ଆଉ ଫେରିବା ନାହିଁ ? ତାହାହେଲେ ମୁଁ କ’ଣ କରିବି ଉଷା ?”

 

“ଆପଣ ଗାଆଁକୁ ଫେରିଯିବେ ।”

 

ଗାଁ, ଗାଁ, ଗାଁ ପୁଣି ସେଇ ଗାଁ । କଲିକତା କ’ଣ ଆମର ଗାଁ ନୁହେଁ ? ଓଡ଼ିଶାର ଗାଆଁ ବୋଇଲେ ତା’ କଲିକତା । ଏଇଠିକୁ ତ ଓଡ଼ିଶାର ହଜାରେ ହଜାରେ ଗାଆଁ ଖାଲିକରି ଲକ୍ଷଲକ୍ଷ ଓଡ଼ିଆ ଜମା ହୋଇଛନ୍ତି ଆସି । ଏଇଠି ରହି ସହରକୁ ସଜାଡ଼ୁଛନ୍ତି ସେମାନେ ଦିନରାତି । ପାଣି କଳ, ବିଜୁଳି ଆଲୁଅ ରାସ୍ତାଘାଟ, ଦୋକାନ, ବଜାର କେଉଁଠି ତାଙ୍କର ହାତ ବାଜିନି ? ସବୁ ଅସମ୍ଭବକୁ ସମ୍ଭବ କରୁଛନ୍ତି ସେଇମାନେ–ଯେଉଁଠି ମଣିଷ ରହିବା ଅସମ୍ଭବ ସେହିଭଳି ଜାଗା ତାଙ୍କର ବାସସ୍ଥାନ । ସବୁଠୁ ବେଶି ଭୋକ ହଜମ କରନ୍ତି ସେଇମାନେ, ନଗ୍ନତା ସେମାନଙ୍କର ପରିଧେୟ, ଅଶିକ୍ଷା ଅଭଦ୍ରତାର ଚରମ ଅଧିକାରୀ ସେମାନେ–ଯେଉଁ ଅବସ୍ଥାରେ ପୃଥିବୀର ଇତରପ୍ରାଣୀ ସୁଦ୍ଧା ବଞ୍ଚିପାରିବିନି, ସେଇ ଅବସ୍ଥାରେ ତାଙ୍କ ଜୀବନ–ସେଇ ଜୀବନ ହିଁ ମୃତୁଞ୍ଜୟୀ ।

 

ଯେଉଁମାନେ ସବୁଠୁ ଓଜନଦାର ମୋଟ ବୋହି ସୁଦ୍ଧା ଏଭଳି ଜୀବନ ବଞ୍ଚିପାରନ୍ତି, ମୁଁ ଯେ ତାଙ୍କରି ଭାଷା କହେ ତାଙ୍କରି ଭିତରୁ ମୁଁ ସେ ଜଣେ, ଏହା ଭାବି ମନରେ ଦୁର୍ବଳତା ବହୁତ କମି ଆସିଥିଲା ମୋର । ଆଉ ପାଦେ ମୁଁ ଆଗେଇବାର ସାହସ ପାଇଲି ସେଇ ବଳରେ ଉଷାର ଅକସ୍ମାତ ବିଛେଦକୁ ମୁଁ ସମ୍ଭାଳି ପାରିଥିଲି ବୋଲି ଭାବୁଛି । ତହିଁ ଆରଦିନ ହାଓଡ଼ା ଷ୍ଟେସନରେ ଉଷାକୁ ମୁଁ ବମ୍ବେ ମେଲରେ ବସାଇଦେଲି ।

 

“ହଁ ଉଷା ! ନିଜେ ବିଦାହେବା ଆଗରୁ ତୁମକୁ ମୁଁ ବିଦାୟ ଦବାକୁ ଚାହେଁ ।” ସେଇଦିନ ପୁରୀ ଏକ୍ସପ୍ରେସରେ ମୁଁ ଟିକେଟ୍ କାଟି ସରିଥାଏ । ଦୁହେଁ ଆଉ ବେସି କିଛି କଥାବାର୍ତ୍ତା କରିପାରିଲୁ ନାହିଁ । ସେତେବେଳେ କଥା ନ କରିବାରେ ହିଁ ବୋଧହୁଏ ବେଶି କଥା କୁହାଯାଏ । ପ୍ଲାଟଫର୍ମର ଘଣ୍ଟା ବାଜିଲା, ରେଳଗାଡ଼ିର ବଂଶୀ ଶୁଣାଗଲା । ବମ୍ବେ ମେଲ ଛାଡ଼ିଲା; କିନ୍ତୁ କେତେବେଳେ ଏ ସବୁ ଘଟିଗଲା–ମୋର ଖିଆଲ ନାହିଁ । ମୁଁ ଖାଲି ଚାହିଁ ରାହିଥାଏ, ଗାଡ଼ିଟା ଅଦୃଶ୍ୟ ହେବା ପର୍ଯ୍ୟନ୍ତ-। ଆଉ ସେଇ ଗାଡ଼ି ଭିତରେ ଉଷା । ସେ ଆଜି ମୋ ବାହାଘରର ଶେଷ କଉଡ଼ି ଖେଳଟା ଖେଳାଇ ଦେଇସାରି ବିଦାୟ ଘେନିଗଲା !

 

ହାଓଡ଼ା ଷ୍ଟେସନରେ ମଧ୍ୟ ମଣିଷକଟା ଚାଲିଥାଏ । ପୁରୀ ଏକ୍ସପ୍ରେସରେ ପୋକ ପରି ଯନ୍ତାଯନ୍ତ ଭିଡ଼ । ପ୍ଲାଟଫର୍ମରେ ଗାଡ଼ି ପଶିଲା; ମାତ୍ର ବୋକ୍‍ଚା ବିଛଣା ସବୁ କିଏ ଦୁଆର ବାଟେ କିଏ ଝରକା ବାଟେ ଫିଙ୍ଗି ଲାଗିଲେ । ସେଥି ସଙ୍ଗେ ମଣିଷ ମଧ୍ୟ ଝରକା ଡେଇଁ ଗାଡ଼ି ଭିତରେ ପଶିବା ଦୃଶ୍ୟ ପାଣି ଭିତରୁ ମାଛ ଡେଇଁ ଜାଲରେ ପଡ଼ିବା ଭଳି । ଜଣେ ମୋଟା ଲୋକ ପଶି ପାରୁନଥାଏ ବୋଲି ବାହାରୁ ତାକୁ ତିନି ଚାରିଜଣ ଲୋକ ଠେଲି ପେଲି ଗାଡ଼ି ଭିତରେ ପୂରାଉଥାନ୍ତି-। କଲିକତା ଛାଡ଼ି ଲୋକେ ପଳାଇବାରେ ଲାଗିଥାନ୍ତି । ମୁଁ ବି ସେଇ ପଳାତକମାନଙ୍କ ଭିତରୁ ଜଣେ-। ହାଣ ମୁହଁରୁ ଖସି ପଳାଇ ଯିବା ଆନନ୍ଦ ମୋର ନ ଥିଲା । ଥିଲା କେବଳ ଉଷାର ସ୍ମୃତି ପାଖରେ ଏକୁଟିଆ ରହିବାର ଭୟ । ସେହି ସ୍ମୃତିଟା ଯେମିତି ମତେ ଜବରଦସ୍ତି ଠେଲିନେଇ ଗାଆଁରେ ପହଞ୍ଚାଇ ଦେଲା ।

ମତେ ଘରେ ପହଞ୍ଚିବାର ଦେଖି ବେସି ଖୁସି ହେଲା ଗୌରୀ । ସେ ଯେମିତି ମତେ ଅପେକ୍ଷା କରି ରହିଥିଲା ।” ଆପଣ କଲିକତାରୁ ସବୁକାମ ତୁଟେଇଦେଇ ଆସିଛନ୍ତି ତ ?”

ଉତ୍ତର କଲି, ‘‘ଏତେ ସହଳ କ’ଣ, ସବୁ ତୁଟିପାରେ ? ତେବେ ଗାଆଁରେ ମୋଦ୍ଵାରା କି କାମ ହୋଇପାରୁଛି କେଜାଣି ।” କିନ୍ତୁ ଗାଆଁରେ ଯେତେ କାମ ଯୋଡ଼ା ହେଇଚି, ଦେଖି ତାଟକ ଲାଗିଲା ମୋତେ । ନିରୀକ୍ଷରଙ୍କୁ ସାକ୍ଷର କରିବା, ଶସ୍ୟଗୋଲାର ହିସାବ ରଖିବା, ପୁଣି ସୁତାକଟାଠାରୁ ଲୁଗାବୁଣା ଯାକେ, ଗାଈମଇଁଷି ଛେଳି କୁକୁଡ଼ାଠାରୁ ଅଣ୍ଡିପୋକ ମହୁମାଛି ପାଳିବାଯାକେ ଅସଂଖ୍ୟ କାମ । କହିଲ, ‘‘ଗୌରୀ ଦେଈ ! ଏ ସବୁ ଆପଣଙ୍କ କୀର୍ତ୍ତି ।”

ସେ ଟିକିଏ ଅପ୍ରସ୍ତୁତ ହୋଇ କହିଲା, ‘‘ନା, ନା, ମୁଁ କ’ଣ କଲି । ମତେ ଅବା ବେଳ କାହିଁ ? ଏ ସବୁ କରିଛନ୍ତି ଗାଆଁର ଝିଅ ବୋହୂମାନେ ।”

ସତେ ଯେମିତି ଗୌରୀ ସାବିତ୍ରୀ ମାଡ଼ ଖାଇବା ଦିନୁ ଗାଆଁ ଭିତରେ ଗୋଟାଏ ଚହଳ ପଡ଼ିଯାଇଥାଏ । ତାହାରି ପ୍ରତିଶୋଧ ନବାକୁ ଅବା କାମରେ ସମସ୍ତେ ଲାଗି ପଡ଼ିଥାନ୍ତି । ଗାଆଁର ବିଲବାଡ଼ି ଗଛବୃଛକୁ ଘେନି କଲିକତାର ମଣିଷ ଜଙ୍ଗଲକୁ ପାସୋରି ପଳେଇବାକୁ ମୁଁ ଚେଷ୍ଟାକଲି । ତଥାପି ମୋତେ ସବୁକାମରେ କିମିତି ଖାପଛଡ଼ା ଲାଗୁଥାଏ । ସାବିତ୍ରୀ ତାହାର ସବୁଦିନର କାମ କରି ଯାଉଥାଏ, ଆଉ ସବୁକର୍ମୀଙ୍କ ଭଳି–ତାହାରି ଭିତରେ ମୋ ପ୍ରତି ତା’ର ଯେତିକି କର୍ତ୍ତବ୍ୟ, ତହିଁରେ ମଧ୍ୟ ତ୍ରୁଟି ନ ଥାଏ । କିନ୍ତୁ ମୋ ନିଜ ଘରେ ଏମିତି ଗୋଟାଏ ଆଶ୍ରମରେ ଆବହାୟୋ ମତେ ମଝିରେ ମଝିରେ ବଡ଼ ଅଡ଼ୁଆ ଲାଗୁଥାଏ । କିଏ ନିଜ କିଏ ପର ଏ ସବୁ ଲଘୁବିଚାର ହିତୋପଦେଶରେ ଅଛି । ମହତ ଲୋକଙ୍କର ସିନା ବସୁଧା ଯାକ କୁଟୁମ୍ବ ଆମ କ୍ଷୁଦ୍ରଜନ୍ତୁ ସେ ଯାକେ ଗଲେ ତ !

ଆଶ୍ରମ ପୁଣି ଘର-ଦୁଇଟା ମଝିରେ ଯେ କିଛି ଟିକିଏ ଫରକ୍ ରହିବା ଦରକାର, ତାହା ଯେମିତି ଗୌରୀ, ସାବିତ୍ରୀ ଆଦୌ ବିଚାରକୁ ଆଣୁନାହାନ୍ତି । ଘର ବୋଲି ଯେଉଁ ଟିକିଏ ନିଭୃତ ସ୍ଥାନ ମିଳିବାର କଥା ତାହା ମୋ ଘରୁ ଲୋପ ପାଇଯାଇଛି । ଏକାନ୍ତରେ ଗୋପନରେ ଅନ୍ୟଠାରୁ ଅପ୍ରକାଶରେ, ନିଜ ସ୍ତ୍ରୀ ପରିବାର ସହିତ ଯେଉଁ ସମ୍ପର୍କ, ସେତକ ପାଇବାକୁ ମନ ମୋର ବିକଳ ହୁଏ । ଗାଆଁର ଘରକରଣା ଲୋକେ କାହିଁକି ଯେ ଏ ସବୁ ଦେଖି ସହି ପାରୁନାହାନ୍ତି, ତବ ବୁଝାପଡ଼େ । ଯୁଗ ଯୁଗ ଧରି ତାଙ୍କରି ଅଭ୍ୟାସ ହୋଇଆସିଛି ସାନ ସାନ ଗାଁ, ଘର, ସମାଜ ଗଢ଼ି ତା’ରି ଭିତରେ ଚଳିବାକୁ । ତାକୁ ଯେ ଅସ୍ୱୀକାର କରିବି–ସେଇ ଗାଁ ଘର ସମାଜର ସୀମାଭାଙ୍ଗି ସବୁ ଏକାକାର କରିବାକୁ ଯିବେ, ସେଭଳି ପରିସ୍ଥିତିରେ ସଂଘର୍ଷ ଉପଜିବାଟା ତ ସ୍ୱାଭାବିକ । ସେଥିପାଇଁ ଗାଁଲୋକଙ୍କ ଉପରେ ଦୋଷ ଦେଇ ହବ କିପରି ? ଦୋଷଟା ଖାଲି ପୁରୁଣା ଆଉ ନୂଆ ସଂସ୍ଥାର–ଗତକାଲିର ପୁଣି ଆଜିର ମଣିଷର ! ତେବେ କ’ଣ ଉଷା ମୋତେ ପଠାଇ ଦେଇଛି ଏଇ ମୋର ଘରକୁ–ଏଇ ପରିବାର ଭିତରକୁ ! ଆଉ ସେ ନିଜେ ଅଘୋରୀ ବୋଲି ବହାରି ଯାଇଛି ବମ୍ବେ । ମନେ ମନେ ହସିଲି ଚୋର ମା’, ଲାଜେ ନ କାନ୍ଦେ–ଯେବେ କାନ୍ଦେ ଦୁଆର ଦେଇ କାନ୍ଦେ-। ଆଗ ଆଗ ଏଇ ନୂଆ ପରିସ୍ଥିତି ମତେ ଟିକିଏ ଭଲ ଲାଗିଲା । ଏଇ ଭଜନ, ପ୍ରାର୍ଥନା, ମାଟିହଣା, ଲୁଗାବୁଣା, ପୂରାଣ ପାଠ ରୋଜ ପାହାନ୍ତା ପହରୁ ରାତି ଅଧଯାକେ; ମାତ୍ର କିଛିଦିନ ଏହା ଏତେ ବେଶି ଦିହଘସା ହୋଇପଡ଼ିଲା ଯେ, ଏଠାରୁ ଛାଡ଼ି ପଳାଇବା ଛଡ଼ା ମୁଁ ଅନ୍ୟ ଉପାୟ ଖୋଜିପାରିଲି ନାହିଁ । ପୁଣି ତ କଲିକତା ଭଳି ସହରକୁ ସୁଦ୍ଧା ସାବିତ୍ରୀ ସୁଖ ନ ପାଇ ମାସ ‘ଦି’ ଟା ସେଠାରେ ରହିପାରିଲା ନାହିଁ । ଗାଆଁରେ ମୋ ପାଇଁ ପ୍ରକୃତ ଆକର୍ଷଣ ବା କ’ଣ ଅଛି ?

ଆଶ୍ଚର୍ଯ୍ୟ କଥା–ଗୌରୀ ମୋର ମନ ଭିତର କଥା ଜାଣିଲା ଭଳି ପ୍ରସ୍ତାବ କଲା, କିଛିଦିନ ପାଇଁ ମୁଁ କଲିକତା ଯାଏ, ପୁଣି ସାବିତ୍ରୀ ମଧ୍ୟ । ସେତେବେଳକୁ କଲିକତା ଅବସ୍ଥା ଥଣ୍ଡା ପଡ଼ିଥାଏ । ପଲାଇ ଆସିଥିବା ଲୋକେ ପୁଣି ଗୋଟି ଗୋଟି ହୋଇ ଲେଉଟୁଥାନ୍ତି ।

ଏ ପ୍ରସ୍ତାବରେ ସାବିତ୍ରୀ ଆଗ ଆଗ ରାଜି ହେଲା ନାହିଁ; କିନ୍ତୁ ଦୁନିଆରେ ସବୁରି କଥା ସେ ଏଡ଼ିଦେଇପାରେ–ଏକା ଗୌରୀକୁ ଛାଡ଼ି । ଜାନୁଆରୀ ମାସ ତିରିଶି ତାରିଖ । ପିଲା ଦୁହିଁଙ୍କୁ ଧରି ସେହିଦିନ ଆମେ ବାହାରିଲୁ । ଠିକ୍ କଲୁ ଗୌରୀ ମୋରି ଘରେ ରହି ସ୍କୁଲକୁ ଯା-ଆସ କରିବ; କିନ୍ତୁ ସେ ଯେ ବେଶିଦିନ ସେ ସ୍କୁଲରେ ରହିବ ନାହିଁ, ତାହା ଜଣାପଡ଼ିଥାଏ । ଗ୍ରାମମଣ୍ଡଳ ବିଭାଗରେ ଗୋଟାଏ ଚାକିରି ସକାସେ ତାକୁ ଡାକରା ଆସିଥାଏ । ବଦଳି ହୋଇ ଗଲେ ବି ସବୁ ବନ୍ଦୋବସ୍ତ ସେ କରିଯିବ । ସେଥିଲାଗି ସେ କାମରେ କିଛି ଅସୁବିଧା ହବ ନାହିଁ ତାହାଠାରୁ ନିର୍ଭର ଜବାବ ପାଇଥାଏ ସାବିତ୍ରୀ । ତଥାପି ଗାଁରୁ ଷ୍ଟେସନକୁ ଆସିବ ବାଟଯାକ ମନରେ ତା’ର ସୁଖ ନ ଥାଏ ।

 

ଟିକେଟ୍ କାଟିସାରି ଗାଡ଼ି ଆସିବାକୁ ଅପେକ୍ଷା କଲି–ସେଦିନ ଗାଡ଼ି ଆସିବାକୁ ଦୁଇଘଣ୍ଟା ବିଳମ୍ବ । ନିଛାଟିଆ ମଫସଲ ଷ୍ଟେସନ । ରାତି ଦଶଟାର ଗାଡ଼ି ବାରଟା ପରେ ଆସି ଲାଗିଲା । ସେତିକିବେଳେ କିଏ ଯେମିତି କହିଗଲା–ଗାନ୍ଧୀ ଆଜି ଗୁଳି ଚୋଟରେ ନିହତ !!!

 

ଗାନ୍ଧୀଙ୍କୁ ମୁଁ ବହୁତ ଦୂରରୁ ଲକ୍ଷ ଲକ୍ଷ ଲୋକରୁଣ୍ଡ ହୋଇଥିବା ସଭାରେ ଦେଖିଛି । ଆଜି ସେମିତି ହଜାରେ କୋଶ ଦୂରରେ ସେ ନିହିତ ହୋଇଛନ୍ତି; କିନ୍ତୁ ମରିଯିବା ପରେ ସେ ମୋର ଅତି ନିକଟକୁ ଚାଲିଆସିଲେ । ଜୀବନଯାକ ତାଙ୍କୁ ବୁଝିବାକୁ ଯେତେ ଚେଷ୍ଟାକଲି, ସେତିକି ସେ ଅବୋଧ୍ୟ ହୋଇପଡ଼ୁଥିଲେ । ଆଜି ଯେ ଖୁବ୍‍ ବୁଝିଗଲି, ତାହା ନୁହେଁ । କିନ୍ତୁ ମାରିବା ପରେ ସେ ଯେମିତି ମୋ ଆଗରେ ଅତି ବାସ୍ତବ, ଆଉ ଜୀବନ୍ତ ହୋଇପଡ଼ିଲେ । ଜିନିଷପତ୍ର ଧରି ମୁଁ ଗାଡ଼ି ଉପରକୁ ଉଠିଲି; କିନ୍ତୁ ସାବିତ୍ରୀ ଉଠିଲା ନାହିଁ । ପ୍ଲାଟଫର୍ମରେ ସେମିତି ଛିଡ଼ା ହୋଇ କହିଲା ।” ନା, ମୁଁ ଯିବି ନାହିଁ, ତୁମେ ଯାଅ ।” ଘଣ୍ଟା ବାଜିଲା, ହୁଇସିଲ ଶୁଣାଗଲା, ସାବିତ୍ରୀର ପାଦ ଯେଉଁଠି ଥିଲା ସେଇଠି-। ଆଗପଛ ବିଚାରିବାକୁ ବେଳ ନ ଥିଲା, ଜିନିଷପତ୍ର ତଳକୁ ପକାଇ ମୁଁ ମଧ୍ୟ ଚଟ କରି ଓହ୍ଲାଇ ପଡ଼ିଲି । ତହିଁ ଆରଦିନ ସକାଳେ ଯାଇ ଗାଆଁରେ ପହଞ୍ଚିଲୁ । ବାଟ-ଘାଟ, ଗାଆଁ ଗଣ୍ଡା ସବୁଆଡ଼େ ସେଇ ଗୋଟାଏ କଥା । ସମସ୍ତେ ତଟସ୍ଥ, ପ୍ରତି ଲୋକର ଯେମିତି ଅତି ଜଣାଶୁଣା ଭାଇ ବନ୍ଧୁ କୁଟୁମ୍ବ ଭିତରୁ କେହି ଜଣେ ଗୁଳି ଖାଇ ପ୍ରାଣ ହରାଇଛି ।

 

ଗୌରୀ କହିଲା, ‘‘ଆଗରୁ ତ ଏହା ଜଣାପଡ଼ିଯାଇଥିଲା । ସେଥିପାଇଁ କେତେଥର ତାଙ୍କୁ ସାବଧାନ କରାନଯାଇଛି ! ତେବେ ଜାଣିଶୁଣି ଯେଉଁ ଲୋକ ମରଣ ମୁହଁକୁ ଡେଇଁବେ, ତାଙ୍କୁ ଦୁନିଆରେ ଆଉ ରଖିପାରିବ କିଏ ?”

 

“ଗାନ୍ଧିଙ୍କ ରକ୍ତରେ ବୋଧହୁଏ ଭାରତକୁ ତା’ର ସବୁ ପାପର ପ୍ରାୟଶ୍ଚିତ କରିବାକୁ ହେଲା-। ଦେଶ କ’ଣ ତା’ର ସ୍ୱାଧୀନତାର ଦାମ୍‍ ଦେଲା ଏଇଭାବରେ ।” ଆଖିଯୋଡ଼ାକୁ ଲୁହରେ ଭସାଇ ସାବିତ୍ରୀ ଯୋଗଦେଲା । କେତେ ଝିଅ ବୋହୂ ଆସି ରୁଣ୍ଡ ହୋଇଥାନ୍ତି ଆମରି ଘରେ । ମୁଁ ଦୂରରେ ବସି ସବୁ ଶୁଣୁଥାଏଁ । ସହର, ଗାଁ ହାଟବାଟ ଚାରିଆଡ଼େ ସମସ୍ତେ ଆଜି ଯେମିତି ହଠାତ୍‍ ଦେଶ-ଭକ୍ତ ପାଲଟି ଯାଇଛନ୍ତି । ଗାନ୍ଧି ଯେମିତି ନିହତ ହୋଇଛନ୍ତି ପ୍ରତି ଘରେ, ପ୍ରତି ପରିବାରରେ ସବୁ ବିଲବାଡ଼ି ବଗିଚାରେ ତାଙ୍କ ହତ୍ୟା ଖବର ଦେଶତମାମ୍‍ ସାକ୍ଷର, ନିରକ୍ଷର, ଧନୀ, ଗରିବ ପ୍ରତି ଲୋକଙ୍କୁ ଯେମିତି ଚେତାଇ ଦେଇଛି, ସେ ଗୋଟାଏ ମହାନ୍ ଦେଶରେ ଜନ୍ମ, ଯାହାର ନାମ ଭାରତବର୍ଷ ।

 

ଗୌରୀ କହିଲା, ‘‘ସେ ଯାହାହେଉ ଗାନ୍ଧୀଙ୍କ ଜୀବନ ସଙ୍ଗେ ଆମ ଦେଶ ଲୋକଙ୍କ କଥା ଯେବେ ବିଚାରିବା, ତା’ହେଲେ ମନେ ହେବ–ଏଭଳି ମରଣ ହିଁ ପ୍ରକୃତ ମରଣ–ବୀରର ମରଣ କର୍ମୀର ମରଣ–ଏଇ ମରଣ ହିଁ ଆମର ଲୋଡ଼ା କିନ୍ତୁ–କିନ୍ତୁ ଏଭଳି ମରଣ ତ’ ସହଜ ମିଳେ ନାହିଁ ! –ଏହାକୁ ଅର୍ଜନ କରିବାକୁ ହୁଏ । ଏହା ପାଇବାକୁ ହେଲେ ବହୁତ ଦେବାକୁ ହୁଏ । ଆମ ଲୋକଙ୍କର ବିଶ୍ୱାସ ପୁଣ୍ୟବନ୍ତ ଜନମାନେ ପୁଣ୍ୟତିଥିରେ–କାର୍ତ୍ତିକମାସରେ ବଡ଼ ଏକାଦଶୀ ପାଆନ୍ତି-। ଏହା ହଉଚି ତା’ଠୁ ଆହୁରି ବଡ଼ ପୂଣ୍ୟର ଲକ୍ଷ୍ୟ । ଏଥିରେ ଆପଣାର ଶେଷନିଶ୍ୱାସ ଟିକ, ଶେଷ ରକ୍ତଟିକ ଢାଳି ଦିଆଯାଏ ଦେଶ ପାଇଁ, ସମୁଦାୟ ମଣିଷ ସମାଜ ପାଇଁ–ନିଜର କରି କିଛି ହେଲେ ରଖିହୁଏ ନାହିଁ । ଏ ଗୋଟାଏ ଜୀବନ ଯହିଁରେ ପର ଆପଣା ନାହିଁ–ସବୁ ଆପଣାର–ଖାଲି ନିଜ ଦେଶ କି ନିଜ ଜାତ ନୁହେଁ । ସମୁଦାୟ ପୁଥିବୀ, ସମୁଦାୟ ମଣିଷ ଜାତ, ଗୋରା, କଳା ହିନ୍ଦୁ ମୁସଲମାନ ଇଶ୍ୱର ଆଲ୍ଲା ସମସ୍ତ ଏକ ଏଇ ଏକକୁ ପାଇବା ପାଇଁ ତ’ ତାଙ୍କର ମରଣ–ତାଙ୍କର ହତ୍ୟା ସେ ମରଣର ଶେଷ ନାହିଁ ତେଣୁ ତାହାହିଁ ଜୀବନ–ତାହାହିଁ ପ୍ରକୃତ ଜୀବନର ଗାଢ଼ ଅର୍ଥ–ସେଠାରେ ଜୀବନ ମରଣର ଫରକ୍‍ ହୋଇ କିଛି ରହେ ନାହିଁ–ରହିଯାଏ କେବଳ ମଣିଷର ସାଧନା, ଆଉ ସେହି ସାଧନ ମୂର୍ତ୍ତିମନ୍ତ୍ରସ୍ୱରୂପ ଗାନ୍ଧୀ । ସାଧନାଲବ୍ଧ ଏଇ ମରଣକୁ ଜୀବନଯାକ ସେ ଲାଗି ଲାଗି ଅର୍ଜିଥିଲେ । ଶେଷରେ ତାଙ୍କୁ ତାହା ମିଳିଛି । ସେ ମରଣର ଜୀବନର ମୃତ୍ୟୁ ହୁଏ ନାହିଁ । ମୃତ୍ୟୁ ହୁଏ ମରଣର । ମରଣକୁ ସେ ତ’ ବହୁତ ଆଗରୁ ମରିସାରିଥିଲେ, ତେବେ ତାଙ୍କ ଦେହଟିକ ଆମେ ଜଗିବା କଥା । ଆମେ ତାହା କରିପାରୁନୁଁ ।

 

ଯେଉଁ ଦେହକୁ ଆମରି ପାଇଁ ତିଳ ତିଳ କରି ଦାନ କରିଗଲେ ପ୍ରତି ମୁହୂର୍ତ୍ତରେ ସେଇ ଦେହକୁ ଆମେ ବଞ୍ଚାଇ ରଖିବା ତ ଦୂରର କଥା-ଆମେଇ ଯେ ତା’ର ଅବସାନ ଘଟାଇଲୁ ! ‘‘ସତେ ଅବ ଗୌରୀ ନିଜେ ଗାନ୍ଧିହତ୍ୟା ପାଇଁ ଦାୟୀ, ଏମିତି ତା’ ମୁହଁର ଭାବରୁ ଜଣାପଡ଼ିଥାଏ । ତାକୁ ଚାହିଁ ସାବିତ୍ରୀର ଭାବ-ପ୍ରବଣତା ଆହୁରି ତେଜ ଉଠିଲା” । ହଁ ଆମେଇ ଯେ ତାଙ୍କୁ ମାରିଛୁ–‘‘ଏ କଳଙ୍କ ସ୍ୱଧୀନ ଥିବା ପଯ୍ୟନ୍ତ ଭାରତବର୍ଷର କପାଳରେ ଲେଖା ହୋଇ ରହିବ । ଖାଲି ଭାରତରେ ନୁହଁ, ଏହା ମଣିଷ ସମାଜର କଳଙ୍କ ।”

 

“ମୁଁ ଏହାକୁ ତ କଳଙ୍କ ଭାବୁନି, ସାବିତ୍ରୀ ! ଏହା ଯେ ଆମ ଗୌରବର ଟୀକା–ଭାରତ ଯେ ଆଉ କେବେହେଲେ ପରାଧୀନ ହେବନାହିଁ, ଏହି ଟୀକା ତା’ର ପ୍ରମାଣ-ଗାନ୍ଧି ବଞ୍ଚିଥିବାଯାକେ ଭାରତ କପାଳରେ ପରାଧୀନତା ଲେଖାନାହିଁ । ସେ ଚିରକାଳ ବଞ୍ଚି ରହିବେ–ଭାରତର ସ୍ୱାଧୀନତା ସେମିତି କାଳକାଳକୁ ରହିଥିବ । ତାଙ୍କ ହତ୍ୟାର ପ୍ରକୃତ ପ୍ରାୟଶ୍ଚିତ ହେଉଚି, ଭାରତର ସ୍ୱଧୀନତାକୁ ବଞ୍ଚାଇ ରଖିବା । ଏ ପ୍ରାୟଶ୍ଚିତ ଆମକୁ ହିଁ କରିବାକୁ ପଡ଼ିବ, ହଜାର ବର୍ଷ ପଯ୍ୟନ୍ତ ।”

 

“ହେଲେ ଦଇବ ଭଲା କେମିତି ଏକଥା ସହିଲା ଝିଅ” ପାସୋରି ନାନୀ କହେ । ଆମ ଗାଆଁର ସେ ପୁରୁଣା ମଣିଷ ଜଣେ । ସଂସାରରେ କେହି ବୋଲି କେହିବି ତା’ର ନାହିଁ, ଘର ଘର ବୁଲି ସବୁ ବୋହୁ ଝିଅଙ୍କୁ ଡାକି ଆଣିବା ତା’ର କାମ । ଏଇ କାମ କରି ଅକ୍ଷରହିଁ ସେ ପାଠପଢ଼ି ଶିଖିଲାଣି । ଗୌରୀ କଥାରୁ ସେ କିଛି ଠାବ କରିପାରୁନଥାଏ । ଗାନ୍ଧିଙ୍କି ସେ ଭଲ କରି ଦେଖିଚି, ଯେଉଁ ବର୍ଷ ଓଡ଼ିଶାକୁ ସେ ପଦବଜ୍ରରେ ଆସିଥିଲେ, ଠାକୁର ଏମିତି ମଣିଷ–କାହାର ଭଲ ଛଡ଼ା ସେ ମନ୍ଦ କରିଛନ୍ତି କି ? ଏଡ଼େ ପର ଉପଚାରି, କେମିତି କାହାର ହାତ ଗଲାଟି ତାଙ୍କୁ ପୁଣି ମାରିବାକୁ । ମଝିରେ ସେ ହାତଟା ଅଟକ ଗଲା ନାହିଁ । ପାସୋରି ନାନୀ ପୁଣି କହେ ।

 

“ତେମେ କ’ଣ ଜାଣନା କି ନାନି ! ତାଙ୍କର ଅସଲ ଦୋଷ ହେଲା, କାହିଁକି ସେ ପର ଉପଚାର କଲେ । ସେଇ ତ ହେଲା ମରିବାର ବାଟ–” ଗୌରୀ ବୁଝାଇ ଦିଏ ପାସୋରି ନାନୀର ଭାଷାରେ ଆରପଟ ପିଣ୍ଡରେ ବସି ମୁଁ ସବୁ ଶୁଣୁଥାଏ । ଆଉ ଗୌରୀ ମୁହଁକୁ ଚାହିଁ ରହିଥାଏ–ଏକା ନଜରରେ । ପର ଉପକାର କରି କେହି ଭଲା ବଞ୍ଚିଲାଣି ?

 

କହିସାରି ଗୌରୀର ନଜର ବୁଲି ଆସିଲା, ମୋରିଆଡ଼କୁ ! ମୋ ମୁଁହ ବଙ୍କେଇ ନେବା ଆଗରୁ ତା’ର ନଜର ତଳେ ଧରାପଡ଼ିଗଲା । ସେ ନଜରରେ କ’ଣ ଥିଲା କେଜାଣି ମତେ ଲାଗିଲା,ସେ ଏକ୍ସ–ରେ ଠାରୁ ଆହୁରି ତୀକ୍ଷ୍‍ଣ, ମଣିଷ ହାଡ଼ ମାଂସ ନାଡ଼ି ରକ୍ତ–ସବୁ ସେମିତି ସେ ପରୀକ୍ଷା କରିପାରେ ମୁହୂର୍ତ୍ତକ ଭିତରେ । ତା’ ହାବୁଡ଼ରୁ ପଳାଇ ଯିବାକୁ ବାଟ ମିଳିଲା ନାହିଁ ମତେ । ମୁଁ ଅପରାଧୀ ଭଳି ଏଣେତେଣେ ଚାହିଁ ଲାଗିଲି । ଗାନ୍ଧୀ ହତ୍ୟାର ଅପରାଧି ନୁହେଁ–ସେତେବଡ଼ ଅପରାଧି ହେବାର, ଅବା ଅପଣାକୁ ଅପରାଧି ଭାବିବାର ଯୋଗ୍ୟତା ମୋର କାହିଁ ? ମୁ ଯେମିତି ଦୋଷୀ ହେଇଛି, ଗୌରୀ ପାଖରେ–ହଁ ଗୌରୀ ପାଖରେ–ତା’ ବିଷୟରେ ମୋର ଯେଉଁ ଧାରଣା ଥିଲା, ଯେତେ ସନ୍ଦେହ ଅଭିଯୋଗ ଥିଲା, ସବୁ ଯେମିତି ସେ ଜାଣିପକେଇଛି ଏଇ ତା’ର ନଜର ବଳରେ । ମୁଁ ଯେତେଆଡ଼େ ଆଖି ବୁଲାଇ ତାକୁ ଚାହିଁଲି ସବୁଥର ଧରାପଡ଼ିଗଲି । ହଁ, ସେ ମତେ ଚିହ୍ନିଚି ଭଲକରି–ମୋର ତା’ ବିଷୟରେ ସବୁ ଧାରଣକୁ ଗୋଟି ଗୋଟି କରି ଠଉରେଇଛି । ମୁଁ ତେବେ ଯାଏଁ କୁଆଡ଼େ ?

 

ଘର ଭିତରକୁ ଦଉଡ଼ି ଆସିଲା ନୀରଦ, ହାତରେ ତା’ର ଖଣ୍ଡେ ଲମ୍ବା ଖୋଳର ରେଜେଷ୍ଟ୍ରି ଚିଠି ବଢ଼େଇ ଦେଲା, ଗୌରୀ ହାତକୁ । ସବୁରି ନଜର ପଡ଼ିଲା ସେ ଚିଠି ଉପରେ । ଚିଠି ପଢ଼ିସାରି ଗୌରୀ ପୁଣି ମୋ ଆଡ଼କୁ ନଜର ପକେଇଲା ।

 

ସାବିତ୍ରୀ ପଚାରିଲା, ‘‘କଣ ଚିଠି କି ଅପା” ଅତି ସହଜ ସ୍ୱରରେ ଗୌରୀ କହିଲା,” ସେଇ ମ, ସେଇ ଚାକିରିଟା ମିଳିଚି, ଗ୍ରାମ ମଙ୍ଗଳ ବିଭାଗରେ, ତା’ରି ପାଇଁ ଜରୁରୀ ଡାକରା ।”

 

ଜମା ହୋଇଥିବା ଝିଅ ବୋହୁଙ୍କ ଭିତରେ ଗୋଟାଏ ଘୋ ଉଠିଗଲା । ‘‘ଗୌରୀ ଦେଇ ବାହରିଯିବେ କାହିଁକି ? କ’ଣ କାମ କି ? ଏଠାରେ କ’ଣ ଅସୁବିଧା ? ନ ଗଲେ କ’ଣ ହେବ-!” କୌଣସିକାଳେ ଯେଉଁସବୁ ପ୍ରଶ୍ନର କିଛି ହେଲେ ଜବାବ ମିଳି ନାହିଁ !!

 

ସବୁରି ସାଥିରେ ଗୌରୀ ହସଖୁସି ହୋଇ କେମିତି କେଉଁ କାମ ହବ, ସବୁ ବୁଝେଇ ଦେଲା । ଜଣ ଜଣ କରି ସମସ୍ତଙ୍କୁ ଗୋଟାଏ ଅଧେ ଦାଇତ୍ୱ ସେ ଦେଇଗଲା । ପୁଣି ଗ୍ରାମମଙ୍ଗଳ ବିଭାଗରେ ରହି ସେ ସମସ୍ତଙ୍କର କାମ ତଦନ୍ତ କରିବାକୁ ନିଶ୍ଚୟ ଆସିବ, ସେଥିପାଇଁ ତାଗଦା ମନ୍ଧ କରିଦେଲା ଆଗରୁ । ଶେଷକୁ ରହିଲୁଁ ସାବିତ୍ରୀ ଆଉ ମୁଁ । ମୋ ବିଭାଗରେ ଯେମିତି ସବୁ ମୁରବି ପଣ ସେ କରୁଥିଲା, ସେହି ଚେହେରା ମୁଁ ଦେଖିଥିଲି ତାହାର ବିଦାୟବେଳେ । ସାବିତ୍ରୀ କାନ୍ଦୁଥିବାରୁ ହସି ହସି ତାକୁ କହିଲା, ‘‘ଇଲୋ,ତୁଟା କେଡ଼େ କାନ୍ଦୁରି ମ”–ସେହି ହିସ ଭିତରେ ସାବିତ୍ରୀକୁ ବୁଝାଉ ବୁଝାଉ ଆପଣା ଲୁହକୁ ସେ ସମ୍ଭାଳି ନେଲା । ଆଗଭଳି ମତେ ଚାହିଁଲା, ବୋଧହୁଏ ଛୋଟ ନମସ୍କାରଟିଏ କଲା, କିନ୍ତୁ ମୋର ଠିକ୍ ମନେଅଛି–ମୁଁ ପ୍ରତିନମସ୍କାର କରିପାରି ନାହିଁ ।

 

ଗୌରୀର ସେଇ ନଜର ତଳେ ଆପଣାକୁ ମୁଁ ଗୋଟାଏ ଅସହାୟ ଅପରାଧୀ ବୋଲି ବିଚାରିଲି–ସେ ସେମିତି ମୋର ସବୁ ଅପରାଧକୁ ନିଜେ ମୁଣ୍ଡାଇ ନେଉଛି, ଖାଲି ମୋରି ଅପରାଧକୁ ନୁହେଁ–ଏମିତିକି ଖାଲି ଗାନ୍ଧୀ ହତ୍ୟାର ଅପରାଧକୁ ନୁହେଁ କି ଆଉ ଜଣେ କାହାରି ଅପରାଧ ଲାଗି । ଅନ୍ୟାୟ ଆଚରଣ ଲାଗି ନୁହେଁ ଦୁନିଆର ସବୁ ଦୋଷ ସବୁ ଅପରାଧ ପାଇଁ ସେହି ଯେମିତି ଦାୟୀ, ହଁ, ହଁ ସେହି ଏକା ଦାୟୀ !!!

Image

 

ଇତିହାସ

 

"ଆଜିର ମଣିଷ" ପଛରେ ଟିକିଏ ଇତିହାସ ଅଛି ଓଡ଼ିଶା ଶିକ୍ଷା ବିଭାଗର ତତ୍କାଳୀନ ପୌଢ଼ ଶିକ୍ଷା ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ପାଣିଗ୍ରାହୀ ପୌଢ଼ ଶିକ୍ଷାର ଅନୁକୂଳ ଏକ ରଚନା ଲେଖିଦେବା ପାଇଁ ଲେଖାକୁ ଅନୁରୋଧ କରନ୍ତି । ତହୁଁ ଗଳ୍ପ ଆକାରରେ ତାହାର ଆରମ୍ଭ ଏବଂ ଶେଷରେ ଏକ ଉପନ୍ୟାସରେ ପରିଣତ । ଥରେ ପାଣ୍ଡୁଲିପିଟିକୁ ଖଣ୍ଡେ ଚମଡା ଏଟାଚି କେଶ ଭିତରେ ଧରି ରିକ୍‍ସା ରେ ଯାଉଥାଏ । ରାସ୍ତା ରେ ରିକ୍‍ସା ରଖି ୨ମିନିଟ ପାଇଁ ଦୋକାନକୁ ଗଲି । ଦୋକାନରୁ ଫେରି ଦେଖେ ରିକ୍‍ସା ସହିତ ରିକ୍‍ସା ଵାଲା ପୁଣି ଏଟାଚି କେଶ ଏବଂ ଉପନ୍ୟାସର ପାଣ୍ଡୁଲିପିଟି ମଧ୍ୟ ଅନ୍ତର୍ହିତ ହୋଇଛନ୍ତି । ଏହି ଘଟଣା ୧୯୫୭ ଖ୍ରୀଷ୍ଟାବ୍ଦ ମଈମାସ ତା’ ୨୫ ରିଖରେ ଘଟିଥିଲା ।

 

କଟକ ରେଡ଼ିଓ ଷ୍ଟେସନ ର ଶ୍ରଦ୍ଧସ୍ପଦ ଡ଼ାଇରେକ୍ଟର ଶ୍ରୀଯୁକ୍ତ ପି. ଭି. କୃଷ୍ଣମୁର୍ତ୍ତି ପାଣ୍ଡୁଲିପିର ଅନ୍ତର୍ଦ୍ଧାନ ସମ୍ବାଦରେ ସହାନୁଭୂତି ଦେଖାଇ ତାହା ଖୋଜି ବାହାର କରିବାକୁ ଉତ୍ସାହ ଦେଲେ । ସର୍ବତ୍ର ଖୋଜି ସାରି ଶେଷରେ ଆଉଥରେ ପାଇଲି ନିଜ ଭିତରୁ । ଏହିରୂପେ ଉପନ୍ୟାସଟିର ପୁନର୍ଜନ୍ମ ଘଟିଲା । ଅବଶ୍ୟ ତାହାର ଭାଷା ଓ ବିଷୟବସ୍ତୁ ବହୁପରିମାଣରେ ବଦଳିଗଲା ଏବଂ ଯେଉଁ ଉଦ୍ଦେଶ୍ୟରେ ପ୍ରଥମେ ପରିକଳ୍ପିତ ହୋଇଥିଲି ତାହା ଆଉ ରହିଲା ନାହିଁ ।

 

"ଗୌରୀ ନାମ ଘେନି ଉପନ୍ୟାସଟି କଟକ ଆକାଶବାଣୀ ମାଧ୍ୟମରେ ୧୯୫୭ ଅକ୍ଟୋବର ଠାରୁ ଚାରିମାସ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଥରେ ଲେଖା ପ୍ରଚାରିତ ହୋଇଥିଲା । ପାଠ କରି ଶୁଣାଇଥିଲେ କଟକ ଆକାଶବାଣୀର ସୁପରିଚିତ ନାଟ୍ୟଶିଳ୍ପୀ ସ୍ନେହାସ୍ପଦ ଶ୍ରୀ ସୁରେନ୍ଦ୍ର ମହାନ୍ତି-। ଏହି ଉତ୍ସାହ ଲାଗି ମୁଁ ଶ୍ରୀଯୁକ୍ତ ପି. ଭି. କୃଷ୍ଣମୁର୍ତ୍ତି ଓ ଶ୍ରୀମାନ ସୁରେନ୍ଦ୍ର ମହାନ୍ତିଙ୍କୁ ଆନ୍ତରିକ କୃତଜ୍ଞନ୍ତା ଜଣାଉଛି ।

 

ପୁଣି ଆକାଶବାଣୀର ସ୍ରୋତାଙ୍କ ଉଦ୍ଦେଶ୍ୟରେ ଉପନ୍ୟାସଟି ଯେଉଁ ଢଙ୍ଗରେ ପ୍ରଚାର କରାଯାଇଥିଲା, ପୁସ୍ତକ ଆକାରରେ ପାଠକ ମାନଙ୍କ ପାଇଁ ତାହାର ଭାଷା ଓ ପ୍ରକାଷଭଙ୍ଗୀର ପରିବର୍ତନ ଆବଶ୍ୟକ ହେଲା ।

 

ଆତ୍ମପ୍ରକାଶ, ଅନ୍ତର୍ଦ୍ଧାନ, ପୁନରାବିର୍ଭବ ପରିବର୍ତ୍ତନ, ସଂଶୋଧନ ଆଦି ବହୁ ଉତଥାନ ପତନ ଭିତରେ ଗତିକରି ଏବେ ତାହା ଲୋକଲୋଚନ ଗୋଚରକୁ ଆସିଛି । ଏପରିକି ଆକାଶବାଣୀରେ ପ୍ରଚାରିତ 'ଗୌରୀ' ନାମଟିକୁ ଛାଡ଼ି ତାହା ଏକ ନୂଆ ନାମ ଗ୍ରହଣ କରିଛି । ଏହିଭଳି ଅବସ୍ଥାରେ ବୋଧହୁଏ ଲୋକ ଦିଅଁ ଗଢୁ ଗଢୁ ନିଜ ପୂର୍ବପୁରୁଷଙ୍କୁ ଗଢିବସେ ବୋଲି କୁହାଯାଏ; କିନ୍ତୁ ମୁଁ ପାଠକମାନଙ୍କୁ ସବିନୟ ଜଣାଇଦିଏ, ଦିଅଁ ଗଢିବାର ଆସ୍ପର୍ଦ୍ଧା ମୋର କେବେ ହେଲେ ନାହିଁ ବା ନ ଥିଲା । ଅତଏବ”ଆଜିର ମଣିଷ" ଗଢିବାକୁ ଯାଇ ଯଦି ତାଙ୍କ ପୂର୍ବପୁରୁଷଙ୍କ ବୈଜ୍ଞାନିକ ରୂପ ମୋ ଆଗରେ କିମ୍ବା ମୋର ପାଠକମାନଙ୍କ ସମକ୍ଷରେ ପ୍ରକଟିତ ହୋଇଥାଏ, ତେବେ ସେଭଳି ତ୍ରୁଟି ମାର୍ଜନୀୟ ।

 

ଲେଖକ

Image